Videos
|
National

Aluminium Shortage / ଭାରତରେ ଏଲୁମିନିୟମ୍‌ କ୍ୟାନ୍‌ର ଘୋର ଅଭାବ, ଡାଏଟ୍‌ କୋକ୍‌ ସମେତ ବିୟର୍‌ ଯୋଗାଣ ପ୍ରଭାବିତ

Rashmita Mishra
Browse all articles by Rashmita Mishra
·1 hour ago·3 min read
ଭାରତରେ ଏଲୁମିନିୟମ୍‌ କ୍ୟାନ୍‌ର ଘୋର ଅଭାବ, ଡାଏଟ୍‌ କୋକ୍‌ ସମେତ ବିୟର୍‌ ଯୋଗାଣ ପ୍ରଭାବିତ
Aluminium Shortage

Key Points

ବିୟର୍‌ ଓ କୋକ୍‌କୁ ବଡ଼ ଝଟକା ୬ ମାସ ବଢ଼ିଲା ସମୟସୀମା । 
ଭାରତରେ ଏଲୁମିନିୟମ୍‌ କ୍ୟାନ୍‌ର ଘୋର ଅଭାବ,
ଡାଏଟ୍‌ କୋକ୍‌ ସମେତ ବିୟର୍‌ ଯୋଗାଣ ପ୍ରଭାବିତ । 

ଭାରତ ସରକାର ଏଲୁମିନିୟମ୍ ବେଭରେଜ୍ କ୍ୟାନ୍‌ (ପାନୀୟ ରଖିବା ଡବା) ପାଇଁ ବାଧ୍ୟତାମୂଳକ ଗୁଣବତ୍ତା ପ୍ରମାଣପତ୍ର ନିୟମର ସମୟସୀମାକୁ ଆଉ ୬ ମାସ ବଢ଼ାଇ ଦେଇଛନ୍ତି । ଏହାଦ୍ୱାରା କ୍ୟାନ୍ ନିର୍ମାତାମାନଙ୍କୁ ଉତ୍ପାଦନ ବଢ଼ାଇବା ପାଇଁ ଅଧିକ ସମୟ ମିଳିବ । ଦେଶରେ କ୍ୟାନ୍‌ର ଅଭାବ ଯୋଗୁଁ ଡାଏଟ୍ କୋକ୍‌ ସମେତ କିଛି ବିୟର୍ ବ୍ରାଣ୍ଡ୍‌ର ଯୋଗାଣ ମଧ୍ୟ ପ୍ରଭାବିତ ହେଉଛି ।

ପୂର୍ବରୁ ଏହି ନିୟମ ପାଳନ କରିବାର ଶେଷ ତାରିଖ ଅକ୍ଟୋବର ୩୧ ରହିଥିଲା । ଏବେ ବିଭିନ୍ନ ବର୍ଗର ନିର୍ମାତାଙ୍କ ପାଇଁ ନୂଆ ସମୟସୀମା ଧାର୍ଯ୍ୟ କରାଯାଇଛି । ଏକ ପ୍ରମୁଖ କ୍ୟାନ୍ ନିର୍ମାତା କମ୍ପାନୀ ଇଟି (ET)ର ରିପୋର୍ଟରେ ଏହି ସୂଚନା ଦେଇଛି ।

କେଉଁ ନିର୍ମାତାଙ୍କ ପାଇଁ କେବେଠାରୁ ଲାଗୁ ହେବ ନିୟମ ?
- ବଡ଼ କମ୍ପାନୀ: ୧ ଏପ୍ରିଲ୍ ୨୦୨୭ରୁ ।
- ଛୋଟ କମ୍ପାନୀ: ୧ ଜୁଲାଇ ୨୦୨୭ରୁ ।
- ଅତି କ୍ଷୁଦ୍ର ବା ମାଇକ୍ରୋ କମ୍ପାନୀ: ୧ ଅକ୍ଟୋବର ୨୦୨୭ରୁ ।
ଏହି ସମୟସୀମା ବୃଦ୍ଧି ଦ୍ୱାରା ନିର୍ମାତାମାନେ ଉତ୍ପାଦନ ବଢ଼ାଇବା ସହ ଆଗାମୀ ଗ୍ରୀଷ୍ମ ଋତୁ ପୂର୍ବରୁ ପାନୀୟ ପ୍ୟାକେଜିଂର ଅଭାବ ଦୂର କରିବାକୁ ଅଧିକ ସମୟ ପାଇବେ।

ଦୁଇ ବର୍ଷରେ ଦୁଇଗୁଣ ହେଲା କ୍ୟାନ୍‌ର ଚାହିଦା
ଭାରତରେ ଏଲୁମିନିୟମ୍ କ୍ୟାନ୍‌ରେ ବିକ୍ରି ହେଉଥିବା ବିୟର୍ ଓ ସଫ୍ଟ ଡ୍ରିଙ୍କ୍‌ର ବଜାର ଅଂଶ ଗତ ଦୁଇ ବର୍ଷ ମଧ୍ୟରେ ଦୁଇଗୁଣ ହୋଇଛି । ଏହି ପ୍ୟାକେଜିଂରେ ବିକ୍ରି ହେଉଥିବା ପାନୀୟର ବାର୍ଷିକ ବିକ୍ରି ମୋଟ ବିକ୍ରିର ଏକ-ଚତୁର୍ଥାଂଶରୁ ଅଧିକ ହୋଇଛି । ଗ୍ରାହକଙ୍କ ପସନ୍ଦରେ ପରିବର୍ତ୍ତନ ଯୋଗୁଁ କ୍ୟାନ୍‌ର ଚାହିଦା ଦ୍ରୁତ ଗତିରେ ବଢ଼ୁଛି । କିନ୍ତୁ ଦେଶର ଘରୋଇ ଯୋଗାଣକାରୀ କମ୍ପାନୀଗୁଡ଼ିକ ଏହି ଚାହିଦା ଅନୁସାରେ ଉତ୍ପାଦନ ବଢ଼ାଇ ପାରୁନାହାନ୍ତି । ଏହା ସହିତ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଉତ୍ପାଦନ ସମ୍ପ୍ରସାରଣ ଯୋଜନା ପ୍ରଭାବିତ ହୋଇଛି ଏବଂ ବିଶ୍ୱସ୍ତରରେ ଯୋଗାଣକୁ ନେଇ ଅନିଶ୍ଚିତତା ବଢ଼ିଛି ।

ବ୍ରୁଅର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆର ମହାନିର୍ଦ୍ଦେଶକ ବିନୋଦ ଗିରିଙ୍କ କହିବା ଅନୁଯାୟୀ, ନିର୍ମାତାମାନେ ଦେଶରେ ଅତିରିକ୍ତ ୬୦୦ ନିୟୁତ କ୍ୟାନ୍ ଉତ୍ପାଦନ କରିବାର ଆଶା ରଖିଥିଲେ । କିନ୍ତୁ ଏହାର ମାତ୍ର ଅଧା ଉତ୍ପାଦନ କରିବାରେ ସଫଳ ହୋଇଛନ୍ତି ।

ବାଧ୍ୟତାମୂଳକ BIS ପ୍ରମାଣପତ୍ର କାହିଁକି ?

ପାନୀୟର ସୁରକ୍ଷା, ସତେଜତା ଏବଂ ପୁନଃଚକ୍ରଣ ପ୍ରକ୍ରିୟାକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ଗତ ବର୍ଷ ଏପ୍ରିଲ୍‌ରେ ଏକ ଗୁଣବତ୍ତା ନିୟନ୍ତ୍ରଣ ଆଦେଶ ମାଧ୍ୟମରେ ଏଲୁମିନିୟମ୍ କ୍ୟାନ୍‌କୁ ବାଧ୍ୟତାମୂଳକ BIS ପ୍ରମାଣପତ୍ର ଅଧୀନକୁ ଅଣାଯାଇଥିଲା । ଏହି ନିୟମ ଅନୁସାରେ ଦେଶୀ ଓ ବିଦେଶୀ ନିର୍ମାତାମାନଙ୍କୁ କିଛି ନିର୍ଦ୍ଦିଷ୍ଟ ବୈଷୟିକ ମାନଦଣ୍ଡ ପୂରଣ କରିବାକୁ ପଡ଼ିଥାଏ । ଏଥିରେ ରହିଛି...
- କ୍ୟାନ୍ ତିଆରିରେ ବ୍ୟବହୃତ ସାମଗ୍ରୀର ଗୁଣବତ୍ତା ।
- କ୍ୟାନ୍‌ର ଆକାର ଓ ଗଠନ ।
- ସିଲିଂ ବା ମୁହଁ ବନ୍ଦ କରିବାର ମାନ ।
- ଚାପ ସହିବାର କ୍ଷମତା ।
- ଲିକେଜ୍‌ ବା ତରଳ ପଦାର୍ଥ ଲିକ୍ ହେବାର ଆଶଙ୍କା ।
- ସୁରକ୍ଷାମୂଳକ ଆବରଣର ଗୁଣବତ୍ତା ।

ଏହି ପ୍ରମାଣପତ୍ର ପାଇବା ପ୍ରକ୍ରିୟା ଅଧିକ ହୋଇପାରେ । କେତେକ କ୍ଷେତ୍ରରେ ବିଦେଶୀ ଉତ୍ପାଦନ କାରଖାନାକୁ ଯାଞ୍ଚ କରିବାକୁ ପଡ଼ିଥାଏ । ଫଳରେ ନୂଆ ଯୋଗାଣକାରୀଙ୍କୁ ଅନୁମୋଦନ ମିଳିବାରେ ଅଧିକ ସମୟ ଲାଗୁଛି ।

ଆମଦାନୀ ହେଉଛି କ୍ୟାନ୍, କିନ୍ତୁ ଖର୍ଚ୍ଚ ୨୫-୩୦% ଅଧିକ
ବର୍ତ୍ତମାନ କ୍ୟାନ୍‌ର ଅଭାବ ଦୂର କରିବା ପାଇଁ ପାନୀୟ ନିର୍ମାତା କମ୍ପାନୀଗୁଡ଼ିକ ସଂଯୁକ୍ତ ଆରବ ଏମିରେଟ୍ସ (UAE), ଶ୍ରୀଲଙ୍କା ଏବଂ ଦକ୍ଷିଣ-ପୂର୍ବ ଏସିଆରୁ କ୍ୟାନ୍ ଆମଦାନୀ ଆରମ୍ଭ କରିଛନ୍ତି । କିନ୍ତୁ ଆମଦାନୀ କରାଯାଉଥିବା କ୍ୟାନ୍‌ର ମୂଲ୍ୟ ଘରୋଇ କ୍ୟାନ୍ ତୁଳନାରେ ୨୫ରୁ ୩୦ ପ୍ରତିଶତ ଅଧିକ । ଏହା ଦ୍ୱାରା ପାନୀୟ ନିର୍ମାତାଙ୍କ ଖର୍ଚ୍ଚ ବଢ଼ୁଛି ।

ଅନ୍ୟପଟେ, ନୂଆ ଉତ୍ପାଦନ ଲାଇନ୍ ସ୍ଥାପନ କରିବା ଏବଂ ତାହାକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରାୟ ଏକ ବର୍ଷ ସମୟ ଲାଗିପାରେ । ପ୍ରମୁଖ ଘରୋଇ ଯୋଗାଣକାରୀଙ୍କ ବର୍ତ୍ତମାନର ଉତ୍ପାଦନ କ୍ଷମତା ମଧ୍ୟ ପ୍ରାୟ ସମ୍ପୂର୍ଣ୍ଣ ଭାବେ ବ୍ୟବହାର ହୋଇସାରିଛି ।

ଗ୍ରୀଷ୍ମ ଋତୁ ପୂର୍ବରୁ ମିଳିବ ଆଶ୍ୱସ୍ତି
ବିନୋଦ ଗିରିଙ୍କ କହିବା ଅନୁଯାୟୀ, ଏହି ସମୟସୀମା ବୃଦ୍ଧି ବିୟର୍ କମ୍ପାନୀଗୁଡ଼ିକ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହାଦ୍ୱାରା ସେମାନେ ୨୦୨୭ ଗ୍ରୀଷ୍ମ ଋତୁ ପାଇଁ ଆଗୁଆ ଯୋଜନା କରିବା ସହ ଆବଶ୍ୟକ ଷ୍ଟକ୍ ପ୍ରସ୍ତୁତ ରଖିପାରିବେ । ଗ୍ରୀଷ୍ମ ଋତୁରେ ବିୟର୍ ଓ ସଫ୍ଟ ଡ୍ରିଙ୍କ୍‌ର ଚାହିଦା ଅଧିକ ରହୁଥିବାରୁ ପ୍ୟାକେଜିଂ ସାମଗ୍ରୀର ଅଭାବ କମ୍ପାନୀଗୁଡ଼ିକ ପାଇଁ ଏକ ବଡ଼ ଚିନ୍ତାର ବିଷୟ ହୋଇଛି ।

ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ଖାଲି କ୍ୟାନ୍‌ର ଉପଲବ୍ଧତା ନେଇ ଅନିଶ୍ଚିତତା ରହିଛି । ଏପରିକି BIS ପ୍ରମାଣପତ୍ର ପାଇଥିବା ବିଦେଶୀ ନିର୍ମାତାମାନେ ମଧ୍ୟ ଭାରତର ବଢ଼ୁଥିବା ଚାହିଦା ପୂରଣ କରିବାରେ ଅସମର୍ଥ ହେଉଛନ୍ତି । ଏଭଳି ପରିସ୍ଥିତିରେ ସରକାରଙ୍କ ନିଷ୍ପତ୍ତି ଦ୍ୱାରା କ୍ୟାନ୍ ନିର୍ମାତା ଓ ପାନୀୟ ଶିଳ୍ପକୁ ଉତ୍ପାଦନ ବଢ଼ାଇବା,ଷ୍ଟକ୍ ପ୍ରସ୍ତୁତ କରିବା ଏବଂ ଆଗାମୀ ଗ୍ରୀଷ୍ମ ଋତୁରେ ଯୋଗାଣ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ସମୟ ମିଳିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: