Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 2024 ମସିହା ଜାନୁଆରୀ 22 ତାରିଖ, ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲେଖି ହୋଇଗଲା ଏହି ଦିନ

National

2024 ମସିହା ଜାନୁଆରୀ 22 ତାରିଖ, ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲେଖି ହୋଇଗଲା ଏହି ଦିନ

Banajyotshna Ray
Browse all articles by Banajyotshna Ray
·2 years ago·2 min read
2024 ମସିହା ଜାନୁଆରୀ 22 ତାରିଖ, ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲେଖି ହୋଇଗଲା ଏହି ଦିନ

ଅର୍ଗସ ବ୍ୟୁରୋ:  ଶଙ୍ଖ ନାଦ। ମଙ୍ଗଳ ବାଦ୍ୟ । ବେଦପାଠ, ମନ୍ତ୍ରୋଚ୍ଚାରଣ। ରୋମାଞ୍ଚିତ କରୁଥିବା ଏ ପରିବେଶ। ଆସିଲା ସେହି ଦିବ୍ୟ ମୁହୂର୍ତ୍ତ, ଯାହାକୁ ଥିଲା ଶହ ଶହ ବର୍ଷର ପ୍ରତୀକ୍ଷା। ଅବଧପୁରୀରେ ହେଲା ଶ୍ରୀରାମଲାଲାଙ୍କ ପ୍ରାଣପ୍ରତିଷ୍ଠା। ବିଶ୍ବ ଦେଖିଲା ରାମଲାଲାଙ୍କର ସେହି ଭବ୍ୟ ସ୍ବରୂପ। ଗର୍ଭଗୃହରେ ବିରାଜମାନ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ବାଲ୍ୟ ରୂପ। 5 ବର୍ଷର ବାଳକ, କମନୀୟ ମୁଖମଣ୍ଡଳ, ସ୍ମିତହାସ୍ୟ। ମସ୍ତକରେ ସ୍ବର୍ଣ୍ଣ ମୁକୁଟ। କର୍ଣ୍ଣରେ କୁଣ୍ଡଳ ସୁଶୋଭିତ, ପୀତ ବସ୍ତ୍ର, ସ୍ବର୍ଣ୍ଣିମ ଆଭୂଷଣ, ପୁଷ୍ପମାଲ୍ୟରେ ସଜ୍ଜିତ ଶରୀର, ଗଳାରେ ହୀରା ମୋତିର ହାର, ଆଉ ହସ୍ତରେ ସ୍ବର୍ଣ୍ଣ ଧନୁଷ।

ସରଯୁ ନଦୀ କୂଳରେ ଲେଖାହେଲା ନୂଆ ଇତିହାସ। ଇଏ ସେହି ଦିନର ଦୃଶ୍ୟ ଯାହା ପାଇଁ ଅଗଣିତ ସନାତନୀ ପିଢ଼ି ପରେ ପିଢ଼ି ଶତାବ୍ଦୀ ପରେ ଶତାବ୍ଦୀ ଧରି କରିଆସିଛନ୍ତି ସଂଘର୍ଷ। ଆଉ ସେହି ସଂଘର୍ଷ, ବଳିଦାନର ପରିଣାମ ଅଯୋଧ୍ୟାରେ ଦଣ୍ଡାୟମାନ ଏ ଭବ୍ୟ ମନ୍ଦିର। ଆଉ ମନ୍ଦିର ଗର୍ଭଗୃହରେ ଆରାଧ୍ୟ ଶ୍ରୀରାମଙ୍କର ପ୍ରାଣପ୍ରତିଷ୍ଠା। ଏ କେବଳ ଏକ ମନ୍ଦିରରେ ଏକ ମୂର୍ତ୍ତିର ପ୍ରତିଷ୍ଠା ନୁହେଁ, ଏ ଦେଶର ଅସ୍ମିତା, ଏ ଦେଶର ସ୍ବାଭିମାନ ଓ ଏ ଦେଶର ଆତ୍ମବିଶ୍ବାସର ପ୍ରତିଷ୍ଠା। ଏଥିପାଇଁ ତ 500 ବର୍ଷର ପ୍ରତୀକ୍ଷା ପରେ ଆସିଥିବା ଏ ମୁହୂର୍ତ୍ତର ସାକ୍ଷୀ ପାଲଟିବାକୁ ଅଯୋଧ୍ୟାରେ ପହଞ୍ଚିଥିଲେ ସାଧୁ, ସନ୍ଥ, ଧର୍ମାତ୍ମା, ବିଶିଷ୍ଟ ବ୍ୟକ୍ତିବିଶେଷ, ତାରକା ଓ ରାଜନେତା।

ଦିବ୍ୟ କାର୍ଯ୍ୟକ୍ରମ, ଭବ୍ୟ ଆୟୋଜନ। ଅପେକ୍ଷା ଥିଲା ଯଜମାନଙ୍କୁ ଯିଏ 11 ଦିନ ଧରି କରିଥିଲେ ବ୍ରତ ଅନୁଷ୍ଠାନ। ମଧ୍ୟାହ୍ନ 12ଟା ସମୟରେ ରାମମନ୍ଦିର ପରିସରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ହାତରେ ଚାନ୍ଦିର ଛତ୍ରି ଧରି ମୁଖ୍ୟ ମନ୍ଦିରରେ ପ୍ରବେଶ କଲେ। ପୂଜକଙ୍କୁ ଛତ୍ର ହସ୍ତାନ୍ତର କଲେ। ମଧ୍ୟାହ୍ନ 12ଟା 20 ମିନିଟରେ ଆରମ୍ଭ ହେଲା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାର ବିଧି । ଗର୍ଭଗୃହରେ ପ୍ରଥମେ ସଂକଳ୍ପର ବିଧି। ତା ପରେ ଆସିଲା ସେହି ଦିବ୍ୟ ମୁହୂର୍ତ୍ତ। 12ଟା 29 ମିନିଟ 8 ସେକେଣ୍ଡରୁ 12ଟା 30 ମିନିଟ 32 ସେକେଣ୍ଡ, 84 ସେକେଣ୍ଡର ସମୟ। ପୌଷ ମାସ ଦ୍ବାଦଶୀ ତିଥିର ଅଭିଜିତ ମୁହୂର୍ତ୍ତ, ଇନ୍ଦ୍ର ଯୋଗ, ମୃଗଶିରା ନକ୍ଷତ୍ର, ମେଷ ଲଗ୍ନ ଏବଂ ନବାଂଶରେ ସମ୍ପନ୍ନ ହେଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ବିଧି । ଶ୍ରୀରାମଙ୍କ ଚରଣରେ ପୁଷ୍ପ, ନୈବୈଦ୍ୟ ଅର୍ପଣ କଲେ ଯଜମାନ। ଏହି ସମୟରେ ଆକାଶ ମାର୍ଗରୁ ରାମନ୍ଦିର ଉପରେ ପୁଷ୍ପ ବର୍ଷା କଲେ ବାୟୁସେନାର ବାୟୁବୀର। ରାମଲାଲାଙ୍କ ଚରଣରେ ପ୍ରଧାନମନ୍ତ୍ରୀ ଅର୍ପଣ କଲେ ଚାନ୍ଦିର ଛତ୍ର। ତା ପରେ ଭବବାନଙ୍କ ଦିବ୍ୟ ଆରତୀ। ଗର୍ଭଗୃହରେ ମୁଖ୍ୟପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆରଏସଏସ ପ୍ରମୁଖ ମୋହନ ଭାଗବତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ବି ଭାଗ ନେଲେ। କର୍ଣ୍ଣାଟକର ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କ ଦ୍ବାରା କଳା ରଙ୍ଗର ଶାଳଗ୍ରାମ ଶିଳାରେ ନିର୍ମିତ ଏ ଭବ୍ୟ ମୂର୍ତ୍ତିର ଦର୍ଶନରେ କୃତ୍ୟ କୃତ୍ୟ ହେଉଥିଲେ ବିଶ୍ବବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଧର୍ମାତ୍ମା, ପୂଜକଙ୍କୁ ବସ୍ତ୍ର ଅର୍ପଣ କରି ରାମଲାଲାଙ୍କ ଚତୁପାର୍ଶ୍ବରେ ପ୍ରଧାନମନ୍ତ୍ରୀ କଲେ ପ୍ରଦକ୍ଷିଣ । ଆଉ ତା ପରେ ଶ୍ରୀରାମଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ। ଗର୍ଭଗୃହରେ ଉପସ୍ଥିତ ସାଧୁସନ୍ଥଙ୍କ ଆଶୀର୍ବାଦ ନେଇ ବାହାରକୁ ବାହାରିଲେ ନରେନ୍ଦ୍ର ମୋଦି। ସମବେତ ଶ୍ରଦ୍ଧାଳୁ, ଅତିଥି ଅଭ୍ୟାଗତଙ୍କୁ ଜଣାଇଲେ ଅଭିବାଦନ।

ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
Inauguration of Ayodhya Ram Mandir | Argus News