୪୮୦ ଜଣଙ୍କ ନାଁ ମଧ୍ୟରୁ ଜ୍ଞାନେଶ କୁମାରଙ୍କ ନାଁ ଚୟନ କରାଯାଇଛି

ବରିଷ୍ଠ ପ୍ରଶାସନିକ ଅଧିକାରୀ ଜ୍ଞାନେଶ କୁମାର ହେବେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର । ସେ ବର୍ତ୍ତମାନ ସିଇସି ଥିବା ରାଜୀବ କୁମାରଙ୍କ ସ୍ଥାନ ନେବେ। ନିଯୁକ୍ତିକୁ ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୮୮ ବ୍ୟାଚର କେରଳ କ୍ୟାଡର ଆଇଏଏସ ହେଉଛନ୍ତି ଜ୍ଞାନେଶ କୁମାର ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଗଠିତ ଏକ ପ୍ୟାନେଲ ଜ୍ଞାନେଶ କୁମାରଙ୍କୁ ନିଯୁକ୍ତ କରିଛନ୍ତି ।
ରାଜୀବ କୁମାର ଅବସର ନେବା ପରେ ଜ୍ଞାନେଶ କୁମାର ବରିଷ୍ଠତା ଦୃଷ୍ଟିରୁ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୯ ଜାନୁଆରୀ ୨୬ ପର୍ଯ୍ୟନ୍ତ ରହିଛି। ନୂତନ ସିଇସି ଆସନ୍ତା ବର୍ଷ ବିହାର ବିଧାନସଭା ନିର୍ବାଚନ ବେଙ୍ଗଲ ଏବଂ ତାମିଲନାଡୁ ସମେତ ଅନ୍ୟାନ୍ୟ ନିର୍ବାଚନ ପରିଚାଳନା ତଦାରଖ କରିବେ।
ଜ୍ଞାନେଶ କୁମାର କେନ୍ଦ୍ର ଗୃହମନ୍ତ୍ରାଳୟରେ କାର୍ଯ୍ୟ କରିସାରିଛନ୍ତି । ଗତବର୍ଷ ଜାନୁଆରୀ ୩୧ରେ ସେ କେନ୍ଦ୍ର ସମବାୟ ମନ୍ତ୍ରାଳୟର ସଚିବ ପଦରୁ ଅବସର ନେଇଥିଲେ । ସେ ସଂସଦୀୟ ବ୍ଯାପାର ବିଭାଗ ସଚିବ ପଦ ବି ସମ୍ଭାଳିଥିଲେ । ବହୁ ଚର୍ଚ୍ଚିତ ଅଯୋଧ୍ଯା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କାର୍ଯ୍ୟାବଳୀର ସମୀକ୍ଷା ଲାଗି ୨୦୨୦ରେ ତାଙ୍କୁ ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଥିଲା । ଚଳିତବର୍ଷ ବିହାର, ଆସନ୍ତାବର୍ଷ ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ ଓ କେରଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ପରବର୍ତ୍ତୀ ସିଇସିଙ୍କ ଗୁରୁତ୍ବ ବଢିଛି ।
ସେପଟେ ଆଜି ଦାୟିତ୍ଵରୁ ଅବସର ନେବେ ରାଜୀବ କୁମାର। ଗତ ମେ ୨୦୨୨ରେ ରାଜୀବ କୁମାରଙ୍କୁ ସିଇସି ପଦରେ ଅଭିଷିକ୍ତ କରାଯାଇଥିଲା । ରାଜୀବଙ୍କ ଅମଳରେ ହାଇପ୍ରୋଫାଇଲ ୨୦୨୪ ଲୋକସଭା ନିର୍ବାଚନ ସମେତ ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ଯପ୍ରଦେଶ, ରାଜସ୍ଥାନ, ଓଡ଼ିଶା, ହରିୟାଣା, ଝାଡଖଣ୍ଡ, ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର ଆଦି ରାଜ୍ଯରେ ନିର୍ବାଚନ ହୋଇଥିଲା । ସିଇସି ପଦ ଲାଗି ପ୍ରାୟ ୪୮୦ଜଣଙ୍କ ନାଁ ଆସିଥିବା ବେଳେ ଜ୍ଞାନେଶ କୁମାରଙ୍କ ନାଁ ଚୟନ କରାଯାଇଛି ।