Government Jobs / କିଏ ଦିବ୍ୟା ମିତ୍ତଲ ? ୧୩ ବର୍ଷ ପରେ IAS ଛାଡ଼ିଲେ ଦିବ୍ୟା ମିତ୍ତଲ କାହିଁକି ନେଲେ ଏତେ ବଡ଼ ନିଷ୍ପତ୍ତି

Key Points
IIT-IIM ରୁ IAS ପର୍ଯ୍ୟନ୍ତ ଯାତ୍ରା ଚାକିରି ଛାଡ଼ି ଦିବ୍ୟାଙ୍କ ନୂଆ ଅଧ୍ୟାୟ ।
IAS ପଦରୁ ଇସ୍ତଫା ଦେଲେ ଦିବ୍ୟା ମିତ୍ତଲ X ପୋଷ୍ଟରେ କହିଲେ ମନର କଥା
ସଫଳ କ୍ୟାରିୟର ଛାଡ଼ିଲେ କାହିଁକି ? IAS ଦିବ୍ୟା ମିତ୍ତଲଙ୍କ ଇସ୍ତଫା ଚର୍ଚ୍ଚାରେ
୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ସେ ଉତ୍ତରପ୍ରଦେଶରେ ବିଶେଷ ସଚିବ ଭାବେ କାର୍ଯ୍ୟରତ ଥିଲେ । ଇସ୍ତଫା ପରେ ସୋସିଆଲ ମିଡିଆରେ ସେ ନିଜର ୧୩ ବର୍ଷର ପ୍ରଶାସନିକ ଯାତ୍ରା ଓ ଦେଶସେବାର ଅନୁଭବ ବାଣ୍ଟିଛନ୍ତି ।
ଦିବ୍ୟା ମିତ୍ତଲଙ୍କ ଫେସବୁକ୍ ଓ X ପୋଷ୍ଟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ତାଙ୍କ ଲେଖାରେ ସେବାକାଳୀନ ଅନୁଭବ, ଲୋକଙ୍କ ପ୍ରତି ତାଙ୍କ ଭଲପାଇବା ଏବଂ ପ୍ରଶାସନିକ ପଦଠାରୁ ବଡ଼ ତାଙ୍କ ସ୍ୱପ୍ନର କଥା ଉଲ୍ଲେଖ କରିଛନ୍ତି ।
आज मैंने 13 वर्षों की अविस्मरणीय यात्रा को अपनी इच्छा से विराम देते हुए IAS से त्यागपत्र दे दिया है।
— Divya Mittal (@divyamittal_IAS) August 30, 2026
साधारण परिवेश में पलते हुए मैंने एक अच्छे, सफल जीवन का सपना देखा था। दिन-रात एक कर IIT दिल्ली और IIM बैंगलोर से पढ़ने के बाद, लंदन में नौकरी लग गयी। पर 'सब कुछ' पा लेने पर भी कुछ… pic.twitter.com/4VRXpK8nu8
IIT-IIM ପରେ ଲଣ୍ଡନର ଚାକିରି, ତା’ପରେ IAS
ଦିବ୍ୟା ମିତ୍ତଲଙ୍କ ଶିକ୍ଷାଗତ ଯାତ୍ରା ମଧ୍ୟ ବେଶ ପ୍ରେରଣାଦାୟକ । ସେ IIT ଦିଲ୍ଲୀରୁ B.Tech ଡିଗ୍ରୀ ହାସଲ କରିବା ପରେ IIM ବେଙ୍ଗାଲୁରୁରୁ MBA କରିଥିଲେ । ଏହାପରେ ଲଣ୍ଡନର ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା JP Morganରେ ଟ୍ରେଡର ଭାବେ କାମ କରିଥିଲେ । ଭଲ ଦରମା ଓ ବିଦେଶର ସଫଳ କ୍ୟାରିୟର ସତ୍ତ୍ୱେ ତାଙ୍କ ମନରେ ଏକ ଅଧୂରାପଣ ରହିଥିଲା । ନିଜ ଦେଶଠାରୁ ଦୂରରେ ରହିବା ତାଙ୍କୁ ବାରମ୍ବାର ବିଚଳିତ କରୁଥିଲା । ଶେଷରେ ସେ ଲଣ୍ଡନର ଚାକିରି ଛାଡ଼ି ଭାରତ ଫେରି UPSC ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ୨୦୧୨ ମସିହାରେ ସେ UPSC ପରୀକ୍ଷାରେ ସଫଳ ହୋଇ ଅଲ୍ ଇଣ୍ଡିଆ ରାଙ୍କ ୬୮ ହାସଲ କରି IAS ଅଧିକାରୀ ହୋଇଥିଲେ । ତାଙ୍କ ସ୍ୱାମୀ ଗଗନଦୀପ ସିଂହ ମଧ୍ୟ ଜଣେ IAS ଅଧିକାରୀ ।
ମିର୍ଜାପୁରରେ ୭୫ ବର୍ଷର ପାଣି ସମସ୍ୟାର ସମାଧାନ
IAS ଅଧିକାରୀ ଭାବେ ଦିବ୍ୟା ମିତ୍ତଲ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ କାମ କରିଛନ୍ତି । ସେ ମିର୍ଜାପୁର, ସନ୍ତକବୀରନଗର ଓ ଦେଓରିଆର ଜିଲ୍ଲାପାଳ (DM) ଭାବେ ଦାୟିତ୍ୱ ତୁଲାଇଥିଲେ । ଗୋଣ୍ଡାରେ ସେ CDO ଭାବେ ମଧ୍ୟ କାମ କରିଛନ୍ତି ।
ମିର୍ଜାପୁରର DM ଥିବା ସମୟରେ ହାଲିଆ ବ୍ଲକର ଦୁର୍ଗମ ପାହାଡ଼ିଆ ଗାଁ ଲହୁରିଆଦହର ଲୋକଙ୍କ ପାଇଁ ସେ କରିଥିବା କାମ ବିଶେଷ ଭାବେ ଚର୍ଚ୍ଚିତ ହୋଇଥିଲା । ପ୍ରାୟ ୭୫ ବର୍ଷ ଧରି ପାଣି ପାଇଁ ସଂଘର୍ଷ କରୁଥିବା ଲୋକଙ୍କ ଗାଁରେ ପାଇପ୍ ଯୋଗେ ପାଣି ପହଞ୍ଚାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ।
ଇସ୍ତଫା ପରେ ଭାବପ୍ରବଣ ହେଲେ ଦିବ୍ୟା
ନିଜ ଫେସବୁକ୍ ପୋଷ୍ଟରେ ଦିବ୍ୟା ଲେଖିଛନ୍ତି ଯେ ୧୩ ବର୍ଷର ଅବିସ୍ମରଣୀୟ ଯାତ୍ରାକୁ ସେ ନିଜ ଇଚ୍ଛାରେ ବିରାମ ଦେଇଛନ୍ତି । ସାଧାରଣ ପରିବେଶରେ ବଢ଼ି ସେ ଏକ ସଫଳ ଜୀବନର ସ୍ୱପ୍ନ ଦେଖିଥିଲେ । IIT ଦିଲ୍ଲୀ ଓ IIM ବେଙ୍ଗାଲୁରୁରେ ପଢ଼ିବା ପରେ ଲଣ୍ଡନରେ ଚାକିରି ମିଳିଥିଲା । କିନ୍ତୁ ସବୁକିଛି ହାସଲ କରିବା ପରେ ମଧ୍ୟ ମନରେ କିଛି ଅଧୂରା ରହିଥିବା ଅନୁଭବ କରୁଥିଲେ । ଦେଶକୁ ଫେରିବା ନିଷ୍ପତ୍ତି ତାଙ୍କୁ ମାନସିକ ଶାନ୍ତି ଦେଇଥିଲା । IAS ହେବା ପରେ ଲୋକଙ୍କ ପାଇଁ କାମ କରିବାର ସୁଯୋଗକୁ ସେ ନିଜ ଜୀବନର ସବୁଠାରୁ ବଡ଼ ସଫଳତା ଭାବେ ଦେଖିଛନ୍ତି ।
ଦିବ୍ୟାଙ୍କ ଅନୁସାରେ, ଦେଓରିଆ ତାଙ୍କୁ ଶିଖାଇଥିଲା ଯେ ସଠିକ୍ କଥା ସହିତ ଠିଆ ହେବା କୌଣସି ବିକଳ୍ପ ନୁହେଁ, ବରଂ କର୍ତ୍ତବ୍ୟ । ମିର୍ଜାପୁର ତାଙ୍କୁ ଶିଖାଇଥିଲା ଯେ ‘ଅସମ୍ଭବ’ କୌଣସି ତଥ୍ୟ ନୁହେଁ, ଏହା କେବଳ ଏକ ମତ । ସେ ଆହୁରି ଲେଖିଛନ୍ତି ଯେ ସରକାରୀ ଫାଇଲ୍ ପଛରେ ସବୁବେଳେ ଜଣେ ମଣିଷ ଥାଆନ୍ତି । ତାଙ୍କ ମର୍ଯ୍ୟାଦାକୁ ସୁରକ୍ଷିତ ରଖିବା ହିଁ ପ୍ରକୃତ ନ୍ୟାୟ ।
‘ମୁଁ ଦେବାକୁ ଆସିଥିଲି ବୋଲି ଭାବିବା ମୋର ଭୁଲ ଥିଲା’
ଦିବ୍ୟା ମିତ୍ତଲଙ୍କ ପୋଷ୍ଟର ସବୁଠାରୁ ଭାବପ୍ରବଣ ଅଂଶ ହେଉଛି - ସେ ଲୋକଙ୍କୁ ଦେବାକୁ ଆସିଥିଲେ ବୋଲି ଭାବିବା ତାଙ୍କର ଭୁଲ ଥିଲା । ବାସ୍ତବରେ ଲୋକଙ୍କଠାରୁ ସେ ନିଜେ ଅଧିକ କିଛି ପାଇଛନ୍ତି ବୋଲି କହିଛନ୍ତି ।
ଲୋକଙ୍କ ଭଲପାଇବା, ସମ୍ମାନ ଓ ବିଶ୍ୱାସ ତାଙ୍କୁ କଠିନ ସମୟରେ ମଧ୍ୟ ଆଗକୁ ବଢ଼ିବାର ଶକ୍ତି ଦେଇଥିଲା । ତାଙ୍କ କହିବା ଅନୁସାରେ, ଲୋକଙ୍କ ଖୁସିରେ ସେ ଯେଉଁ ଆନନ୍ଦ ଦେଖିଛନ୍ତି, ତାହା ତାଙ୍କ ଜୀବନର ଅମୂଲ୍ୟ ସମ୍ପଦ । ଇସ୍ତଫା ଦେବା ସମୟରେ ସେ ଲହୁରିଆଦହର ସେହି ବୃଦ୍ଧ ମହିଳାଙ୍କୁ ମଧ୍ୟ ମନେ ପକାଇଛନ୍ତି, ଯିଏ ନିଜ ଗାଁରେ ପ୍ରଥମଥର ପାଣି ପହଞ୍ଚିବା ଦେଖି ଦିବ୍ୟାଙ୍କ ମୁଣ୍ଡରେ ହାତ ରଖି ଆଶୀର୍ବାଦ କରିଥିଲେ ।
ଦିବ୍ୟା ଲେଖିଛନ୍ତି ଯେ ପଦ ଆଜି ଛାଡ଼ିଛନ୍ତି, କିନ୍ତୁ ସେହି ସ୍ପର୍ଶ ଜୀବନସାରା ତାଙ୍କ ସହ ରହିବ । ଦେଶର ମାଟି ତାଙ୍କୁ ଯେଉଁ ସ୍ୱପ୍ନ ଦେଇଥିଲା, ସେହି ସ୍ୱପ୍ନ ମଧ୍ୟ କେବେ ଛାଡ଼ିବେ ନାହିଁ ବୋଲି ତାଙ୍କ ଲେଖାରୁ ସ୍ପଷ୍ଟ ହୋଇଛି । ଦିବ୍ୟା ମିତ୍ତଲଙ୍କ ଏହି ବିଦାୟ ବାର୍ତ୍ତା ଏବେ ଅନେକଙ୍କ ପାଇଁ କେବଳ ଜଣେ IAS ଅଧିକାରୀଙ୍କ ଇସ୍ତଫା ନୁହେଁ, ବରଂ ଦେଶସେବା, ଲୋକଙ୍କ ବିଶ୍ୱାସ ଓ ମାନବିକତାର ଏକ ଭାବପ୍ରବଣ କାହାଣୀ ହୋଇଛି ।
📱 Get Argus News App
✨Related Topics
Explore more stories