Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India vs Bangladesh / ବିଗୁଡ଼ୁଛି ସ୍ଥିତି ! ଭାରତ ବିରୋଧରେ ବାଂଲାଦେଶରେ ଜୋରଦାର ହଙ୍ଗାମା

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ବିଗୁଡ଼ୁଛି ସ୍ଥିତି ! ଭାରତ ବିରୋଧରେ ବାଂଲାଦେଶରେ ଜୋରଦାର ହଙ୍ଗାମା
India vs Bangladesh

Key Points

ପ୍ରତିବାଦକାରୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଦିଲ୍ଲୀରୁ ଢାକା ପ୍ରତ୍ୟାର୍ପଣ କରିବାକୁ ଦାବି କରୁଛନ୍ତି, ଭାରତ ଏବଂ ବାଂଲାଦେଶୀ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଉଛନ୍ତି।

ଭାରତ ବିରୋଧରେ ବାଂଲାଦେଶରେ ଲଙ୍କାକାଣ୍ଡ । ଭାରତ ବିରୋଧୀ ନାରା ଦେଇ ରାସ୍ତାକୁ ଓହ୍ଲାଇଲେ ଜନତା । ହଜାର ହଜାର ଜନତା ରାଜରାସ୍ତାକୁ ଓହ୍ଲାଇଲେ । ଢାକାରେ ଭାରତୀୟ ଦୂତାବାସକୁ ଟାର୍ଗେଟ୍‌ କଲେ। ଭାରତୀୟ ଦୂତାବାସ ବାହାରେ ନାରାବାଜି କଲେ । ଭାରତ ବିରୋଧୀ ନାରାବାଜି କରିଛନ୍ତି ମୌଳବାଦୀ। ଏପଟେ ଢାକାରେ ଭାରତୀୟ ଦୂତାବାସର ସୁରକ୍ଷା ନେଇ ବାଂଲାଦେଶ ହାଇକମିଶନରଙ୍କୁ ସମନ ଜାରି କରିଛନ୍ତି ଭାରତ ସରକାର।

ବୁଧବାର ଦିନ ବାଂଲାଦେଶର ରାଜଧାନୀ ଢାକାରେ ଥିବା ଭାରତୀୟ ଉଚ୍ଚାୟୋଗ ସମ୍ମୁଖରେ ଶହ ଶହ ଲୋକ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହି ବିକ୍ଷୋଭ ପଛରେ ମୌଳବାଦୀ ସଂଗଠନମାନେ ଥିବା କୁହାଯାଉଛି । ଏହି ପ୍ରଦର୍ଶନ ଜୁଲାଇ ବିଦ୍ରୋହ ସହିତ ଜଡିତ କିଛି ଯୁବ ମୌଳବାଦୀଙ୍କ ନେତୃତ୍ୱରେ ଚାଲିଛି, ଯେଉଁମାନେ ନିଜକୁ ଓଇକେ ଜୁଲାଇ ସଂଗଠନ ଭାବରେ ପରିଚୟ ଦିଅନ୍ତି। ପ୍ରତିବାଦକାରୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଦିଲ୍ଲୀରୁ ଢାକା ପ୍ରତ୍ୟାର୍ପଣ କରିବାକୁ ଦାବି କରୁଛନ୍ତି, ଭାରତ ଏବଂ ବାଂଲାଦେଶୀ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଉଛନ୍ତି।

ଅନ୍ୟପଟେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତରେ ଅବସ୍ଥାପିତ ବାଂଲାଦେଶର ହାଇକମିଶନର ଏମ୍. ରିଆଜ ହମିଦୁଲ୍ଲାଙ୍କୁ ସମନ କରିଛନ୍ତି। ତାଙ୍କୁ ଢାକାରେ ଭାରତୀୟ ମିଶନର ସୁରକ୍ଷା ବ୍ୟବସ୍ଥା ଏବଂ ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ଭାରତର ଚିନ୍ତା ବିଷୟରେ ଅବଗତ କରାଯାଇଛି। ଏହି ବିକ୍ଷୋଭର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ବାଂଲାଦେଶ ସରକାର ଭାରତୀୟ ଉଚ୍ଚାୟୋଗ ବାହାରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରିଛନ୍ତି। କୌଣସି ହିଂସା କିମ୍ବା ଅପ୍ରୀତିକର ଘଟଣା ରୋକିବା ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକ ସଜାଗ ଅଛନ୍ତି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରଦର୍ଶନକାରୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି, ଯାହା ଫଳରେ ଅଞ୍ଚଳରେ ଏକ ଉତ୍ତେଜନାପୂର୍ଣ୍ଣ ପରିବେଶ ସୃଷ୍ଟି ହେଉଛି। ଅନ୍ୟପକ୍ଷରେ ଏହାକୁ ନେଇ ଭାରତୀୟ ଉଚ୍ଚାୟୋଗ ଅଧିକାରୀ ଓ କର୍ମଚାରୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଭାରତ ସରକାର ମଧ୍ୟ ଏହି ସ୍ଥିତି ଉପରେ ସତର୍କ ସୃଷ୍ଟି ରଖିଛନ୍ତି ।

ବାଂଲାଦେଶର ପ୍ରମୁଖ ଖବରକାଗଜ, ଡେଲି ଷ୍ଟାର ଅନୁଯାୟୀ, ବର୍ତ୍ତମାନର ପରିସ୍ଥିତି ଯୋଗୁଁ ଢାକାରେ ଥିବା ଭାରତୀୟ ଭିସା କେନ୍ଦ୍ରକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି। ଏ ସମ୍ପର୍କରେ ଭିସା କେନ୍ଦ୍ର ଏହାର ସରକାରୀ ୱେବସାଇଟରେ ଏହି ସୂଚନା ସେୟାର କରିଛି। ଏଥିରେ କୁହାଯାଇଛି ଯେ ସୁରକ୍ଷା କାରଣରୁ ପରବର୍ତ୍ତୀ ସୂଚନା ନମିଳିବା ପର୍ଯ୍ୟନ୍ତ ସମସ୍ତ ସେବା ସ୍ଥଗିତ ରହିବ।

ସେପଟେ ଆଜି ବାଂଲାଦେଶର ନ୍ୟାସନାଲ ସିଟିଜେନ୍ ପାର୍ଟି (ଏନସିପି)ର ନେତା ହସନତ ଅବଦୁଲ୍ଲାଙ୍କ ଭାରତ ବିରୋଧୀ ବୟାନବାଜି କରିଛନ୍ତି । ଏକ ସାର୍ବଜନୀନ ଭାଷଣରେ ସେ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଅଲଗା କରିବାକୁ ଧମକ ଦେଇଥିଲେ। ହସନତ ଅବଦୁଲ୍ଲା ତାଙ୍କର କଠୋର ଭାରତ ବିରୋଧୀ ମତ ପାଇଁ ଜଣାଶୁଣା। ଏକ ସର୍ବଦଳୀୟ ପ୍ରତିବାଦ ରାଲିକୁ ସମ୍ବୋଧିତ କରି ଅବଦୁଲ୍ଲା କହିଥିଲେ ଯେ, ଯଦି ବାଂଲାଦେଶକୁ ଭାରତ ଅସ୍ଥିର କରିବାକୁ ଉଦ୍ୟମ ଜାରି ରଖିବ, ତେବେ ଏହାର ଆଞ୍ଚଳିକ ପରିଣାମ ଗମ୍ଭୀର ହେବ ଏବଂ ଭାରତର ସମଗ୍ର ଉତ୍ତର ପୂର୍ବ ଅଞ୍ଚଳ ବିଚ୍ଛିନ୍ନ କରିଦିଆଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India vs Bangladesh | India summons Dhaka envoy, cites extremist threats amid maritime security worries | Argus News