Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କମୁଛନ୍ତି ଝିଅ, ବାହା ହେଇପାରିବେନି ପୁଅ !

National

କମୁଛନ୍ତି ଝିଅ, ବାହା ହେଇପାରିବେନି ପୁଅ !

Jyoti Prakash Mallick
Browse all articles by Jyoti Prakash Mallick
·1 year ago·5 min read
କମୁଛନ୍ତି ଝିଅ, ବାହା ହେଇପାରିବେନି ପୁଅ !

Key Points

ଆମେ କ'ଣ ସଚେତନ ନୁହଁ ?

ଏବେବି କ'ଣ ଆମର ରୁଗ୍‌ଣ ମାନସିକତା ବଦଳିନି ?

ପୁଅ ଝିଅ ପାର୍ଥକ୍ୟରେ ପୂର୍ଣ୍ଣଚ୍ଛେଦ ପଡିନି ?

ସମୟର ସବୁଜିମାରେ ଶାନ୍ତିର କପୋତଟେ ପରି ସେ ସହିଯାଏ ସବୁକିଛି। ସମ୍ପର୍କରେ ସହଭାଗୀ ହୋଇ ବାନ୍ଧୁଥାଏ ସ୍ନେହର ଡୋରି। ସେଥିପାଇଁ ସେ ହେଉଛି ନାରୀ। ତା ନିଜ ପାଇଁ ତା ପାଖେ କେବେ ସମୟ ନଥାଏ। ଘଣ୍ଟାର କଣ୍ଟା ଭଳି ପ୍ରତି ମୂହୁର୍ତ୍ତରେ ମନର ମମତାକୁ ବାଣ୍ଟୁଥାଏ। କେବେ ଜନନୀ, କେବେ ଜାୟା କେବେ ଭଗିନୀ ପୁଣି କେବେ କନ୍ୟାଟିଏ ହୋଇ। ଗର୍ଭକଷ୍ଟ ଭଳି ଯମ ଯନ୍ତ୍ରଣାକୁ ସରାଗରେ ସହିଯାଏ କୂଳ ପ୍ରତିମାର କର୍ତ୍ତବ୍ୟ ନିଭାଇ।


ହେଲେ ଏତେ ସବୁ ପରେ କିଛି ଲୋକ ନାରୀଙ୍କୁ ବୋଝ ବୋଲି ଭାବନ୍ତି। ଝିଅ ଜନମ ପର ଘରକୁ ଭଳି ଏକ ସୁନ୍ଦର ସାମାଜିକ ବାର୍ତ୍ତାର ଭାବକୁ ଭୁଲ୍‌ ବୁଝି ଦୁନିଆ ଦେଖିବା ଆଗରୁ ଦୂରେଇ ଦିଅନ୍ତି । ଭାବନ୍ତି ଝିଅଟିଏ ଜନ୍ମ ନେଲେ ତା ପାଠପଢା, ପ୍ରତିପୋଷଣ, ବିବାହ, ସଜ ଓ ଭାରରେ ଅର୍ଥ ଶ୍ରାଦ୍ଧ। ତାସହ ଝିଅଟିଏ କୁ ସାମାଜିକ ସୁରକ୍ଷା ଦେଇ ବଡ କରିବା ବି ଏକ ବଡ ଜଞ୍ଜାଳ। ଆଉ ଏସବୁ ଜଞ୍ଜାଳରୁ ମୁକୁଳିବା ପାଇଁ ମା ପେଟରେ ଭବିଷ୍ୟତର ମା'ଟିଏ କୁ ମାରି ଦେଇ ମନେମନେ ଖୁସି ହୁଅନ୍ତି ଜହ୍ଲାଦ ରୂପୀ ଅଯୋଗ୍ୟ ବାପା ମା'।


ସେମାନେ ଭାବନ୍ତିନି ତାଙ୍କର ଏ ପାପର ପଲ୍ଲା ପୃଥିବି ପାଇଁ ଦିନେ ବିପତ୍ତି ହବ। ବାହା ହେବାକୁ କନ୍ୟା ମିଳିବନି, କି ମା ହବାକୁ ସ୍ତ୍ରୀ।


ଏ ପ୍ରସଙ୍ଗର ଆଜି ପ୍ରାସଙ୍ଗିକତା ଏଇଥି ପାଇଁ ଯେ ଆମ ରାଜ୍ୟରେ ଏବେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମିକମି ଯାଉଛି।


ଯାହାକୁ ଦୃଷ୍ଟିରେ ରଖି କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ଝିଅ ଜନ୍ମ ହେଲେ ୧୨ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ‘ମମତା’ ଯୋଜନା ସହିତ ପ୍ରଧାନମନ୍ତ୍ରୀ ‘ମାତୃ ବନ୍ଦନା’ ଯୋଜନା ମିଳିତ ଭାବେ କାର୍ଯ୍ୟକାରୀ ହେବ । ପୁଅ ଜନ୍ମ ହେଲେ ୧୦ହଜାର ଓ ଝିଅ ଜନ୍ମ ହେଲେ ୧୨ହଜାର ଟଙ୍କା ମାତୃକାଳୀନ ସହାୟତା ଦିଆଯିବ। ଏଥିପାଇଁ ଆସନ୍ତା ଆର୍ଥିକ ବର୍ଷରେ ପ୍ରାୟ ୫୧୧ କୋଟି ଟଙ୍କା ଖର୍ଚ୍ଚ ହେବ । ଯାହା ଦ୍ବାରା ଉପକୃତ ହେବେ ପ୍ରାୟ ୪ ଲକ୍ଷ ୫୦ ହଜାର ଗର୍ଭବତୀ ଓ ପ୍ରସୂତି ମହିଳା।


ତେବେ ଏଠି ପ୍ରଶ୍ନ ହେଉଛି ସ୍ବାଧୀନତାର ୭୭ ବର୍ଷ ପରେ ଏବେ ପୁଣି କାହିଁକି ଏ ଆବଶ୍ୟକତା ?

ଆମେ କ'ଣ ସଚେତନ ନୁହଁ ?

ଏବେବି କ'ଣ ଆମର ରୁଗ୍‌ଣ ମାନସିକତା ବଦଳିନି ?

ପୁଅ ଝିଅ ପାର୍ଥକ୍ୟରେ ପୂର୍ଣ୍ଣଚ୍ଛେଦ ପଡିନି ?


ସତ ହେଉଛି ଛବି ବଦଳିଛି। ପ୍ରଗତିର ପ୍ରତିଯୋଗିତାରେ ଆମେ ସମସ୍ତେ ସାମିଲ ହୋଇଛେ। ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପରେ ଆସିଛି ବୈପ୍ଳବିକ ପରିବର୍ତ୍ତନ। ହେଲେ କୋଉଠି ନା କୋଉଠି ଆମ ସଂକିର୍ଣ୍ଣ ମାନସିକତା ଆମକୁ ପଛକୁ ଟାଣୁଛି। ପୁଅ ଝିଅ ଭେଦଭାବ ଭିତରେ ପୁଅଙ୍କ ତୁଳନାରେ ଝିଅ ସଂଖ୍ୟା କମିଯାଉଛି।


ଜନଗଣନା ୨୦୧୧ ଅନୁସାରେ ପ୍ରତି ୧୦୦୦ ପୁରୁଷରେ ୯୪୩ ଜଣ ମହିଳା ରହିଥିଲେ। ଏନ.ଏଫ.ଏଚ. ଏସ- ୫ ସର୍ଭେ କହୁଛି ୨୦୨୫ ମସିହା ସୁଦ୍ଧା ଭାରତର ଜନସଂଖ୍ୟା ପ୍ରାୟ ୧୪୪ କୋଟି। ମୋଟ ଜନସଂଖ୍ୟାର ୫୧.୫୬% ପୁରୁଷ ହୋଇଥିବା ବେଳେ ମହିଳାଙ୍କ ସଂଖ୍ୟା ୪୮.୪୪% ରହିଛି। ଏଥିରେ ପ୍ରତି ୧୦୦ ଜଣ ମହିଳାଙ୍କ ଅନୁପାତରେ ପୁରୁଷଙ୍କ ସଂଖ୍ୟା ୧୦୬ ଜଣ ରହିଛି। ଅର୍ଥାତ ପୁରୁଷଙ୍କ ତୁଳନାରେ ୬ ଜଣ ମହିଳା କମ୍ ଅଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ଷ୍ଟାଟିକିସଷ୍ଟିକସ ଏମଓଏସପିଆଇ ବା Ministry of Statistics and Program Implementation ଆକଳନ କୁହେ ୨୦୧୧ରେ ଲିଙ୍ଗ ଅନୁପାତରେ ମହିଳାଙ୍କ ସଂଖ୍ୟା ୯୪୩ ରହିଥିଲା। ହେଲେ ଏବେ ପୁଅଝିଅ ଭେଦଭାବକୁ ନେଇ ଲୋକେ ସଚେତନ ହେଉଥିବାରୁ ୨୦୩୬ ସୁଦ୍ଧା ଏଥିରେ ଉନ୍ନତି ଆସିପାରେ। ପୁଅ ଝିଅ ସଂଖ୍ୟା ଭିତରେ ଥିବା ବ୍ୟବଧାନ କମିପାରେ।


ଏତ ଗଲା ଦେଶର କଥା। ଆମ ରାଜ୍ୟ କଥା ଯଦି ଦେଖିବା ଆମ ରାଜ୍ୟରେ ବି ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ବହୁତ କମ୍ । ନ୍ୟାଶନାଲ ଫ୍ୟାମିଲ ହେଲ୍‌ଥ ସର୍ଭେ କହେ ଓଡ଼ିଶାରେ ୨୦୧୫-୧୬ରେ ପ୍ରତି ହଜାରେ ପୁଅଙ୍କ ତୁଳନାରେ ଝିଅ ସଂଖ୍ୟା ଥିଲା ୯୩୨। କିନ୍ତୁ ୨୦୨୦-୨୧ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ ଝିଅଙ୍କ ସଂଖ୍ୟା ୮୯୪କୁ ଖସି ଆସିଛି। ଆଶ୍ଚର୍ଯ୍ୟର କଥା ୧୯୬୧ ଜନଗଣନାରେ ପ୍ରତି ୧୦୦୦ ପୁଅଙ୍କ ତୁଳନାରେ ଝିଅ ସଂଖ୍ୟା ଥିଲା ୧୦୩୫। ୧୯୭୧ରେ ଥିଲା ୧୦୨୦। ପ୍ରଥମ ଥର ପାଇଁ ୧୯୮୧ ଜନଗଣନାରେ ଝିଅ ସଂଖ୍ୟା ପୁଅ ସଂଖ୍ୟା ତୁଳନାରେ ହ୍ରାସ ପାଇ ହେଲା ୯୯୫। ସେହିବର୍ଷଠାରୁ ଝିଅ ସଂଖ୍ୟା କ୍ରମାଗତ ହ୍ରାସ ପାଇ ଚାଲିଛି। ପୁଅଙ୍କ ତୁଳନାରେ ଝିଅ ସଂଖ୍ୟା ହ୍ରାସ ପାଇବାରେ ଓଡ଼ିଶାର ସ୍ଥାନ ସର୍ବଭାରତୀୟ ସ୍ତରରେ ଛ’ନମ୍ବର। କେରଳ, ଛତିଶଗଡ଼, ହିମାଚଳ ପ୍ରଦେଶ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଓଡ଼ିଶା ଉପରକୁ ଅଛନ୍ତି।



ସିଭିଲ ରେଜିଷ୍ଟ୍ରସନ୍ ସିଷ୍ଟମ ରିପୋର୍ଟ ୨୦୨୩ କହୁଛି, ଆମ ରାଜ୍ୟରେ ପ୍ରତି ହଜାର ପୁଅଙ୍କ ତୁଳନାରେ ୯୧୩ଜଣ ଝିଅ ରହିଛନ୍ତି। ଏହାର ଅର୍ଥ ପୁଅଙ୍କ ତୁଳନାରେ ୮୭ ଜଣ ଝିଅ କମ୍ ଅଛନ୍ତି। ପ୍ରତି ହଜାର ପୁଅରେ ନୟାଗଡରେ ୭୫୮ଜଣ ଝିଅ, ଜଗତସିଂହପୁରରେ ୮୬୨ ଝିଅ, ଅନୁଗୁଳରେ ୮୭୧, ଢେଙ୍କାନାଳରେ ୮୭୭, ଭଦ୍ରକରେ ୮୮୩, ଖୋର୍ଦ୍ଧା ୮୮୬, କେନ୍ଦ୍ରାପଡାରେ ୮୮୮, ସୁବର୍ଣ୍ଣପୁରରେ ୮୯୧, କଟକ ୮୯୨, ପୁରୀ ୮୯୮, ବାଲେଶ୍ବରରେ ୯୦୨, ଯାଜପୁରରେ ୯୧୧, ଝାରସୁଗଡାରେ ୯୧୧ ଜଣ ଝିଅ ରହିଛନ୍ତି। ପୁଅଙ୍କ ଅନୁପାତରେ ସବୁଠୁ କମ୍ ଝିଅ ରହିଛନ୍ତି ନୟାଗଡରେ। ଉପକୂଳ ଓଡ଼ିଶା ଜଗତସିଂହପୁର, କଟକ, ଭଦ୍ରକ ଆଦି ଜିଲାଗୁଡିକରେ ମଧ୍ୟ ସ୍ଥିତି ସଂଗୀନ।


ପିଉ ରିସର୍ଚ୍ଚ ସେଣ୍ଟର ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡେ ଭାରତରେ ୨୦୦୦ ରୁ ୨୦୧୯ ମଧ୍ୟରେ ୯୦ ଲକ୍ଷ ଭୃଣ ହତ୍ୟା କରାଯାଇଛି। ଯେଉଁଥିରେ ଅଧିକାଂଶ କନ୍ୟା ଭୃଣ ହତ୍ୟା। କାରଣ ଆମକୁ ପୁଅ ଦରକାର


ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ହରିୟାଣାରେ ଝିଅଙ୍କ ଅଭାବ ଏତେ ଅଧିକ ଯେ ସେଠାକାର ପୁଅ ମାନେ ବାହା ହେବାକୁ ଅନ୍ୟ ରାଜ୍ୟ, ଏମିତିକି ନେପାଳରୁ ଝିଅ କିଣିକି ଆଣୁଛନ୍ତି। ଅର୍ଥାତ କନ୍ୟା ପକ୍ଷକୁ ଯୌତୁକ ଆକାରରେ ମୋଟା ଅଙ୍କ ଦେଉଛନ୍ତି ବରପକ୍ଷ। ଯେଉଁଥି ପାଇଁ ହରିୟାଣା ସରକାର ରାଜ୍ୟରେ ଦ୍ବିତୀୟ ଓ ତୃତୀୟ ଥର ପାଇଁ ଝିଅ ଜନ୍ମ ଦେଲେ ଆକର୍ଷଣୀୟ ପୁରସ୍କାର ଦେଉଛନ୍ତି, ଜନ୍ମ ହୋଇଥିବା ଝିଅ ନାଁରେ ବୀମା କରୁଛନ୍ତି।


ଆମ ଦେଶରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା କମ୍ ଥିବାରୁ କନ୍ୟା ଜନ୍ମ ପାଇଁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ବିଶ୍ବରେ ଏମିତି କିଛି ଦେଶ ଅଛନ୍ତି ଯେଉଁଠାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଅଧିକ ରହିଛି।


ଗ୍ୱାଡେଲୋପରେ ପୁରୁଷଙ୍କ ତୁଳନାରେ ୫୨% ମହିଳା, ହଙ୍ଗକଙ୍ଗରେ ୫୩%, ଏସ୍ଟୋନିଆ ୫୩%, ବେଲାରୁଷ ୫୩%, ଋଷରେ ୫୩% ରୁ ଅଧିକ, ୟୁକ୍ରେନରେ ୫୪%, ଲିଥୁନିଆ ୫୪%, ମାର୍ଟିନିକରେ ୫୩% ରହିଛି। ଏହି ଦେଶ ଗୁଡିକରେ ପୁରୁଷଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଢେର ଅଧିକ ରହିଛି। ବିଶ୍ୱସ୍ତରରେ ମହିଳା-ପୁରୁଷ ଅନୁପାତରେ ୨୩୬ଟି ଦେଶ ମଧ୍ୟରୁ ଭାରତ ୨୧୪ତମ ସ୍ଥାନରେ ରହିଛି ।


କନ୍ୟା ଭ୍ରୁଣ ହତ୍ୟାକୁ ରୋକିବା ପାଇଁ ଭାରତ ସରକାର ୧୯୯୪ ମସିହାର ପ୍ରାକ୍-ପ୍ରସବ ନିଦାନ କୌଶଳ ବା ଲିଙ୍ଗ ନିରୂପଣ ନିଷେଦ୍ଧ, (ପିଏନଡିଟି) ଆଇନ ପ୍ରଣୟନ କରିଥିଲେ। ୨୦୦୩ ରେ ଏଥିରେ ସଂଶୋଧନ କରାଯାଇଥିଲା। ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଉପରେ ପ୍ରତିବନ୍ଧକ ଲାଗିଛି। ଏହି ଆଇନରେ ଅଣପଞ୍ଜୀକୃତ ବ୍ୟକ୍ତି, ପରୀକ୍ଷାଗାର ଏବଂ କ୍ଲିନିକକୁ "କୌଣସି ଅଲଟ୍ରାସାଉଣ୍ଡ ମେସିନ କିମ୍ବା ଭୃଣ ଚିହ୍ନଟ ଉପକରଣ କିଣା ଉପରେ ରହିତାଦେଶ ଲାଗୁହୋଇଛି। ଏହାର ଅପ ବ୍ୟବହାରକୁ ରୋକିବା ପାଇଁ ସ୍ବତନ୍ତ୍ର ଗାଇଡ୍‌ ଲାଇନ୍‌ ବି ଅଛି। ଏମିତିକି ଲିଙ୍ଗ ନିରୂପଣ ସଂପର୍କରେ ସୂଚନା ଦେଲେ ସରକାର ୨୫ହଜାର ଟଙ୍କା ପୁରସ୍କାର ଦେଉଛନ୍ତି। ହେଲେ ସବୁଠୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଜଣେ କିମ୍ବା ଦୁଇ ଜଣ ଏହି ସୂଚନା ଦେଇ ପୁରସ୍କାର ପାଇଛନ୍ତି।


ଏଠି କେବଳ ଗୋଟିଏ କଥା କୁହାଯାଇପାରେ ଆମ ମାନଙ୍କ ମାନସିକତା ନ ବଦଳିବା ଯାଏ ଏଥିରେ ପରିବର୍ତ୍ତନ କେବଳ ଧର୍ମକୁ ଆଖି ଠାର। ଆମର ସୁରକ୍ଷା, ଆବଶ୍ୟକତା ପାଇଁ ସରକାର ଜନହିତ ଯୋଜନା ଆଣିବେ ସତ ହେଲେ ଏହାକୁ ସଫଳ କରିବା ଆମ ଦାୟିତ୍ବ। ଝିଅ ଜନ୍ମକୁ ସୌଭାଗ୍ୟ ଭାବନ୍ତୁ। ଲକ୍ଷ୍ମୀଙ୍କ ଆଗମନ ଭାବେ ବିଚାର କରନ୍ତୁ। ଝିଅକୁ ସମୃଦ୍ଧିର ସୂତ୍ରଧର ବୋଲି ଗ୍ରହଣ କରନ୍ତୁ।



Sponsored
In Odisha, the number of girls is decreasing compared to boys. | Argus News