Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କେମିତି ଫାଟେ ବାଦଲ...ଜାଣନ୍ତୁ

Rashmita Mishra
Browse all articles by Rashmita Mishra
·10 months ago·2 min read
କେମିତି ଫାଟେ ବାଦଲ...ଜାଣନ୍ତୁ

Key Points

ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ପାହାଡ଼ିଆ ଅଞ୍ଚଳରେ ହିଁ କାହିଁକି ଏତେ ଅଧିକ ବାଦଲ ଫାଟିବାର ଘଟଣା ଘଟେ ?

ଉତ୍ତରାଖଣ୍ଡର ଧରାଲୀ ପରେ ଏବେ ଜମ୍ମୁ କଶ୍ମୀରରେ ହୋଇଥିବା ଭୟଙ୍କର ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି, ଯେଉଁଠି ଆଖି ପିଛୁଳାକେ ପୂରା ଗାଁ ବନ୍ୟା ପାଣିରେ ଭାସିଗଲା । ଏହା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ପାହାଡ଼ିଆ ଅଞ୍ଚଳରେ ହିଁ କାହିଁକି ଏତେ ଅଧିକ ବାଦଲ ଫାଟିବାର ଘଟଣା ଘଟେ ? ଏହା ପଛରେ ରହିଛି କି କିଛି ବୈଜ୍ଞାନିକ କାରଣ । ପାଣିପାଗ ବିଜ୍ଞାନ ଅନୁଯାୟୀ ଯଦି କୌଣସି ଏକ ଛୋଟ ଅଞ୍ଚଳରେ ଘଣ୍ଟାକ ମଧ୍ୟରେ ୧୦୦ ମିଲିମିଟର ବା ତା'ଠାରୁ ଅଧିକ ବର୍ଷା ହୁଏ, ତେବେ ତାହାକୁ ବାଦଲ ଫାଟିବା କୁହାଯାଏ । ଏହା ସାଧାରଣ ବର୍ଷା ନୁହେଁ ବରଂ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅତି କମ୍ ସମୟ ମଧ୍ୟରେ ବହୁତ ଅଧିକ ପରିମାଣର ପାଣି ଏକାସାଙ୍ଗରେ ବର୍ଷିବା ।

ଏହାର ମୁଖ୍ୟ କାରଣ ହେଉଛି ପାହାଡ଼ର ଭୌଗୋଳିକ ସ୍ଥିତି । ମୌସୁମୀ ସମୟରେ ସମୁଦ୍ର କିମ୍ବା ସମତଳ ଅଞ୍ଚଳରୁ ବହୁତ ପରିମାଣର ଜଳୀୟବାଷ୍ପ ଧରି ବାଦଲ ପାହାଡ଼ ଆଡ଼କୁ ଗତି କରେ । ଯେତେବେଳେ ଏହି ଜଳୀୟବାଷ୍ପଥିବା ବାଦଲ ପାହାଡ଼ ସହ ଧକ୍କା ହୁଏ, ତାକୁ ଆଗକୁ ଯିବାକୁ ବାଟ ମିଳେ ନାହିଁ । ଉଚ୍ଚ ପାହାଡ଼ଗୁଡ଼ିକ ଏକ ପ୍ରାକୃତିକ ବାଧକ ଭଳି କାମ କରନ୍ତି । ଆଗକୁ ଯାଇନପାରିବାରୁ ପବନର ଚାପରେ ବାଦଲଗୁଡ଼ିକ ବାଧ୍ୟ ହୋଇ ଦ୍ରୁତ ଗତିରେ ପାହାଡ଼ର ଢାଲୁ ଅନୁସାରେ ଉପରକୁ ଉଠିଥାନ୍ତି । ଯେତେ ଶୀଘ୍ର ବାଦଲ ଉପରକୁ ଉଠେ, ସେଠାରେ ତାପମାତ୍ରା ସେତେ କମ୍ ଥାଏ । ଏହି କାରଣରୁ ବାଦଲରେ ଥିବା ଜଳୀୟବାଷ୍ପ ହଠାତ୍ ଥଣ୍ଡା ହୋଇଯାଏ ଏବଂ ଦ୍ରୁତ ଗତିରେ ଘନିଭୂତ ହୋଇ ବଡ଼ ବଡ଼ ପାଣି ବୁନ୍ଦାରେ ପରିଣତ ହୁଏ । ଏହି ପ୍ରକ୍ରିୟା ଏତେ ଦ୍ରୁତ ଗତିରେ ହୁଏ ଯେ ବାଦଲ ଆଉ ଏହି ବିଶାଳ ଜଳରାଶିର ଓଜନକୁ ସମ୍ଭାଳି ପାରେ ନାହିଁ । ଫଳରେ, ସମସ୍ତ ପାଣି ହଠାତ୍ ଗୋଟିଏ ସ୍ଥାନରେ 'ୱାଟର ବମ୍' ଭଳି ଅଜାଡ଼ି ହୋଇପଡ଼େ । ଏହାକୁ ହିଁ ବାଦଲ ଫାଟିବା କୁହାଯାଏ ।

ପାହାଡ଼ିଆ ଅଞ୍ଚଳ ଗଡ଼ାଣିଆ ହୋଇଥିବାରୁ ଏତେ ପରିମାଣର ପାଣି ମାଟିରେ ଶୋଷି ହେବାକୁ ସମୟ ପାଏ ନାହିଁ । ପାଣି ଅତି ଦ୍ରୁତ ଗତିରେ ତଳକୁ ମାଡ଼ିଆସେ ଏବଂ ନିଜ ସାଙ୍ଗରେ ମାଟି, ପଥର ଓ ଗଛପତ୍ର ଧରି ଭୟଙ୍କର ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ସୃଷ୍ଟି କରେ । ଏହି ପ୍ରକ୍ରିୟା ଏତେ ହଠାତ୍ ହୁଏ ଯେ ଲୋକମାନଙ୍କୁ ସତର୍କ ହେବାକୁ ବା ସୁରକ୍ଷିତ ସ୍ଥାନକୁ ଯିବାକୁ ସମୟ ମିଳେ ନାହିଁ, ଯେପରି ଜମ୍ମୁ କଶ୍ମୀରରେ ଦେଖିବାକୁ ମିଳିଲା । ପାହାଡ଼ର ସ୍ୱତନ୍ତ୍ର ଭୌଗୋଳିକ ଗଠନ ହିଁ ଜଳୀୟବାଷ୍ପପୂର୍ଣ୍ଣ ବାଦଲକୁ ବାଧା ଦେଇ ହଠାତ୍ ଅଧିକ ବର୍ଷା କରାଇବାରେ ସାହାଯ୍ୟ କରେ, ଯାହା ବାଦଲ ଫାଟିବାର ମୁଖ୍ୟ କାରଣ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
How Do Clouds Burst? Know the Science Behind It | Argus News | Argus News