ବଦଳିବ GST-UPI-କ୍ରେଡିଟ୍ କାର୍ଡ, ଏମିତି କେତେ ନିୟମ ! ଜାଣନ୍ତୁ...

ଏପ୍ରିଲ ପହିଲାରୁ ବଦଳିଯିବ ବହୁ ନିୟମ । ଆୟକରଠାରୁ ଆରମ୍ଭ କରି ୟୁପିଆଇ, କ୍ରେଡିଟକାର୍ଡ । ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ଉପରେ ଦେବାକୁ ପଡିବ ନାହିଁ ଆୟକର । ବ୍ୟାଙ୍କ ଖାତାରେ ସର୍ବନିମ୍ନ ଜମାରାଶି ପାଇଁ ରହିଥିବା ନିୟମ ବଦଳିବ । ନିଷ୍କ୍ରିୟ ମୋବାଇଲ ଫୋନ ନମ୍ବରରୁ କରାଯାଇପାରିବନି ୟୁପିଆଇ ।
ଏପ୍ରିଲ ପହିଲାରୁ ନୂଆ ଆର୍ଥିକବର୍ଷ ଆରମ୍ଭ ହେବ। ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଦିନରେ ଆୟକର ଠାରୁ ଆରମ୍ଭ କରି ଜିଏସ୍ଟି, କ୍ରେଡିଟ୍ କାର୍ଡ, ୟୁପିଆଇ ନିୟମ ସମେତ ବ୍ୟାଙ୍କ ଖାତାରେ ସର୍ବନିମ୍ନ ଜମାରାଶି ପାଇଁ ରହିଥିବା ନିୟମ ଆଦି ବଦଳିଯିବ। ଟିକସଦାତାଙ୍କ ସମେତ ନାଗରିକମାନେ ଏହାଦ୍ବାରା ପ୍ରଭାବିତ ହେବେ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତବର୍ଷ ଫେବ୍ରୁଆରି ୧ରେ ସଂସଦରେ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ବଜେଟ୍ ଆଗତ କରିବା ସମୟରେ ଆୟକର ନିୟମ ପରିବର୍ତ୍ତନ ଘୋଷଣା କରିଥିଲେ। ଏଥିଯୋଗୁ ନୂଆ ଟିକସ ସ୍ଲାବ୍ ଏବଂ ହାର କାର୍ଯ୍ୟକାରୀ ହେବ। ନୂଆ ନିୟମ ଅନୁଯାୟୀ, ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ। ବେତନଭୋଗୀଙ୍କୁ ମଧ୍ୟ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ମିଳିବ। ତେଣୁ ନୂଆ ଟିକସ ବ୍ୟବସ୍ଥାରେ ବେତନଭୋଗୀମାନଙ୍କୁ ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଦେବାକୁ ପଡ଼ିବ ନାହିଁ।
ୟୁନାଇଟେଡ ପେମେଣ୍ଟସ ଇଣ୍ଟରଫେସ୍ ତଥା ୟୁପିଆଇର ସୁରକ୍ଷାକୁ ବଢ଼ାଇବା ପାଇଁ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ୍ ଅଫ୍ ଇଣ୍ଡିଆ କେତେକ ନୂଆ ନିୟମ ଏପ୍ରିଲ ୧ରୁ ଲାଗୁ କରିବ। ଏହାଦ୍ବାରା ନିଷ୍କ୍ରିୟ ମୋବାଇଲ ଫୋନ ନମ୍ବରରୁ ୟୁପିଆଇ କରାଯାଇ ପାରିବ ନାହିଁ। ୟୁପିଆଇ ସହ ସଂଯୋଜିତ ହୋଇଥିବା ନିଷ୍କ୍ରିୟ ନମ୍ବରଗୁଡ଼ିକୁ ବାଦ୍ ଦେବା ପାଇଁ ଏନ୍ପିସିଆଇ ପକ୍ଷରୁ ବ୍ୟାଙ୍କ ସମେତ ଫୋନ-ପେ, ଗୁଗଲ୍-ପେ ଆଦି ସଂସ୍ଥାକୁ କୁହାଯାଇଛି।
କେତେକ କାର୍ଡଧାରୀଙ୍କ ପାଇଁ କ୍ରେଡିଟ୍ କାର୍ଡ ନିୟମ ପରିବର୍ତ୍ତନ ହୋଇଯିବ। ରିୱାର୍ଡ ପଏଣ୍ଟ ଢାଞ୍ଚା ଦୃଷ୍ଟିରୁ ଏହି ପରିବର୍ତ୍ତନ ହେବ। ଏସବିଆଇ, ଆଇଏଫସି ସେମାନଙ୍କ କ୍ରେଡିଟ୍ କାର୍ଡ ରିଓ୍ବାର୍ଡ ପଏଣ୍ଟରେ ବଡ଼ ପରିବର୍ତ୍ତନ ଲାଗି ସଂକେତ ଦେଇସାରିଛନ୍ତି।
୨୦୨୪ ଅଗଷ୍ଟରେ ସରକାର ୟୁପିଏସ୍ ତଥା ୟୁନିଫାଏଡ୍ ପେନସନ୍ ସ୍କିମ୍ ଘୋଷଣା କରିଥିଲେ। ଏପ୍ରିଲ ପହିଲାରୁ ପୁରୁଣା ପେନସନ୍ ସ୍କିମ୍ ବଦଳରେ ୟୁପିଏସ୍ କାର୍ଯ୍ୟକାରୀ ହେବ। ଏହାର ପ୍ରଭାବ ପ୍ରାୟ ୨୩ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଉପରେ ପଡ଼ିବ। ଏହି ନିୟମ ଅନୁଯାୟୀ, ଅତିକମ୍ରେ ୨୫ ବର୍ଷ ଚାକିରି କରିଥିବା କର୍ମଚାରୀମାନେ ସେମାନଙ୍କ ଶେଷ ୧୨ ମାସ ହାରାହାରି ମୂଳ ବେତନର ୫୦% ପେନସନ୍ ପାଇବେ।
ଏପ୍ରିଲ ପହିଲାରୁ ଜିଏସ୍ଟି ନିୟମ ବଦଳିଯିବ। ଜିଏସ୍ଟି ପୋର୍ଟାଲରେ ମଲ୍ଟି ଫ୍ୟାକ୍ଟର ଅଥେଣ୍ଟିକେସନ୍ ତଥା ଏମ୍ଏଫ୍ଏକୁ ଟିକସଦାତାଙ୍କ ପାଇଁ ବାଧ୍ୟତାମୂଳକ କରାଯିବ। ଉତ୍ତମ ସୁରକ୍ଷା ବ୍ୟବସ୍ଥା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସେହିଭଳି ୧୮୦ ଦିନରୁ ପୁରୁଣା ହୋଇ ନଥିବା ମୂଳ ଦସ୍ତାବିଜ୍ ପାଇଁ ଇ-ୱେବିଲ୍ ସୃଷ୍ଟି କରାଯାଇ ପାରିବ।
ଏପ୍ରିଲ ପହିଲାରୁ କେତେକ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କ ପାଇଁ ନୂଆ ସର୍ବନିମ୍ନ ଜମା ନିୟମ କାର୍ଯ୍ୟକାରୀ କରିବେ। ସର୍ବନିମ୍ନ ଜମାରାଶି ଯେଉଁମାନଙ୍କ ଖାତାରେ ନଥିବ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ।