ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା, ରାସ୍ତାଘାଟ ସବୁ ଛିନ୍ଛତ୍ର

Key Points
ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।
ମୌସୁମୀ ଆରମ୍ଭ ହେବା ପରଠାରୁ ୧୪ଟି ବାଦଲଫଟା ବର୍ଷା ରେକର୍ଡ କରାଯାଇଛି ।
ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ । ଗତ ଦୁଇ ସପ୍ତାହ ଧରି ଜୋରଦାର ବର୍ଷା ଲାଗିରହିଥିବା ବେଳେ ଏବେ ପୁଣି ବାଦଲଫଟା ବର୍ଷା ଦେଖିବାକୁ ମିଳିଛି । ଯାହାଫଳରେ ଅନେକଙ୍କ ଜୀବନ ଯିବା ସହ ଅନେକ ନିଖୋଜ ଅଛନ୍ତି । ଏମିତିକି ଗୁରୁବାର ଉତ୍ତରାଖଣ୍ଡର ଭୀମତାଲରେ ଏକ ପ୍ରବାହିତ ହ୍ରଦରେ ଦୁଇଜଣ ଭାରତୀୟ ବାୟୁସେନା କର୍ମଚାରୀ ବୁଡ଼ି ମୃତ୍ୟୁବରଣ କରିଥିବା ଖବର ରହିଛି । କହିବାକୁ ଗଲେ ଏହି ଲଗାଣ ବର୍ଷା ବିପର୍ଯ୍ୟୟ ଆଣିଛି ।
ବାଦଲଫଟା ବର୍ଷା, ଅଚାନକ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ହିମାଚଳରେ ଏବେ ସୁଦ୍ଧା ସରକାରୀ ରିପୋର୍ଟ ଅନୁଯାୟୀ ୬୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୭ ଜଣ ନିଖୋଜ ଅଛନ୍ତି। ୧୧୦ ଜଣ ଆହତ ହୋଇଛନ୍ତି। ଏହି ମୌସୁମୀ ବିପର୍ଯ୍ୟୟ ପାଇଁ ରାଜ୍ୟରେ ୭୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଶୁକ୍ରବାର ଅପରାହ୍ନରେ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି।
ଅନ୍ୟପକ୍ଷେ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ ସୁଚନା ଜାରି କରିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୌସୁମୀ ଆରମ୍ଭ ହେବା ପରଠାରୁ ୧୪ଟି ବାଦଲଫଟା ବର୍ଷା ରେକର୍ଡ କରାଯାଇଛି । ଏଥିଯୋଗୁଁ ୫ ଶହରୁ ଅଧିକ ରାସ୍ତାର ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାର କ୍ଷତିଗ୍ରସ୍ତ ଲୋକଙ୍କ ସହ ଅଛନ୍ତି । ମଣ୍ଡି ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ମଣ୍ଡିର ଥୁନାଗ ଓ ବାଗସୟେଦ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି। ଧରମପୁର ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେପଟେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହିମାଚଳ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଏବଂ ହିମାଚଳପ୍ରଦେଶ ସମେତ ବର୍ଷା ପ୍ରଭାବିତ ଅନ୍ୟ ରାଜ୍ୟ ତଥା ଗୁଜରାଟ, ରାଜସ୍ଥାନକୁ ରିଲିଫ୍ ଓ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି। ପ୍ରଭାବିତଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ଶାହ କହିଛନ୍ତି।
ଗତ ଜୁନ ୨୦ ତାରିଖରେ ହିମାଚଳ ପ୍ରଦେଶରେ ପ୍ରବେଶ କରିଥିଲା ମୌସୁମୀ ବାୟୁ। ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ତାଣ୍ଡବ ରଚିଛି। କେବଳ ମଣ୍ଡି ଜିଲ୍ଲାରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କାଙ୍ଗଡ଼ାରେ ୧୩, ଚମ୍ବାରେ ୬ ଓ ଶିମଲାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ପୂରା ରାଜ୍ୟରେ ୫୦୦ରୁ ଅଧିକ ଟ୍ରାନ୍ସଫରମର ଅଚଳ ହୋଇଯାଇଛି। ବିଦ୍ୟୁତ୍ ସେବା ବ୍ୟାହାତ ହୋଇଥିବା ଯୋଗୁ ହଜାର ହଜାର ଲୋକ ଅନ୍ଧାରରେ ରହୁଛନ୍ତି।