Videos
|
National

Murder Mystery / ଭୟଙ୍କର ହତ୍ୟାକାଣ୍ଡ: ସ୍ୱାମୀ-ସ୍ତ୍ରୀ ମିଶି ୩ ଜଣଙ୍କୁ ହତ୍ୟା, ୪ ବର୍ଷ ପରେ ଖୋଲିଲା ରହସ୍ୟ

Rashmita Mishra
Browse all articles by Rashmita Mishra
·2 hours ago·2 min read
ଭୟଙ୍କର ହତ୍ୟାକାଣ୍ଡ: ସ୍ୱାମୀ-ସ୍ତ୍ରୀ ମିଶି ୩ ଜଣଙ୍କୁ ହତ୍ୟା, ୪ ବର୍ଷ ପରେ ଖୋଲିଲା ରହସ୍ୟ
Murder Mystery

Key Points

ସୁରତରେ ଭୟଙ୍କର ହତ୍ୟାକାଣ୍ଡ । 
୪ ବର୍ଷ ପରେ ଖୋଲିଲା ରହସ୍ୟ । 
ସ୍ୱାମୀ-ସ୍ତ୍ରୀ ମିଶି ୩ଙ୍କୁ ହତ୍ୟା । 

ଗୁଜରାଟର ସୁରତରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ରହସ୍ୟ ପ୍ରାୟ ୪ ବର୍ଷ ପରେ ଖୋଲିଛି । ଅଭିଯୋଗ ଅନୁସାରେ, ସ୍ୱାମୀ-ସ୍ତ୍ରୀ ମିଶି ପରିବାରର ୩ ଜଣ ମହିଳାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଲୁଚାଇ ଦେଇଥିଲେ । ଏହି ଘଟଣା ୨୦୨୨ରେ ଘଟିଥିବା ବେଳେ ଅକ୍ଟୋବର ୨୦୨୬ରେ ଏହାର ଖୁଲାସା ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବିବାଦ ପରେ ହିଁ ଏହି ହତ୍ୟାକାଣ୍ଡ ସାମ୍ନାକୁ ଆସିଥିଲା । ପୋଲିସ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିବା ସହ ୩ ମୃତକଙ୍କ କଙ୍କାଳ ମଧ୍ୟ ଉଦ୍ଧାର କରିଛି । 

ମା’, ଭଉଣୀ ଓ ନାନୀଙ୍କୁ ହତ୍ୟା ଅଭିଯୋଗ
ପୋଲିସ ଅନୁସାରେ, ଅଭିଯୁକ୍ତ ଦମ୍ପତି ନିଜ ପରିବାରର ୩ ଜଣ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି । ଏମାନଙ୍କ ମଧ୍ୟରେ ସ୍ୱାମୀଙ୍କ ମା’, ସ୍ତ୍ରୀଙ୍କ ଭଉଣୀ ଏବଂ ସ୍ତ୍ରୀଙ୍କ ଆଇ ଥିଲେ । ଅଭିଯୋଗ ଅନୁସାରେ, ପ୍ରଥମ ଦୁଇ ମହିଳାଙ୍କ ମୃତଦେହ ଘର ଭିତରେ ମାଟି ଖୋଳି ପୋତି ଦିଆଯାଇଥିଲା । ଅନ୍ୟପକ୍ଷରେ ନାନୀଙ୍କ ମୃତଦେହକୁ ଏକ ଡ୍ରମ୍‌ରେ ରଖି ତା’ ଉପରେ ସିମେଣ୍ଟ ଢାଳି ଦିଆଯାଇଥିବା ପୋଲିସ କହିଛି ।

କେବେ ଓ କିପରି ଘଟିଥିଲା ହତ୍ୟା ?
ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ପ୍ରଥମ ହତ୍ୟା ୨୫ ଫେବ୍ରୁଆରୀ ୨୦୨୨ରେ ହୋଇଥିଲା । ଅଭିଯୋଗ ଅନୁସାରେ, ଟିବି ରୋଗରେ ପୀଡ଼ିତ ସ୍ତ୍ରୀଙ୍କ ଭଉଣୀଙ୍କୁ ତକିଆରେ ମୁହଁ ଚାପି ହତ୍ୟା କରାଯାଇଥିଲା । ପରେ ତାଙ୍କ ମୃତଦେହକୁ ଘର ଭିତରେ ପୋତି ଦିଆଯାଇଥିଲା ।

ଦ୍ୱିତୀୟ ହତ୍ୟା ୧୯ ଜୁଲାଇ ୨୦୨୨ରେ ଘଟିଥିବା ଅଭିଯୋଗ ରହିଛି । ପାରାଲିସିସ୍‌ରେ ପୀଡ଼ିତ ଅଭିଯୁକ୍ତଙ୍କ ମା’ଙ୍କୁ ମଧ୍ୟ ତକିଆରେ ମୁହଁ ଚାପି ହତ୍ୟା କରାଯାଇଥିବା ତଦନ୍ତରେ ଜଣାପଡ଼ିଥିବା ପୋଲିସ କହିଛି ।

ତୃତୀୟ ଘଟଣା ୭ ଅକ୍ଟୋବର ୨୦୨୨ରେ ଘଟିଥିବା ଅଭିଯୋଗ ରହିଛି। ୮୫ ବର୍ଷୀୟ ଶାନ୍ତା ବସାୱାଙ୍କୁ ତକିଆରେ ମୁହଁ ଚାପି ହତ୍ୟା କରାଯାଇଥିବା ଏବଂ ପରେ ତାଙ୍କ ମୃତଦେହକୁ ଡ୍ରମ୍‌ରେ ରଖି ସିମେଣ୍ଟରେ ବନ୍ଦ କରିଦିଆଯାଇଥିବା ପୋଲିସ କହିଛି ।

ସ୍ୱାମୀଙ୍କ ଅଭିଯୋଗରୁ ଖୋଲିଲା ରହସ୍ୟ
ପ୍ରାୟ ୪ ବର୍ଷ ପରେ ଅଭିଯୁକ୍ତ ଦମ୍ପତିଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହୋଇଥିଲା । ଏହାପରେ ସ୍ୱାମୀ ମାଧବଦାସ ସାଧୁ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ତ୍ରୀ ଉର୍ମିଳା ନିଜ ଭାଇଙ୍କ ସହ ମିଶି ତାଙ୍କ ନାନୀ ଶାନ୍ତା ବସାୱାଙ୍କୁ ହତ୍ୟା କରିଛନ୍ତି । ପୋଲିସ ଅଭିଯୋଗର ତଦନ୍ତ କରି ଉର୍ମିଳା ଓ ତାଙ୍କ ଭାଇଙ୍କୁ ପଚରାଉଚରା କରିଥିଲା । ପଚରାଉଚରା ସମୟରେ ଉର୍ମିଳା ହତ୍ୟାକାଣ୍ଡ ସମ୍ପର୍କରେ ତଥ୍ୟ ଦେବା ସହ ଅନ୍ୟ ଦୁଇଟି ହତ୍ୟା ବିଷୟରେ ମଧ୍ୟ କହିଥିବା ପୋଲିସ ଦାବି କରିଛି । ଏହାପରେ ପୋଲିସ ମାଧବଦାସଙ୍କୁ ମଧ୍ୟ ଗିରଫ କରିଥିଲା। ଅଭିଯୁକ୍ତ ଦମ୍ପତିଙ୍କ ଦେଖାଇବା ଅନୁସାରେ ପୋଲିସ ୩ ମୃତକଙ୍କ କଙ୍କାଳ ଉଦ୍ଧାର କରିଛି ।

ଉର୍ମିଳାଙ୍କ ଭାଇଙ୍କ ବିରୋଧରେ ମିଳିଲାନି ପ୍ରମାଣ
ପୋଲିସ ତଦନ୍ତରେ ଉର୍ମିଳାଙ୍କ ଭାଇଙ୍କ ବିରୋଧରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ନେଇ କୌଣସି ପ୍ରମାଣ ମିଳିନଥିବା କୁହାଯାଇଛି । ଅନ୍ୟପକ୍ଷରେ ମାଧବଦାସ ଓ ଉର୍ମିଳାଙ୍କୁ ପୋଲିସ ହେପାଜତରେ ନେଇ ମାମଲାର ତଦନ୍ତ ଜାରି ରଖିଛି । ଏହି ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ କ’ଣ ଥିଲା ଏବଂ ୨୦୨୨ରେ ଘଟିଥିବା ଏହି ତିନୋଟି ହତ୍ୟାର ସମ୍ପୂର୍ଣ୍ଣ ପରିସ୍ଥିତି କ’ଣ, ତାହା ଜାଣିବା ପାଇଁ ପୋଲିସ ଆହୁରି ତଦନ୍ତ କରୁଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: