India-Pakistan War: ୧୨ ତାରିଖ ଯାଏଁ ସବୁ ସାଇଲେଣ୍ଟ, ତାପରେ...!

ମାତ୍ର ୩ ଦିନ ବି ତିଷ୍ଠି ପାରିଲାନି ପାକିସ୍ତାନ। ଭାରତର ଘନ ଘନ ପାଲଟା ଆକ୍ରମଣ ପରେ ଆଣ୍ଠେଇ ପଡ଼ିଲା ଆତଙ୍କୀସ୍ତାନ। ବର୍ତ୍ତମାନ ପାଇଁ ବନ୍ଦ ହେଲା ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ । ଅସ୍ତ୍ରବିରତି ପାଇଁ ଦୁଇ ଦେଶ ମଧ୍ୟରେ ସହମତି ହୋଇଥିବା ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି । ସେନା ଓ ବିଦେଶ ମନ୍ତ୍ରାଳୟ ପକ୍ଷରୁ ମିଳିତ ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି ଯେ ଭାରତୀୟ ସମୟ ଶୁକ୍ରବାର ସଂଧ୍ୟା ୫ଟାରୁ ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଛି ।
ଜଳ, ସ୍ଥଳ ଓ ଆକାଶରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯାଇଛି । ଦୁଇ ଦେଶର DGMO ସ୍ତରୀୟ କଥାବାର୍ତ୍ତା ପରେ ଏ ନେଇ ନିଷ୍ପତ୍ତି ହୋଇଛି । ଆଜି ଅପରାହ୍ନ ୩ଟା ୩୫ରେ ଦୁଇ ଦେଶର DGMO ଆଲୋଚନା କରିଥିଲେ। ଆସନ୍ତା ୧୨ ତାରିଖ ଦିନ ୧୨ଟାରେ ପୁଣି ଥରେ DGMO ସ୍ତରୀୟ ଆଲୋଚନା ହେବ ।
ଅନ୍ୟପଟେ ପାକିସ୍ତାନର କାପୁରୁଷ କାରନାମାର ପର୍ଦ୍ଦାଫାସ୍ କରିଛି ଭାରତୀୟ ସେନା । ଗୁରୁବାର ରାତିରେ ନାଗରିକ ବିମାନକୁ ଢାଲ କରିଥିଲା ପାକିସ୍ତାନ। ଭାରତୀୟ ସେନା ପକ୍ଷରୁ କର୍ଣ୍ଣେଲ୍ ସୋଫିଆ କ୍ୟୁରେସି ଓ ଓ୍ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂ ଏବଂ ବୈଦେଶିକ ମନ୍ତ୍ରାଳୟ ସଚିବ ବିକ୍ରମ ମିଶ୍ରି ଶୁକ୍ରବାର ରାତିରେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଆକ୍ରମଣ ଏବଂ ଭାରତ ପକ୍ଷରୁ ଦିଆଯାଇଥିବା ପାଲଟା ଜବାବ ବାବଦରେ ଦେଇଛନ୍ତି ବିସ୍ତୃତ ସୂଚନା।
ସେମାନେ କହିଛନ୍ତି ଭାରତର ଜନବସତି, ହସ୍ପିଟାଲ ଓ ସ୍କୁଲ ଉପରେ ପାକିସ୍ତାନ କରିଛି ଆକ୍ରମଣ । ହାଇସ୍ପିଡ୍ ମିସାଇଲରେ ଭାରତୀୟ ସାମରିକ ଠିକଣାକୁ ବି ପାକିସ୍ତାନ ସେନା ଟାର୍ଗେଟ୍ କରିଥିଲା । କିନ୍ତୁ ଭାରତ ସେବୁ ଆକ୍ରମଣକୁ ବିଫଳ କରିବାରେ ସଫଳ ହୋଇଛି । ମିଳିତ ପ୍ରେସମିଟରେ ସେନା ଓ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହାସହ ସେ ଆହୁରି କହିଛନ୍ତି, ଶୁକ୍ରବାର ରାତିରେ ପାକିସ୍ତାନକୁ ଦିଆଯାଇଛି ମୁହଁତୋଡ଼ ଜବାବ । ପାଲଟା ଆକ୍ରମଣରେ ଧ୍ବଂସ ହୋଇଛି ପାକିସ୍ତାନର ୪ଟି ଏୟାରବେସ୍ ।
ଏହାସହ ଭାରତ କହିଛି ପାକିସ୍ତାନ ଭାରତର ପଞ୍ଜାବର ସାମରିକ ଠିକଣାରେ ହାଇ ସ୍ପିଡ୍ କ୍ଷେପଣାସ୍ତ୍ରରେ ଆକ୍ରମଣ କରିଥିଲା। ଯାହାକୁ ନିଷ୍କ୍ରିୟ କରିଦିଆଗଲା। ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଥିଲେ ପାକିସ୍ତାନ ଲଗାତାର ଉସୁକାଇବା ଭଳି କାରନାମା କରୁଥିଲା।