Visa Rules / ବିଦେଶୀଙ୍କ ପାଇଁ ଭାରତୀୟ ଭିସା ଏବେ ଆହୁରି ସରଳ: ୧୩ରୁ ୯କୁ ଖସିଲା ଭିସା ବର୍ଗ

Key Points
୧୩ରୁ ୯କୁ ଖସିଲା ଭିସା ବର୍ଗ, ଆବେଦନ ହେବ ସହଜ
ବିଦେଶୀଙ୍କ ପାଇଁ ଭାରତୀୟ ଭିସା ଏବେ ଆହୁରି ସରଳ
ଭିସା ଆବେଦନ ଫର୍ମରେ ୭୦% ହ୍ରାସ! ବଡ଼ ନିଷ୍ପତ୍ତି
ବିଦେଶୀ ନାଗରିକଙ୍କ ପାଇଁ ଭାରତୀୟ ଭିସା ପ୍ରକ୍ରିୟାକୁ ଅଧିକ ସହଜ ଓ ସରଳ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ମୁଖ୍ୟ ଭିସା ବର୍ଗର ସଂଖ୍ୟା ୧୩ରୁ ହ୍ରାସ କରି ୯କୁ ଏବଂ ଉପ-ବର୍ଗର ସଂଖ୍ୟା ୪୯ରୁ କମାଇ ୨୩କୁ କରାଯାଇଛି । ଏଥିସହ ଭିସା ଆବେଦନ ଫର୍ମରେ ପୂରଣ କରିବାକୁ ଥିବା ତଥ୍ୟର ପରିମାଣ ମଧ୍ୟ ୬୫ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି ।
ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତି ଅନୁସାରେ, ଭାରତୀୟ ଭିସା ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସହ ଭାରତ ଆସୁଥିବା ବିଦେଶୀ ନାଗରିକଙ୍କ ବିଭିନ୍ନ ଆବଶ୍ୟକତା ଅନୁଯାୟୀ ଏହାକୁ ଅନୁକୂଳ କରିବା ହେଉଛି ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ।
କ'ଣ କ'ଣ ହୋଇଛି ପରିବର୍ତ୍ତନ ?
ଗୃହ ମନ୍ତ୍ରଣାଳୟ ଅଗଷ୍ଟ ୨୭ ତାରିଖରେ ମୁଖ୍ୟ ଭିସା ବର୍ଗକୁ ୧୩ରୁ ୯କୁ ଏବଂ ଉପ-ବର୍ଗକୁ ୪୯ରୁ ୨୩କୁ ହ୍ରାସ କରିଥିଲା । ଏହା ପୂର୍ବରୁ ଅକ୍ଟୋବର ୨୦୨୫ରେ ମଧ୍ୟ ଭିସା ବ୍ୟବସ୍ଥାର ସରଳୀକରଣ ପ୍ରକ୍ରିୟାରେ ମୁଖ୍ୟ ବର୍ଗ ସଂଖ୍ୟା ୨୨ରୁ ୧୩କୁ ଏବଂ ଉପ-ବର୍ଗ ସଂଖ୍ୟା ୬୩ରୁ ୪୯କୁ କମାଯାଇଥିଲା । ଭାରତୀୟ ଭିସା ବ୍ୟବସ୍ଥାକୁ ସରଳ କରିବା ପୂର୍ବରୁ ସରକାର ବିକଶିତ ଦେଶଗୁଡ଼ିକର ଭିସା ପ୍ରଣାଳୀ ଏବଂ ଅନ୍ତର୍ଜାତୀୟ ମାନଦଣ୍ଡର ଅଧ୍ୟୟନ କରିଥିଲେ ।
ଇ-ଭିସା ଓ ପର୍ଯ୍ୟଟକ ଭିସାରେ ପରିବର୍ତ୍ତନ
ବର୍ତ୍ତମାନ ୧୭୨ଟି ଦେଶର ନାଗରିକଙ୍କୁ ଭାରତ ପକ୍ଷରୁ ଇ-ଭିସା ସୁବିଧା ପ୍ରଦାନ କରାଯାଉଛି । ଏହି ବ୍ୟବସ୍ଥାରେ ୧୩ଟି ଉପ-ବର୍ଗ ଅନ୍ତର୍ଭୁକ୍ତ ରହିଛି । ପୂର୍ବରୁ ଟୁରିଷ୍ଟ ଭିସା ନାମରେ ପରିଚିତ ବର୍ଗର ନାମ ପରିବର୍ତ୍ତନ କରି 'ଭିଜିଟର ଭିସା' ରଖାଯାଇଛି । ଏହାଦ୍ୱାରା କେବଳ ପର୍ଯ୍ୟଟନ ନୁହେଁ, ଅନ୍ୟାନ୍ୟ ଯାତ୍ରା ଉଦ୍ଦେଶ୍ୟକୁ ମଧ୍ୟ ଏହି ବର୍ଗରେ ସାମିଲ କରାଯାଇପାରିବ । ଏହି ଭିସାକୁ ଦୁଇଟି ଉପ-ବର୍ଗ ଯଥା ଭି-୧ ଓ ଭି-୨ରେ ସୀମିତ ରଖାଯାଇଛି ।
ଚିକିତ୍ସା ଭିସା କ୍ଷେତ୍ରରେ ପାରମ୍ପରିକ ଏବଂ ଆୟୁଷ ଚିକିତ୍ସା ପଦ୍ଧତିରେ ଚିକିତ୍ସା ପାଇଁ ପୃଥକ ବ୍ୟବସ୍ଥା ପୂର୍ବଭଳି ବଜାୟ ରହିଛି । ସେହିପରି ଛାତ୍ର ଭିସାକୁ ମଧ୍ୟ ଦୁଇଟି ବ୍ୟାପକ ଉପ-ବର୍ଗରେ ସୀମିତ କରାଯାଇଛି ।
ବ୍ୟବସାୟିକ ଭିସାରେ କ'ଣ ବଦଳିଲା ?
ବ୍ୟବସାୟିକ ଭିସାକୁ ବି-୧ ଓ ବି-୨ ନାମରେ ଦୁଇଟି ଉପ-ବର୍ଗରେ ବିଭକ୍ତ କରାଯାଇଛି । ବି-୧ ଭିସା ଅଧୀନରେ ଲାଇସେନ୍ସ ଆଧାରରେ ଦୀର୍ଘ ସମୟ ଧରି କରାଯାଉଥିବା ବ୍ୟବସାୟିକ କାର୍ଯ୍ୟକଳାପକୁ ସାମିଲ କରାଯାଇଛି । ଏଥିରେ ଭାରତରେ ଶିଳ୍ପ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ସ୍ଥାପନ କରିବାକୁ ଇଚ୍ଛୁକ ବିଦେଶୀ ନାଗରିକମାନେ ମଧ୍ୟ ଅନ୍ତର୍ଭୁକ୍ତ ହେବେ ।
ଏହାବ୍ୟତୀତ ସମସ୍ତ ୨୩ଟି ଭିସା ବର୍ଗ ଓ ଉପ-ବର୍ଗ ପାଇଁ ଆବେଦନ ଫର୍ମକୁ ସରଳ ଏବଂ ସୁବ୍ୟବସ୍ଥିତ କରିବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ସରକାରଙ୍କ ଏହି ନୂଆ ପଦକ୍ଷେପ ଫଳରେ ବିଦେଶୀ ନାଗରିକଙ୍କ ପାଇଁ ଭାରତୀୟ ଭିସା ଆବେଦନ ପ୍ରକ୍ରିୟା ଅଧିକ ସହଜ, ସ୍ୱଚ୍ଛ ଓ ସମୟ ସଞ୍ଚୟକାରୀ ହେବ ବୋଲି ଆଶା କରାଯାଉଛି ।
📱 Get Argus News App
✨Related Topics
Explore more stories