Himanta Biswa Sarma / ଆଜି ଦ୍ଵିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡକ୍ଚର ହିମନ୍ତ ବିଶ୍ବ ଶର୍ମା

Key Points
ଆସାମରେ ଲଗାତର ତୃତୀୟଥର NDAର ସରକାର
ଉତ୍ସଵ ପାଇଁ ପ୍ରସ୍ତୁତ ଖାନାପାରା ଭେଟେରିନାରୀ କଲେଜ୍ ଗ୍ରାଉଣ୍ଡ
ଯୋଗ ଦେବେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ
ଆସାମରେ ପୁଣି ହିମନ୍ତ ସରକାର । ଆଜି ଦ୍ବିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡକ୍ଚର ହିମନ୍ତ ବିଶ୍ବ ଶର୍ମା । ଆଉ NDAର ହାଟ୍ରିକ ସରକାରଙ୍କ ଶପଥ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ମଧ୍ୟ ଏହି ଐତିହାସିକ କ୍ଷଣର ସାକ୍ଷୀ ରହିବେ । ଅନ୍ୟପକ୍ଷରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ସପ୍ତାହେ ପରେ ବି କେରଳମରେ ମୁଖ୍ୟମନ୍ତ୍ରୀ ଚୟନ ଚୂଡ଼ାନ୍ତ କରିପାରୁନି କଂଗ୍ରେସ ।
ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଆରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନଙ୍କ ଯାଏଁ ବିଜେପିର ତମାମ ଶୀର୍ଷ ନେତୃତ୍ବଙ୍କ ପୋଷ୍ଟରରେ ଛାଇ ଯାଇଛି ଆସାମ ରାଜଧାନୀ ଗୌହାଟୀର ରାସ୍ତା ଘାଟ ।
ଏପଟେ ଖାନାପାରା ଭେଟେରିନାରୀ କଲେଜ୍ ଗ୍ରାଉଣ୍ଡରେ ଶପଥ ସମାରୋହ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଖୋଦ୍ ମୁଖ୍ୟମନ୍ତ୍ରୀ ଡକ୍ଚର ହିମନ୍ତ ବିଶ୍ବ ଶର୍ମା ଗ୍ରାଉଣ୍ଡରେ ପହଞ୍ଚି ପ୍ରସ୍ତୁତିର ତଦାରଖ କରିଛନ୍ତି । ଆଜି ଦ୍ବିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ । ଆସାମରେ ବିଜେପି ନେତୃତ୍ବାଧୀନ NDA ତୃତୀୟଥର ପାଇଁ ସରକାର ଗଢ଼ିବ । ଆଉ ଏହି ଐତିହାସିକ ମୁହୂର୍ତ୍ତରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଚର୍ଚ୍ଚା ହେଉଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ମଧ୍ୟ ଶପଥ ସମାରୋହରେ ସାମିଲ ହେବେ । ଏଥିପାଇଁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ରାଜଧାନୀ ଗୁଆହାଟୀରେ ପହଞ୍ଚି ସାରିଛନ୍ତି । ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ବିଜେପି ସାଂସଦ ସମ୍ବିତ ପାତ୍ର ମଧ୍ୟ ଗୌହାଟୀରେ ପହଞ୍ଚିଛନ୍ତି ।
କେରଳମ୍ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କନ୍ଦଳ
ନିର୍ବାଚନ ବିଜୟକୁ ସପ୍ତାହେ ବିତିଲାଣି ସ୍ଥିର ହୋଇପାରୁନି ନାଁ
କେସି ଭେଣୁଗୋପାଳଙ୍କୁ ନେଇ ଚର୍ଚ୍ଚା, ଅଡ଼ି ବସିଛନ୍ତି ସତୀଶନ
ମୁଖ୍ୟମନ୍ତ୍ରୀ ଚୟନ ହାଇକମାଣ୍ଡଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ
କେରଳମରେ ମୁଖ୍ୟମନ୍ତ୍ରୀ ଚୟନ ଏବେ ହାଇକମାଣ୍ଡଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ରାହୁଲ ଗାନ୍ଧୀଙ୍କ ପସନ୍ଦର ନେତା କେସି ଭେଣୁଗୋପାଳଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦିଲ୍ଲୀ ଦରବାରରେ ପ୍ରସ୍ତୁତି ଚାଲିଥିବା ବେଳେ, ଏହାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ବର୍ତ୍ତମାନର ବିରୋଧୀ ଦଳ ନେତା ଭିଡି ସତୀଶନ ।
କେସି ଭେଣୁଗୋପାଳ, ରାହୁଲ ଗାନ୍ଧିଙ୍କ ଅତ୍ୟନ୍ତ ନିକଟତର ଏବଂ ବିଧାୟକଙ୍କ ସମର୍ଥନ ତାଙ୍କ ସହ ରହିଥିବା କୁହାଯାଉଛି । କିନ୍ତୁ ଭିଡି ସତୀଶନ ଜନସାଧାରଣ ଓ କଂଗ୍ରେସର ସହଯୋଗୀ ଦଳ IUMLର ପ୍ରଥମ ପସନ୍ଦ । ସେ 'ମୁଖ୍ୟମନ୍ତ୍ରୀ ନଚେତ୍ କିଛି ନୁହେଁ' ଜିଦ୍ରେ ଅଟଳ ରହିଥିବା ସୂତ୍ରରୁ ଜଣାପଡ଼ିଛି ।
ସେପଟେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ଅନ୍ୟତମ ବରିଷ୍ଠ ନେତା ରମେଶ ଚେନ୍ନିଥାଲାଙ୍କୁ ବାଚସ୍ପତି ପଦ ଦିଆଯାଇ ସନ୍ତୁଷ୍ଟ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । କେରଳମ୍ କଂଗ୍ରେସର ଏହି ବିବାଦକୁ ସମାଧାନ କରିବା ପାଇଁ ରାହୁଲ ଗାନ୍ଧି ଆଜି ରାଜ୍ୟର ପୂର୍ବତନ ସଭାପତି ଏବଂ କାର୍ଯ୍ୟକାରୀ ସଭାପତିମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି । ସତୀଶନ ଏବଂ ଚେନ୍ନିଥାଲାଙ୍କ 'ପ୍ରେସର ଟାକ୍ଟିସ' ରଣନୀତିରେ ଦିଲ୍ଲୀ ନେତୃତ୍ୱ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି ।
ବେଣୁଗୋପାଳଙ୍କୁ ମୁଖ୍ୟମନ୍ତ୍ରୀ କଲେ ସମସ୍ୟା
ବେଣୁଗୋପାଳଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ୬ ମାସ ମଧ୍ୟରେ ଉପ-ନିର୍ବାଚନ ଲଢ଼ିବାକୁ ପଡ଼ିବ
ଏଥିସହ ତାଙ୍କୁ ନିଜର ଲୋକସଭା ଆସନରୁ ମଧ୍ୟ ଇସ୍ତଫା ଦେବାକୁ ହେବ
ଯାହା କଂଗ୍ରେସ ଦଳ ପାଇଁ ଅତିରିକ୍ତ ନିର୍ବାଚନ ବୋଝ ସୃଷ୍ଟି କରିବ
ଅନ୍ୟପଟେ କେରଳ ବିଧାନସଭାର କାର୍ଯ୍ୟକାଳ ମେ' ୨୩ ପର୍ଯ୍ୟନ୍ତ ରହିଛି । ତେଣୁ ଦଳ ପାଖରେ ନିଷ୍ପତ୍ତି ନେବାକୁ କିଛି ସମୟ ଥିଲେ ମଧ୍ୟ ଏହି ଆଭ୍ୟନ୍ତରୀଣ କନ୍ଦଳକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ୍ କରିସାରିଛନ୍ତି ।
📱 Get Argus News App
✨Related Topics
Explore more stories