ଭାରତ ବଢ଼ାଉଛି ପରମାଣୁ ଶକ୍ତି, ଚୀନ ବି ଲୁଚି ଲୁଚି କରୁଛି ଅସ୍ତ୍ର ତିଆରି

Key Points
ପାକିସ୍ତାନଠାରୁ ଭାରତ ବହୁତ ଆଗକୁ ବଢ଼ିସାରିଛି ।
ଭାରତର ଲଙ୍ଗରେଞ୍ଜ ମିସାଇଲ ପୁରା ଚୀନ୍କୁ ଲକ୍ଷ୍ୟ କରିପାରିବ ।
ଲୁଚେଇ ଲୁଚେଇ ଚୀନ୍ ତିଆରି କରୁଛି ପରାମାଣୁ ଅସ୍ତ୍ର ।
ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ଗଭୀର ଯୁଦ୍ଧରେ ପରିଣତ ହେବାକୁ ଯାଉଛି। ଏପରି ସ୍ଥିତିରେ, ଇରାନର ଜାତୀୟ ସୁରକ୍ଷା ପରିଷଦ ସଦସ୍ୟ ଏବଂ IRGC ଜେନେରାଲ ମୋହସିନ ରଜଇଙ୍କ ବୟାନ ହଇଚଇ ସୃଷ୍ଟି କରିଛି। ରଜଇ କହିଛନ୍ତି, ପାକିସ୍ତାନ ତାଙ୍କୁ ପ୍ରତିଶ୍ରୁତି ଦେଇଛି ଯେ ଯଦି ଇରାନ ଉପରେ ପରମାଣୁ ଆକ୍ରମଣ ହୁଏ, ତେବେ ପାକିସ୍ତାନ ଇରାନ ପକ୍ଷରୁ ଇସ୍ରାଏଲ ଉପରେ ପରମାଣୁ ବୋମା ପକାଇବ। ଯଦିଓ ପାକିସ୍ତାନ ଇରାନର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି, କିନ୍ତୁ ଏହା ପୁଣି ଥରେ ପାକିସ୍ତାନର ପରମାଣୁ ବୋମାକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।
ଭାରତ... ପୂର୍ବରୁ ୟୁଏନରେ ଅପରେସନ ସିନ୍ଦୁର ସମୟରେ ଦାବି କରିଥିଲା ଯେ ପାକିସ୍ତାନ ପରମାଣୁ ବୋମା ରଖିବା ଦୃଷ୍ଟିରୁ ଏକ ଅସ୍ଥିର ଦେଶ। ଏବେ ଇରାନର ଏଭଳି କଥା ଭାରତର ଦାବିକୁ କେତେକାଂଶରେ ସତ ବୋଲି ପ୍ରମାଣିତ କରିଦେଇଛି । କାରଣ ପାକିସ୍ତାନ ସବୁବେଳେ ଭାରତକୁ ପରମାଣୁ ବୋମାର ଧମକ ଦେଇଆସୁଛି । ତେବେ ଇରାନ ପକ୍ଷରୁ ପାକିସ୍ତାନକୁ ନେଇ ଏଭଳି ଦାବି କରାଯିବା ପରେ... ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ସେଥିରେ ପାକିସ୍ତାନର ପରମାଣୁ ଶକ୍ତିର ପର୍ଦ୍ଦାଫାସ ହୋଇଛି। ସୋମବାର SIPRIର ଏହି ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ ଭାରତ ପାଖରେ ପାକିସ୍ତାନ ଅପେକ୍ଷା ଅଧିକ ପରମାଣୁ ବୋମା ରହିଛି। ଏଥିରେ ଏହା ମଧ୍ୟ କୁହାଯାଇଛି ଯେ, ଚୀନ୍ ପାଖରେ ଭାରତଠାରୁ ତିନିଗୁଣା ଅଧିକ ପରମାଣୁ ବୋମା ରହିଛି।
କାହା ପାଖରେ କେତେ ?
SIPRI Yearbook 2025 ଅନୁଯାୟୀ, ଏହି ବର୍ଷ ଜାନୁଆରୀରେ ଭାରତ ପାଖରେ ୧୮୦ଟି ପରମାଣୁ ବୋମା ରହିଛି । ଯେତେବେଳେ କି ପାକିସ୍ତାନ ପାଖରେ ୧୭୦ଟି ଏବଂ ଚୀନ ପାଖରେ ୬୦୦ଟି ପରମାଣୁ ବୋମା ରହିଛି । ଚୀନ୍ କ୍ଷେପଣାସ୍ତ୍ର ମାଧ୍ୟମରେ ତାର ସାମରିକ ବାହିନୀ ସହିତ ୨୪ଟି ପରମାଣୁ ବୋମାକୁ ସବୁବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତ ରଖିଛି ।
ଭାରତ ବୃଦ୍ଧି କରୁଛି ପରମାଣୁ ଶକ୍ତି
📱 Get Argus News App
✨ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ପଡ଼ୋଶୀ ଦେଶମାନଙ୍କଠାରୁ ବଢ଼ୁଥିବା ବିପଦ ପରେ ଭାରତ ୨୦୨୪ ମସିହାରେ ପୁଣି ଥରେ ତା'ର ପରମାଣୁ କାର୍ଯ୍ୟକ୍ରମକୁ ବିସ୍ତାର କରିଛି। ଗତ ବର୍ଷ, ଭାରତ ପାଖରେ ୧୭୨ଟି ପରମାଣୁ ଅସ୍ତ୍ର ଥିଲା, ଯାହା ଏବେ ୧୮୦କୁ ବୃଦ୍ଧି ପାଇଛି । ଭାରତ ତାର ନୂତନ 'କ୍ୟାନିଷ୍ଟରାଇଜଡ୍' କ୍ଷେପଣାସ୍ତ୍ର ମାଧ୍ୟମରେ ପରମାଣୁ ଅସ୍ତ୍ର ସହିତ ଆକ୍ରମଣ କରିପାରିବ । ଶାନ୍ତି ସମୟରେ ମଧ୍ୟ ଏହି କ୍ଷେପଣାସ୍ତ୍ରଗୁଡ଼ିକରେ ଗୋଟିଏରୁ ଅଧିକ ପରମାଣୁ ଅସ୍ତ୍ର ସ୍ଥାପନ କରାଯାଇପାରିବ। ଭାରତ ଜଳ-ସ୍ଥଳ-ଆକାଶ ତିନି ସ୍ଥାନରେ ନିଜର ପରମାଣୁ ଶକ୍ତିକୁ ସୁଦୃଢ଼ କରିଛି।
ଚୀନ୍ ଦ୍ରୁତ ଗତିରେ ତାର ପରମାଣୁ ଶକ୍ତି ବୃଦ୍ଧି କରୁଛି
SIPRI ରିପୋର୍ଟରେ କୁହାଯାଇଛି ଯେ ପରମାଣୁ ଶକ୍ତି ରଖିଥିବା ୯ଟି ଦେଶ ମଧ୍ୟରେ ରୁଷ ଏବଂ ଆମେରିକା ଏବେ ବି ଶୀର୍ଷରେ ଅଛନ୍ତି । ରୁଷ ପାଖରେ ୫,୪୫୯ ଏବଂ ଆମେରିକା ପାଖରେ ୫,୧୭୭ ପରମାଣୁ ଅସ୍ତ୍ର ରହିଛି । ଯେଉଁଥିରେ ଏକ୍ସପାୟାର ହୋଇସାରିଥିବା ପରମାଣୁ ଅସ୍ତ୍ର ମଧ୍ୟ ସାମିଲ ରହିଛି ।
ଅନ୍ୟପଟେ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି, ଚୀନ୍ ନିଜର ପରମାଣୁ ଶକ୍ତିକୁ ଦ୍ରୁତଗତିରେ ବୃଦ୍ଧି କରୁଛି । ଗତ ବର୍ଷ ୫୦୦ ପରମାଣୁ ଅସ୍ତ୍ର ରଖିଥିଲା ଚୀନ୍ କିନ୍ତୁ ନୂଆ ରିପୋର୍ଟ ଅନୁଯାୟୀ ଏବେ ୬୦୦ରୁ ଅଧିକ ପରମାଣୁ ଅସ୍ତ୍ର ରଖିଛି । ଏହାମଧ୍ୟ ଅନୁମାନ କରାଯାଉଛି, ଚୀନ୍ ତାର ପରମାଣୁ କାର୍ଯ୍ୟକ୍ରମର ସମସ୍ତ ବିବରଣୀ ସାର୍ବଜନୀନ କରୁନଥିବାରୁ ତାର ପରମାଣୁ ଅସ୍ତ୍ର ଏହାଠାରୁ ଅଧିକ ହୋଇପାରେ । ଭାରତ-ପାକିସ୍ତାନ ମଧ୍ୟ ଏକାଧିକ ପରମାଣୁ ଅସ୍ତ୍ର ବହନକାରୀ କ୍ଷେପଣାସ୍ତ୍ର କ୍ଲବ୍ରେ ସାମିଲ ଅଛନ୍ତି ।
ରିପୋର୍ଟରେ କୁହାଯାଇଛି ଯେ ୨୦୦୦ ମଧ୍ୟଭାଗ ବେଳକୁ କେବଳ ଫ୍ରାନ୍ସ,, ରୁଷ, ବ୍ରିଟେନ ଏବଂ ଆମେରିକା ପାଖରେ ଏକାଧିକ ପରମାଣୁ ଅସ୍ତ୍ର ବହନ କରିପାରୁଥିବା କ୍ଷେପଣାସ୍ତ୍ର ଥିଲା । ଏହାପରେ ଚୀନ୍ ଏକାଧିକ ଅସ୍ତ୍ର ବହନ କରୁଥିବା ଦୁଇଟି କ୍ଷେପଣାସ୍ତ୍ର ତିଆରି କରିଥିଲା । ଅନ୍ୟପଟେ ଭାରତ, ପାକିସ୍ତାନ ଏବଂ ଉତ୍ତର କୋରିଆ ମଧ୍ୟ ସେମାନଙ୍କର କ୍ଷମତାକୁ ଆଧୁନିକୀକରଣ କରିଛନ୍ତି। ଏବେ ଏହି ତିନି ଦେଶ ମଧ୍ୟ ଏପରି କ୍ଷେପଣାସ୍ତ୍ର କ୍ଲବରେ ସାମିଲ ଅଛନ୍ତି ।
SIPRI ଅନୁଯାୟୀ, ସମଗ୍ର ବିଶ୍ୱରେ ୧୨,୨୪୧ ପରମାଣୁ ଅସ୍ତ୍ର ରହିଛି । ଯେଉଁଥିରୁ ୯,୬୧୪ ପରମାଣୁ ଅସ୍ତ୍ର ସାମରିକ ଗୋଦାମରେ ରଖାଯାଇଛି । ଆଉ ସବୁକୁ ଯୁଦ୍ଧ ମଇଦାନରେ ବା କୌଣସି ବି ମୁହୁର୍ତ୍ତରେ ପାଇଁ ପ୍ରସ୍ତୁତ ରଖାଯାଇଛି । ପାକିସ୍ତାନର ପରମାଣୁ ଅସ୍ତ୍ରର କେନ୍ଦ୍ରବିନ୍ଦୁ କେବଳ ଭାରତ ରହିଛି, କିନ୍ତୁ ଭାରତ ତା'ଠାରୁ ବହୁତ ଆଗକୁ ବଢ଼ିସାରିଛି। ଭାରତ ଏବେ ଏଭଳି ଲଙ୍ଗ ରେଞ୍ଜ ଅସ୍ତ୍ର ପ୍ରସ୍ତୁତ କରୁଛି, ଯାହା ସମଗ୍ର ଚୀନକୁ ବି ଟାର୍ଗେଟ କରିପାରିବ ।
ଅସ୍ତ୍ରଶସ୍ତ୍ରର ସବୁଠାରୁ ବଡ଼ କ୍ରେତା ହେଉଛନ୍ତି ଭାରତ-ପାକିସ୍ତାନ
SIPRI ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ୨୦୨୦-୨୦୨୪ ମଧ୍ୟରେ ବିଶ୍ୱର ୧୬୨ ଦେଶ ପ୍ରମୁଖ ଭାବେ ଅସ୍ତ୍ରଶସ୍ତ୍ର କ୍ରୟ କରିଛନ୍ତି । ଏମାନଙ୍କ ମଧ୍ୟରେ ଭାରତ ଏବଂ ପାକିସ୍ତାନ ସମେତ ୫ଟି ଦେଶ ସବୁଠାରୁ ଅଧିକ ଅସ୍ତ୍ରଶସ୍ତ୍ର କିଣିଛନ୍ତି। ଅନ୍ୟ ତିନୋଟି ଦେଶ ହେଉଛି ସାଉଦି ଆରବ, ୟୁକ୍ରେନ ଏବଂ କତାର ।