Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India-Pakistan War: ସୀମାରୁ ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ କାବୁ କଲା ଭାରତୀୟ ସେନା

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
India-Pakistan War: ସୀମାରୁ ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ କାବୁ କଲା ଭାରତୀୟ ସେନା

Key Points


ପ୍ରଧାନମନ୍ତ୍ରୀଙ୍କ ନିକଟରୁ ସେନାକୁ ପୂର୍ଣ୍ଣ ସ୍ବାଧୀନତା ମିଳିବା ପରେ ନିଜ ଆଡୁ ପଦକ୍ଷେପ ନେଲା ସୁରକ୍ଷା ବାହିନୀ । ଆଉ ଏହାରି ଭିତରେ ରାଜସ୍ଥାନରେ ଭାରତ ସୀମା ସୁରକ୍ଷା ବଳ ଦ୍ବାରା ଜଣେ ପାକିସ୍ତାନୀ ରେଞ୍ଜର୍ କାବୁ । ଅନ୍ତର୍ଜାତୀୟ ସୀମା ରାଜସ୍ଥାନ ଶ୍ରୀଗଙ୍ଗା ନଗର ନିକଟରୁ ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ ହେପାଜତକୁ ନେଇଛନ୍ତି ସୁରକ୍ଷା ବଳ ।

ପୂର୍ବରୁ ପାକିସ୍ତାନ ରେଞ୍ଜର୍ସ ଦ୍ୱାରା ଭାରତର ବିଏସଏଫ୍ କନେଷ୍ଟବଳ ପୂର୍ଣ୍ଣମ କୁମାର ସାହୁଙ୍କୁ ଗିରଫ କରିବା ପରେ ଏହି ଘଟଣା ଘଟିଛି । ପୂର୍ଣ୍ଣମ ସାହୁ ଏପ୍ରିଲ ୨୩ ତାରିଖରେ ପଞ୍ଜାବର ଫିରୋଜପୁର ସେକ୍ଟରରେ ଚାଷୀଙ୍କୁ ସୁରକ୍ଷା ଦେବା ସମୟରେ ଅସାବଧାନତାବଶତଃ ଅନ୍ତର୍ଜାତୀୟ ସୀମା ପାର୍ କରିଦେବାରୁ ତାଙ୍କୁ ପାକ୍ ସେନା ଗିରଫ କରି ନିଜ ହେପାଜତରେ ରଖିଛି । ତେବେ ବର୍ତ୍ତମାନ ରାଜସ୍ଥାନ ସୀମାରୁ ଗିରଫ ପାକିସ୍ତାନୀ ରେଞ୍ଜରଙ୍କ ପରିଚୟ ପ୍ରକାଶ କରାଯାଇ ନଥିବା ବେଳେ ସେ ବର୍ତ୍ତମାନ ବିଏସଏଫର ରାଜସ୍ଥାନ ଫ୍ରଣ୍ଟିୟରର ହେପାଜତରେ ଅଛନ୍ତି ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଭୁଲବଶତଃ ସୀମା ପାର୍ କରୁଥିବା ବିଏସଏଫ ଯବାନଙ୍କୁ ଫେରାଇ ଦେବା ପାଇଁ ଏକ ସୁପ୍ରତିଷ୍ଠିତ ପ୍ରକ୍ରିୟା ରହିଛି । କିନ୍ତୁ ଭାରତ-ପାକ୍ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ନେଇ ପାକିସ୍ତାନ, ଭାରତୀୟ ଯବାନ ସାହୁଙ୍କୁ ନିଜ ପାଖରେ ରଖିଛି ।

ଅନ୍ୟପଟେ ଏବେ ବି ସୁଧୁରୁନି ପାକିସ୍ତାନ । ଏଲଓସି ବାରମ୍ବାର କରିଚାଲିଛି ଅସ୍ତ୍ରବିରତି ଉଲ୍ଲଙ୍ଘନ । କୁପୱାରା, ଉରି, ପୁଞ୍ଚ, ନୌସେରା, ରଜୌରୀ, ମେନ୍ଧର୍ ଓ ବାରଙ୍ଗରେ ପୁଣି ଆଜି ପାକିସ୍ତାନ ଆଉଟପୋଷ୍ଟରୁ ଭାରତ ଆଡ଼କୁ ହୋଇଛି ଫାୟାରିଂ । ଯାହାର ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା । ପହଲଗାମ ଘଟଣା ପର ଠାରୁ ସର୍ବମୋଟ ୧୦ଥର ଅସ୍ତ୍ରବିରତି ଉଲଂଘନ କରିସାରିଛି ପାକିସ୍ତାନୀ ସେନା । ଭାରତୀୟ ସେନା ବି ଶତ୍ରୁକୁ ତାରି ଭାଷାରେ ଜବାବ ଦେଇଛି ।

ଏଥର ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢ଼େଇ । ଆତଙ୍କୀ ଓ ଆତଙ୍କୀସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମାନବଜାତି ପାଇଁ ସବୁଠୁ ବଡ଼ ବିପଦ ଆତଙ୍କବାଦ। ଏବେ ଆତଙ୍କୀଙ୍କ ଅଣ୍ଟା ଭାଙ୍ଗିବାକୁ ପ୍ରସ୍ତୁତ ଭାରତର ରଣନୀତି । ସୀମାରେ ସଜାଗ ଭାରତୀୟ ଯବାନ । ଜଳ, ସ୍ଥଳ ଓ ଆକାଶ ସବୁଠି ଶତ୍ରୁକୁ ଧୂଳି ଚଟାଇବାକୁ ଭାରତୀୟ ସେନା ପ୍ରସ୍ତୁତ । ଆତଙ୍କବାଦୀ ସମର୍ଥକଙ୍କ ବିରୋଧରେ ଭାରତର ଆଉ ଏକ ବଡ଼ ଆକ୍ସନରେ ପାକିସ୍ତାନକୁ ଲାଗିଛି ବଡ଼ ଝଟକା । ସିନ୍ଧୁ ପ୍ରହାର ପରେ ପାକିସ୍ତାନ ସହ ସମସ୍ତ ପ୍ରକାର ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିଛି ଭାରତ ।

ପୂର୍ବରୁ ବନ୍ଦ ହୋଇଛି ଅଟାରୀ ୱାଘା ବର୍ଡର । ମୋଦି ସରକାରଙ୍କ ଶେଷ ନିଷ୍ପତ୍ତି ଅନୁସାରେ ଏଣିକି ଭାରତ-ପାକିସ୍ତାନ ମଧ୍ୟରେ ପୋଷ୍ଟାଲ ସେବା ମଧ୍ୟ ବନ୍ଦ ହୋଇଛି । ଭାରତର ଆତଙ୍କବାଦ ବିରୋଧୀ ପଦକ୍ଷେପକୁ ଖୋଲା ସମର୍ଥନ କରିଛନ୍ତି ଆଫ୍ରିକୀୟ ରାଷ୍ଟ୍ର ଓଙ୍ଗୋଲାର ରାଷ୍ଟ୍ରପତି ଜୋଆଓ ଲୋରେଙ୍କୋ । ପହଲଗାମ ଆତଙ୍କୀ ହାମଲାକୁ ନେଇ ଭାରତକୁ ସମର୍ଥନ କରିଥିବାରୁ ରାଷ୍ଟ୍ରପତି ଜୋଆଓ ଲୋରେଙ୍କୋଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏପଟେ ବାରମ୍ବାର ଚେତାବନୀ ପରେ ବି ସୁଧୁରୁନାହିଁ ପାକିସ୍ତାନ । ଏଥର ପଠାନକୋଟ, ଉରୀ ତୁଳନାରେ ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନ ଢେର ବଡ଼ ହେବା ଜାଣିଥିଲେ ବି LoCରେ ଅସ୍ତ୍ରବିରତି ଉଲ୍ଲଂଘନ କରିଚାଲିଛି ପାକିସ୍ତାନ । ଉରି, ଅଖନୁର, କୁପୱାରା ଅଞ୍ଚଳରେ ପାକିସ୍ତାନୀ ସେନାକୁ ମୁହଁତୋଡ଼ ଜବାବ ଦେଇଛନ୍ତି ଭାରତୀୟ ସେନା । ଭାରତର କୁଟନୈତିକ ଓ ବାଣିଜ୍ୟିକ ପ୍ରହାରରେ ଅସ୍ତବ୍ୟସ୍ତ ପାକିସ୍ତାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India-Pakistan War: Indian Army captures a Pakistani Ranger from the border | Argus News