ଦିଲ୍ ଖୋଲିଦେଲେ ନିର୍ମଳା : ଶସ୍ତା ହେଲା ସୁନା ସହ ରୁପା

Key Points
- ଦିଲ୍ ଖୋଲିଦେଲେ ନିର୍ମଳା
- ସୁନାଠୁ ରୂପା...ମୋବାଇଲ ସବୁ ହେବ ଶସ୍ତା
ଅର୍ଗସ ବ୍ୟୁରୋ: ଗୃହରେ ବଜେଟ୍ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନିର୍ମଳା ସପ୍ତମଥର ଲାଗି ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି । ମୋଦିଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଖାସ୍ କରି ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀକୁ ନେଇ ନିର୍ମଳା ବଡ଼ ଘୋଷଣା କରିଛନ୍ତି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ସୁନା ଓ ରୂପା ଦର କମିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବଜାର ବିଶେଷଜ୍ଞ ତ୍ରିନାଥ ଲେଙ୍କା ।
ବଜେଟ୍କୁ ନେଇ ଆସିଲା ଖୁସି ଖବର । କାରଣ ନିର୍ମଳାଙ୍କ ଘୋଷଣା ଅନୁସାରେ, ଶସ୍ତା ହେବ ମୋବାଇଲ ଫୋନ, ମୋବାଇଲ ଚାର୍ଜର ଓ ବ୍ୟାଟେରୀ । ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଖାଲି ଏତିକି ନୁହେଁ ବରଂ ସଂପୃକ୍ତ ସାମଗ୍ରୀ ଉପରୁ କଷ୍ଟମ ଡ୍ୟୁଟି ହ୍ରାସ ନେଇ ବି ବଡ଼ ଘୋଷଣା କରିଛନ୍ତି । ଯାହା ସିଧାସଳଖ ସାଧାରଣ ଲୋକଙ୍କୁ ସହାୟକ ହେବ । ଏପଟେ,ପ୍ରତି ପରିବାରକୁ ବାସଗୃହ ଯୋଗାଇବେ ସରକାର । ପିଏମ୍ ଆବାସ ଯୋଜନା ଅଧୀନରେ ୩ କୋଟି ଅତିରିକ୍ତ ଗୃହ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ସରକାର । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ୩ କୋଟି ଆବାସ ନିର୍ମାଣ ନେଇ ବଡ଼ ଘୋଷଣ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ନିର୍ବାଚନ ସରିବା ପରେ ପ୍ରଥମଥର ଲାଗି ମୋଦି ସରକାର ଗୃହରେ ବଜେଟ୍ ଉପସ୍ଥାପନ କରିଛନ୍ତି । ତେଣୁ ଦରଦାମ କମିବା ନେଇ ସାଧାରଣ ଜନତାଙ୍କ ଯେଉଁ ଦାବି ରହିଥିଲା ତାହା ଗୋଟିଏ ପ୍ରକାର ପୂରଣ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ତେବେ ନଜର ପକାନ୍ତୁ ବଜେଟ୍ର ହାଇଲାଇଟ୍ସ ଉପରେ...
ଯୁବବର୍ଗଙ୍କୁ ନିଯୁକ୍ତି...
📱 Get Argus News App
✨୨୪-୨୫ ବଜେଟ୍ରେ ନିଯୁକ୍ତି, ଦକ୍ଷତା ବିକାଶ, ଏମଏସଏମଇ, ମଧ୍ୟବିତ୍ତଙ୍କୁ ବି ଫୋକସ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବଢ଼ାଇଦିଆଯାଇଛି । ୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି, ସୁଦକ୍ଷ ଲକ୍ଷ୍ୟର ମାଷ୍ଟର ଯୋଜନା କରିଛନ୍ତି ମୋଦି ସରକାର । ସେହିପରି ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା ହୋଇଛି ।
ବିହାର, ଆନ୍ଧ୍ର ପାଇଁ ହାତ ମାଷ୍ଟର ପ୍ଲାନ
ଆନ୍ଧ୍ର ଓ ବିହାରକୁ ନେଇ ବଡ଼ ଯୋଜନା କରିଛନ୍ତି ମୋଦି ସରକାର । ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜର ବିକାଶ ହେବ । ନୂଆ ଏୟାରପୋର୍ଟ, ମେଡିକାଲ କଲେଜ ପାଇଁ ଅନୁଦାନ ବି ମିଳିବ । ସେହିପରି ଆନ୍ଧ୍ରରେ ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ । ପୋଲାଭରମ ଆନ୍ଧ୍ରର ଜୀବନ ରେଖା କହିଲେ ଅର୍ଥମନ୍ତ୍ରୀ ।
କୃଷି କ୍ଷେତ୍ର ପାଇଁ...
କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ଵ ମଧ୍ୟ ଦିଆଯାଇଛି । ୩୨ ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ । ୧ କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ ପାଇଁ ପ୍ରୋତ୍ସାହନ ଦିଆଯିବ । ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ । ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ । କୃଷି କ୍ଷେତ୍ର ପାଇଁ ୧ ଲକ୍ଷ ୫୨ ହଜାର କୋଟିର ପ୍ରାବଧାନ ରହିଛି । ସେହିପରି ପିଏମ୍ ଯୋଜନାରେ ମିଳିବ ୧୫ ହଜାର ଟଙ୍କା । ଏପଟେ, ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଆରମ୍ଭ ହେବ ପୂର୍ବୋଦୟ । ପୂର୍ବାଞ୍ଚଳ ରାଜ୍ୟ ସହ ଆଉ ୫ଟି ରାଜ୍ୟ ସାମିଲ ହେବେ । ସ୍କିମରେ ସାମିଲ ହେବେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ।