ରତ୍ନ ହରାଇଲା ଭାରତ,ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକ

ଅର୍ଗସ ବ୍ୟୁରୋ:ରତ୍ନ ହରାଇଲା ଭାରତ,ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକ। ଭାରତୀୟ ଶିଳ୍ପ ଜଗତର ଘଟିଛି ଅପୂରଣୀୟ କ୍ଷତି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଦିନ ଅବସ୍ଥାରେ ଦେହାନ୍ତ ହୋଇଛି , ୮୬ ବର୍ଷ ବୟସରେ ନେଲେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଶିଳ୍ପ ସମ୍ରାଟ । ଟାଟା ସନ୍ସର ଚେୟାରମ୍ୟାନ ଥିଲେ ରତନ ଟାଟା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ବରିଷ୍ଠ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି। ରତନ ଟାଟା ଏକାଧାରରେ ଥିଲେ ଜଣେ ଶିଳ୍ପପତି ଓ ବଦାନ୍ୟ ବ୍ୟକ୍ତି ଥିଲେ। ବ୍ୟବସାୟ ସହ ସମାଜର କିଭଳି ଦାୟିତ୍ବ ନିଆଯାଏ ତାହା ସେ ଶିଳ୍ପ ଜଗତକୁ ଶିଖାଇଥିଲେ।
ଭାରତୀୟ ଉଦ୍ୟୋଗକୁ ବିଶ୍ବ ମଞ୍ଚରେ ପ୍ରତିଷ୍ଠିତ ଓ ଉପସ୍ଥାପିତ କରିବାରେ ଟାଟାଙ୍କ ଥିଲା ଗୁରୁତ୍ବପୂର୍ଣ୍ଣ ଭୂମିକା । ତାଙ୍କ ସମୟରେରେ ଟାଟା ମୋଟର୍ସ ବିଶ୍ବ ପ୍ରସିଦ୍ଧ ଅଟୋମୋବାଇଲ୍ କମ୍ପାନି ଜାଗୁଆର୍ ଓ ଲ୍ୟାଣ୍ଡରୋଭର୍କୁ ଏବଂ କୋରସ୍କୁ ଟାଟା ଷ୍ଟିଲ୍ ଅଧିଗ୍ରହଣ କରିଥିଲା। ସାଧାରଣ ଜନତାଙ୍କ କାର୍ ସ୍ବପ୍ନ ପୂରଣ କରିବା ଲାଗି ଲକ୍ଷେ ଟଙ୍କିଆ କାର୍ ନାନୋଆଣିଥିଲେ ଅର୍ଥାତ ବିଶ୍ବକୁ ଶସ୍ତା କାର ଭେଟିଦେଇଥିଲେ। ଶିଳ୍ପ କ୍ଷେତ୍ର ଭଳି ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୦୦ରେ ପଦ୍ମଭୂଷଣ ଓ ୨୦୦୮ରେ ପଦ୍ମବିଭୂଷଣ ସମ୍ମାନ ପ୍ରଦାନ କରିଥିଲେ। କେବଳ ଭାରତ ନୁହେଁ ବିଶ୍ବବ୍ୟାପୀ ସେ ଥିଲେ ଜଣେ ଚର୍ଚ୍ଚିତ ଶିଳ୍ପପତି। ତାଙ୍କୁ ଅର୍ଡର ଅଫ୍ ଅଷ୍ଟ୍ରେଲିଆ, ବ୍ରିଟିଶ ସରକାରଙ୍କ ନାଇଟ୍ ଗ୍ରାଣ୍ଡ କ୍ରସ୍ ଉପାଧି ପ୍ରଦାନ କରିଥିଲେ।୧୯୩୭ ଡିସେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ରତନ ଟାଟା। ମୁମ୍ବାଇରେ ପାଠପଢ଼ା ଶେଷ କରିବା ପରେ ସେ ଶିମ୍ଲା ଓ ଆମେରିକାର ନ୍ୟୁୟର୍କରେ ପଢ଼ିଥିଲେ। ରତନ ଟାଟା ୧୯୬୨ରେ ଟାଟା ଗ୍ରୁପ୍ରେ ଯୋଗ ଦେଇଥିଲେ।
ବିଭିନ୍ନ କମ୍ପାନିରେ କିଛି ଦିନ କାର୍ଯ୍ୟ କରିବା ପରେ ୧୯୭୧ରେ ସେ ନ୍ୟାସନାଲ୍ ରେଡିଓ ଆଣ୍ଡ୍ ଇଲେକ୍ଟ୍ରୋନିକ୍ସ କମ୍ପାନିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ। ୧୯୮୧ରେ ସେ ଟାଟା ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ହୋଇଥିଲେ। ସେ ୧୯୭୫ରେ ହାର୍ଭାର୍ଡ ବିଜିନେସ୍ ସ୍କୁଲ୍ରେ ମଧ୍ୟ ମ୍ୟାନେଜମେଣ୍ଟ ଶିକ୍ଷା ଗ୍ରହଣ କରିଥିଲେ। ୧୯୯୧ରୁ ସେ ଟାଟା ଗ୍ରୁପ୍ର ମଙ୍ଗ ସମ୍ଭାଳିବା ଆରମ୍ଭ କରିଥିଲେ। ୨୦୧୨ ଡିସେମ୍ବର ୨୮ରେ ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ସେ ସେହି ଦାୟିତ୍ବ ନିର୍ବାହ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଟାଟାର ବ୍ୟବସାୟ ସାମ୍ରାଜ୍ୟ ଶିଖର ଛୁଇଁଥିଲା। ୧୯୯୬ରେ ସେ ଟାଟା ଗ୍ରୁପ୍ର ଟେଲିକମ୍ କମ୍ପାନି ଟାଟା ଟେଲି ସର୍ଭିସେସ୍ ଓ ୨୦୦୪ରେ ଆଇଟି କମ୍ପାନି ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍ ବା ଟିସିଏସ୍ ସ୍ଥାପନ କରିଥିଲେ। ସରଳ,ଦୟାଳୁ ଓ ଉଦାର ମଣିଷଙ୍କୁ ହରାଇଛି ଭାରତ,ତାଙ୍କ କାର୍ଯ୍ୟନିଷ୍ଠାକୁ ସବୁଦିନ ପାଇଁ ମନେ ରଖିବ ଭାରତ ସମେତ ସମଗ୍ର ବିଶ୍ବ