Property Transfer / ପିଲାଙ୍କ ନାଁରେ କରୁଛନ୍ତି କି ସମ୍ପତ୍ତି ? କରନ୍ତୁନି ଏହି ଭୁଲ୍ ନଚେତ୍ ...

Key Points
ୱିଲ୍ ନା ଗିଫ୍ଟ ? କେମିତି ଦେବେ ପିଲାଙ୍କୁ ସମ୍ପତ୍ତି
ପିଲାଙ୍କ ନାଁରେ କରୁଛନ୍ତି ସମ୍ପତ୍ତି ? କରନ୍ତୁନି ଏହି ଭୁଲ୍ !
ଜୀବନକାଳରେ ସମ୍ପତ୍ତି ଦେବେ ? ପ୍ରଥମେ ନିଜ ଭବିଷ୍ୟତ ଦେଖନ୍ତୁ
ପିଲାଙ୍କୁ ଘର-ଜମି ଗିଫ୍ଟ କରିବେ ? ଜାଣନ୍ତୁ ଜରୁରୀ କଥା
ନିଜ ଜୀବନର ସାରା ଜମାପୁଞ୍ଜି ଓ ସମ୍ପତ୍ତି ପିଲାମାନଙ୍କ ନାମରେ କରିବା ମାତାପିତାଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି । ଅନେକ ଲୋକ ଭାବନ୍ତି, ସମ୍ପତ୍ତି ୱିଲ୍ ମାଧ୍ୟମରେ ଦେବେ ନା ଜୀବନକାଳରେ ଗିଫ୍ଟ କରିଦେବେ । ବିଶେଷଜ୍ଞଙ୍କ ମତରେ, ଅତିରିକ୍ତ ବା ସର୍ପ୍ଲସ୍ ସମ୍ପତ୍ତି ଜୀବନକାଳରେ ଗିଫ୍ଟ କରିବା ଏକ ବିକଳ୍ପ ହୋଇପାରେ । ଏହାଦ୍ୱାରା ମାତାପିତା ନିଜ ନିଷ୍ପତ୍ତିର କାରଣ ପିଲାମାନଙ୍କୁ ସାମ୍ନାସାମ୍ନି ବୁଝାଇପାରନ୍ତି । ତେବେ ଏହା ପୂର୍ବରୁ ନିଜ ଆର୍ଥିକ ସୁରକ୍ଷା ନିଶ୍ଚିତ କରିବା ସବୁଠାରୁ ଜରୁରୀ ।
ପ୍ରଥମେ ନିଜ ଆର୍ଥିକ ସୁରକ୍ଷା
ପିଲାମାନଙ୍କୁ ଟଙ୍କା କିମ୍ବା ସମ୍ପତ୍ତି ଗିଫ୍ଟ କରିବା ପୂର୍ବରୁ ବୟସ୍କ ମାତାପିତାଙ୍କୁ ନିଜ ଭବିଷ୍ୟତର ଆର୍ଥିକ ଆବଶ୍ୟକତା ବିଷୟରେ ଭାବିବା ଦରକାର । ଦୈନନ୍ଦିନ ଖର୍ଚ୍ଚ, ଜୀବନଶୈଳୀ, ଭବିଷ୍ୟତ ଚିକିତ୍ସା, ସ୍ୱାସ୍ଥ୍ୟ ଖର୍ଚ୍ଚ ଏବଂ ହଠାତ୍ ଆସୁଥିବା ଜରୁରୀକାଳୀନ ଖର୍ଚ୍ଚ ପାଇଁ ଯଥେଷ୍ଟ ଟଙ୍କା ରଖିବା ଆବଶ୍ୟକ ।
ଗିଫ୍ଟ କରିବା ପରେ ଯେପରି ମାତାପିତାଙ୍କୁ ନିଜ ଆର୍ଥିକ ଆବଶ୍ୟକତା ପାଇଁ ପିଲାଙ୍କ ଉପରେ ନିର୍ଭର କରିବାକୁ ନ ପଡ଼େ, ସେଥିପାଇଁ ପ୍ରଥମେ ନିଜ ଆର୍ଥିକ ଭବିଷ୍ୟତକୁ ସୁରକ୍ଷିତ କରିବା ଉଚିତ ।
ଜୀବନକାଳରେ ଗିଫ୍ଟ କରିବାର ଲାଭ କ’ଣ ?
ଜୀବନକାଳରେ ସମ୍ପତ୍ତି ହସ୍ତାନ୍ତର କରିବାର ଏକ ବଡ଼ ଲାଭ ହେଉଛି ମାତାପିତା ନିଜେ ଉପସ୍ଥିତ ରହି ନିଷ୍ପତ୍ତିର କାରଣ ପିଲାମାନଙ୍କୁ ବୁଝାଇପାରନ୍ତି । ବିଶେଷକରି ପିଲାମାନଙ୍କୁ ଭିନ୍ନ ଭିନ୍ନ ମୂଲ୍ୟର ସମ୍ପତ୍ତି ଦିଆଯାଉଥିଲେ, ଏହି ସ୍ୱଚ୍ଛତା ଭବିଷ୍ୟତରେ ବିବାଦର ସମ୍ଭାବନା କମାଇପାରେ । ମୃତ୍ୟୁ ପରେ ସମ୍ପତ୍ତି ବାଣ୍ଟିବା ବଦଳରେ ଜୀବନକାଳରେ ଗିଫ୍ଟ କଲେ ମାତାପିତା ପିଲାମାନଙ୍କ ଆଶଙ୍କା ଓ ମତଭେଦକୁ ନିଜ ଉପସ୍ଥିତିରେ ସମାଧାନ କରିବାର ସୁଯୋଗ ପାଆନ୍ତି ।
କ୍ୟାଶ୍, ଶେୟାର ନା ପ୍ରପର୍ଟି କ’ଣ ଭଲ ?
ଜୀବନକାଳରେ ସମ୍ପତ୍ତି ଦେବା ପାଇଁ କୌଣସି ଗୋଟିଏ ଆସେଟ୍କୁ ସବୁଠାରୁ ଭଲ କୁହାଯାଇପାରିବ ନାହିଁ । ଏହା ମାତାପିତାଙ୍କ ଲିକ୍ୱିଡିଟି ଆବଶ୍ୟକତା, ଟ୍ୟାକ୍ସ ନିୟମ ଏବଂ ସମ୍ପତ୍ତିରୁ ମିଳୁଥିବା ଆୟ ବା ବ୍ୟକ୍ତିଗତ ବ୍ୟବହାର ଉପରେ ନିର୍ଭର କରେ ।
କ୍ୟାଶ୍ ଟ୍ରାନ୍ସଫର ସହଜ ଏବଂ ପିଲାଙ୍କୁ ତୁରନ୍ତ ଲିକ୍ୱିଡିଟି ମିଳିଥାଏ । ଲିଷ୍ଟେଡ୍ ଶେୟାର ଓ ମ୍ୟୁଚୁଆଲ୍ ଫଣ୍ଡ ମଧ୍ୟ ହସ୍ତାନ୍ତର କରାଯାଇପାରେ । ଅନ୍ୟପଟେ ଜମି, ଘର ଓ ସୁନା ଭଳି ସମ୍ପତ୍ତି ଦୀର୍ଘକାଳରେ ମୂଲ୍ୟ ବୃଦ୍ଧିର ଦୃଷ୍ଟିରୁ ଉପଯୋଗୀ ହୋଇପାରେ । କିନ୍ତୁ ଅଚଳ ସମ୍ପତ୍ତି ଟ୍ରାନ୍ସଫର କରିବା ସମୟରେ ଭ୍ୟାଲୁଏସନ୍, ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ୍ ଖର୍ଚ୍ଚ ଲାଗିପାରେ ।
ପ୍ରପର୍ଟି ଗିଫ୍ଟ କଲେ ଆଇନଗତ ଦସ୍ତାବିଜ ଜରୁରୀ
ବଡ଼ ମୂଲ୍ୟର ସମ୍ପତ୍ତି ଗିଫ୍ଟ କରିବା ସମୟରେ କେବଳ ପାରିବାରିକ ସହମତି ଉପରେ ନିର୍ଭର କରିବା ଠିକ୍ ନୁହେଁ । ଘର କିମ୍ବା ଜମି ଭଳି ଅଚଳ ସମ୍ପତ୍ତି ପାଇଁ ସାଧାରଣତଃ ରେଜିଷ୍ଟର୍ଡ ଗିଫ୍ଟ ଡିଡ୍ ଆବଶ୍ୟକ ହୋଇଥାଏ । ଏହା ସହ ରାଜ୍ୟର ନିୟମ ଅନୁସାରେ ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ୍ ଫି’ ଦେବାକୁ ପଡ଼ିପାରେ ।
ବିଶେଷକରି ପିଲାମାନଙ୍କ ମଧ୍ୟରେ ସମ୍ପତ୍ତି ସମାନ ଭାବେ ବାଣ୍ଟାଯାଉନଥିଲେ, ସଠିକ୍ ଦସ୍ତାବିଜ ରଖିବା ଅଧିକ ଜରୁରୀ। ଠିକ୍ ଆଇନଗତ ଲେଖାପଢ଼ା ନଥିଲେ ଭବିଷ୍ୟତରେ ଚାପ ପକାଇ ସମ୍ପତ୍ତି ହସ୍ତାନ୍ତର କରାଯାଇଥିବା କିମ୍ବା ଜୋରଜବରଦସ୍ତିରେ ସମ୍ପତ୍ତି ନିଆଯାଇଥିବା ଭଳି ଅଭିଯୋଗ ଉଠିପାରେ ।
ୱିଲ୍ ନା ଗିଫ୍ଟ କେମିତି ନେବେ ନିଷ୍ପତ୍ତି ?
ଜୀବନକାଳରେ ସମ୍ପତ୍ତି ଗିଫ୍ଟ କରିବାର ଅର୍ଥ ନୁହେଁ ଯେ ମାତାପିତା ନିଜର ସମସ୍ତ ସମ୍ପତ୍ତି ପିଲାମାନଙ୍କୁ ଦେଇଦେବା ଉଚିତ। ପ୍ରଥମେ ନିଜ ରହିବା, ଚିକିତ୍ସା, ଜରୁରୀକାଳୀନ ପରିସ୍ଥିତି ଏବଂ ଦୀର୍ଘାୟୁ ସମ୍ପର୍କିତ ଆର୍ଥିକ ଆବଶ୍ୟକତା ପାଇଁ ପର୍ଯ୍ୟାପ୍ତ ସମ୍ପତ୍ତି ସୁରକ୍ଷିତ ରଖିବା ଦରକାର।
ଏହା ପରେ ଯେଉଁ ସମ୍ପତ୍ତି ପ୍ରକୃତରେ ସର୍ପ୍ଲସ୍, ତାହାକୁ ଯୋଜନାବଦ୍ଧ ଭାବେ ହସ୍ତାନ୍ତର କରିବା ବିଷୟରେ ଚିନ୍ତା କରାଯାଇପାରେ। ଗିଫ୍ଟ କରାଯାଉଥିଲେ ସ୍ୱଚ୍ଛତା, ଠିକ୍ ଦସ୍ତାବିଜ ଏବଂ ଆଇନଗତ ପ୍ରକ୍ରିୟା ପାଳନ କରିବା ଅତ୍ୟନ୍ତ ଜରୁରୀ।
ଶେଷରେ, ନିଜ ଆର୍ଥିକ ସୁରକ୍ଷା ପରେ ହିଁ ସମ୍ପତ୍ତି ହସ୍ତାନ୍ତର ଏହି ନୀତିକୁ ମନେ ରଖିବା ଦରକାର । ଆର୍ଥିକ ରିଜର୍ଭ, ସ୍ପଷ୍ଟ ଉତ୍ତରାଧିକାର ଯୋଜନା ଏବଂ ସଠିକ୍ ଆଇନଗତ ଦସ୍ତାବିଜ ସହ ସମ୍ପତ୍ତି ହସ୍ତାନ୍ତର କଲେ ଭବିଷ୍ୟତରେ ପାରିବାରିକ ବିବାଦର ସମ୍ଭାବନା କମାଇବାରେ ସହାୟତା ମିଳିପାରେ ।
📱 Get Argus News App
✨Related Topics
Explore more stories