Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Talak E Hasan / ରାଗିଲେ ସୁପ୍ରିମକୋର୍ଟ ! ସଭ୍ୟ ସମାଜରେ ଏମିତି ପ୍ରଥା କ'ଣ ରହିବା ଉଚିତ୍ ?

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·4 min read
ରାଗିଲେ ସୁପ୍ରିମକୋର୍ଟ ! ସଭ୍ୟ ସମାଜରେ ଏମିତି ପ୍ରଥା କ'ଣ ରହିବା ଉଚିତ୍ ?

Key Points

ଆବେଦନକାରୀ ଜଣେ ସାମ୍ବାଦିକା, ତାଙ୍କୁ ତାଙ୍କ ସ୍ୱାମୀ ଜଣେ ଓକିଲଙ୍କ ମାଧ୍ୟମରେ ୧୧ ପୃଷ୍ଠାର ତଲାକ-ଏ-ହାସନ ନୋଟିସ ପଠାଇ ଛାଡ଼ପତ୍ର ଦେଇଥିବା ଅଭିଯୋଗ ହୋଇଛି ।

ମୁସଲିମ୍‌ ସମ୍ପ୍ରଦାୟର ଛାଡ଼ପତ୍ର ଷ୍ଟାଇଲକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ । କହିଲେ ଆଜିକାର ସଭ୍ୟ ସମାଜରେ କ'ଣ ଏମିତି ହେବା ଉଚିତ୍ ? ଏହା କ'ଣ ଗ୍ରହଣ ଯୋଗ୍ୟ । ସ୍ୱାମୀଙ୍କ ବିନା ଉପସ୍ଥିତିରେ ଜଣେ ଓକିଲଙ୍କ ମାଧ୍ୟମରେ ଛାଡ଼ପତ୍ର ପଠାଇବା, ଏହା କିଭଳି ପ୍ରଥା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ, ଏହି ତଲାକ-ଏ-ହସନ ପ୍ରଥାକୁ ରଦ୍ଦ କରିବା ନେଇ ବିଚାର କରିପାରେ ।

ବେନଜିର ହୀନା ବନାମ ଭାରତ ସଂଘ ଏବଂ ଅନ୍ୟମାନଙ୍କ ମାମଲାର ଶୁଣାଣି ସମୟରେ, ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଉଜ୍ଜଲ ଭୂୟାଁ ଏବଂ ବିଚାରପତି ଏନ କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ ଏହି ମାମଲାକୁ ପାଞ୍ଚ ଜଣିଆ ଖଣ୍ଡପୀଠକୁ ପଠାଯାଇପାରେ।

ତଲାକ-ଏ-ହାସନ କ'ଣ ?

ତଲାକ-ଏ-ହାସନ ହେଉଛି ମୁସଲମାନମାନଙ୍କର ଏକ ପ୍ରକାର ଛାଡ଼ପତ୍ର । ଏହି ପ୍ରଥା ଅନୁଯାୟୀ ଜଣେ ପୁରୁଷ ତିନି ମାସ ମଧ୍ୟରେ ଯଦି ତିନି ଥର କିମ୍ବା ପ୍ରତି ମାସରେ ଥରେ ଲେଖାଏଁ 'ତଲାକ' ଶବ୍ଦ ଉଚ୍ଚାରଣ କରୁଛି, ତେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାହ ଉଚ୍ଛେଦ ହେଲା ବୋଲି ଧରାଯିବ । ସ୍ୱାମୀ ଅନ୍ୟ ଜଣକ ମଧ୍ୟସ୍ଥତାରେ ମଧ୍ୟ ଏମିତି ଛାଡ଼ପତ୍ର ଦେଇପାରିବ । ତଲାକ-ଏ-ହାସନ ଅନୁଯାୟୀ, ତୃତୀୟ ମାସରେ 'ତଲାକ' ଶବ୍ଦର ତୃତୀୟ ଉଚ୍ଚାରଣ ପରେ ବିଦ୍ଧିବଦ୍ଧ ଭାବେ ବିବାହ ଉଚ୍ଛେଦ ବୋଲି ଧରିନିଆଯିବ । ହେଲେ ଉଭୟ ସ୍ୱାମୀ-ସ୍ତ୍ରୀ ଏହି ସମୟ ମଧ୍ୟରେ ଶାରୀରିକ ସମ୍ପର୍କ ରଖିନଥିବା ଜରୁରୀ । ତଥାପି, ଯଦି ପ୍ରଥମ କିମ୍ବା ଦ୍ୱିତୀୟ ଥର ତଲାକ ଉଚ୍ଚାରଣ ପରେ ସ୍ୱାମୀ-ସ୍ତ୍ରୀ ଏକାଠି ରହିବାକୁ ଲାଗନ୍ତି, ତେବେ ଧରିନିଆଯିବ ଯେ ସେମାନଙ୍କ ମଧ୍ୟରେ ବୁଝାସୁଝା ହୋଇଯାଇଛି । ଆଉ ସେମାନଙ୍କ ମଧ୍ୟରେ କୌଣସି ସମସ୍ୟା ନାହିଁ ।

କୋର୍ଟ କ’ଣ କହିଲେ ?

ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ପ୍ରଥା ସମାଜକୁ ବ୍ୟାପକ ଭାବରେ ପ୍ରଭାବିତ କରୁଥିବାରୁ, ସଂଶୋଧନମୂଳକ ପଦକ୍ଷେପ ନେବା ପାଇଁ କୋର୍ଟକୁ ହସ୍ତକ୍ଷେପ କରିବାକୁ ପଡ଼ିପାରେ। କୋର୍ଟ ଆରୋପୀଙ୍କୁ କହିଥିଲେ, 'ଯେତେବେଳେ ଆପଣ ଆମକୁ ଏକ ସଂକ୍ଷିପ୍ତ ରିପୋର୍ଟ ଦେବେ, ତାପରେ ଆମେ ଏହି ମାମଲାକୁ ପାଞ୍ଚ ଜଣିଆ ଖଣ୍ଡପୀଠକୁ ପଠାଇବା ନେଇ ବିଚାର କରିବୁ। ମୋଟାମୋଟି ଆମକୁ କୁହନ୍ତୁ କ'ଣ ରହିଛି ପ୍ରଶ୍ନ, ତାପରେ ଆମେ ବିଚାର କରିବୁ ସେଗୁଡ଼ିକ ମୁଖ୍ୟତଃ ଆଇନଗତ କି ନାହିଁ ଏବଂ କୋର୍ଟକୁ ସେଗୁଡ଼ିକର ସମାଧାନ କରିବାକୁ ପଡିବ କି ନାହିଁ।' କୋର୍ଟ ଏଭଳି ପ୍ରଥାକୁ ଆଧୁନିକ ସମାଜର ମର୍ଯ୍ୟାଦା ବିରୋଧୀ ବୋଲି କହିବା ସହ ମହିଳା ଅଧିକାରକୁ ସୁରକ୍ଷା ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି।

ବାର ଆଣ୍ଡ ବେଞ୍ଚ ଅନୁଯାୟୀ, ଶୁଣାଣି ସମୟରେ ଜଷ୍ଟିସ୍ କାନ୍ତ କହିଥିଲେ, 'ସମାଜ ଏଥିରେ ସମ୍ପୂର୍ଣ୍ଣ ଭାବରେ ଜଡିତ। କିଛି ସଂଶୋଧନମୂଳକ ପଦକ୍ଷେପ ନିଆଯିବା ଉଚିତ। ଯଦି ସ୍ପଷ୍ଟ ଭାବରେ ପକ୍ଷପାତମୂଳକ ପ୍ରଥା ଅଛି, ତେବେ କୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡିବ।'

ବିଚାରପତି ଆହୁରି ପ୍ରଶ୍ନ ଉଠାଇଛନ୍ତି ଯେ ମହିଳାଙ୍କ ସମ୍ମାନକୁ ପ୍ରଭାବିତ କରୁଥିବା ଏପରି ପ୍ରଥାଗୁଡ଼ିକୁ ଏକ ସଭ୍ୟ ସମାଜରେ କିପରି ଜାରି ରଖାଯାଇପାରିବ। କୋର୍ଟ ଏକ ଅତ୍ୟନ୍ତ କଠୋର ମନ୍ତବ୍ୟ ମଧ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସ୍ୱାମୀ ଏତେ ଅହଂକାରୀ ଯେ ସେ ତାଙ୍କ ସ୍ତ୍ରୀଙ୍କୁ ସିଧାସଳଖ ଛାଡପତ୍ର ମାଗୁ ନାହିଁ, କିନ୍ତୁ ଆମେ ତାଙ୍କୁ କୋର୍ଟକୁ ଡକାଇବୁ?

କୋର୍ଟ କହିଛନ୍ତି, 'ଏହା କି ପ୍ରକାରର ପ୍ରଥା ? ଆପଣ ୨୦୨୫ରେ ଏହାକୁ କିପରି ପ୍ରୋତ୍ସାହିତ କରୁଛନ୍ତି ? ଆମେ ପାଳନ କରୁଥିବା ସର୍ବୋତ୍ତମ ଧାର୍ମିକ ପ୍ରଥାକୁ ଆପଣ ଅନୁମତି ଦେଉଛନ୍ତି କି ? ଏହିପରି ଭାବରେ ଜଣେ ମହିଳାଙ୍କ ମର୍ଯ୍ୟାଦା ବଜାୟ ରହିପାରିବ କି ? ଏକ ସଭ୍ୟ ସମାଜରେ କ'ଣ ଏପରି ପ୍ରଥାକୁ ଅନୁମତି ଦେବା ଉଚିତ ?'

ଜାଣନ୍ତୁ ପୁରା ଘଟଣା...

କୋର୍ଟ ୨୦୨୨ ମସିହାରେ ଜଣେ ମୁସଲିମ ମହିଳା ସାମ୍ବାଦିକା ବେନଜିର ହୀନାଙ୍କ ଦ୍ୱାରା ଦାୟର ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍)ର ଶୁଣାଣି କରୁଥିଲେ, ଯେଉଁଥିରେ ଏହି ପ୍ରଥାକୁ ଅସାମ୍ବିଧାନିକ ବୋଲି ଘୋଷଣା କରିବାକୁ ଦାବି ରହିଥିଲା । କାରଣ ଏହା ଅଯୌକ୍ତିକ, ସ୍ୱେଚ୍ଛାଚାରୀ ଏବଂ ସମ୍ବିଧାନର ଧାରା ୧୪, ୧୫, ୨୧ ଏବଂ ୨୫ର ଉଲ୍ଲଙ୍ଘନ କରୁଛି ।

ଆବେଦନକାରୀ ଜଣେ ସାମ୍ବାଦିକା, ତାଙ୍କୁ ତାଙ୍କ ସ୍ୱାମୀ ଜଣେ ଓକିଲଙ୍କ ମାଧ୍ୟମରେ ୧୧ ପୃଷ୍ଠାର ତଲାକ-ଏ-ହାସନ ନୋଟିସ ପଠାଇ ଛାଡ଼ପତ୍ର ଦେଇଥିବା ଅଭିଯୋଗ ହୋଇଛି । କାରଣ ତାଙ୍କ ପରିବାର ଯୌତୁକ ଦେବାକୁ ମନା କରିଦେଇଥିଲେ । ତେଣୁ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ନିର୍ଯାତନା ଦେଉଥିଲେ।

ହୀନା ଅଭିଯୋଗ କରିଛନ୍ତି ଯେ ନୋଟିସରେ ତାଙ୍କ ସ୍ୱାମୀଙ୍କ ଦସ୍ତଖତ ମଧ୍ୟ ନଥିଲା। ଓକିଲ ନିଜେ ଏହାକୁ ପଠାଇ 'ଛାଡ଼ପତ୍ର' ବୋଲି କହିଥିଲେ । ସେ କୋର୍ଟକୁ କହିଥିଲେ ଯେ ଏହି ସମୟ ମଧ୍ୟରେ ତାଙ୍କ ସ୍ୱାମୀ ପୁନଃବିବାହ ମଧ୍ୟ କରିଛନ୍ତି, ଯେତେବେଳେ କି ସେ ଏବଂ ତାଙ୍କର ୫ ବର୍ଷର ସନ୍ତାନ ଏକ ବୈଧ ଛାଡ଼ପତ୍ର ବିନା ଅନେକ ଆଇନଗତ ଏବଂ ସାମାଜିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପିଲାର ସ୍କୁଲ ଆଡ୍‌ମିଶନ, ପାସପୋର୍ଟ ଏବଂ ତାଙ୍କ ବୈବାହିକ ସ୍ଥିତି ସମ୍ପର୍କରେ ସେ ଗମ୍ଭୀର ଅସୁବିଧାର ସମ୍ମୁଖୀନ ହେଉଛନ୍ତି କାରଣ ତାଙ୍କର ଆନୁଷ୍ଠାନିକ ଭାବରେ ଛାଡ଼ପତ୍ର ହୋଇନାହିଁ । ତେଣୁ ଛାଡ଼ପତ୍ର କାଗଜପତ୍ର ବି ବାହାରି ପାରୁନାହିଁ।

ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ପରିବାର ଦ୍ୱାରା ଆନେକ ନିର୍ଯାତନା ପାଇଥିବା ନେଇ କୋର୍ଟଙ୍କ ସାମ୍ନାରେ ଉଦାହରଣ ରଖିବା ସହ ଦିଲ୍ଲୀ ମହିଳା କମିଶନରେ ଅଭିଯୋଗ କରିଥିବା ବୋଲି ମଧ୍ୟ ଜଣାଇଥିଲେ । ଏମିତିକି ସେ ଥାନାରେ ଏତଲା ମଧ୍ୟ ଦେଇଥିଲେ । ଆଉ ପୋଲିସ ତାଙ୍କୁ କହିଥିଲା, ଶରିଆ ଆଇନ ଅନୁଯାୟୀ ଏମିତି ଛାଡ଼ପତ୍ର ବୈଧ । ଶୁଣାଣି ସମୟରେ ବରିଷ୍ଠ ଓକିଲ ଏମ.ଆର. ଶମଶାଦ ତାଙ୍କ ସ୍ୱାମୀଙ୍କ ପକ୍ଷରୁ ଉପସ୍ଥିତ ରହି ଯୁକ୍ତି ଦେଇଥିଲେ ଯେ ଏଭଳି ପ୍ରଥା ଇସଲାମରେ ଅତି ସାଧାରଣ ।

ତାପରେ ଜଷ୍ଟିସ ସୂର୍ଯ୍ୟକାନ୍ତ ପାଲଟା ପ୍ରଶ୍ନ କରିଥିଲେ, 'ସ୍ୱାମୀଙ୍କ ବଦଳରେ ଅନ୍ୟ କିଏ ଛାଡ଼ପତ୍ର ଦେବା, କେମିତି ଏକ ସାଧାରଣ କଥା ହୋଇପାରେ ? ଯଦି ଧାର୍ମିକ ପ୍ରଥା ଅନୁସରଣ କରିବାକୁ ଇଚ୍ଛା, ତେବେ ସମସ୍ତ ପ୍ରକ୍ରିୟାକୁ ଅନୁସରଣ କର ଯାହା ନିର୍ଦ୍ଧାରିତ ଅଛି । ଯଦି କାଲି ସ୍ୱାମୀ ତାଙ୍କ ନିଜ ଓକିଲଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି ତେବେ କଣ ହେବ ?'

​​ଛାଡପତ୍ରର ବୈଧତା ଉପରେ ପ୍ରଶ୍ନ ଉଠାଇ କୋର୍ଟ ଏହା ମଧ୍ୟ ପଚାରିଥିଲେ ଯେ ମହିଳାଙ୍କ ଠିକଣା ଓକିଲ କିପରି ପାଇଲେ, ଯାହାର ଉତ୍ତର ଆସିଥିଲା, ସ୍ୱାମୀ ଦେଇଥିଲେ। ଏକଥା ଶୁଣି ଜଷ୍ଟିସ କାନ୍ତ ରାଗି ଯାଇଥିଲେ । ଆଉ କହିଥିଲେ, ' ସେ ନିଜେ କାହିଁକି ଚିଠି ଲେଖିଲେ ନାହିଁ ? ସେ କ'ଣ ଏତେ ଅହଂକାରୀ ଯେ ଛାଡପତ୍ର ବି ନିଜେ ଦେଇପାରିବେ ନାହିଁ ?'

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Talak E Hasan | "How Is This Allowed In Modern Society?" Top Court On New Triple Talaq Case | Argus News