Videos
|
National

କେମିତି ଜାଣିବେ ମହିଳା ପାରିବାରିକ ହିଂସାର ଶିକାର ହେଉଛନ୍ତି କି ନା ?

Jyoti Prakash Mallick
Browse all articles by Jyoti Prakash Mallick
·1 year ago·4 min read
କେମିତି ଜାଣିବେ ମହିଳା ପାରିବାରିକ ହିଂସାର ଶିକାର ହେଉଛନ୍ତି କି ନା ?

ନାରୀ - ସେ ସର୍ବସଂହା । ସେ କେବଳ ଶବ୍ଦଟିଏ ନୁହେଁ , ନୂତନ ସୃଷ୍ଟିର ସମ୍ଭାବନା। ଯିଏ ଅନ୍ୟର ଦୁଃଖକୁ ଆଦରି ପାରେ , ଆଖିର ଲୁହକୁ ଓଠରେ ପିଇପାରେ। ଆଉ ଦରକାର ହେଲେ ପରିବାରର ସୁଖ ପାଇଁ ସଞ୍ଜ ସଳିତା ଟେ ହୋଇ ଜଳିପାରେ। ତେଣୁ ଆମ ସମ୍ବିଧାନରେ ପୁରୁଷ ଠାରୁ ସବୁବେଳେ ନାରୀର ସ୍ଥାନ ଆଗରେ। ସେଇ ନାରୀକୁ ସର୍ବାଧିକ ସୁରକ୍ଷା ଦେବାକୁ ଖାଲି ଦେଶ ନୁହେଁ ସାରା ବିଶ୍ବ ଚିନ୍ତାକରେ। ମହିଳାମାନଙ୍କର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ସଫଳତାକୁ ମନେ ରଖିବା ସହ ଏହାକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଉଛି। ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳାଙ୍କୁ ସମାନ ଅଧିକାର ଓ ସମ୍ମାନ ଦେବା ଲକ୍ଷ୍ୟରେ ମାର୍ଚ୍ଚ ୮ ତାରିଖକୁ ଉତ୍ସର୍ଗ କରାଯାଇଛି।


ଆମ ପରମ୍ପରା ସଂସ୍କୃତିରେ ଝିଅଟିଏ ବାହା ହୋଇ ଶାଶୁ ଘରକୁ ଗଲାବେଳେ ଝିଅକୁ ସୀତା ଓ ସାବିତ୍ରୀଙ୍କ ତ୍ୟାଗ ଓ ତପସ୍ୟାର କଥା ଶିକ୍ଷା ଦିଆଯାଇଥାଏ। ମା ଟିଏ ଶଣ୍ଠଣା ଶିଖାଇ ଝିଅକୁ କହେ ମା.. ଲୋ ... ସେଇଠି ଥିବୁ ସବୁ ସହିବୁ, ଦୁଖ ଆସିଲେ କାନ୍ଦିବୁ ନାହିଁ। ହେଲେ ଆଧୁନିକ ସମୟରେ ଏକଥାକୁ କିଏ କେତେ ମାନେ ତାର ଉତ୍ତର ଖୋଜିବା ସେତେ ସହଜ ନୁହେଁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପରିସଂଖ୍ୟାନ କୁହେ ଆମ ଦେଶରେ ପ୍ରତି ମିନିଟରେ ୨୨ ଜଣ ମହିଳା ନିର୍ଯାତିତ ହେଉଛନ୍ତି । ନ୍ୟାସନାଲ କ୍ରାଇମ୍ ରେକର୍ଡସ ବ୍ୟୁରୋ ରିପୋର୍ଟ ଅନୁସାରେ ଓଡିଶାରେ ୨୦୧୭ରେ ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟା ୨୦,୦୯୮ ଥିଲା। ୨୦୧୮ରେ ୨୦,୨୭୪ରେ ପହଞ୍ଚି ଥିବାବେଳେ ୨୦୧୯ରେ ମହିଳା ବିରୋଧୀ ହିଂସା ମାମଲାରେ ଆହୁରି ବୃଦ୍ଧି ଘଟି ୨୩,୧୮୩ରେ ପହଞ୍ଚିଥିଲା। ୨୦୨୦ର ରିପୋର୍ଟ ଆସି ନ ଥିବାବେଳେ କରୋନା ଲକ୍‌ଡାଉନ ଓ ଶଟ୍‌ଡାଉନ ସମୟରେ ମହିଳାଙ୍କ ପ୍ରତି ଘରୋଇ ହିଂସା ବୃଦ୍ଧି ଘଟିଥିବା ନଜରକୁ ଆସିଥିଲା। ୨୦୨୧ ତୁଳନାରେ ୨୦୨୨ରେ ଓଡ଼ିଶାରେ ମହିଳାଙ୍କ ବିରୋଧରେ ସମସ୍ତ ପ୍ରକାର ଅପରାଧ ବୃଦ୍ଧି ପାଇଥିଲା। ୨୦୧୯-୨୦୨୧ ଇଣ୍ଡିଆ ନ୍ୟାସନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ - ଫାଇବର ରିପୋର୍ଟ କୁହେ ଭାରତରେ ୩୨% ବିବାହିତ ମହିଳା ସେମାନଙ୍କ ସ୍ୱାମୀଙ୍କ ଦ୍ୱାରା ଶାରୀରିକ, ଯୌନ ଶୋଷଣ କିମ୍ବା ମାନସିକ ହିଂସାର ସମ୍ମୁଖୀନ ହେଉଛନ୍ତି। ଯାହା ପାରିବାରିକ ହିଂସା ଅନ୍ତର୍ଗତ।



ମହିଳାଙ୍କ ଅଧିକାରର ସୁରକ୍ଷା ନେଇ ଇଂରେଜ ଶାସନ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ବହୁ ଆଇନ୍ ପ୍ରଣୟନ କରାଯାଇଛି। ଭାରତୀୟ ସମ୍ବିଧାନରେ ମହିଳାଙ୍କ ସୁରକ୍ଷାକୁ ସର୍ବାଧିକ ଗରୁତ୍ବ ଦିଆଯାଇଛି। ସାମ୍ପ୍ରତିକ ପରିସ୍ଥିତିରେ ନୂତନ ସମସ୍ୟାର ମୁକାବିଲା କରିବା ପାଇଁ ନୂଆ ନୂଆ ଆଇନ କାର୍ଯ୍ୟକାରୀ ହୋଇଛି । ମହିଳାଙ୍କୁ ଶିକ୍ଷା କ୍ଷେତ୍ରରେ ସମୃଦ୍ଧ କରିବାଠୁ ନେଇ ସ୍ୱାବଲମ୍ବୀ କରିବା ପର୍ଯ୍ୟନ୍ତ ସବୁଥିରେ ମହିଳାଙ୍କୁ ପ୍ରାଥମିକତା ଦିଆଯାଇଛି। ଯେଉଁଥିପାଇଁ ଦେଶରେ ସ୍ୱାକ୍ଷରତା ହାର ବଢ଼ିଛି, ସମାଜ ପୂର୍ବ ଅପେକ୍ଷା ପରିବର୍ତ୍ତନ ହୋଇଛି। ତଥାପି ଆଜି ବି ନାରୀ ବିରୋଧୀ ହିଂସାର ଆଶାନୁରୂପ ହ୍ରାସ ହୋଇନି। କିଛି କ୍ଷେତ୍ରରେ ମହିଳାମାନେ ଆଇନର ସାହାରା ନେଇ ନ୍ୟାୟ ପାଇଁ ଲଢ଼େଇ କରୁଥିବାବେଳେ ଅନେକ କ୍ଷେତ୍ରରେ ନିନ୍ଦା ଓ ଅପବାଦ ଭୟରେ ନିଜ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିପାରୁ ନାହାନ୍ତି ।


କେମିତି ଜାଣିବେ ପାରିବାରିକ ହିଂସାର ଶିକାର ହେଉଛନ୍ତି କି ନା ?


ଘରେ ପରିବାର ଭିତରେ ମହିଳାଙ୍କ ଉପରେ କରାଯାଉଥିବା ହିଂସାକୁ ପାରିବାରିକ ହିଂସା କୁହାଯାଏ। ପ୍ରତିପକ୍ଷଙ୍କ କୌଣସି କାର୍ଯ୍ୟକଳାପ ଏବଂ ଆଚରଣ ଯାହାକି ଉଭୟ ଶାରୀରିକ ଓ ମାନସିକ ସ୍ତରରେ ମହିଳାଙ୍କ ଜୀବନ, ଅଙ୍ଗପ୍ରତ୍ୟଙ୍ଗ, ନିରାପତ୍ତା ବା ବିକାଶଧାରାକୁ ବିପନ୍ନ କରୁଥାଏ ତାହାକୁ ପାରିବାରିକ ହିଂସା କୁହାଯିବ। ମହିଳା ବା ତାଙ୍କ ସମ୍ପର୍କୀୟ ବ୍ୟକ୍ତିଙ୍କ ଠାରୁ ଅନ୍ୟାନ୍ୟ ସମ୍ପତ୍ତି ବା ମୂଲ୍ୟବାନ ଦସ୍ତାବିଜ ବାଧ୍ୟତା ପୂର୍ବକ ମଗାଯାଏ, ସେହି ଉଦ୍ଦେଶ୍ୟରେ ତାଙ୍କ ପ୍ରତି କ୍ଷତି କରାଇବା ବା ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ମଧ୍ୟ ପାରିବାରିକ ହିଂସାର ଅନ୍ତୁର୍ଭୁକ୍ତ।


ଘରୋଇ ହିଂସାରୁ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ କ'ଣ ରହିଛି ଆଇନ୍ ?


ମହିଳାଙ୍କୁ ପାରିବାରିକ ହିଂସାରୁ ସୁରକ୍ଷା ଦେବାକୁ ପାରିବାରିକ ହିଂସା ସୁରକ୍ଷା ଆଇନ୍ -୨୦୦୫ ରହିଛି। ଯାହା ପରିବାର ମଧ୍ୟରେ ଘଟୁଥିବା ହିଂସାର ଶିକାର ହେଉଥିବା ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ। ସେମାନଙ୍କ ପାରିବାରିକ ବ୍ୟକ୍ତି ଯଦି ତାଙ୍କ ପ୍ରତି ହିଂସା ଘଟାଉଥିବେ ସେ ତାଙ୍କ ବିରୋଧରେ ଅଭିଯୋଗ କରିବପାରିବେ।


ଏବେ ଜାଣନ୍ତୁ ପାରବାରିକ ହିଂସାରେ ମହିଳାଙ୍କ ସହ କ'ଣ ଘଟେ ?


ଶାରୀରିକ ନିର୍ଯାତନା - ଚାପୁଡା ମାରିବା, ମାଡ଼ମାରିବା, ଆଘାତ ଦେବା, କାମୁଡିବା, ଗୋଇଠା ମାରିବା, ଧକ୍କା ମାରିବା, ଧକ୍କା ଦେଇ ତଳେ ପକାଇଦେବା ଭଳି ଘଟଣା ଘଟିଲେ ଏହାକୁ ଶାରୀରିକ ନିର୍ଯାତନା କୁହାଯାଏ।


ଆର୍ଥିକ ନିର୍ଯାତନା - ଯେମିତି ସନ୍ତାନଙ୍କ ଭରଣପୋଷଣ ନିମନ୍ତେ ଅର୍ଥ ପ୍ରଦାନ ନକରିବା, ସନ୍ତାନଙ୍କ ପାଇଁ ଖାଦ୍ୟ ପୋଷାକ ଆଦି ନଦେବା, ଘରୁ ବାହାରି ଯିବା ପାଇଁ ବାଧ୍ୟ କରିବା, ଘରେ ରହିବାକୁ ନଦେବା ଘରର କୌଣସି ଜିନିଷକୁ ବ୍ୟବହାର କରିବାକୁ ନଦେବା, କର୍ମନିଯୁକ୍ତି ହେବାକୁ ଅନୁମତି ନଦେବା, ଦରମା ଓ ଆୟକୁ ବଳପୂର୍ବକ ଛଡାଇନେବା


ଯୌନ ନିର୍ଯାତନା- ବଳ ପୂର୍ବକ ସମ୍ପର୍କ ରଖିବା, ଅଶ୍ଲୀଳ ବିଷୟ ବସ୍ତୁ ଦେଖିବାକୁ ବାଧ୍ୟ କରିବା, ଅନ୍ୟର ଆମୋଦପ୍ରମୋଦ ପାଇଁ ବଳପୂର୍ବକ ବାଧ୍ୟ କରିବା


ମାନସିକ ହିଂସା - ଅଶ୍ଳିଳଭାଷା ପ୍ରୟୋଗ କରିବା, ଚରିତ୍ରକୁ ଆକ୍ଷେପ କରିବା, ପୁଅ କିମ୍ବା ସନ୍ତାନ ନ ହେବାରୁ, କିମ୍ବା ଯୌତୁକ ଆଣିନଥିବାରୁ ଅପମାନିତ କରିବା, ଉପଯୁକ୍ତ ଶିକ୍ଷାରୁ ବଞ୍ଚିତ କରିବା, ନିଜ ଇଛାରେ ନିଯୁକ୍ତି ଗ୍ରହଣ କରିବାରେ ବାଧା ଦେବା, ଇଛା ବିରୁଦ୍ଧରେ ବିବାହ ନିମନ୍ତେ ବାଧ୍ୟ କରିବା


ଯଦି ଲଗାତାର ଭାବେ କୌଣସି ମହିଳାଙ୍କ ସହ ଏସବୁ ଘଟୁଛି, ସେ ଥାନାରେ ଅଭିଯୋଗ କରିବା ସହ ଅଦାଲତର ଦ୍ବାରସ୍ଥ ହୋଇପାରିବେ, କିମ୍ବା ସୁରକ୍ଷା ଅଧିକାରୀଙ୍କ ସାହାଯ୍ୟରେ ଅଭିଯୋଗ କରିପାରିବେ। ଏହାବ୍ୟତୀତ ସେ ମାଜିଷ୍ଟ୍ରେଟ୍ ଙ୍କ ନିକଟରେ ସିଧାସଳଖ ଅଭିଯୋଗ ଦାଖଲ କରିପାରିବେ। ଅଭିଯୋଗ ପାଇବା ପରେ ମାଜିଷ୍ଟ୍ରେଟ୍ ମାମଲାର ସମାଧାନ ପାଇଁ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇବାକୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବେ । ଏହି ପ୍ରକ୍ରିୟାରେ ପ୍ରତିପକ୍ଷକୁ କୋର୍ଟରେ ହାଜର ହେବା ପାଇଁ ସମନ ଜାରି କରାଯିବ।


ଏହା ବାଦ୍ ମହିଳାମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଏବଂ ସମାନ ଅଧିକାର ଓ ସୁବିଧା ଯୋଗାଇଦେଇ ମହିଳାଙ୍କ ପାଇଁ ଥିବା ଯୋଜନା ଗୁଡିକୁ ଠିକ ରୂପେ କାର୍ଯ୍ୟକାରୀ କରିବା ପାଇଁ ସର୍ବଭାରତୀୟ ସ୍ତରରେ ଜାତୀୟ ମହିଳା କମିଶନ ଗଠନ କରାଯାଇଛି । ଆଇନ୍ କାନୁନ୍ ର ଉଲ୍ଲଂଘନ କରାଯାଇ ମହିଳା ମାନଙ୍କର ଉନ୍ନତିରେ ବାଧା ସୃଷ୍ଟି ହୋଇଥିଲେ କମିଶନର ସେସବୁ ମାମଲାକୁ ହାତକୁ ନେଇ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଲଢି ପାରିବେ।


ଶେଷରେ ଏତିକି କୁହାଯାଇପାରେ ସବୁ ବ୍ୟବସ୍ଥା ଭିତରେ ମହିଳା ଟିଏ ନିଜ ସୁରକ୍ଷା ନେଇ ଯଦି ସଚେତନ ନୁହେଁ ତେବେ ଏଠି ଆଇନ୍ ବ୍ୟବସ୍ଥା ସବୁ ତୁଚ୍ଛ ହୋଇଯିବ। ତେଣୁ ନିଜ ପାଇଁ ସ୍ବର ପ୍ରଥମେ ନିଜକୁ ଉଠାଇବାକୁ ପଡିବ, ସହଯୋଗର ହାତ ପଛରେ ଆସିବ।