Videos
|
National

Hit and Run / ଗୁରୁଗ୍ରାମ ହିଟ୍ ଆଣ୍ଡ ରନ୍‌ ମାମଲା: ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ହତ୍ୟା ଉଦ୍ୟମ ଧାରା

Rashmita Mishra
Browse all articles by Rashmita Mishra
·1 hour ago·2 min read
ଗୁରୁଗ୍ରାମ ହିଟ୍ ଆଣ୍ଡ ରନ୍‌ ମାମଲା: ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ହତ୍ୟା ଉଦ୍ୟମ ଧାରା
Hit and Run

Key Points

ଗୁରୁଗ୍ରାମର ବହୁଚର୍ଚ୍ଚିତ ହିଟ୍ ଆଣ୍ଡ ରନ୍‌ ମାମଲାରେ ବଡ଼ ପଦକ୍ଷେପ । 
ଆଇନ ସହ ଖେଳିଲେ କଠୋର କାର୍ଯ୍ୟାନୁଷ୍ଠାନ ।
ସିଆ କହିଲେ ଜାଣିଶୁଣି ଧକ୍କା ଦିଆଯାଇଥିଲା । 

ଗୁରୁଗ୍ରାମର ବହୁଚର୍ଚ୍ଚିତ ହିଟ୍ ଆଣ୍ଡ ରନ୍‌ ମାମଲାରେ ବଡ଼ ପଦକ୍ଷେପ ନେଇଛି ପୋଲିସ । ମହିଳା ବାଇକ୍ ରାଇଡର ସିଆ ଚୌହାନଙ୍କୁ କାର୍‌ରେ ଧକ୍କା ଦେବା ଅଭିଯୋଗରେ କଲ୍ୟାଣ ବୈଁସଲାଙ୍କ ବିରୋଧରେ ଦାୟର ଏଫଆଇଆର୍‌ରେ ହତ୍ୟା ଉଦ୍ୟମ ସମ୍ବନ୍ଧୀୟ ଧାରା ଯୋଡ଼ାଯାଇଛି । ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମାମଲାଟି ଦେଶବ୍ୟାପୀ ଚର୍ଚ୍ଚାକୁ ଆସିଥିଲା ।

ଗୁରୁଗ୍ରାମ ପୋଲିସ ନିଜେ ସଂଜ୍ଞାନ ନେଇ ସେକ୍ଟର-୫୬ ଥାନାରେ ମାମଲା ରୁଜୁ କରିଥିଲା । ପରେ ସିସିଟିଭି ଫୁଟେଜ୍‌ ଓ ଅନ୍ୟାନ୍ୟ ପ୍ରମାଣର ବିସ୍ତୃତ ଯାଞ୍ଚ ପରେ ଏଫଆଇଆର୍‌ରେ BNS ଧାରା ୧୦୯ ଯୋଡ଼ାଯାଇଥିବା ପୋଲିସ କହିଛି ।

ଆଇନ ସହ ଖେଳିଲେ କଠୋର କାର୍ଯ୍ୟାନୁଷ୍ଠାନ
ଗୁରୁଗ୍ରାମ ପୋଲିସ ସ୍ପଷ୍ଟ କରିଛି ଯେ, ଆଇନ ସହ କୌଣସି ପ୍ରକାର ଖେଳକୁ ବରଦାସ୍ତ କରାଯିବ ନାହିଁ । ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ପୋଲିସ ଅନୁସାରେ, ମାମଲାର ତଦନ୍ତ ଜାରି ରହିଛି ଏବଂ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ପାଇଁ ପଦକ୍ଷେପ ଚାଲିଛି ।

ସିଆ କହିଲେ ଜାଣିଶୁଣି ଧକ୍କା ଦିଆଯାଇଥିଲା
ମଙ୍ଗଳବାର ମିଡିଆ ସହ କଥାହେବା ବେଳେ ସିଆ ଚୌହାନ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଜାଣିଶୁଣି ଧକ୍କା ଦିଆଯାଇଥିଲା । ସେ ନିଜ ଲେନ୍‌ରେ ବାଇକ୍ ଚଳାଉଥିବା ସତ୍ତ୍ୱେ କାର୍‌ଟି ତାଙ୍କୁ ପିଛା କରୁଥିଲା ଏବଂ ରୋକିବାକୁ ଚେଷ୍ଟା କରୁଥିଲା ବୋଲି ସିଆ କହିଛନ୍ତି ।

ତାଙ୍କ କହିବା ଅନୁସାରେ, ସେ ନ ରହିବାରୁ କାର୍‌ଟି ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା । ଘଟଣାକୁ ସେ ଗୁରୁତର ଅପରାଧ ବୋଲି ବର୍ଣ୍ଣନା କରି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି ।

ଗଲ୍ଫ କୋର୍ସ ରୋଡ୍‌ରେ ଘଟିଥିଲା ଘଟଣା
ଘଟଣାଟି ଗୁରୁଗ୍ରାମର ଗଲ୍ଫ କୋର୍ସ ରୋଡ୍‌ରେ ଘଟିଥିଲା । ସିଆ ଚୌହାନ ନିଜ ବାଇକର୍ସ ଗ୍ରୁପ୍‌ ସହ ‘Aprilia RS 457’ ସ୍ପୋର୍ଟସ୍ ବାଇକ୍ ଚଳାଉଥିବା ବେଳେ ଏକ କାର୍ ତାଙ୍କ ପଛରେ ଆସିଥିଲା । ଅଭିଯୋଗ ଅନୁଯାୟୀ, କାର୍ ଚାଳକ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ଏବଂ ପରେ ବାଇକ୍‌କୁ ଧକ୍କା ଦେଇଥିଲେ ।

ସିଆଙ୍କ କ୍ୟାମେରା ସେତେବେଳେ ଚାଲୁ ଥିବାରୁ ପୁରା ଘଟଣା ଭିଡିଓରେ କଏଦ ହୋଇଥିଲା । ପରେ ସେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଅଭିଯୁକ୍ତଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ଭିଡିଓ ଭାଇରାଲ ହେବା ପରେ ପୋଲିସ ମାମଲାରେ ଅଧିକ କଠୋର ଧାରା ଯୋଡ଼ି ତଦନ୍ତକୁ ତ୍ୱରାନ୍ୱିତ କରିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: