Parking Dispute / ପାର୍କିଂ ବିବାଦରୁ କ୍ୟାପ୍ଟେନ୍ଙ୍କ ଉପରେ ମାରାତ୍ମକ ଆକ୍ରମଣ, ଲୁହା ରଡ୍ରେ ମୁଣ୍ଡକୁ ମାଡ଼

Key Points
‘ଅପରେସନ୍ ସଫେଦ ସାଗର’ ଯୋଦ୍ଧା ଲୁହା ରଡ୍ରେ ଆକ୍ରମଣ ଅଭିଯୋଗ
ପାର୍କିଂ ବିବାଦ ନେଲା ଉଗ୍ର ରୂପ ଅମିତ ଗୁପ୍ତା ଆହତ
ବୀର ଯୋଦ୍ଧାଙ୍କୁ ଆକ୍ରମଣ! ଗୁରୁଗ୍ରାମରେ ଚାଞ୍ଚଲ୍ୟ
୧୯୯୯ ମସିହାର ‘ଅପରେସନ୍ ସଫେଦ ସାଗର’ର ଅବସରପ୍ରାପ୍ତ ଗ୍ରୁପ୍ କ୍ୟାପ୍ଟେନ୍ ଅମିତ ଗୁପ୍ତାଙ୍କ ଉପରେ ଜୀବନଘାତୀ ଆକ୍ରମଣ ଅଭିଯୋଗ ହୋଇଛି । ସେପ୍ଟେମ୍ବର ୧୦ ତାରିଖ ରାତିରେ ହରିୟାଣାର ଗୁରୁଗ୍ରାମ ଜିଲ୍ଲା ସେକ୍ଟର-୫୮ସ୍ଥିତ ‘ମ୍ୟାଗ୍ନମ୍ ଗ୍ଲୋବାଲ୍ ପାର୍କ’ରେ ପାର୍କିଂକୁ ନେଇ ବିବାଦ ପରେ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି ।
ଘଟଣାକୁ ନେଇ ଅମିତ ଗୁପ୍ତା ଗୁରୁଗ୍ରାମ ପୋଲିସକୁ ଲିଖିତ ଅଭିଯୋଗ ଦେଇଛନ୍ତି । ଅଭିଯୁକ୍ତ ପାର୍କିଂ ଆଟେଣ୍ଡାଣ୍ଟଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଗୁରୁତର ଆଘାତ ପହଞ୍ଚାଇବା ଭଳି ଧାରାରେ FIR ରୁଜୁ କରି ତାଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି ।
ପାର୍କିଂକୁ ନେଇ ଆରମ୍ଭ ହୋଇଥିଲା ବିବାଦ
ସେକ୍ଟର-୬୫ ଥାନାରେ ଦିଆଯାଇଥିବା ଅଭିଯୋଗ ଅନୁସାରେ, ସେକ୍ଟର-୬୧ର ପାୟୋନିୟର ପାର୍କରେ ରହୁଥିବା ଅମିତ ଗୁପ୍ତା ସେପ୍ଟେମ୍ବର ୧୦ ତାରିଖ ରାତି ପ୍ରାୟ ୮ଟା ସମୟରେ ପରିବାର ସହ ମ୍ୟାଗ୍ନମ୍ ଗ୍ଲୋବାଲ୍ ପାର୍କର ‘GONZO’ ରେଷ୍ଟୁରାଣ୍ଟକୁ ଡିନର ପାଇଁ ଯାଇଥିଲେ ।
ପରିବାରକୁ ରେଷ୍ଟୁରାଣ୍ଟରେ ଓହ୍ଲାଇବା ପରେ ସେ ନିଜ କାର୍ ପାର୍କ କରିବାକୁ ଯାଇଥିଲେ । ଅଭିଯୋଗ ଅନୁସାରେ, ପ୍ରଥମେ ପାର୍କିଂ କର୍ମଚାରୀମାନେ ତାଙ୍କୁ ଭାଲେ ପାର୍କିଂକୁ ଯିବାକୁ କହିଥିଲେ । ସେଠାରୁ ତାଙ୍କୁ ବେସମେଣ୍ଟ ଏବଂ ପରେ ମଲ୍ଟିଲେଭଲ୍ ପାର୍କିଂକୁ ପଠାଯାଇଥିଲା । ଏନେଇ ପ୍ରଶ୍ନ କରିବାରୁ ପାର୍କିଂ କର୍ମଚାରୀମାନେ କାର୍ ପାର୍କ କରିବାକୁ ମନା କରିଥିବା ସେ ଅଭିଯୋଗରେ କହିଛନ୍ତି ।
କାର୍ର କାଚ ଭାଙ୍ଗିବା ପରେ ଲୁହା ରଡ୍ରେ ଆକ୍ରମଣ ଅଭିଯୋଗ
ଅମିତ ଗୁପ୍ତାଙ୍କ ଅଭିଯୋଗ ଅନୁସାରେ, ସେ କାର୍ଟି ପଛକୁ ନେଇ ଫେରୁଥିବା ବେଳେ ଜଣେ ପାର୍କିଂ ଆଟେଣ୍ଡାଣ୍ଟ କାର୍ର କାଚକୁ ଏକ ରଡ୍ରେ ମାଡ଼ ମାରିଥିଲେ । ଏଥିରେ କାର୍ର କାଚ ଫାଟି ଯାଇଥିଲା । ଏହାର ବିରୋଧ କରି ଅମିତ ଗୁପ୍ତା କାର୍ରୁ ବାହାରିବା ପରେ ଅଭିଯୁକ୍ତ ପାର୍କିଂ ବ୍ୟାରିୟରରେ ଲାଗିଥିବା ଏକ ଭାରୀ ଲୁହା ରଡ୍ରେ ତାଙ୍କ ଉପରେ ଆକ୍ରମଣ କରିଥିବା ସେ ଦାବି କରିଛନ୍ତି ।
ପ୍ରଥମ ଆଘାତ ତାଙ୍କ ମୁଣ୍ଡରେ ଲାଗିଥିବାରୁ ରକ୍ତସ୍ରାବ ହୋଇଥିଲା । ଦ୍ୱିତୀୟ ଥର ଆକ୍ରମଣରୁ ବଞ୍ଚିବା ପାଇଁ ସେ ହାତ ଆଗକୁ କରିଥିବା ବେଳେ ରଡ୍ଟି ବାମ ହାତର କହୁଣୀରେ ବାଜିଥିଲା । ଏହାପରେ ସେ ତଳେ ପଡ଼ିଯାଇଥିଲେ । ଅଭିଯୋଗରେ ଅମିତ ଗୁପ୍ତା ଆହୁରି କହିଛନ୍ତି ଯେ, ଆକ୍ରମଣକାରୀ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଘଟଣାରେ ତାଙ୍କ ମୁଣ୍ଡ ଓ ବାମ କହୁଣୀରେ ଗୁରୁତର ଆଘାତ ଲାଗିଛି ।
କହୁଣୀର ହାଡ଼ ଭାଙ୍ଗିଲା, ହୋଇଛି ସର୍ଜରୀ
ଆହତ ଅମିତଙ୍କୁ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲକୁ ନେଇଥିଲେ। ଡାକ୍ତରୀ ପରୀକ୍ଷା ପରେ ତାଙ୍କ ବାମ କହୁଣୀର ହାଡ଼ ଭାଙ୍ଗିଥିବା ଜଣାପଡ଼ିଥିଲା । ଏଥିପାଇଁ ତାଙ୍କୁ ସର୍ଜରୀ କରାଇବାକୁ ପଡ଼ିଥିଲା । ଡାକ୍ତରମାନେ ପ୍ଲେଟ୍ ଲଗାଇ ଭାଙ୍ଗିଥିବା ହାଡ଼କୁ ଯୋଡ଼ିଥିବା ସେ କହିଛନ୍ତି । ଅମିତଙ୍କ ଦାବି ଅନୁସାରେ, ଆକ୍ରମଣ ସମୟରେ ଘଟଣାସ୍ଥଳରେ ଅନେକ ପାର୍କିଂ କର୍ମଚାରୀ ଓ ସୁରକ୍ଷାକର୍ମୀ ଉପସ୍ଥିତ ଥିଲେ । ହେଲେ କେହି ତାଙ୍କୁ ସାହାଯ୍ୟ କରିନଥିଲେ ।
ସର୍ଜରୀ ଯୋଗୁଁ ପୋଲିସରେ ଅଭିଯୋଗ କରିବାରେ ବିଳମ୍ବ ହୋଇଥିବା ଅମିତ ଗୁପ୍ତା କହିଛନ୍ତି । ଘଟଣାର ସତ୍ୟତା ଜାଣିବା ପାଇଁ ପାର୍କିଂ ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ କରିବାକୁ ସେ ପୋଲିସକୁ ଅନୁରୋଧ କରିଛନ୍ତି । ଅଭିଯୁକ୍ତଙ୍କ ନାମ ସେ ଜାଣିନଥିଲେ ମଧ୍ୟ ତାଙ୍କୁ ଦେଖିଲେ ଚିହ୍ନଟ କରିପାରିବେ ବୋଲି ଅଭିଯୋଗରେ କହିଛନ୍ତି ।
📱 Get Argus News App
✨Related Topics
Explore more stories