ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନର ଅଣ୍ଟା ଭାଙ୍ଗିବାକୁ ହୋଇପାରେ ବଡ଼ ରଣନୀତି

ଶନିବାର ଅପରାହ୍ନରେ ଭାରତ- ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ଆଜି ରବିବାର ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ପ୍ରଧାନମନ୍ତ୍ରୀଙ୍କ ଆବାସରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ୩ ସେନାର ମୁଖ୍ୟ ସାମିଲ ହୋଇଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ସିଡିଏସ୍ ମଧ୍ୟ ଉପସ୍ଥିତ ରହିଛନ୍ତି। ଗତକାଲି ଅସ୍ତ୍ରବିରତି ନିଷ୍ପତ୍ତି ପରେ ପାକିସ୍ତାନ ଏହାର ଉଲ୍ଲଂଘନ କରିଛି, ଏହାକୁ ନେଇ ପ୍ରଧାନମନ୍ତ୍ରୀ ସ୍ଥିତି ସମୀକ୍ଷା କରିଛନ୍ତି।
ସୂଚନାଯୋଗ୍ୟ ଆମେରିକାର ମଧ୍ୟସ୍ଥତାରେ ଶନିବାର ଅସ୍ତ୍ରବିରତିରେ ସହମତ ହୋଇଥିଲେ ଭାରତ- ପାକିସ୍ତାନ। ଉଭୟ ଦେଶର ବରିଷ୍ଠ ଅଧିକାରୀ ଏନେଇ ଘୋଷଣା କରିଥିଲେ। ହେଲେ ରାତିରେ ପୁଣି ପାକିସ୍ତାନ ଫୁଟାଇଥିଲା ଗୁଳି। ଡ୍ରୋନ ଏବଂ ଶେଲିଂ ମାଧ୍ୟମରେ ଭାରତ ଉପରେ ଆକ୍ରମଣ କରିଥିଲା। ଯାହାର ଉଚିତ୍ ଜବାବ ଦେଇଥିଲେ ଭାରତୀୟ ସେନା।
📱 Get Argus News App
✨ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA) ଏହାକୁ ଦୃଢ଼ ଭାବେ ନିନ୍ଦା କରିଛି ଏବଂ ଭାରତୀୟ ସେନାକୁ ଏହି ଆକ୍ରମଣର ଦୃଢ଼ ଏବଂ ଉପଯୁକ୍ତ ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଘଟଣାକୁ ନେଇ ବିଳମ୍ବିତ ରାତିରେ, ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିଶ୍ର ଏକ ସ୍ୱତନ୍ତ୍ର ପ୍ରେସ୍ ବ୍ରିଫିଂ କରିଥିଲେ। ସେ କହିଥିଲେ "ଗତ କିଛି ଦିନ ଧରି ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ଉଭୟ ଦେଶ ମଧ୍ୟରେ ରାଜିନାମା ହୋଇଛି। ହେଲେ ମାତ୍ର କିଛି ଘଣ୍ଟା ମଧ୍ୟରେ ପାକିସ୍ତାନ ଏହାର ଉଲ୍ଲଂଘନ କରୁଛି। ଯାହାର କଡ଼ା ମୁକାବିଲା କରୁଛି ଭାରତ। ଏହି ଆକ୍ରମଣ ଅତି ନିନ୍ଦନୀୟ, ଏଥିପାଇଁ ପାକିସ୍ତାନ ଦାୟୀ। ପାକିସ୍ତାନ ଏହାର ଗୁରୁତ୍ବ ବୁଝି ଆକ୍ରମଣ ବନ୍ଦ କରିବା ଉଚିତ୍ ବୋଲି ସେ କହିଥିଲେ।
ଆଜି ପ୍ରଧାନମନ୍ତ୍ରୀ ସେନା ମୁଖ୍ୟଙ୍କ ସହିତ କରୁଥିବା ଏହି ଗୁରୁତ୍ବପୂର୍ଣ୍ଣ ରହିଛି। ଆଗକୁ ସେନାର ଆଭିମୁଖ୍ୟ କ'ଣ ରହିବ ସେନେଇ କିଛି ପରାମର୍ଶ ଦେଇପାରନ୍ତି ପ୍ରଧାନମନ୍ତ୍ରୀ। କିମ୍ବା ଆନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ପାନେ ଦେବାକୁ ନୂଆ ରଣନୀତି ଆପଣାଇପାରେ ଭାରତ।