Marriage Case / ପତ୍ନୀଙ୍କ ପରକିୟା ପ୍ରତିର ପ୍ରମାଣ ଯୋଗାଡ଼ କରି ସ୍ୱାମୀ ଜିତିଲେ କେସ୍, କିନ୍ତୁ ନିଜେ ଗଲେ ଜେଲ୍

Key Points
ପତ୍ନୀଙ୍କୁ ଧରିଲେ... ହେଲେ ସ୍ୱାମୀ ହେଲେ ଦୋଷୀ ।
ଗୁପ୍ତ ରେକର୍ଡିଂ ପଡ଼ିଲା ମହଙ୍ଗା ୫ ମାସ ଜେଲ୍ ଗଲେ ସ୍ୱାମୀ ।
ପ୍ରେମିକ ସହ ପତ୍ନୀଙ୍କୁ ଧରିଲେ ପ୍ରମାଣ ଯୋଗାଡ଼ କରି ଫସିଲେ ।
ପତ୍ନୀଙ୍କ ପରକୀୟା ସମ୍ପର୍କର ପ୍ରମାଣ ଯୋଗାଡ଼ କରିବାକୁ ସ୍ୱାମୀ ଏମିତି ଏକ ପଦକ୍ଷେପ ନେଲେ, ଯାହା ତାଙ୍କୁ ପ୍ରଥମେ କୋର୍ଟରେ ବିଜୟୀ କଲା, କିନ୍ତୁ ପରେ ନିଜକୁ ଅଭିଯୁକ୍ତ କରିଦେଲା । ରୋବୋଟ୍ ଭ୍ୟାକ୍ୟୁମ୍ କ୍ଲିନର୍ ମାଧ୍ୟମରେ ପତ୍ନୀଙ୍କ ଗୁପ୍ତ ଭିଡିଓ ରେକର୍ଡ କରି ସେ ବେଇମାନିର ପ୍ରମାଣ କୋର୍ଟରେ ଦେଖାଇଥିଲେ । ଫଳରେ ପତ୍ନୀ ଓ ତାଙ୍କ କଥିତ ପ୍ରେମିକଙ୍କୁ କ୍ଷତିପୂରଣ ଦେବାକୁ ପଡ଼ିଥିଲା । କିନ୍ତୁ ଅନୁମତି ବିନା ବ୍ୟକ୍ତିଗତ ମୁହୂର୍ତ୍ତର ରେକର୍ଡିଂ କରିଥିବାରୁ ଶେଷରେ ସେହି ସ୍ୱାମୀଙ୍କୁ ନିଜେ ୫ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିଲା । ତାଇୱାନ୍ର ଏହି ଅଜବ ମାମଲା ଏବେ ପ୍ରାଇଭେସି ଅଧିକାର ଓ ବେଇମାନିର ପ୍ରମାଣ ମଧ୍ୟରେ ଆଇନର ସୀମାକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି ।
ତାଇୱାନ୍ରେ ଘଟିଥିବା ଏକ ଅଜବ ମାମଲା ଏବେ ଚର୍ଚ୍ଚାରେ । ପତ୍ନୀଙ୍କର ପରକୀୟା ସମ୍ପର୍କ ଥିବା ସନ୍ଦେହରେ ଜଣେ ସ୍ୱାମୀ ଗୁପ୍ତ ଭାବେ ପ୍ରମାଣ ସଂଗ୍ରହ କରିଥିଲେ । ସେହି ପ୍ରମାଣକୁ ନେଇ କୋର୍ଟରେ ମାମଲା କରି ସେ ସଫଳ ମଧ୍ୟ ହେଲେ । କିନ୍ତୁ ଗୁପ୍ତ ରେକର୍ଡିଂ କରିଥିବାରୁ ଶେଷରେ ତାଙ୍କୁ ନିଜେ ଜେଲ୍ ଯିବାକୁ ପଡ଼ିଲା ।
ପତ୍ନୀଙ୍କ ଉପରେ ହୋଇଥିଲା ସନ୍ଦେହ
ତାଇୱାନ୍ର ଏହି ବ୍ୟକ୍ତି ୨୦୨୧ ମସିହାରେ ବିବାହ କରିଥିଲେ । ସେ ନିଜ ପିତାମାତାଙ୍କ ସହ ରହୁଥିଲେ । ଛୁଟି କାଟିବା ପାଇଁ କିଣାଯାଇଥିବା ଏକ ଘରକୁ ସେ ଓ ତାଙ୍କ ପତ୍ନୀ ମଝିମଝିରେ ଯାଉଥିଲେ ।
୨୦୨୩ ସେପ୍ଟେମ୍ବରରେ ସେହି ଘରେ ଏକ ବ୍ୟବହୃତ ଟୁଥବ୍ରଶ୍ ମିଳିବା ପରେ ସ୍ୱାମୀଙ୍କ ସନ୍ଦେହ ଆହୁରି ବଢ଼ିଥିଲା । ପରେ ସେ ପାର୍କିଂ ଲଟ୍ର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ । ସେଠାରେ ଜଣେ ଅଜଣା ପୁରୁଷ ତାଙ୍କ ପତ୍ନୀଙ୍କୁ ଘରେ ଛାଡ଼ି ଯାଉଥିବା ଦେଖିଥିଲେ ।
ରୋବୋଟ୍ ଭ୍ୟାକ୍ୟୁମ୍ରେ ଗୁପ୍ତ ରେକର୍ଡିଂ
ଏହାର ପ୍ରାୟ ତିନି ମାସ ପରେ ସ୍ୱାମୀ ଏକ ସ୍ମାର୍ଟଫୋନ୍ ଆପ୍ ମାଧ୍ୟମରେ ଘରେ ଥିବା ରୋବୋଟ୍ ଭ୍ୟାକ୍ୟୁମ୍ କ୍ଲିନର୍କୁ ଦୂରରୁ ଚଳାଇଥିଲେ । ଏହି ଡିଭାଇସ୍ରେ ଅଡିଓ ଫଙ୍କସନ୍ ମଧ୍ୟ ଥିଲା ।
ପ୍ରଥମେ ସେ ପତ୍ନୀଙ୍କ ସହ କଥା ହେବା ପାଇଁ ଏହି ଫଙ୍କସନ୍ ବ୍ୟବହାର କରିବାକୁ ଚାହୁଁଥିଲେ । କିନ୍ତୁ ଲାଇଭ୍ ଫିଡ୍ରେ ସେ ପତ୍ନୀଙ୍କୁ ଜଣେ ଅନ୍ୟ ପୁରୁଷଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ । ସେ ଏହାର ଫୁଟେଜ୍ ରେକର୍ଡ କରି ରଖିଥିଲେ ।
କୋର୍ଟରେ ସ୍ୱାମୀଙ୍କ ବିଜୟ
ଏହି ଫୁଟେଜ୍କୁ ଆଧାର କରି ସ୍ୱାମୀ ତାଙ୍କ ପତ୍ନୀ ଏବଂ ତାଙ୍କ କଥିତ ପ୍ରେମିକଙ୍କ ବିରୋଧରେ ସିଭିଲ୍ ମାମଲା କରିଥିଲେ । ସେ ୨ ମିଲିୟନ୍ ନ୍ୟୁ ତାଇୱାନ୍ ଡଲାର୍ କ୍ଷତିପୂରଣ ଦାବି କରିଥିଲେ । କୋର୍ଟ ମାମଲାରେ ନିଷ୍ପତ୍ତି ଦେଇ କହିଥିଲେ ଯେ ଉଭୟଙ୍କ ସମ୍ପର୍କ ସାଧାରଣ ବନ୍ଧୁତାଠାରୁ ଆଗକୁ ବଢ଼ିଥିଲା । ଏହା ପାଇଁ ପତ୍ନୀ ଏବଂ ସେହି ପୁରୁଷଙ୍କୁ ମିଶି ୫ ଲକ୍ଷ ନ୍ୟୁ ତାଇୱାନ୍ ଡଲାର୍ କ୍ଷତିପୂରଣ ଦେବାକୁ ଆଦେଶ ଦିଆଯାଇଥିଲା ।
ପ୍ରମାଣ ସତ ହେଲେ ବି ରେକର୍ଡିଂ ଥିଲା ବେଆଇନ
ଏହି ମାମଲା ପରେ ସ୍ୱାମୀଙ୍କ ପାଇଁ ସମସ୍ୟା ବଢ଼ିଥିଲା । ଗୁପ୍ତ ରେକର୍ଡିଂକୁ ନେଇ ତାଙ୍କ ପତ୍ନୀ ଅଲଗା ଆଇନଗତ ପଦକ୍ଷେପ ନେଇଥିଲେ । ସ୍ୱାମୀ ଯୁକ୍ତି ଦେଇଥିଲେ ଯେ ଫୁଟେଜ୍କୁ କୋର୍ଟ ସିଭିଲ୍ ମାମଲାରେ ପ୍ରମାଣ ଭାବେ ଗ୍ରହଣ କରିଛନ୍ତି । ତେଣୁ ତାଙ୍କ ରେକର୍ଡିଂ ଆଇନସମ୍ମତ ବୋଲି ସେ ଦାବି କରିଥିଲେ ।
କିନ୍ତୁ କୋର୍ଟ ଏହି ଯୁକ୍ତିକୁ ଖାରଜ କରିଥିଲେ । କୋର୍ଟ ସ୍ପଷ୍ଟ କରିଥିଲେ ଯେ ବିବାହିତ ସମ୍ପର୍କରେ ଥିବା କୌଣସି ବ୍ୟକ୍ତିଙ୍କର ବ୍ୟକ୍ତିଗତ ଗୋପନୀୟତାର ଅଧିକାର ଶେଷ ହୋଇଯାଏ ନାହିଁ ।
୫ ମାସ ଜେଲ୍ ଓ ଜରିମାନା
କୋର୍ଟଙ୍କ ଅନୁସାରେ, ତାଙ୍କ ପତ୍ନୀଙ୍କୁ ଗୁପ୍ତ ଭାବେ ରେକର୍ଡ କରାଯାଉଥିବା ବିଷୟରେ ଜଣାଥିଲା ବୋଲି ପ୍ରମାଣ ମିଳିନଥିଲା । ରୋବୋଟ୍ ଭ୍ୟାକ୍ୟୁମ୍ରୁ ଶବ୍ଦ କିମ୍ବା ଆଲୋକ ବାହାରୁଥିଲେ ମଧ୍ୟ ତାହା ରେକର୍ଡିଂ ବିଷୟରେ ତାଙ୍କୁ ଜଣାଇଥିବାର ପ୍ରମାଣ ନଥିଲା । ଫଳରେ ବ୍ୟକ୍ତିଗତ ମୁହୂର୍ତ୍ତକୁ ବେଆଇନ ଭାବେ ରେକର୍ଡ କରିଥିବା ଅଭିଯୋଗରେ ସ୍ୱାମୀଙ୍କୁ ୫ ମାସ ଜେଲ୍ ଦଣ୍ଡ ସହ ୧.୫ ଲକ୍ଷ ନ୍ୟୁ ତାଇୱାନ୍ ଡଲାର୍ ଜରିମାନା କରାଯାଇଥିଲା ।
ତାଇୱାନ୍ରେ ପ୍ରାଇଭେସି ଆଇନ କ’ଣ କହେ ?
ତାଇୱାନ୍ର ଆଇନ ଅନୁସାରେ, କୌଣସି ବ୍ୟକ୍ତିଙ୍କର ବ୍ୟକ୍ତିଗତ ମୁହୂର୍ତ୍ତକୁ ତାଙ୍କ ଅନୁମତି ବିନା ରେକର୍ଡ କରିବା କିମ୍ବା ପ୍ରକାଶ କରିବା ଅପରାଧ ହୋଇପାରେ । ଏଥିପାଇଁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୩ ଲକ୍ଷ ନ୍ୟୁ ତାଇୱାନ୍ ଡଲାର୍ ପର୍ଯ୍ୟନ୍ତ ଜରିମାନା ହୋଇପାରେ ।
ଏହି ଘଟଣା ଏବେ ଏକ ବଡ଼ ପ୍ରଶ୍ନ ଉଠାଇଛି ବିବାହିତ ସମ୍ପର୍କରେ ବେଇମାନିର ପ୍ରମାଣ ଯୋଗାଡ଼ କରିବା ସମୟରେ ଜଣେ ବ୍ୟକ୍ତି କେତେ ଦୂର ପର୍ଯ୍ୟନ୍ତ ଆଇନର ସୀମା ମଧ୍ୟରେ ରହିପାରିବେ ? ଏହି ମାମଲାରେ ସ୍ୱାମୀ ପତ୍ନୀଙ୍କ ବେଇମାନି ପ୍ରମାଣ କରି କ୍ଷତିପୂରଣ ଜିତିଥିଲେ, କିନ୍ତୁ ସେହି ପ୍ରମାଣ ସଂଗ୍ରହ କରିବାର ପଦ୍ଧତି ପାଇଁ ନିଜେ ଦଣ୍ଡିତ ହେଲେ ।
📱 Get Argus News App
✨Related Topics
Explore more stories