ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ଜନଜୀବନ ପ୍ରଭାବିତ

Key Points
ମୁମ୍ବାଇରେ ବର୍ଷା ବିତ୍ପାତ
ଆସନ୍ତାକାଲି ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି
ଏହାର ପ୍ରଭାବରେ ବର୍ଷା ପରିମାଣ ବଢିବା ଆଶଙ୍କା କରାଯାଉଛି
ମୁମ୍ବାଇରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ସ୍ଥାନରେ ଗଛ ପଡିଥିବାରୁ ଯାତାୟତ ପ୍ରଭାବିତ ହୋଇଛି । ଅଣ୍ଡରପାସରେ ଅଣ୍ଟାଏ ଉଚ୍ଚର ପାଣି ଜମି ରହିଛି । ଗତ ଚାରିଦିନ ହେଲା ମୁମ୍ବାଇରେ ଲଗାଣ ବର୍ଷା ହେଉଛି । ପ୍ରଥମେ ବର୍ଷା ଯୋଗୁଁ ଲୋକମାନେ ଆଶ୍ବସ୍ତ ହୋଇଥିଲେ ମଧ୍ୟ ପରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିବାରୁ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା । ଆଜି ମଧ୍ୟ ମୂମ୍ବାଇବାସୀଙ୍କୁ ବର୍ଷାରୁ ଆଶ୍ବସ୍ତି ମିଳି ନପାରେ । ଆସନ୍ତା ୪ଦିନ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ମୁମ୍ବାଇ ସହ ଥାନେ ଓ ପୁଣେରେ ମଧ୍ୟ ବର୍ଷା ଲାଗି ରହିଛି ।
ସେପଟେ ଆସନ୍ତାକାଲି ଆରବ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ବର୍ଷା ପରିମାଣ ବଢିବା ଆଶଙ୍କା କରାଯାଉଛି । ପୂର୍ବକେନ୍ଦ୍ରୀୟ ଆରବସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର କର୍ଣ୍ଣାଟକ -ଗୋଆ ଉପକୂଳ ଅଞ୍ଚଳରେ ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ 12ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ପରବର୍ତୀ ସମୟରେ ଏହି ଲଘୁଚାପ କ୍ଷେତ୍ର ଉତ୍ତର ଦିଗରେ ଗତିକରିବା ସହ ଆହୁରି ଘନୀଭୂତ ହେବା ସହ ପରବର୍ତୀ 36 ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।