ସାଧାରଣତନ୍ତ୍ର ଦିବସରେ ବନ୍ଧୁ ଦେଶରୁ ମୁଖ୍ୟ ଅତିଥି ଚୟନ କରିବାର ପ୍ରକ୍ରିୟା କଣ ?

ଅର୍ଗସ ବ୍ୟୁରୋ: ପ୍ରତିବର୍ଷ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥିଙ୍କୁ ଆମନ୍ତ୍ରଣ କରାଯାଏ । ଏହି ପରମ୍ପରା ୧୯୫୦ରେ ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଚାଲି ଆସୁଛି । ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥିଙ୍କ ଚୟନ ଭାରତର ବିଦେଶ ନୀତି, ଦ୍ଵିପାକ୍ଷିକ ସମ୍ପର୍କ ଓ ଅନ୍ତର୍ଜାତୀୟ ସହଯୋଗ ଦୃଷ୍ଟିରୁ ବେଶ୍ ଗୁରୁତ୍ଵପୂର୍ଣ୍ଣ ବିବେଚନା କରାଯାଏ । ଏଥିରୁ ଭାରତର ବିଦେଶ ନୀତି ଓ ଆଞ୍ଚଳିକ-ବୈଶ୍ଵିକ ସମ୍ପର୍କର ସଂକେତ ମିଳିଥାଏ ।
ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଭାରତର ବନ୍ଧୁ ରାଷ୍ଟ୍ରର ମୁଖ୍ୟଙ୍କୁ ଆମନ୍ତ୍ରଣ କରାଯାଇ ଥାଏ । ଚଳିତଥର ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଇଛି । ୧୯୫୦ରୁ ଆରମ୍ଭ ହୋଇଥିବା ଏହି ପରମ୍ପରାରେ ପାକିସ୍ତାନ, ଆମେରିକା, ଋଷ, ଫ୍ରାନ୍ସ, ଜାପାନ ସହ ଅନେକ ଦେଶର ପ୍ରମୁଖ ମୁଖ୍ୟ ଅତିଥି ଭାବେ ସାଧାରଣତନ୍ତ୍ର ଦିବସରେ ସାମିଲ୍ ହୋଇ ସାରିଛନ୍ତି ।
ତେବେ ଆସନ୍ତୁ ଜାଣିବା ଗଣତନ୍ତ୍ର ଦିବସରେ କେଉଁ ଦେଶର ପ୍ରମୁଖ ସର୍ବାଧିକ ଥର ମୁଖ୍ୟ ଅତିଥି ଭାବେ ଭାରତ ଆସି ଏହି ମହାନ ପର୍ବରେ ସାମିଲ୍ ହୋଇଛନ୍ତି । ମୁଖ୍ୟ ଅତିଥିଙ୍କୁ ଆମନ୍ତ୍ରଣ ଲାଗି କେମିତି ଯୋଜନା ହୁଏ ଏବଂ ଏହା ଅନ୍ତର୍ଜାତୀୟ ସମ୍ପର୍କ ଉପରେ କେଉଁ ଭଳି ପ୍ରଭାବ ପକାଇ ଥାଏ ।
ପାକିସ୍ତାନ ସହ ସମ୍ପର୍କ
ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଯଦିଓ ସବୁବେଳେ ଜଟିଳ ତଥାପି ଗଣତନ୍ତ୍ର ଦିବସରେ ପାକିସ୍ତାନ ନେତା ୨ ଥର ମୁଖ୍ୟ ଅତିଥି ହୋଇଛନ୍ତି । ୧୯୫୫ ଓ ୧୯୬୫ରେ ଗଣତନ୍ତ୍ର ଦିବସରେ ପାକିସ୍ତାନ ମୁଖ୍ୟ ଅତିଥି ହୋଇଛି । ୧୯୫୫ରେ ପାକିସ୍ତାନ ଗଭର୍ଣ୍ଣର ଜେନରାଲ ମଲିକ ଗୁଲାମ ମହମ୍ମଦ ଓ ୧୯୬୫ରେ ପାକିସ୍ତାନ କୃଷି ମନ୍ତ୍ରୀ ରାଣା ଅବ୍ଦୁଲ ହାମିଦ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହୋଇ ସାମିଲ୍ ହୋଇଥିଲେ ।
📱 Get Argus News App
✨ପାକିସ୍ତାନକୁ ଭାରତର ଏଭଳି ସମ୍ମାନ ସତ୍ତ୍ଵେ ପଡ଼ୋଶୀ ଦେଶର ମନୋଭାବ କଳୁଷିତ ଥିଲା । ଏହାର ଠିକ୍ ୬ ମାସ ପରେ ଭାରତ-ପାକିସ୍ତାନ ମଧ୍ୟର ଆରମ୍ଭ ହୋଇଥିଲା ଯୁଦ୍ଧ । ଭାରତ-ପାକିସ୍ତାନ ମଧ୍ୟରେ ଅଗଷ୍ଟ ୫, ୧୯୬୫ରେ ଆରମ୍ଭ ଯୁଦ୍ଧ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଚାଲିଥିଲା ।
କେଉଁ ଦେଶ କେତେ ଥର ?
ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ସର୍ବାଧିକ ଫ୍ରାନ୍ସର ନେତାଙ୍କୁ ଆମନ୍ତ୍ରିତ କରାଯାଇଛି । ଫ୍ରାନ୍ସର ନେତା ୧୯୭୬, ୧୯୮୦, ୧୯୯୮, ୨୦୦୮, ୨୦୧୬ ଓ ୨୦୨୪ରେ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହୋଇଛନ୍ତି । ଏହା ୨ ଦେଶ ମଧ୍ୟରେ ମଜଭୁତ ଦ୍ଵିପାକ୍ଷିକ ସମ୍ପର୍କକୁ ସୂଚିତ କରୁଛି । ସେହିଭଳି ଆମେରିକା ଗଣତନ୍ତ୍ର ଦିବସରେ ଗୋଟିଏ ଥର ସାମିଲ୍ ହୋଇଛି । ୨୦୧୫ରେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହୋଇଥିଲେ ।
କେମିତି ହୁଏ ନିଷ୍ପତ୍ତି ?
ଗଣତନ୍ତ୍ର ଦିବସର ଅତିଥ ଚୟନ ପ୍ରକ୍ରିୟା ଜଟିଳ ଏବଂ ଦେଶର ସମ୍ପର୍କକୁ ଦୃଷ୍ଟି ରଖି ନିଆଯାଏ । ରାଜନୈତିକ ଓ କୂଟନୀତିକ ସମ୍ପର୍କ, ଆର୍ଥିକ ଓ ପ୍ରତିରକ୍ଷା ସହଯୋଗ ଏବଂ ବୈଶ୍ଵିକ ସମ୍ଭନ୍ଧକୁ ଦୃଷ୍ଟିରେ ରଖି ମୁଖ୍ୟ ଅତିଥି ଚୟନ କରାଯାଇଥାଏ । ସମୟ ସମୟରେ ସାଂସ୍କୃତିକ ଓ ଐତିହାସିକ ସମ୍ପର୍କକୁ ମଧ୍ୟ ଧ୍ୟାନ ରଖା ଯାଇଥାଏ ।
ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥିଙ୍କୁ ଆମନ୍ତ୍ରଣ ଭାରତର କୂଟନୀତିକ ରଣନୀତିର ଏହ ମହତ୍ତ୍ଵପୂର୍ଣ୍ଣ ଅଂଶ । ଏଥିରୁ କେବଳ ଦ୍ଵିପାକ୍ଷିକ ସମ୍ପର୍କ ସୁଦୃଢ଼ ହୁଏ ତା ନୁହେଁ ବରଂ ପ୍ରମୁଖ ବୈଶ୍ଵିକ ଶକ୍ତି ଭାବେ ପରିଚୟ ଦିଏ ।