Videos
|
National

Water Safety / ସ୍ୱଚ୍ଛ ଦିଶୁଥିବା ପାଣି କେତେ ସୁରକ୍ଷିତ ? ବୋତଲ ପାଣିରେ ବିଷାକ୍ତ କେମିକାଲ୍, FSSAIର ବଡ଼ ଆକ୍ସନ୍

Rashmita Mishra
Browse all articles by Rashmita Mishra
·27 mins ago·3 min read
ସ୍ୱଚ୍ଛ ଦିଶୁଥିବା ପାଣି କେତେ ସୁରକ୍ଷିତ ? ବୋତଲ ପାଣିରେ ବିଷାକ୍ତ କେମିକାଲ୍, FSSAIର ବଡ଼ ଆକ୍ସନ୍
Water Safety

Key Points

ବିସଲେରୀ ପାଣିରେ ବିଷାକ୍ତ କେମିକାଲ୍ FSSAIର ବଡ଼ ଆକ୍ସନ୍
ବୋତଲ ପାଣି ପିଉଛନ୍ତି କି ? ହୋଇପାରେ କ୍ୟାନସର
ବିସଲେରୀକୁ ନେଇ ବଡ଼ ଖୁଲାସା ପାଣିରେ ମିଳିଲା ବିଷାକ୍ତ ପଦାର୍ଥ
ସ୍ୱଚ୍ଛ ଦିଶୁଥିବା ପାଣି କେତେ ସୁରକ୍ଷିତ? FSSAIର ଚେତାବନୀ

ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ବିସଲେରୀ ଇଣ୍ଟରନ୍ୟାସନାଲ ବିରୋଧରେ କଠୋର ପଦକ୍ଷେପ ନେଇ ମାମଲା ଚଳାଇବାକୁ ଅନୁମତି ଦେଇଛି। କମ୍ପାନୀର ପ୍ୟାକେଜ୍‌ଡ ଡ୍ରିଙ୍କିଂ ୱାଟରର ଏକ ନମୁନା ଯାଞ୍ଚରେ ଅସୁରକ୍ଷିତ ଥିବା ଜଣାପଡ଼ିଛି । ନମୁନାରେ ବ୍ରୋମେଟ୍‌ର ପରିମାଣ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥିବା ସହ ପଲିସାଇକ୍ଲିକ୍ ଆରୋମାଟିକ୍ ହାଇଡ୍ରୋକାର୍ବନ୍ (PAHs) ମିଳିଥିବାରୁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଛି ।

FSSAIର ଏହି କାର୍ଯ୍ୟାନୁଷ୍ଠାନ ପରେ ଏବେ ଏକ ବଡ଼ ପ୍ରଶ୍ନ ଉଠିଛି । ଦେଖିବାକୁ ସ୍ୱଚ୍ଛ ଓ ପରିଷ୍କାର ଲାଗୁଥିବା ବୋତଲବନ୍ଦ ପାଣିରେ ମଧ୍ୟ କ’ଣ ବିଷାକ୍ତ ରାସାୟନିକ ପଦାର୍ଥ ରହିପାରେ ? ଏପରି ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପଡ଼ିପାରେ ? ଆସନ୍ତୁ ଡାକ୍ତରଙ୍କଠାରୁ ଜାଣିବା ।

ଦୂଷିତ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ବିପଜ୍ଜନକ ?
ମ୍ୟାକ୍ସ ହସ୍ପିଟାଲର ଇଣ୍ଟରନାଲ୍ ମେଡିସିନ୍ ବିଭାଗର ନିର୍ଦ୍ଦେଶକ ତଥା ମୁଖ୍ୟ ଡାକ୍ତର ରାଜୀବ ଡାଙ୍ଗଙ୍କ କହିବା ଅନୁଯାୟୀ, ପାଣି ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ । କିନ୍ତୁ ପିଇବା ପାଣିରେ କ୍ଷତିକାରକ ରାସାୟନିକ ପଦାର୍ଥ ରହିଥିଲେ ଏହା ସ୍ୱାସ୍ଥ୍ୟ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିପାରେ ।

ଏହାର ପ୍ରଭାବ ପାଣିରେ କେଉଁ ପ୍ରକାରର କେମିକାଲ୍ ରହିଛି, ତାହାର ପରିମାଣ କେତେ ଏବଂ ଜଣେ ବ୍ୟକ୍ତି କେତେ ଦିନ ଧରି ଏପରି ପାଣି ପିଉଛନ୍ତି, ତାହା ଉପରେ ନିର୍ଭର କରେ । ଦୀର୍ଘ ସମୟ ଧରି ରାସାୟନିକ ଦୂଷିତ ପାଣି ପିଇବା ଦ୍ୱାରା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ ।

କ୍ୟାନସର ଓ କିଡନୀ ରୋଗର ମଧ୍ୟ ରହିଛି ଆଶଙ୍କା

ଡାକ୍ତର ରାଜୀବ ଡାଙ୍ଗଙ୍କ ଅନୁସାରେ, ଦୂଷିତ ପାଣି ପିଇବା ଦ୍ୱାରା ପେଟ ଯନ୍ତ୍ରଣା, ବାନ୍ତି, ଝାଡ଼ା, ବାନ୍ତି ବାନ୍ତି ଲାଗିବା ଏବଂ ହଜମ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ । ସେହିପରି ଦୀର୍ଘ ସମୟ ଧରି ଆର୍ସେନିକ୍, ଲେଡ୍, ମର୍କ୍ୟୁରୀ ଭଳି ବିଷାକ୍ତ ରାସାୟନିକ ପଦାର୍ଥ ଥିବା ପାଣି ପିଇଲେ ଲିଭର୍ ଓ କିଡନୀ କ୍ଷତିଗ୍ରସ୍ତ ହୋଇପାରେ ।
କେତେକ କ୍ଷେତ୍ରରେ କ୍ୟାନସର ହେବାର ଆଶଙ୍କା ମଧ୍ୟ ବଢ଼ିପାରେ । ବିଶେଷକରି ଶିଶୁ ଓ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ପ୍ରଭାବ ଅଧିକ ଗମ୍ଭୀର ହୋଇପାରେ । ଦୂଷିତ ପାଣି ପିଉଥିବା ଲୋକଙ୍କଠାରେ ବିଭିନ୍ନ ପ୍ରକାର ପେଟ ରୋଗ ଦେଖାଯିବାର ଆଶଙ୍କା ରହିଥାଏ ।

ପାଣିର ସ୍ୱାଦରୁ କେମିକାଲ୍ ଚିହ୍ନଟ କରିହେବ କି ?
ଏହା ଏକ ବଡ଼ ଭୁଲ୍ ଧାରଣା ଯେ, ପାଣିର ସ୍ୱାଦ ସାଧାରଣ ଥିଲେ ତାହା ପିଇବା ପାଇଁ ସୁରକ୍ଷିତ । ବାସ୍ତବରେ ଅନେକ କ୍ଷତିକାରକ ରାସାୟନିକ ପଦାର୍ଥ ପାଣିରେ ରହିଥିଲେ ମଧ୍ୟ ଏହାର ସ୍ୱାଦ, ରଙ୍ଗ କିମ୍ବା ଗନ୍ଧରେ କୌଣସି ପରିବର୍ତ୍ତନ ହୋଇନଥାଏ ।

ତେଣୁ କେବଳ ପାଣିର ସ୍ୱାଦ କିମ୍ବା ଗନ୍ଧ ଆଧାରରେ ଏହାର ଶୁଦ୍ଧତା ଜାଣିବା ସମ୍ଭବ ନୁହେଁ । ଏଥିପାଇଁ ବୈଜ୍ଞାନିକ ପରୀକ୍ଷା ଆବଶ୍ୟକ। ତେବେ ଏହାର ଅର୍ଥ ନୁହେଁ ଯେ ସବୁ ବୋତଲବନ୍ଦ ପାଣି ଅସୁରକ୍ଷିତ । ଯଦି ପାଣିରେ କୌଣସି କ୍ଷତିକାରକ ରାସାୟନିକ ପଦାର୍ଥ ନାହିଁ ଏବଂ ସମସ୍ତ ମାନଦଣ୍ଡ ନିର୍ଦ୍ଧାରିତ ସୀମା ମଧ୍ୟରେ ରହିଛି, ତେବେ ଏହା ପିଇବାରେ କୌଣସି ବିପଦ ନାହିଁ ।

ବିସଲେରୀ ପକ୍ଷରୁ ଆସିଲା ସ୍ପଷ୍ଟୀକରଣ
ଏହି ମାମଲାକୁ ନେଇ ବିସଲେରୀ କମ୍ପାନୀ ପକ୍ଷରୁ ମଧ୍ୟ ସ୍ପଷ୍ଟୀକରଣ ଦିଆଯାଇଛି । କମ୍ପାନୀ ଏକ ବିବୃତି ଜାରି କରି କହିଛି ଯେ, ତା'ର ପାଣି ପିଇବା ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ । କମ୍ପାନୀର କହିବା ଅନୁଯାୟୀ, ଏହି ମାମଲା ପ୍ରାୟ ୧୪ ମାସ ପୁରୁଣା । ଯାଞ୍ଚ କରାଯାଇଥିବା ୬ଟି ନମୁନା ମଧ୍ୟରୁ ୫ଟି ନମୁନା ଠିକ୍ ଥିଲା । କେବଳ ଗୋଟିଏ ନମୁନାରେ ବ୍ରୋମେଟ୍‌ର ପରିମାଣ ନିର୍ଦ୍ଧାରିତ ସୀମାଠାରୁ ସାମାନ୍ୟ ଅଧିକ ଥିଲା ।

ବିସଲେରୀ କହିଛି, ପିଇବା ପାଣିର ସୁରକ୍ଷା କମ୍ପାନୀର ସର୍ବୋଚ୍ଚ ପ୍ରାଥମିକତା। ଏଥିପାଇଁ କମ୍ପାନୀ ପକ୍ଷରୁ କଠୋର ଗୁଣବତ୍ତା ଯାଞ୍ଚ ବ୍ୟବସ୍ଥା ରଖାଯାଇଛି । ଏହି ମାମଲାର ସମାଧାନ ପାଇଁ ଉପଯୁକ୍ତ ନିୟାମକ ପ୍ରକ୍ରିୟା ଅନୁସାରେ FSSAIକୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: