ଜଏନ କରିବା ପୂର୍ବରୁ ମତେ ଏସବୁ ଦରକାର,ପରେ ଆଉ...

ଅର୍ଗସ ବ୍ୟୁରୋ: ବିବାଦ ଘେରରେ ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡକର । କ୍ଷମତାର ଅପବ୍ୟବହାର କରୁଥିବା ଅଭିଯୋଗରେ ଏବେ ସେ ଚର୍ଚ୍ଚାରେ । କାରଣ ଟ୍ରେନିଂ ସମୟରୁ ସେ ଡିମାଣ୍ଡ କରୁଛନ୍ତି ଘର ସହିତ ସ୍ବତନ୍ତ୍ର କ୍ୟାବିନ ଆଉ କାର। ଯାହାର ହ୍ବାଟସଆପ ଚାଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ମହାରାଷ୍ଟ୍ର କ୍ୟାଡରର ୨୦୨୨ ବ୍ୟାଚ୍ ଆଇଏଏସ ଅଧିକାରୀ ହେଉଛନ୍ତି ପୂଜା ଖେଡକର। ବର୍ତ୍ତମାନ ସେ ଟ୍ରେନିଂରେ ଅଛନ୍ତି । କିନ୍ତୁ ଏବେଠାରୁ ହିଁ ତାଙ୍କ ନାଁରେ କ୍ଷମତାର ଅପବ୍ୟବହାର କରୁଥିବାର ଅଭିଯୋଗ ଆସୁଛି । ଫଳରେ ତାଙ୍କୁ ବଦଳି କରାଯାଇ ପୁନେର ଆସିସଷ୍ଟାଣ୍ଟ କଲେକ୍ଟର ଭାବେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଜଣେ କଲେକ୍ଟର ଅଧିକାରୀଙ୍କୁ ନିଜ ପାଇଁ ସ୍ବତନ୍ତ୍ର ଘର, କାର ଏବଂ ପର୍ସନାଲ କ୍ୟାବିନ ଦାବି କରୁଥିବାର ଏକ ହ୍ବାଟସଆପ ଚାଟ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ କହୁଛନ୍ତି, ମୁଁ ଜଏନ କରିବା ପୂର୍ବରୁ ମୋ ପାଇଁ ଏହି ସବୁ ବନ୍ଦୋବସ୍ତ ହୋଇଯିବା ଦରକାର। ପରେ ସମୟ ମିଳିବ ନାହିଁ। ଆଉ ଯଦି ସମ୍ଭବ ହୋଇପାରୁନି ତାହେଲେ ମତେ ଜଣାନ୍ତୁ ମୁଁ କଲେକ୍ଟର ସାର୍ଙ୍କ ସହ କଥା ହେବି । ଜୁନ ୩ ପୂର୍ବରୁ ଏହି ସବୁ କରିବାକୁ ସିଏ କଲେକ୍ଟର ଅଧିକାରୀଙ୍କୁ ଡିମାଣ୍ଡ କରିଥିଲେ। ଯାହାକୁ ନେଇ ପୁନେ ଜିଲ୍ଲାପାଳ ଡ. ସୁହାସ ଦିୱସ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ପୁଜାଙ୍କ ପ୍ରଶିକ୍ଷଣ ବନ୍ଦ କରିବାକୁ ଅନୁରୋଧ କରିଥିଲେ । ପରେ ମହାରାଷ୍ଟ୍ର ସରକାର ଟ୍ରେନି ଆଇଏଏସଙ୍କୁ ବଦଳି କରିଛନ୍ତି। ଏବେ ସେ ୱାସିମ ଜିଲ୍ଲାର ସହାୟକ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବେ।
📱 Get Argus News App
✨କେବଳ ଏତିକି ନୁହେଁ ଏହା ପୂର୍ବରୁ ବି ପୂଜା ନିଜ କ୍ଷମତାର ଅପବ୍ୟବହାର କରୁଥିବାର ଅନେକ ଅଭିଯୋଗ ରହିଛି। ନିଜ ବ୍ୟକ୍ତିଗତ ଅଡି କାରରେ ନାଲି ଓ ନୀଳବତୀ ଲଗାଇବା ସହିତ ସେଥିରେ ମହାରାଷ୍ଟ୍ର ସରକାରଙ୍କ ବୋର୍ଡ ଲଗାଇବା, ଅନ୍ୟ ଜଣେ ସହକର୍ମୀଙ୍କ କାର୍ଯ୍ୟାଳୟ କୋଠରୀ ମାଡ଼ି ବସିବା, ୟୁପିଏସସି ପରିକ୍ଷାରେ ଜାଲ ପ୍ରମାଣ ପତ୍ର ଦେବା ସହିତ ପରୀକ୍ଷାରେ ପାସ୍ କରିବା ପାଇଁ ନକଲି ଅକ୍ଷମତା ଏବଂ ଓବିସି କୋଟାର ବ୍ୟବହାର କରିଥିଲେ ପୂଜା ଖେଡକର।
ଅଧିକ ପଢନ୍ତୁ ଭାରତ ଖବର