ଭାରତ ରପ୍ତାନୀ କରୁଛି ୧୦୦ ରୁ ଅଧିକ ଦେଶକୁ ଅସ୍ତ୍ରଶସ୍ତ୍ର

Key Points
୨୦୪୭ ମସିହାରେ ଦେଶର ଅର୍ଥନୀତିକୁ ୩୨ ଟ୍ରିଲିୟନରେ ପହଞ୍ଚାଇବାକୁ ଲକ୍ଷ୍ୟ
ପ୍ରତିରକ୍ଷା କ୍ରୟର ସମୟ ସୀମା ହ୍ରାସ
ଗତ ବର୍ଷ ୨୩ ହଜାର ୬୨୨ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ରପ୍ତାନି କରିଛି ଭାରତ
ପହଲଗାମ ଆତଙ୍କୀ ଆକ୍ରମଣ ପରେ ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଇ ଆସୁଛି ଭାରତ। ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରତିରକ୍ଷା କ୍ରୟର ସମୟ ସୀମାକୁ ବହୁ ପରିମାଣରେ ହ୍ରାସ କରିଛି। ଏନେଇ ସୂଚନା ଦେଇଛନ୍ତି ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ। ସେ କହିଛନ୍ତି ଏହା ଦ୍ବାରା ସାମରିକ ଉପକରଣ କ୍ରୟ କମ୍ ସମୟରେ ହୋଇ ପାରିବ। ପ୍ରତିରକ୍ଷା କ୍ରୟରେ ବ୍ୟାପକ ସଂସ୍କାର ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟରେ ଏହି ସଂସ୍କାର କରାଯାଇଛି।
ରାଜେଶ କୁମାର ସିଂଙ୍କ ଏହି ବକ୍ତବ୍ୟ ଏମିତି ଏକ ସମୟରେ ଆସିଛି ଯେତେବେଳେ ବାୟୁସେନା ମୁଖ୍ୟ ମାର୍ଶାଲ ଏପି ସିଂହ CII ବ୍ୟବସାୟ ସମ୍ମିଳନୀରେ ପ୍ରତିରକ୍ଷା ପ୍ରକଳ୍ପରେ ବିଳମ୍ବ, ଅବାସ୍ତବ ସମୟସୀମା ଏବଂ ପଦ୍ଧତିଗତ ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଘରୋଇ ପ୍ରତିରକ୍ଷା ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ଗବେଷଣା ଏବଂ ବିକାଶ (R&D) ଏବଂ ପୁଞ୍ଜି ଉପକରଣରେ ବ୍ୟାପକ ନିବେଶ କରିବାକୁ ବାୟୁସେନା ମୁଖ୍ୟ ଘରୋଇ ଶିଳ୍ପଗୁଡ଼ିକୁ ମଧ୍ୟ ଅନୁରୋଧ କରିଥିଲେ।
📱 Get Argus News App
✨ସେ ଅସନ୍ତୋଷ କରି କହିଛନ୍ତି ଚୁକ୍ତି ସ୍ୱାକ୍ଷର କରିବା ସମୟରେ ଆମେ ଜାଣିଥାଉ ଏହା ଧାର୍ଯ୍ୟ ସମୟ ମଧ୍ୟରେ ମିଳିବ ନାହିଁ। ତଥାପି ଏଥିପାଇଁ ଚୁକ୍ତି ସ୍ବାକ୍ଷର କରାଯାଉଛି। ସେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ, ମୁଁ ଏପରି ଗୋଟିଏ ପ୍ରକଳ୍ପର ନାମ କହି ପାରିବି ନାହିଁ ଯାହା ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହୋଇଛି। ତେଣୁ ଆମକୁ ଏହା ଉପରେ ନଜର ରଖିବାକୁ ପଡିବ। ମାର୍ଶାଲଙ୍କ ଏହି ଅଭିଭାଷଣ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରତିରକ୍ଷା କ୍ରୟର ସମୟ ସୀମାକୁ ହ୍ରାସ କରିଛି।
ପ୍ରତିରକ୍ଷା ସଚିବ ରାଜେଶ ସିଂ କ'ଣ କହିଛନ୍ତି ?
୨୦୪୭ ମସିହାରେ ଦେଶର ଅର୍ଥନୀତିକୁ ୩୨ ଟ୍ରିଲିୟନରେ ପହଞ୍ଚାଇବାକୁ ଆତ୍ମନିର୍ଭରଶୀଳତାର ଆବଶ୍ୟକତା ଅଛି। ଗତ ଦଶନ୍ଧିରେ ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀକରଣ ଆରମ୍ଭ ହୋଇଥିବା ଯୋଗୁଁ, ଆଜି ଆମ ଦେଶ ଶ୍ରେଷ୍ଠ ୨୫ ରପ୍ତାନିକାରୀଙ୍କ ମଧ୍ୟରୁ ଗୋଟିଏ ହୋଇସାରିଛି। ୨୦୧୫ ମସିହାରେ ଭାରତ ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର ଆମଦାନୀ କରିଥିଲା। ହେଲେ ଏବେ ୧୦୦ ରୁ ଅଧିକ ଭାରତୀୟ କମ୍ପାନୀ ୧୦୦ ରୁ ଅଧିକ ଦେଶକୁ ସାମରିକ ଉପକରଣ ରପ୍ତାନି କରୁଛନ୍ତି। ସାମରିକ ଉପକରଣରେ ବ୍ରହ୍ମୋସ କ୍ଷେପଣାସ୍ତ୍ର, ରକେଟ୍ ଲଞ୍ଚର ପିନାକା, ସିମୁଲେଟର ଆର୍ମର୍ଡ ଯାନ ଇତ୍ୟାଦି ଅନ୍ତର୍ଭୁକ୍ତ। ଗତ ବର୍ଷ ୨୩ ହଜାର ୬୨୨ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ରପ୍ତାନି କରିଛି।