Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କାହିଁକି ଘରେ ଘରେ ରତନ ଏତେ ପରିଚିତ ଥିଲେ ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·3 min read
କାହିଁକି ଘରେ ଘରେ ରତନ ଏତେ ପରିଚିତ ଥିଲେ ?

Key Points

  • ଶିଳ୍ପ ଜଗତରେ ରତନଙ୍କ ଥିଲା ବଡ଼ ଅବଦାନ
  • ଘରେ ଘରେ ଟାଟାର ଜିନିଷ ବେଶ ପରିଚିତ
  • ଟାଟାଷ୍ଟିଲକୁ ନେଇ ପୁରା ବିଶ୍ଵରେ ଚର୍ଚ୍ଚା ହୁଏ
     

ଅର୍ଗସ ବ୍ୟୁରୋ: ରତନ ଟାଟା । କେବଳ ଏହି ନାଁ ଶୁଣିଲେ ଗାଁ ଗାଁରେ ସମସ୍ତେ ଜାଣନ୍ତି । ଟାଟାର ପ୍ରତିଟି ସାମଗ୍ରୀ କେତେ ମଜଭୁତ ତାହା କହିବାର କୌଣସି ଆବଶ୍ୟକତା ନାହିଁ । ଖାସ କରି ଟାଟା ଷ୍ଟିଲକୁ ନେଇ କେବଳ ଦେଶରେ ନୁହେଁ ବରଂ ପୁରା ବିଶ୍ଵରେ ଚର୍ଚ୍ଚା ହୁଏ । କାରଣ ଏହି ଶିଳ୍ପରେ କେତେ ଭାରତୀୟ ଯେ ଚାକିରି ପାଇଛନ୍ତି ତାହାକୁ ଆକ୍ଷରିକ ଭାବରେ କହିବା ବି ମୁସ୍କିଲ । ଆସନ୍ତୁ ଜାଣିବା ଶିଳ୍ପ ଜଗତକୁ ରତନ ଟାଟାଙ୍କର କଣ ରହିଛି ଅବଦାନ ?

ରତନ ଟାଟା...ଶିଳ୍ପପତି ଓ ବଦାନ୍ୟ ବ୍ୟକ୍ତି ଥିଲେ । କେବଳ ବ୍ୟବସାୟ କରି ଲାଭ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା ବରଂ ଦେଶର ବିକାଶ ଓ ଚାକିରି କ୍ଷେତ୍ରରେ କେମିତି ଆଗକୁ ବଢିବ ସେନେଇ ନିଜ ଉପରକୁ ଦାୟିତ୍ଵ ନେଇଥିଲେ ଟାଟା । କାରଣ ଯେଉଁଠି ଟାଟାର ପ୍ରକଳ୍ପ ହେଉଥିଲା ସେହି ଅଂଚଳର ବିକାଶକୁ ପ୍ରଥମେ ଗୁରୁତ୍ଵ ଦେଉଥିଲେ ରତନ । ସେଇଥି ଲାଗି ତ ଟାଟା କମ୍ପାନୀ ଯେଉଁ ଯେଉଁ ଇଲାକାରେ ଶିଳ୍ପ କରିଛି ସେହି ଅଂଚଳ କେତେ ବିକଶିତ ତାହା କାହାକୁ ଅଛପା ନାହିଁ । ଖାଲି ଏତିକି ନୁହେଁ ବରଂ ଭାରତୀୟ ଉଦ୍ୟୋଗକୁ ବିଶ୍ଵ ମଞ୍ଚରେ ପ୍ରତିଷ୍ଠିତ ଓ ଉପସ୍ଥାପିତ କରିବାରେ ଟାଟାଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ସ୍ଵୀକାର୍ଯ୍ୟ ଥିଲା । ତାଙ୍କ ଅମଳରେ ଟାଟା ମୋଟର୍ସ ବିଶ୍ଵ ପ୍ରସିଦ୍ଧ ଅଟୋମୋବାଇଲ୍ କମ୍ପାନି ‘ଜାଗୁଆର୍’ ଓ ‘ଲ୍ୟାଣ୍ଡରୋଭର୍‌’କୁ ଏବଂ ‘କୋରସ୍‌’କୁ ଟାଟା ଷ୍ଟିଲ୍‌ ଅଧିଗ୍ରହଣ କରିଥିଲା। ଭାରତର ସାଧାରଣ ଜନତାଙ୍କ କାର୍‌ ସ୍ଵପ୍ନ ପୂରଣ କରିବା ଲାଗି ଲକ୍ଷେ ଟଙ୍କିଆ କାର୍‌ ‘ନାନୋ’ ଆଣିଥିଲେ। 

ଦିନେ ଭାରତରେ ବିଦେଶୀ କମ୍ପାନୀମାନେ ନିଜର ବ୍ରାଣ୍ଡଗାଡି ଆଣି ଭାରତରେ ବିକ୍ରି କରିବା ସହିତ କୋଟି କୋଟି ଟଙ୍କା ଲାଭ କରୁଥିଲେ । ହେଲେ ଏତିକି ବେଳେ ଟାଟା ବଜାରକୁ ଆଣିଥିଲା ଇଣ୍ଡିକା । ଯାହା ପ୍ରତି ଘରେ ଘରେ ଆଦୃତ ହୋଇଥିଲା । କାରର ଡିଜାଇଲ, ମୂଲ୍ୟ ସୁହାଇଲା ପରି ହୋଇଥିବାରୁ ବେଶ ଲୋକପ୍ରିୟତା ବି ପାଇଥିଲା । ସେଇଥି ଲାଗି ତ ଶିଳ୍ପ କ୍ଷେତ୍ର ଭଳି ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୦୦ରେ ପଦ୍ମଭୂଷଣ ଓ ୨୦୦୮ରେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରିଥିଲେ । ଖାଲି ଭାରତ କହିଲେ ଭୁଲ ହେବ ବରଂ ବିଶ୍ଵବ୍ୟାପୀ ସେ ଥିଲେ ଜଣେ ପରିଚିତ ଶିଳ୍ପପତି । ଅଷ୍ଟ୍ରେଲିଆ ତାଙ୍କୁ ଅର୍ଡର ଅଫ୍‌ ଅଷ୍ଟ୍ରେଲିଆ ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ବ୍ରିଟିଶ ସରକାରଙ୍କ ନାଇଟ୍‌ ଗ୍ରାଣ୍ଡ କ୍ରସ୍‌ ଉପାଧିରେ ସେ ସମ୍ମାନିତ ହୋଇଥିଲେ ।
ରତନ ଟାଟାଙ୍କ ବିଷୟରେ କିଛି ଜାଣିବା କଥା...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୧୯୩୭ ଡିସେମ୍ବର ୨୮ ତାରିଖରେ ଏକ ପାର୍ସି ପରିବାରରେ ରତନ ଟାଟାଙ୍କ ଜନ୍ମ ହୋଇଥିଲା। ମୁମ୍ବାଇରେ ପାଠପଢ଼ା ଶେଷ କରିବା ପରେ ସେ ଶିମ୍‌ଲା ଓ ଆମେରିକାର ନ୍ୟୁୟର୍କରେ ପାଠ ପଢ଼ିଥିଲେ । ଟାଟା ୧୯୬୨ରେ ଟାଟା ଗ୍ରୁପ୍‌ରେ ଯୋଗ ଦେଇଥିଲେ । ବିଭିନ୍ନ କମ୍ପାନୀରେ କିଛି ଦିନ କାର୍ଯ୍ୟ କରିବା ପରେ ୧୯୭୧ରେ ସେ ନ୍ୟାସନାଲ୍‌ ରେଡିଓ ଆଣ୍ଡ୍ ଇଲେକ୍ଟ୍ରୋନିକ୍ସ କମ୍ପାନୀର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ ଏବଂ ୧୯୮୧ରେ ଟାଟା ଇଣ୍ଡଷ୍ଟ୍ରୀଜ୍‌ର ଅଧ୍ୟକ୍ଷ ହୋଇଥିଲେ। କର୍ଣ୍ଣେଲ୍ ବିଶ୍ବବିଦ୍ୟାଳୟରେ ପାଠପଢ଼ିଥିବା ଟାଟା ୧୯୬୨ରେ ଭାରତ ଫେରିବା ପୂର୍ବରୁ କିଛି ଦିନ ପାଇଁ ଆମେରିକାର ଲସ୍‌ ଏଞ୍ଜେ‌ଲ୍‌ସ୍‌ରେ ଜୋନ୍‌ସ ଆଣ୍ଡ୍ ଏମନ୍‌ସ ପାଇଁ କାମ କରିଥିଲେ। ସେ ୧୯୭୫‌ରେ ହାର୍ଭାର୍ଡ ବିଜିନେସ୍‌ ସ୍କୁଲ୍‌ରେ ମଧ୍ୟ ମ୍ୟାନେଜମେଣ୍ଟ ଶିକ୍ଷା ଗ୍ରହଣ କରିଥିଲେ । ହେଲେ ଭାରତରେ ଟାଟା ଗ୍ରୁପ୍‌ କରିବା ପରେ ସେ ବେଶ ପ୍ରସିଦ୍ଧି ଲାଭ କରିଥିଲେ । ସେଇଥି ଲାଗି ତ ତାଙ୍କର ଦେହାନ୍ତରେ ପ୍ରତିଟି ଭାରତୀୟ ଗୁମୁରି ଗୁମୁରି କାନ୍ଦୁଛି ।
 

Sponsored
Ratan Tata | Argus News