ପଳାତକ ଲଳିତ ମୋଦି ପାସ୍ପୋର୍ଟ ରଦ୍ଦ କଲା ଭାନୁଆଟୁ ସରକାର

ପଳାତକ ଲଳିତ ମୋଦିଙ୍କୁ ଜୋରଦାର ଝଟକା । ପାସ୍ପୋର୍ଟ ରଦ୍ଦ କଲେ ଭାନୁଆଟୁ ସରକାର । ଆଇପିଏଲ ଆରମ୍ଭ କରିଥିବା ଲଳିତ ମୋଦିଙ୍କ ପାସପୋର୍ଟ ରଦ୍ଦ ହେବା ପରେ ତାଙ୍କର ନାଗରିକତା ମଧ୍ୟ ରଦ୍ଦ ହୋଇଛି। ପୁଣିଥରେ ନାଗରିକତା ପ୍ରଦାନ ଲାଗି ଲଳିତ ଆବେଦନ କରିଥିଲେ ବି ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି ଭାନୁଆଟୁ ପ୍ରଶାସନ । ଦକ୍ଷିଣ ପ୍ରଶାନ୍ତ ମହାସାଗରର ଦ୍ବୀପ ସମୂହ ରାଷ୍ଟ୍ର ଭାନୁଆଟୁର ନାଗରିକତା ପାଇବାକୁ ଲଳିତ ମୋଦିଙ୍କ ଚାଲ୍ ଫେଲ୍ ମାରିଛି । ଭାରତର ପ୍ରତ୍ୟର୍ପଣ ନୋଟିସ ଏଡ଼ାଇବା ଲାଗି ଲଳିତ ମୋଦି ଭାନୁଆଟୁର ନାଗରିକତା ହାସଲ କରିଥିଲେ। ଭାନୁଆଟୁର ନାଗରିକତା ପାଇଁ ଇଣ୍ଟରପୋଲ୍ ଲଲିତଙ୍କୁ କ୍ଲିନଚିଟ୍ ଦେବାକୁ ମନା କରିଦେଇଛି।
ଲଲିତ ତାଙ୍କର ଭାରତ ପାସପୋର୍ଟ ସରେଣ୍ଡର କରିବା ଲାଗି ଲଣ୍ଡନସ୍ଥିତ ଭାରତୀୟ ଦୂତାବାସରେ ଆବେଦନ କରିଥିଲେ। ଏବେ ଲଣ୍ଡନରେ ରହୁଥିବା ଲଳିତ ମୋଦି ବହୁକୋଟି ଟଙ୍କାର ଅର୍ଥ ହେରଫେର ମାମଲାରେ ଭାରତର ତଦନ୍ତକାରୀ ଏଜେନ୍ସି ତାଙ୍କୁ ପଳାତକ ଘୋଷଣା କରିଥିଲା । ତାଙ୍କ ବିରୋଧରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ଭାରତ ସରକାର ପ୍ରତ୍ୟର୍ପଣ ପାଇଁ ପ୍ରୟାସ ଜାରି ରଖିଛନ୍ତି ।
ନିଜ ଦେଶ କବଳରୁ ରକ୍ଷା ପାଇବା ପାଇଁ, ପଳାତକ ବ୍ୟବସାୟୀ ଲଳିତ ମୋଦି ଭାନୁଆଟୁ ନାଗରିକତା ହାସଲ କରିଥିଲେ। ଏବେ କିନ୍ତୁ ଲଳିତ ମୋଦିଙ୍କୁ ଏକ ବଡ଼ ଝଟକା ଲାଗିଛି। ସେଠାକାର ପ୍ରଧାନମନ୍ତ୍ରୀ ଜୋଥାମ ନାପାଟ ଲଳିତ ମୋଦିଙ୍କୁ ଦିଆଯାଇଥିବା ପାସପୋର୍ଟ ବାତିଲ କରିବାକୁ ନାଗରିକତା କମିଶନକୁ ନିର୍ଦ୍ଦେଶ ଦେଇଥିଲେ। ରିପୋର୍ଟ ଅନୁଯାୟୀ, ଲଳିତ ମୋଦିଙ୍କ ଭାନୁଆଟୁ ପାସପୋର୍ଟ ବାତିଲ କରିବାରେ ନ୍ୟୁଜିଲ୍ୟାଣ୍ଡରେ ଭାରତର ହାଇକମିଶନର ନୀତା ଭୂଷଣ, ଅନ୍ୟ କିଛି ଦ୍ୱୀପ ଦେଶ ସହିତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ତେବେ ଲଳିତ ମୋଦି ମାର୍ଚ୍ଚ ୭ ତାରିଖରେ ତାଙ୍କର ଭାରତୀୟ ପାସପୋର୍ଟ ଫେରାଇବା ପାଇଁ ଆବେଦନ କରିଥିଲେ ଏବଂ ପରେ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହାକୁ ନିଶ୍ଚିତ କରିଥିଲା। ଲଳିତ ମୋଦି ୨୦୧୦ ମସିହାରୁ ଭାରତ ଛାଡି ଲଣ୍ଡନରେ ରହୁଛନ୍ତି।
ଏ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଥିଲେ, ‘ସେ ଲଣ୍ଡନରେ ଭାରତୀୟ ହାଇକମିଶନରେ ତାଙ୍କର ପାସପୋର୍ଟ ଜମା କରିବାକୁ ଆବେଦନ କରିଛନ୍ତି।’ ସେ ଆହୁରି ମଧ୍ୟ କହିଛନ୍ତି, ‘ଏହାର ତଦନ୍ତ ବିଦ୍ୟମାନ ନିୟମ ଅନୁଯାୟୀ କରାଯିବ।’ ଆମକୁ ଏହା ମଧ୍ୟ କୁହାଯାଇଛି ଯେ ସେ ଭାନୁଆଟୁ ନାଗରିକତା ହାସଲ କରିଛନ୍ତି। ଆମେ ତାଙ୍କ ବିରୁଦ୍ଧରେ ମାମଲାକୁ ଆଇନର ପୂର୍ଣ୍ଣ ପରିସର ପର୍ଯ୍ୟନ୍ତ ଜାରି ରଖିବୁ। ଉଲ୍ଲେଖନୀୟ ଯେ ଲଳିତ ମୋଦି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ଉପାଧ୍ୟକ୍ଷ ଥିବା ସମୟରେ ଠକେଇ, ମନି ଲଣ୍ଡରିଂ ଏବଂ ବିଦେଶୀ ମୁଦ୍ରା ପରିଚାଳନା ଆଇନ ୧୯୯୯ (FEMA) ଉଲ୍ଲଂଘନ କରିଥିବା ଅଭିଯୋଗରେ ଅଭିଯୁକ୍ତ।