Influencer Harish / ୧୩ ଲକ୍ଷ ଫଲୋଅର୍ସ, ତଥାପି ହାରିଗଲେ ଫାଇନାନ୍ସ ଇନ୍ଫ୍ଲୁଏନ୍ସର ହରିଶ

Key Points
୧୩ ଲକ୍ଷ ଫଲୋଅର୍ସ, ତଥାପି ହାରିଗଲେ ହରିଶ !
ଫାଇନାନ୍ସ ଇନ୍ଫ୍ଲୁଏନ୍ସରଙ୍କ ମୃ*ତ୍ୟୁ ପଛରେ କିଏ ?
ପୁଡୁଚେରୀର ୨୭ ବର୍ଷୀୟ ଫାଇନାନ୍ସ କଣ୍ଟେଣ୍ଟ କ୍ରିଏଟର ଭି. ହରିଶ ସୋମବାର ରାତିରେ ଚେନ୍ନାଇ ନିକଟସ୍ଥ ମୁଟ୍ଟୁକାଡୁ ଅଞ୍ଚଳର ଏକ ଭଡ଼ା ଭିଲ୍ଲାରୁ ମୃ*ତ ଅବସ୍ଥାରେ ମିଳିଛନ୍ତି । ପୋଲିସ ଏହାକୁ ଆ*ତ୍ମହତ୍ୟା ମାମଲା ଭାବେ ନେଇ ତଦନ୍ତ କରୁଛି । ଏଥିସହ ହରିଶଙ୍କ ପରିବାର ପକ୍ଷରୁ ଅନେକ ଦିନ ଧରି ଅନଲାଇନ୍ ହଇରାଣ ଓ ସାଇବର ବୁଲିଂ ନେଇ ହୋଇଥିବା ଅଭିଯୋଗର ମଧ୍ୟ ତଦନ୍ତ ଚାଲିଛି । ହରିଶଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ‘ଫାଇନାନ୍ସ ୱିଥ୍ ହରିଶ’ରେ ୧୩ ଲକ୍ଷରୁ ଅଧିକ ଫଲୋଅର୍ସ ଥିଲେ ।
ପରିବାର ପକ୍ଷରୁ ଅଭିଯୋଗ
ହରିଶଙ୍କ ପିତା ଜେ. ବିନାୟଗମ୍ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅ ସହଯୋଗୀ ଇନ୍ଫ୍ଲୁଏନ୍ସର ଜେସନ୍ ସାମୁଏଲଙ୍କ ପକ୍ଷରୁ ସାଇବର ବୁଲିଂ, ଅପମାନଜନକ କଣ୍ଟେଣ୍ଟ ଓ ଧମକର ସମ୍ମୁଖୀନ ହୋଇଥିଲେ ।
ଅଭିଯୋଗ ଅନୁଯାୟୀ, ଅକ୍ଟୋବର ୧୮ ତାରିଖରେ ସାମୁଏଲ୍ କିଛି ଭିଡିଓ ଓ ସୋସିଆଲ୍ ମିଡିଆ ପୋଷ୍ଟ କରି ହରିଶ ତାଙ୍କ ଦର୍ଶକମାନଙ୍କୁ ଭୁଲ୍ ସୂଚନା ଦେଉଥିବା ଅଭିଯୋଗ ଆଣିଥିଲେ । ବିନାୟଗମ୍ଙ୍କ ଦାବି ଅନୁସାରେ, ଏହି ଅନଲାଇନ୍ ଅଭିଯାନ ଯୋଗୁଁ ହରିଶ ମାନସିକ ଚାପରେ ରହିଥିଲେ । ମୃ*ତ୍ୟୁ ପୂର୍ବରୁ ହରିଶ ଏକ ଭିଡିଓ ରେକର୍ଡ କରିଥିବା ମଧ୍ୟ ତାଙ୍କ ପିତା ପୋଲିସକୁ ଜଣାଇଛନ୍ତି । ଏହି ଭିଡିଓରେ ହରିଶ ତାଙ୍କ ମୃ*ତ୍ୟୁ ପାଇଁ ସାମୁଏଲଙ୍କୁ ଦାୟୀ କରିଥିବା ଏବଂ ସୋସିଆଲ୍ ମିଡିଆ ଆକାଉଣ୍ଟ ବ୍ଲକ୍ କରାଇଦେବାର ଧମକ ତାଙ୍କୁ ଗଭୀର ଆଘାତ ଦେଇଥିବା କୁହାଯାଇଛି ।
ଅଭିଯୋଗକୁ ଖଣ୍ଡନ କଲେ ଜେସନ୍ ସାମୁଏଲ୍
ହରିଶଙ୍କ ମୃ*ତ୍ୟୁ ପରେ ଜେସନ୍ ସାମୁଏଲ୍ ସୋସିଆଲ୍ ମିଡିଆରେ ଏକ ବିବୃତି ଜାରି କରି ଶୋକ ପ୍ରକାଶ କରିଛନ୍ତି । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ସାମୁଏଲଙ୍କ କହିବା ଅନୁସାରେ, ହରିଶଙ୍କ ପେସାଦାର ଯୋଗ୍ୟତା ଓ ନିୟାମକ ସଂସ୍ଥା ସମ୍ପର୍କିତ ଭୁଲ୍ ସୂଚନା ନେଇ ସେ କେବଳ ସମାଲୋଚନା କରିଥିଲେ । ତେବେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ସତ୍ୟତା ଏବେ ତଦନ୍ତାଧୀନ ରହିଛି ।
ବ୍ଲକ୍ ହୋଇଥିଲା ହରିଶଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ
ପୋଲିସ ସୂତ୍ର ଅନୁଯାୟୀ, ୨୦୨୬ ସେପ୍ଟେମ୍ବରରେ ବହୁ ସଂଖ୍ୟକ ଲୋକ ରିପୋର୍ଟ କରିବା ପରେ ହରିଶଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟଗୁଡ଼ିକୁ ବ୍ଲକ୍ କରାଯାଇଥିଲା । ପରେ ସେ ଏକ ନୂଆ ଚ୍ୟାନେଲ୍ ଆରମ୍ଭ କରିଥିଲେ, ଯାହାକୁ ମଧ୍ୟ ପରବର୍ତ୍ତୀ ସମୟରେ ହଟାଇ ଦିଆଯାଇଥିଲା ।
ହରିଶଙ୍କ ପିତା ତଦନ୍ତକାରୀ ଅଧିକାରୀଙ୍କୁ ମୃ*ତ୍ୟୁ ପୂର୍ବରୁ ରେକର୍ଡ ହୋଇଥିବା ଭିଡିଓର ଯାଞ୍ଚ କରିବା, ଡିଜିଟାଲ୍ ପ୍ରମାଣ ସୁରକ୍ଷିତ ରଖିବା ଏବଂ ତାଙ୍କ ଆକାଉଣ୍ଟଗୁଡ଼ିକ କେଉଁ ପରିସ୍ଥିତିରେ ସସ୍ପେଣ୍ଡ ହୋଇଥିଲା, ତାହାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ।
ସୁ*ଇସାଇଡ୍ ନୋଟ୍ ମିଳିନାହିଁ, ତଦନ୍ତ ଜାରି
ପୋଲିସ କହିଛି ଯେ ଘଟଣାସ୍ଥଳରୁ କୌଣସି ସୁ*ଇସାଇଡ୍ ନୋଟ୍ ମିଳିନାହିଁ । ହରିଶଙ୍କ ମୃ*ତଦେହକୁ ପୋଷ୍ଟମର୍ଟମ୍ ପାଇଁ ଚେଙ୍ଗଲପଟ୍ଟୁ ସରକାରୀ ହସ୍ପିଟାଲକୁ ପଠାଯାଇଛି । କାନାଥୁର ପୋଲିସ ଏକ ଅସ୍ୱାଭାବିକ ମୃ*ତ୍ୟୁ ମାମଲା ରୁଜୁ କରିଛି । ହରିଶଙ୍କ ଜୀବନ ଯିବାର ପ୍ରକୃତ କାରଣ, ଅନଲାଇନ୍ ହଇରାଣ ଅଭିଯୋଗ ଏବଂ ଉଭୟ ପକ୍ଷର ଦାବିକୁ ନେଇ ତଦନ୍ତ ଚାଲିଛି। ତଦନ୍ତ ଶେଷ ହେବା ପରେ ହିଁ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।
📱 Get Argus News App
✨Related Topics
Explore more stories