ନିଆଁ ପରି ଭାଇରାଲ ହେଉଛି 'ଘିବଲି'

ଯଦି ଆପଣ ଏଇ କିଛି ଦିନ ହେବ ସୋସିଆଲ ସ୍କ୍ରଲିଂ କରୁଥିବେ ତାହାଲେ ଆପଣ ନିହାତି ଫେସବୁକ, ଇଷ୍ଟାଗ୍ରାମ, ଏକ୍ସ ଆଦି ପ୍ଲାଟଫର୍ମରେ ଘିବଲି ଷ୍ଟାଇଲ ଫଟୋ ନିହାତି ଦେଖିବାକୁ ପାଉଥିବେ । ନେତାଙ୍କର ହେଉ କି ଅଭିନେତାଙ୍କର ଅବା ହେଉ ଖେଳାଳୀଙ୍କର ଏଆଇ ଜେନେରେଟେଡ ଫଟୋ ନିହାତି ଦେଖିଥିବେ । ଆଉ ଯେତେବେଳେ ଆପଣ ଆପଣଙ୍କ ନିଜର ବନ୍ଧୁ, ସାଙ୍ଗ, ସମ୍ପର୍କୀୟଙ୍କ ଫଟୋ ଘିବଲି ଷ୍ଟାଇଲରେ ଦେଖିଥିବା ଆପଣ ନିହାତି ପଚାରିଥିବେ- ଆରେ ଭାଇ ଏଇଟା କେମିତି କଲୁ ? କେଉଁ ଆପରେ କଲୁ, ମତେ କହ ମୁଁ ବି କରିବି...
ଘିବଲି ଷ୍ଟାଇଲ ଫଟୋ ସୋସିଆଲ ମିଡିଆରେ ଏକ ଟ୍ରେଣ୍ଡ ହୋଇଗଲାଣି । ଆଉ ଏହି ଟ୍ରେଣ୍ଡ ନିଆଁ ଭଳି ଭାଇରାଲ ହେଉଛି । କ୍ରିକେଟ ବିଶ୍ବକପ ବିଜୟର ଖୁସି ଠାରୁ ନେଇ ମୋଦୀଙ୍କ ଶପଥ । ବାହୁବଳୀ ଠାରୁ ଆରମ୍ଭ କରି ଡିଡିଏଲଜେ ସିନେମା ଯାଏଁ ସବୁଥିରେ ଏବେ ସୋସିଆଲ ମିଡିଆରେ ଘିବଲି ଷ୍ଟାଇଲ ଫଟୋ ଦେଖିବାକୁ ମିଳୁଛି ।
ଯେତେବେଳେ ସାରା ଦୁନିଆର ଲୋକେ ଘିବଲି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି ସେତେବେଳେ ନିଜକୁ ସେହି ଟ୍ରେଣ୍ଡରେ ସାମିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରାୟ ୧୦ରୁ ଅଧିକ ଘିବଲି ଷ୍ଟାଇଲ ଫଟୋ ମୋଦୀଙ୍କର ଭାଇରାଲ ହେଉଛି । ଖାଲି କଣ ମୋଦୀ ବରଂ ଶାହା, ଆତିଶୀ, ଶଶୀ ଥରୁର, ଅଖିଳେଶ ଯାଦବ, ଜେ.ପି ନଡ୍ଡାଙ୍କ ସମେତ ଓଡିଶା ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭଳି ଅନେକ ରାଜନେତାଙ୍କ ଘିବଲି ଷ୍ଟାଇଲ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରାହୁଲ ଗାନ୍ଧୀ ଦାଢି ରଖା ଫଟୋ ବି ଘିବଲି ଷ୍ଟାଇଲରେ ଏବେ ଖୁବ୍ ଟ୍ରେଣ୍ଡରେ ରହିଛି ।
ଓଡିଶାର ସଂସ୍କୃତି, ପରମ୍ପରା, ଐତିହ୍ୟକୁ ନେଇ ମଧ୍ୟ ଘିବଲି ଷ୍ଟାଇଲ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମହାପ୍ରଭୁ ଜଗନ୍ନାଥଙ୍କ ଅଧରପଣା ନୀତି କୁହନ୍ତୁ କି କଟକ ବାଲିଯାତ୍ରା ପଡିଆ, ୱାଚ ଟାୱାର, ଦଶରା ମେଢ ଓ ଦହିବରାକୁ ନେଇ ଘିବଲି ଷ୍ଟାଇଲରେ ଫଟୋ କରାଯାଇଛି । ଆଇସିସି ଚାମ୍ପିୟନ୍ସ ଟ୍ରଫି ବିଜୟର ମୁହୂର୍ତ୍ତ ହେଉ କି ଅନୁଷ୍କାଙ୍କ ସହ କୋହଲିଙ୍କ ପଡିଆର ଫଟୋର ଘିବଲି ଷ୍ଟାଇଲ ଇମେଜ ବେଶ୍ ଟ୍ରେଣ୍ଡରେ ରହିଛି ।ଘିବଲି ଟ୍ରେଣ୍ଡ ଏବେ ଏତେ ମାତ୍ରାରେ ଭାଇରାଲ ହେଉଛି ଯେ ସମସ୍ତଙ୍କୁ ଏହି ନିଶା ଘାରିଛି । ସମସ୍ତେ ଘିବଲି ଷ୍ଟାଇଲରେ ଫଟୋ କନଭର୍ଟ କରି ପୋଷ୍ଟ କରୁଛନ୍ତି ।
କଣ ଏହି ଘିବଲି ?
ପ୍ରକୃତରେ, GPT-4o ହେଉଛି OpenAIର ନୂତନ ଉନ୍ନତ AI ମଡେଲ୍ ଯେଉଁଥିରେ ‘Images in ChatGPT’ ନାମକ ଏକ ଫିଚର ଦିଆଯାଇଛି । ଏହି ଫିଚର ସାହାଯ୍ୟରେ, ବ୍ୟବହାରକାରୀ ଯେକୌଣସି ଫଟୋକୁ ଘିବଲି ଷ୍ଟାଇଲରେ ପରିବର୍ତ୍ତନ କରିପାରିବେ । କେବଳ ଏକ ଫଟୋ ଅପଲୋଡ୍ କରନ୍ତୁ ଏବଂ AI କୁ ଏହାକୁ ଏକ ଘିବଲି ଲୁକ୍ ଦେବାକୁ କୁହନ୍ତୁ । ଏହା ପରେ AI ସେହି ଚିତ୍ରକୁ ଜାପାନୀ ଆନିମେସନ୍ ଶୈଳୀରେ ରୂପାନ୍ତରିତ କରିବ । ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି ଘିବିଲି ।ଆନିମେ ହେଉଛି ଜାପାନରେ ବିକଶିତ ଏକ ସ୍ୱତନ୍ତ୍ର ଆନିମେସନ୍ ଶୈଳୀ ଯାହା ସାରା ବିଶ୍ୱରେ ଲୋକପ୍ରିୟ । ଏଥିରେ ଅନନ୍ୟ ଚରିତ୍ର ଡିଜାଇନ୍, ସ୍ପନ୍ଦନଶୀଳ ରଙ୍ଗ ଏବଂ ଗଭୀର କାହାଣୀ ରହିଛି । ଘିବଲି ଶୈଳୀ ଜାପାନର ପ୍ରସିଦ୍ଧ ଷ୍ଟୁଡିଓ ଘିବଲି ଦ୍ୱାରା ଅନୁପ୍ରାଣିତ, ଯାହା ବିଶ୍ୱର କିଛି ଶ୍ରେଷ୍ଠ ଆନିମେଟେଡ୍ ଚଳଚ୍ଚିତ୍ର ପାଇଁ ଜଣାଶୁଣା।
‘ଘିବଲି’ ଶବ୍ଦଟି ମୂଳତଃ ଲିବିଆନ ଆରବି ଭାଷାରୁ ଆସିଛି । ହାୟାଓ ମିୟାଜାକିଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରସିଦ୍ଧ ଆନିମେସନ୍ ଷ୍ଟୁଡିଓ ଷ୍ଟୁଡିଓ ଘିବଲି ଯୋଗୁଁ ଏହି ନାମ ଜାପାନରେ ଲୋକପ୍ରିୟ ହୋଇଥିଲା। GPT-4o ରେ ଏହି ବୈଶିଷ୍ଟ୍ୟ ପ୍ରଚଳନ ହେବା ପରଠାରୁ, ଲୋକମାନେ ସେମାନଙ୍କ ପରିବାର, ବନ୍ଧୁ ଏବଂ ପାଳିତ ପଶୁଙ୍କ ଫଟୋକୁ ଘିବଲି ଶୈଳୀରେ ରୂପାନ୍ତରିତ କରୁଛନ୍ତି । ଏପରି ପରିସ୍ଥିତିରେ, କମ୍ପାନୀର ସିଇଓଙ୍କୁ ନିଜେ ଟ୍ୱିଟ୍ କରି ଲୋକଙ୍କୁ ଅନୁରୋଧ କରିବାକୁ ପଡିଛି । ସିଇଓ କହିଛନ୍ତି ଯେ, ଦୟାକରି ଆମ ଟିମ୍ କୁ ଆରାମ କରିବାକୁ ଦିଅନ୍ତୁ ।