Gold Price / ସୁନାକୁ ତାଳ ଦେଇ ବଢୁଛି ରୁପା ଦର, ଗ୍ରାହକ ଛାନିଆ !

Key Points
ବିବାହ ଋତୁରେ ମଧ୍ୟବିତ୍ତଙ୍କ ପାଇଁ ବୋଝ ସୁନା ଉପହାର ।
ନିବେଶକ ମାଲାମାଲ, ସାଧାରଣ ଗ୍ରାହକ ବେହାଲ । ଆମେ କହୁଛୁ ନିଇତି ନୂଆ ରେକର୍ଡ କରୁଥିବା ସୁନା, ରୁପା ଦର କଥା । ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଯୋଗୁଁ ସୁନା, ରୁପାରେ ନିବେଶ ବଢୁଛି । ହେଲେ ଗତ ଗୋଟିଏ ସପ୍ତାହରେ ସୁନା ୧୦ ହଜାର ଓ ରୁପା ୩୦ ହଜାର ମହଙ୍ଗା ହେବା, ମଧ୍ୟବିତ୍ତଙ୍କୁ ଭାରି ବାଧୁଛି । ବାଲେଶ୍ବରର ମୀନତି ସେଠୀ କହୁଛନ୍ତି ଅଳ୍ପ ସୁନାରେ ଝିଅ ବାହାଘର ଚଳାଇ ନେବେ । ଭୁବନେଶ୍ବରର ଷଡ଼ଙ୍ଗୀ ପରିବାରକୁ ବିବାହରେ ସୁନା ଉପହାର ଚିନ୍ତା ଘାରିଛି ।
ବିବାହ ଋତୁରେ ସୁନା ଗହଣା ଦୋକାନ ଫାଙ୍କା । କାରଣ ସୁନା ଓ ରୁପାର ଆକାଶ ଛୁଆଁ ଦର ଯୋଗୁଁ ଗ୍ରାହକଙ୍କ ଭିତରେ ଆଗ୍ରହ ନାହିଁ । ଆଗରୁ ସୁନା କିଣିବାକୁ ଲୋକେ ଡରୁଥିଲେ, ଏବେ ଡର ଏତେ ହେଲାଣି ଯେ ସୁନା କଥା ଭାବିବାକୁ ବି ଭୟ ଲାଗୁଛି । କିନ୍ତୁ ଆମ ଦେଶରେ ସୁନା ଗହଣା, ପ୍ରଥା, ପରମ୍ପରା ସହ ଜଡ଼ିତ । ତେଣୁ ଦର ଯେତେ ହେଉ ପଛେ ବିବାହ, ବ୍ରତରେ ସୁନା ଟିକେ ନିହାତି ଦରକାର । ହେଲେ ଅଳ୍ପରେ କାମ ଚଳାଇ ଦେବାକୁ ବି ମଧ୍ୟବିତ୍ତଙ୍କ ବଜେଟ୍ ଅନୁମତି ଦେଉନି । ବର୍ଷଟିଏ ମଧ୍ୟରେ ସୁନାର ଦର ଦୁଇଗୁଣା ହୋଇଛି ।
ଗୋଟିଏ ବର୍ଷରେ ସୁନା ଦୁଇଗୁଣା
୨୧ ଜାନୁଆରୀ ୨୦୨୫
୧୦ ଗ୍ରାମ୍ ୨୨ କ୍ୟାରେଟ୍ ସୁନା ଦର- ୭୪ ହଜାର ୫୦୦ ଟଙ୍କା
୧୦ ଗ୍ରାମ୍ ୨୪ କ୍ୟାରେଟ୍ ସୁନା ଦର- ୮୧ ହଜାର ୨୩୦ ଟଙ୍କା
୨୧ ଜାନୁଆରୀ ୨୦୨୬
୧୦ ଗ୍ରାମ୍ ୨୨ କ୍ୟାରେଟ୍ ସୁନା ଦର- ୧ ଲକ୍ଷ ୪୧ ହଜାର ଟଙ୍କା
୧୦ ଗ୍ରାମ୍ ୨୪ କ୍ୟାରେଟ୍ ସୁନା ଦର- ୧ ଲକ୍ଷ ୫୪ ହଜାର ଟଙ୍କା
ଏହି ଦର ଖୁବ୍ଶୀଘ୍ର ୨ଲକ୍ଷ ଛୁଇଁବାର ମଧ୍ୟ ସମ୍ଭାବନା ରହିଛି ।
ବାଲେଶ୍ବରର ମୀନତି ସେଠୀ, ମାର୍ଚ୍ଚରେ ତାଙ୍କ ଝିଅ ବାହାଘର କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ଝିଅକୁ ସୁନା ଦେବା ପାଇଁ ଚିନ୍ତା କଲା ବେଳେ ଟିକିଏ ଦ୍ବନ୍ଦ୍ବରେ ଅଛନ୍ତି । ପାରମ୍ପରିକ ଭାବରେ ତାଙ୍କ ପାଖରେ ଥିବା ସୁନା ତ ଝିଅକୁ ଦେବେ, ହେଲେ ଆଉ ଅଧିକ ସୁନା ଗହଣା କିଣିବା ବେଳେ ବଜେଟକୁ ଦେଖି ବିଚାର କରିବେ ବୋଲି କହିଛନ୍ତି ।
ବିବାହ ଋତୁରେ ଗାଁ ଗାଁରେ ଏଭଳି ଦୃଶ୍ୟ ଆଦୌ ବିରଳ ନୁହେଁ । ହେଲେ ବିରଳ ହେଉଛି ଧିରେଧିରେ ଉପାହରରେ ସୁନାର ପରିମାଣ କମିଚାଲିଛି । ବିବାହ ରୁତୁରେ ବେଲଗାମ ହୋଇଛି ସୁନା ଦର। ନିଇତି ବଢିଚାଲିଛି ଭାଉ। ପ୍ରତିଦିନ ବଢ଼ୁଛି, ପ୍ରତିଦିନ ଛାନିଆ କରୁଛି ରେଟ୍। ସପ୍ତାହକ ଭିତରେ ସୁନା ବଢ଼ିଗଲାଣି ୧୦ ହଜାର ଟଙ୍କା । ସପ୍ତାହକ ତଳେ ୧ ଲକ୍ଷ ୩୧ ହଜାର ଥିଲା ୧୦ ଗ୍ରାମ ସୁନାର ମୂଲ୍ୟ। ଆଶ୍ଚର୍ଯ୍ୟର କଥା ହେଲା ସୁନାକୁ ତାଳ ଦେଇ ରୁପା ବି ମହଙ୍ଗା ହେବାରେ ଲାଗିଛି । ଗୋଟିଏ ବର୍ଷରେ ସାଢ଼େ ୩ ଗୁଣା ହେଲାଣି ରୁପାର କିଲୋ ପିଛା ଦର ।
ବର୍ଷକେରେ ରୁପା ସାଢ଼େ ତିନିଗୁଣା
୨୧ ଜାନୁଆରୀ ୨୦୨୫
୧ କିଲୋ ରୁପାର ଦର - ୯୯ ହଜାର ୫୦୦ ଟଙ୍କା
୨୧ ଜାନୁଆରୀ ୨୦୨୬
୧ କିଲୋ ରୁପାର ଦର - ୩ ଲକ୍ଷ ୪୦ ହଜାର ଟଙ୍କା
ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି କାହିଁକି ଏତେ ବଢ଼ୁଛି ସୁନା ଦର ?
ବିଶେଷଜ୍ଞଙ୍କ ମତରେ, ଅନ୍ତର୍ଜାତୀୟ ବଜାରରେ ଡଲାର ମୂଲ୍ୟ ହ୍ରାସ ଫଳରେ ବଢୁଛି ସୁନା ଓ ରୁପା ଦର । ଜିଓ ପଲିଟିକାଲ ଟେନସନ୍ ଓ ଟ୍ରେଡ୍ ୱାର୍ ଯୋଗୁ ସୁନାରେ ନିବେଶ ବଢ଼ୁଛି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଅସ୍ଥିରତା ବିଶ୍ବ ବଜାରରେ ପ୍ରଭାବ ପକାଉଛି । ସେୟାର ବାଜରରେ ହ୍ରାସ ଯୋଗୁଁ ସୁନାରେ ନିବେଶକୁ ନିରାପଦ ମଣୁଛନ୍ତି ନିବେଶକ । ଅଳଙ୍କାର ଓ ବାସନ କୁସନ ବାଦ ଶିଳ୍ପ କ୍ଷେତ୍ରରେ ବ୍ୟବହାର ହେଉଛି ରୁପା । ଆବଶ୍ୟକତା ତୁଳନାରେ ଯୋଗାଣ କମ୍ ହେଉଥିବାରୁ ରୁପା ଦର ବି ବଢୁଛି ।
📱 Get Argus News App
✨Related Topics
Explore more stories