Land Records / ଏଣିକି ଡିଜିଟାଲ ହେବ ଦେଶର ସମସ୍ତ ଜମି ରେକର୍ଡ, ଆସିବ ୧୪ ଅଙ୍କର ‘ଭୂ-ଆଧାର’

Key Points
ଆସିବ ୧୪ ଅଙ୍କର ‘ଭୂ-ଆଧାର’...
ଆପଣଙ୍କ ଜମିର ହେବ ଆଧାର ।
ଦେଶର ପ୍ରତ୍ୟେକ ଜମିର ରେକର୍ଡକୁ ଡିଜିଟାଲ କରିବା ଦିଗରେ କେନ୍ଦ୍ର ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ମଡର୍ନାଇଜେସନ୍ ପ୍ରୋଗ୍ରାମ (DILRMP)ର ତୃତୀୟ ପର୍ଯ୍ୟାୟ DILRMP 3.0ର ସମ୍ପୂର୍ଣ୍ଣ ଗାଇଡଲାଇନ୍ ଜାରି କରାଯାଇଛି । ଗ୍ରାମୀଣ ଅଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଜମି ସମ୍ପର୍କିତ ସମସ୍ତ ରେକର୍ଡକୁ ଡିଜିଟାଲ ଓ ଅଧିକ ସୁବ୍ୟବସ୍ଥିତ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ।
DILRMP 3.0 ପାଇଁ ୨୦୨୬-୩୧ ଅବଧିରେ ୫୬୫.୫ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି । ଏହି ଯୋଜନା ଅଧୀନରେ ଲ୍ୟାଣ୍ଡ ରେକର୍ଡ, ମ୍ୟାପ୍, ରେଜିଷ୍ଟ୍ରେସନ୍ ଏବଂ ଜମି ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟକୁ GIS ଆଧାରିତ ଡିଜିଟାଲ ଫ୍ରେମୱର୍କରେ ଅଣାଯିବ ।
କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ କହିଛନ୍ତି ଯେ, ଏହି ଯୋଜନା କେବଳ ବ୍ୟକ୍ତିଗତ ଜମି ରେକର୍ଡକୁ ଡିଜିଟାଇଜ୍ କରିବାରେ ସୀମିତ ରହିବ ନାହିଁ। ଏହା ଦେଶକୁ ଏକ ୟୁନିଫାଏଡ୍ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ସିଷ୍ଟମ୍ ଦିଗରେ ନେଇଯିବ । ଏହା ଦ୍ୱାରା କୃଷକମାନେ ସହଜରେ ସଂସ୍ଥାଗତ ଋଣ ପାଇପାରିବେ ଏବଂ ଜମି ସମ୍ପର୍କିତ କାମ ପାଇଁ ସରକାରୀ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ ।
GIS ଆଧାରିତ ‘ଲ୍ୟାଣ୍ଡ ଷ୍ଟାକ୍’
DILRMP 3.0ରେ GIS-Enabled Land Stack ଏକ ବଡ଼ ପରିବର୍ତ୍ତନ ହେବ । ଏହା ଏକ ୟୁନିଫାଏଡ୍ ଡିଜିଟାଲ ଫ୍ରେମୱର୍କ ଭାବେ କାମ କରିବ । ଏଥିରେ ଜିଓ-ରେଫରେନ୍ସଡ୍ କ୍ୟାଡାଷ୍ଟ୍ରାଲ୍ ମ୍ୟାପ୍, ଜମି ଅଧିକାରର ରେକର୍ଡ, ସମ୍ପତ୍ତି ପଞ୍ଜୀକରଣ ଏବଂ ଜମି ସମ୍ପର୍କିତ ଅଦାଲତୀ ମାମଲା ଭଳି ବିଭିନ୍ନ ତଥ୍ୟକୁ ଏକାଠି କରାଯିବ । ପ୍ରତ୍ୟେକ ରାଜ୍ୟ API ମାଧ୍ୟମରେ ନିଜର ଜମି ସମ୍ପର୍କିତ ଡାଟାସେଟ୍ ଓ ସିଷ୍ଟମ୍କୁ ଏକାଠି କରି ନିଜସ୍ୱ ‘ଲ୍ୟାଣ୍ଡ ଷ୍ଟାକ୍’ ବିକଶିତ କରିପାରିବ । ଏହି ରାଜ୍ୟସ୍ତରୀୟ ଲ୍ୟାଣ୍ଡ ଷ୍ଟାକ୍ ଭବିଷ୍ୟତରେ ନ୍ୟାସନାଲ୍ ଲ୍ୟାଣ୍ଡ ଷ୍ଟାକ୍ର ଆଧାର ହେବ ।
ପ୍ରତ୍ୟେକ ଜମିକୁ ୧୪ ଅଙ୍କର ‘ଭୂ-ଆଧାର’
ଏହି ଯୋଜନା ଅଧୀନରେ ଦେଶର ପ୍ରତ୍ୟେକ ଜମିକୁ ୧୪ ଅଙ୍କର ଏକ ୟୁନିକ୍ ଆଇଡେଣ୍ଟିଫିକେସନ୍ ନମ୍ବର ଦିଆଯିବ । ଏହାକୁ ‘ଭୂ-ଆଧାର’ ଭାବେ ବ୍ୟବହାର କରାଯିବ । ଏହା ଦ୍ୱାରା ଜମିର ସ୍ପଷ୍ଟ ପରିଚୟ ହେବା ସହ ଜମି ସମ୍ପର୍କିତ ଠକେଇକୁ ରୋକିବାରେ ସହାୟତା ମିଳିବ ।
ପାସପୋର୍ଟ ସେବା କେନ୍ଦ୍ର ଭଳି ହେବ ରେଜିଷ୍ଟ୍ରେସନ୍ ସେଣ୍ଟର
ଅଧିକ ଭିଡ଼ ହେଉଥିବା ୭୫ଟି ସବ୍-ରେଜିଷ୍ଟ୍ରାର୍ ଅଫିସକୁ ଆଧୁନିକୀକରଣ କରାଯିବ । ପାସପୋର୍ଟ ସେବା କେନ୍ଦ୍ର ଢାଞ୍ଚାରେ ଏହି କାର୍ଯ୍ୟାଳୟଗୁଡ଼ିକୁ ଡିଜିଟାଲ ସୁବିଧା ସହିତ ଉନ୍ନତ କରାଯାଇ ସେବା କେନ୍ଦ୍ର ଭାବେ ବିକଶିତ କରାଯିବ ।
ପୁରୁଣା ଜମି ରେକର୍ଡ ହେବ ଡିଜିଟାଲ
ପୁରୁଣା ଜମି ଓ ସମ୍ପତ୍ତି ପଞ୍ଜୀକରଣ ରେକର୍ଡକୁ ବ୍ୟବସ୍ଥିତ ଭାବେ ସ୍କାନ୍ କରାଯାଇ ଡିଜିଟାଲ ରୂପରେ ସୁରକ୍ଷିତ ରଖାଯିବ । ଏହା ଦ୍ୱାରା ପୈତୃକ ସମ୍ପତ୍ତି ଓ ଜମି ଅଧିକାରର ସୁରକ୍ଷା ସହ ପୁରୁଣା ଜମିକୁ ନେଇ ବିବାଦ କମାଇବାରେ ସହାୟତା ମିଳିବ ।
ଆସିବ ‘ରେଜିଷ୍ଟ୍ରେସନ୍ ରିପୋଜିଟୋରି’
ପଞ୍ଜୀକୃତ ଦଲିଲ, ସମ୍ପତ୍ତି ଉପରେ ଥିବା ଦେୟ କିମ୍ବା ଋଣ ସମ୍ପର୍କିତ ତଥ୍ୟକୁ ଏକ ସୁରକ୍ଷିତ ଡିଜିଟାଲ ପ୍ଲାଟଫର୍ମରେ ରଖାଯିବ । ଏହା ଦ୍ୱାରା ଜମି ମାଲିକାନା ଯାଞ୍ଚ, ପୂର୍ବରୁ ହୋଇଥିବା କିଣାବିକା ଇତିହାସ ଏବଂ ସମ୍ପତ୍ତି ସମ୍ପର୍କିତ ଆବଶ୍ୟକ ଯାଞ୍ଚ ସହଜ ହେବ ।
ପେପରଲେସ୍ ହେବ ରେଭେନ୍ୟୁ କୋର୍ଟ
ରେଭେନ୍ୟୁ କୋର୍ଟ କେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (RCCMS)କୁ ଆଧୁନିକୀକରଣ କରାଯାଇ ସିଧାସଳଖ ଭାବେ ଜମି ରେକର୍ଡ ସହ ଯୋଡ଼ାଯିବ । ଏହା ଫଳରେ ଲମ୍ବିତ ମାମଲା ସଂଖ୍ୟା କମିବା ସହ ମ୍ୟୁଟେସନ୍ ସମ୍ପର୍କିତ ମାମଲାର ଶୀଘ୍ର ନିଷ୍ପତ୍ତି ହୋଇପାରିବ ।
ସହରାଞ୍ଚଳ ଜମି ପାଇଁ ‘ନକ୍ଷା’ ପ୍ରକଳ୍ପ
ସହରାଞ୍ଚଳର ଜମି ରେକର୍ଡକୁ ଅଧିକ ସଠିକ୍ ଓ GIS-ଆଧାରିତ କରିବା ପାଇଁ NAKSHA ପାଇଲଟ୍ ପ୍ରୋଜେକ୍ଟକୁ ଆଗକୁ ବଢ଼ାଯିବ । ଏହା ଅଧୀନରେ ସହରାଞ୍ଚଳର ସଠିକ୍ ଡିଜିଟାଲ ଲ୍ୟାଣ୍ଡ ମ୍ୟାପ୍ ପ୍ରସ୍ତୁତ କରାଯିବ ଏବଂ Urban Property Card (UrPro Card) ଜାରି କରାଯିବ ।
ସାରା ଦେଶରେ ଜମି ସମ୍ପର୍କିତ ତଥ୍ୟକୁ ଏକୀକୃତ ଓ ଡିଜିଟାଲ କରିବା ଦିଗରେ DILRMP 3.0କୁ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି । ଏହା ଲାଗୁ ହେବା ପରେ ଜମିର ମାଲିକାନା, ପଞ୍ଜୀକରଣ, ମାନଚିତ୍ର, ଋଣ ଏବଂ ଆଇନଗତ ବିବାଦ ସମ୍ପର୍କିତ ତଥ୍ୟ ଏକ ଡିଜିଟାଲ ବ୍ୟବସ୍ଥାରେ ଉପଲବ୍ଧ ହେବ ।
📱 Get Argus News App
✨Related Topics
Explore more stories