Videos
|
National

Divorce Case / ବିବାହର ୩୫ ବର୍ଷ ପରେ ଛାଡ଼ପତ୍ର ଆବେଦନକୁ ଖାରଜ ହାଇକୋର୍ଟ କହିଲା...

Rashmita Mishra
Browse all articles by Rashmita Mishra
·1 week ago·3 min read
ବିବାହର ୩୫ ବର୍ଷ ପରେ ଛାଡ଼ପତ୍ର ଆବେଦନକୁ ଖାରଜ ହାଇକୋର୍ଟ କହିଲା...
Divorce Case

Key Points

ବିବାହର ୩୫ ବର୍ଷ...
ଛାଡ଼ପତ୍ରକୁ ଖାରଜ କଲା ହାଇକୋର୍ଟ । 
ଅଦାଲତରେ ଦେଇପାରିଲେ ନାହିଁ ଠୋସ୍ ପ୍ରମାଣ । 

ବିବାହର ପ୍ରାୟ ୩୫ ବର୍ଷ ପରେ ଛାଡ଼ପତ୍ର ଦାବି କରିଥିବା ଜମଶେଦପୁରର ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କ ଆବେଦନକୁ ଝାରଖଣ୍ଡ ହାଇକୋର୍ଟ ଖାରଜ କରିଦେଇଛନ୍ତି । ପତି ନିଜ ପତ୍ନୀଙ୍କ ବିରୋଧରେ ଘରୁ ବାହାର କରିଦେବା, ଟଏଲେଟ୍‌ରେ ବନ୍ଦ କରିଦେବା ଓ ପାଣି ଯୋଗାଣ ବନ୍ଦ କରିଦେବା ଭଳି ଗମ୍ଭୀର ମାନସିକ ଓ ଶାରୀରିକ ନିର୍ଯାତନାର ଅଭିଯୋଗ ଆଣିଥିଲେ ।

କିନ୍ତୁ ଅଦାଲତ କହିଛନ୍ତି ଯେ ଅଭିଯୋଗ ଯେତେ ଗମ୍ଭୀର ହେଉନା କାହିଁକି, ତାହା ପ୍ରମାଣ କରିବା ପାଇଁ ଠୋସ୍ ଓ ବିଶ୍ୱସନୀୟ ପ୍ରମାଣ ରହିବା ଆବଶ୍ୟକ । କେବଳ ନିଜର ବୟାନ ଆଧାରରେ ଦୀର୍ଘଦିନର ବୈବାହିକ ସମ୍ପର୍କକୁ ଶେଷ କରାଯାଇପାରିବ ନାହିଁ ।

୩୧ ବର୍ଷ ପର୍ଯ୍ୟନ୍ତ ଠିକ୍ ଥିଲା ବୈବାହିକ ଜୀବନ !
ପତିଙ୍କ ଦାବି ଅନୁସାରେ, ତାଙ୍କ ବିବାହ ୨୦ ମେ ୧୯୮୯ରେ ହୋଇଥିଲା । ଦମ୍ପତିଙ୍କର ତିନିଜଣ ପୁଅ ଅଛନ୍ତି । ତାଙ୍କ କହିବା ଅନୁସାରେ, ବିବାହ ପରେ ପ୍ରାୟ ୩୧ ବର୍ଷ ପର୍ଯ୍ୟନ୍ତ ଦାମ୍ପତ୍ୟ ଜୀବନ ସାଧାରଣ ଓ ଶାନ୍ତିପୂର୍ଣ୍ଣ ଥିଲା । କିନ୍ତୁ ୨୦୨୦ ମସିହା ଜୁନ୍ ପରେ ପତ୍ନୀଙ୍କ ବ୍ୟବହାରରେ ହଠାତ୍ ପରିବର୍ତ୍ତନ ଆସିଥିବା ସେ ଅଭିଯୋଗ କରିଥିଲେ । ଏହା ପରେ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ବଢ଼ିଥିବା ତାଙ୍କ ଦାବି ଥିଲା ।

ଟଏଲେଟ୍‌ରେ ବନ୍ଦ କରିବାଠାରୁ ପାଣି ବନ୍ଦ କରିବା ପର୍ଯ୍ୟନ୍ତ ଅଭିଯୋଗ
ସ୍ଵାମୀ ଅଭିଯୋଗ କରିଥିଲେ ଯେ ପତ୍ନୀ ତାଙ୍କୁ ବିର୍ସାନଗରସ୍ଥିତ ଘରୁ ବାହାର କରିଦେଇଥିଲେ । ଏହା ସହିତ ଅନେକ ଥର ତାଙ୍କୁ ଟଏଲେଟ୍‌ରେ ବନ୍ଦ କରିଥିବା ଏବଂ ବାଥରୁମ୍‌ର ପାଣି ଯୋଗାଣ ବନ୍ଦ କରିଦେଇଥିବା ମଧ୍ୟ ସେ ଦାବି କରିଥିଲେ । ଏପରିକି ଘରେ ଗାଈ ରଖିବାକୁ ମଧ୍ୟ ତାଙ୍କୁ ଅନୁମତି ଦିଆଯାଇନଥିବା ସେ ଅଭିଯୋଗ କରିଥିଲେ । ଏହି ସମସ୍ତ ଅଭିଯୋଗକୁ ଆଧାର କରି ସେ ହିନ୍ଦୁ ବିବାହ ଆଇନ ଅନୁସାରେ ଏହାକୁ ଆଧାର କରି ଛାଡ଼ପତ୍ର ଦାବି କରିଥିଲେ ।

ଅଦାଲତରେ ଦେଇପାରିଲେ ନାହିଁ ଠୋସ୍ ପ୍ରମାଣ
ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଦେଖିଥିଲେ ଯେ ପତି ନିଜ ଅଭିଯୋଗଗୁଡ଼ିକୁ ସମର୍ଥନ କରିବା ପାଇଁ ସ୍ୱାଧୀନ ସାକ୍ଷୀ କିମ୍ବା ଠୋସ୍ ଦସ୍ତାବିଜ ଦାଖଲ କରିନଥିଲେ । ଏହି ଘଟଣାଗୁଡ଼ିକ ସମ୍ପର୍କରେ ସେ ପୂର୍ବରୁ ପୋଲିସରେ କୌଣସି ଅଭିଯୋଗ ମଧ୍ୟ କରିନଥିବା କଥା ଅଦାଲତଙ୍କ ଦୃଷ୍ଟିକୁ ଆସିଥିଲା । ଅଦାଲତଙ୍କ ମତ ଥିଲା ଯେ ଏତେ ଦିନ ବୈବାହିକ ସମ୍ପର୍କକୁ ଶେଷ କରିବା ଭଳି ଗୁରୁତର ପଦକ୍ଷେପ ପାଇଁ କେବଳ ଆବେଦନକାରୀଙ୍କ ନିଜସ୍ୱ ବୟାନ ପର୍ଯ୍ୟାପ୍ତ ନୁହେଁ ।

ପତ୍ନୀ ଅଦାଲତରେ ହାଜର ହୋଇନଥିଲେ ମଧ୍ୟ ଛାଡ଼ପତ୍ର ମିଳିଲା ନାହିଁ
ଏହି ମାମଲାରେ ପତ୍ନୀ ପୂର୍ବରୁ ଘରୋଇ ହିଂସା ଓ ଭରଣପୋଷଣ ସମ୍ପର୍କିତ ଆଇନଗତ ପଦକ୍ଷେପ ନେଇଥିବା କୁହାଯାଇଛି । ଏହା ପରେ ପତି ତଲାକ ମାମଲା ଦାୟର କରିଥିଲେ । ପତ୍ନୀଙ୍କୁ ନୋଟିସ୍ ଦିଆଯାଇଥିଲେ ମଧ୍ୟ ସେ ଫ୍ୟାମିଲି କୋର୍ଟରେ ହାଜର ହୋଇନଥିଲେ । ଫଳରେ ମାମଲାଟି ଏକତରଫା ଭାବେ ଚାଲିଥିଲା । ତଥାପି ଫ୍ୟାମିଲି କୋର୍ଟ ପ୍ରମାଣର ଅଭାବ ଦର୍ଶାଇ ଛାଡ଼ପତ୍ର ଦେବାକୁ ମନା କରିଥିଲେ । ଏହା ବିରୋଧରେ ସ୍ଵାମୀ ଝାରଖଣ୍ଡ ହାଇକୋର୍ଟରେ ଆବେଦନ କରିଥିଲେ ।

ଫ୍ୟାମିଲି କୋର୍ଟର ରାୟକୁ ବଜାୟ ରଖିଲେ ହାଇକୋର୍ଟ
ନ୍ୟାୟମୂର୍ତ୍ତି ସୁଜିତ ନାରାୟଣ ପ୍ରସାଦ ଓ ନ୍ୟାୟମୂର୍ତ୍ତି ସଞ୍ଜୟ ପ୍ରସାଦଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଫ୍ୟାମିଲି କୋର୍ଟର ନିଷ୍ପତ୍ତିକୁ ବଜାୟ ରଖିଛନ୍ତି । ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ବୈବାହିକ କ୍ରୁରତା ଭଳି ଗୁରୁତର ଅଭିଯୋଗ ପ୍ରମାଣ ପାଇଁ ଠୋସ୍ ଓ ବିଶ୍ୱସନୀୟ ସାକ୍ଷ୍ୟ ଆବଶ୍ୟକ । କେବଳ ଅଭିଯୋଗ କିମ୍ବା ଏକତରଫା ବୟାନ ଆଧାରରେ ଦାମ୍ପତ୍ୟ ସମ୍ପର୍କ ବିଚ୍ଛିନ୍ନ କରାଯାଇପାରିବ ନାହିଁ । ଏହି କାରଣରୁ ୩୫ ବର୍ଷର ବିବାହ ପରେ ଦାଖଲ ହୋଇଥିବା ପତିଙ୍କ ଛାଡ଼ପତ୍ର ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: