Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

#Operation Sindoor ପରେ ରାଜସ୍ଥାନ, ପଞ୍ଜାବରେ ହାଇଆଲର୍ଟ

Ritu Das
Browse all articles by Ritu Das
·1 year ago·2 min read
#Operation Sindoor ପରେ ରାଜସ୍ଥାନ, ପଞ୍ଜାବରେ ହାଇଆଲର୍ଟ

ଭାରତର ମିସାଇଲ ଆକ୍ରମଣ ‘ଅପରେସନ ସିନ୍ଦୂର’ ପରେ ରାଜସ୍ଥାନ ଓ ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି। ରାଜସ୍ଥାନ ସରକାର ପାକିସ୍ତାନ ସହ ଥିବା ୧୦୭୦ କିଲୋମିଟର ସୀମାକୁ ସମ୍ପୂର୍ଣ୍ଣ ସିଲ କରିଦେଇଛନ୍ତି, ଯେଉଁଥିରେ ବିକାନେର, ଜୈସଲମେର, ଗଙ୍ଗାନଗର ଓ ବାରମେର ଆଦି ଜିଲାରେ ସ୍କୁଲ ବନ୍ଦ ରହିଛି। ସେହିପରି, ପଞ୍ଜାବ ପୋଲିସ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରି ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। ଗତ ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାର ପ୍ରତିଶୋଧ ନେବା ପାଇଁ ଭାରତୀୟ ସେନା ରାତି ଅଧରେ ‘ଅପରେସନ ସିନ୍ଦୂର’ ଆରମ୍ଭ କରି ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ୯ଟି ଆତଙ୍କବାଦୀ କ୍ୟାମ୍ପ ଉପରେ ୨୪ଟି ମିସାଇଲ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଲସ୍କର-ଏ-ତୋଇବା, ଜୈଶ-ଏ-ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନ ସହ ଜଡିତ ପ୍ରାୟ ୭୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏକ ଉଚ୍ଚସ୍ତରୀୟ ବୈଠକ ଡାକି ରାଜ୍ୟର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।


ସେ ପୋଲିସ ଓ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିମାନଙ୍କୁ ସୀମାନ୍ତରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୈସଲମେରରେ ରାତି ୧୨ଟାରୁ ସକାଳ ୪ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବ୍ଲାକଆଉଟ ଜାରି କରାଯାଇଥିଲା ଏବଂ ପୋଲିସ ଘରେ ଘରେ ଯାଇ ଲୋକଙ୍କୁ ଲାଇଟ୍‌ ବନ୍ଦ ରଖିବାକୁ ସଚେତନ କରାଇଥିଲା। ପଞ୍ଜାବରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଫେରୋଜପୁର, ପଠାନକୋଟ, ଫାଜିଲକା, ଅମୃତସର ଓ ଗୁରୁଦାସପୁର ଜିଲ୍ଲାରେ ସ୍କୁଲ ବନ୍ଦ ରହିଛି। ଅମୃତସରର ଅଟାରୀ ସୀମାରେ ପ୍ରତିଦିନ ଅନୁଷ୍ଠିତ ହେଉଥିବା ‘ବିଟିଂ ରିଟ୍ରିଟ’ ସେରିମୋନି ମଧ୍ୟ ବୁଧବାର ବନ୍ଦ ରହିଥିଲା। ଏହା ସହିତ, ଗୁରୁଦାସପୁରର ଡେରା ବାବା ନାନାକରେ ଥିବା କର୍ତ୍ତାରପୁର କରିଡର ମଧ୍ୟ ଦିନକ ପାଇଁ ବନ୍ଦ ରହିଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ଉଚ୍ଚସ୍ତରୀୟ ବୈଠକରେ ପାକିସ୍ତାନ ଓ ନେପାଳ ସହ ସୀମାନ୍ତ ଅଞ୍ଚଳ ଥିବା ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀ, ପୋଲିସ ମହାନିର୍ଦ୍ଦେଶକ ଓ ମୁଖ୍ୟ ସଚିବଙ୍କ ସହ ଜାତୀୟ ସୁରକ୍ଷା ସମୀକ୍ଷା କରିଛନ୍ତି। ଏହି ବୈଠକରେ ଜମ୍ମୁ ଓ କଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ବିହାର, ସିକ୍କିମ ଓ ପଶ୍ଚିମବଙ୍ଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
high-alert-in-rajasthan-punjab-after-operation-sindoor | Argus News