India v/s Pakistan: ଭାରତ ଭୟରେ ଥରହର ପାକ୍, ଅଧା ବିଶ୍ୱକୁ ଉଡ଼ାଇଦେବାକୁ ଦେଉଛି ଧମକ !

Key Points
ଆମେରିକାର ଭୂମିକାକୁ ନେଇ ଏବେ ସାରା ଦେଶରେ ସନ୍ଦେହ ପ୍ରକାଶ ପାଇଛି ।
ଆମେରିକାର ଟେମ୍ପାରେ ଆୟୋଜିତ ରାତ୍ରିଭୋଜନରେ ଯୋଗଦେଇ ମୁନିର କହିଛନ୍ତି କି, ଆମେ ଏକ ପରମାଣୁ ଅସ୍ତ୍ର ସମ୍ପନ୍ନ ରାଷ୍ଟ୍ର ।
ଭାରତକୁ ନିଜର ବନ୍ଧୁ କହୁଥିବା ଆମେରିକା ଏବେ ରଙ୍ଗ ବଦଳାଇଦେଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଭାରତ ବିରୋଧୀ ନୀତି ଆପଣେଇଛନ୍ତି । ଟାରିଫ୍ ମାଡ ନେଇ ଭାରତ ଓ ଆମେରିକାର ସମ୍ପର୍କରେ ତିକ୍ତତା ଆସିଥିବା ବେଳେ ଟ୍ରମ୍ପ ଏବେ ପାକିସ୍ତାନକୁ କୋଳେଇ ନେଇଛନ୍ତି । ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ସଲ ଅସୀମ୍ ମୁନିର୍ ଆମେରିକା ଗସ୍ତରେ ଥାଇ ଏମିତି ଏକ କାମ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଖାଲି ସେତିକି ନୁହେଁ, ଏଥିରେ ଆମେରିକାର ଭୂମିକାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି ।
ହଁ ଆଜ୍ଞା, ଆମେରିକା ମାଟିରୁ ପାକିସ୍ତାନ ସେନାମୁଖ୍ୟ ଦେଇଛନ୍ତି ପରମାଣୁ ବୋମାର ଧମକ । ଆମେରିକାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାକିସ୍ତାନ ସେନାମୁଖ୍ୟ ଅସିମ୍ ମୁନିର୍ କହିଛନ୍ତି କି ଯଦି ଭାରତ ପକ୍ଷରୁ ପାକିସ୍ତାନର ଅସ୍ତିତ୍ବ ପ୍ରତି ବିପଦ ଦେଖାଦିଏ ତା'ହେଲେ ଆମେ ଅଧା ବିଶ୍ବକୁ ଉଡାଇଦେବୁ । ଆମେରିକାର ଟେମ୍ପାରେ ଆୟୋଜିତ ରାତ୍ରିଭୋଜନରେ ଯୋଗଦେଇ ମୁନିର କହିଛନ୍ତି କି, ଆମେ ଏକ ପରମାଣୁ ଅସ୍ତ୍ର ସମ୍ପନ୍ନ ରାଷ୍ଟ୍ର ।
ଯଦି ଆମକୁ ଲାଗେ କି ଆମେ ବିପଦରେ ଅଛୁ, ତେବେ ଆମେ ଏକା ବୁଡିବୁ ନାହିଁ । ବରଂ ଆମ ସହିତ ଅଧା ଦୁନିଆକୁ ନେଇ ବୁଡିବୁ । ମାତ୍ର ଦୁଇମାସ ଭିତରେ ଦ୍ବିତୀୟ ଥର ପାଇଁ ଆମେରିକା ଗସ୍ତ କରିଥିବା ପାକିସ୍ତାନ ସେନାମୁଖ୍ୟ ଭାରତକୁ ଗୋଟିଏ ପରେ ଗୋଟିଏ ଧମକ ଦେଇଚାଲିଛନ୍ତି । କାରଣ ପରମାଣୁ ବୋମାର ଧମକ ଦେବା ପୂର୍ବରୁ ସିନ୍ଧୁ ଚୁକ୍ତି ବାତିଲକୁ ନେଇ ମଧ୍ୟ ଭାରତକୁ ଧମକ ଦେଇଥିଲେ ଅସିମ ମୁନିର । ସେ କହିଥିଲେ, ଭାରତ ସିନ୍ଧୁ ନଦୀରେ ବନ୍ଧ ବାନ୍ଧିବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବୁ । ଆଉ ଭାରତ ଯେବେ ଏଭଳି କରିବ ଆମେ ୧୦ଟି ମିସାଇଲ ମାଡ କରି ତାକୁ ନଷ୍ଟ କରିଦେବୁ ।
ସିନ୍ଧୁ ନଦୀ କୌଣସି ଭାରତୀୟ ପରିବାରର ଜାଗିର ନୁହେଁ । ଆମ ପାଖରେ କିଛି କମ୍ କ୍ଷେପଣାସ୍ତ୍ର ନାହିଁ । ତେବେ ଚର୍ଚ୍ଚା ହେଉଛି କି ପାକିସ୍ତାନ ସେନାମୁଖ୍ୟଙ୍କ ଏଭଳି ଦୁଃସାହସ ହୁଏତ ଡୋନାଲ୍ଡ ଚ୍ରମ୍ପଙ୍କ ପାଇଁ ହୋଇଛି । କାରଣ ଟାରିଫ୍ ବିବାଦ ପାଇଁ ଆମେରିକା ଓ ଭାରତର ସମ୍ପର୍କରେ ଏକପ୍ରକାର ତିକ୍ତତା ଦେଖା ଦେଇଥିବା ବେଳେ ପାକିସ୍ତାନ ସହିତ ଏବେ ଅଧିକ ନିକଟତର ହେଉଛି ଆମେରିକା । ଯେଉଁଥିପାଇଁ ଆମେରିକା ମାଟିରୁ ହିଁ ପାକିସ୍ତାନ ସେନାମୁଖ୍ୟ ଭାରତକୁ ଏଭଳି ଧମକ ଦେବାର ସାହସ କରିଛନ୍ତି । ତେବେ ପାକିସ୍ତାନର ଫିଲ୍ଡ ମାର୍ସଲ ଅସିମ ମୁନିରଙ୍କ ଏଭଳି ଧମକକୁ ବେଖାତିର କରିଛି ଭାରତ ।
ମୁନିରଙ୍କ ଏଭଳି ବୟାନକୁ ନେଇ ଭାରତ କହିଛି କି ଆମେ ଏପରି କୌଣସି ଧମକକୁ ଭୟ କରିବୁ ନାହିଁ। ପାକିସ୍ତାନ କେବେବି ତା’ର ଅଭ୍ୟାସ ଛାଡିବ ନାହିଁ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ଏହି ମନ୍ତବ୍ୟର ସ୍ପଷ୍ଟ ଜବାବ ଦେଇଛି। ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ପାକିସ୍ତାନୀ ସେନା ମୁଖ୍ୟଙ୍କ ଆମେରିକା ଗସ୍ତ ସମୟରେ ଦିଆଯାଇଥିବା ମନ୍ତବ୍ୟ ପ୍ରତି ଆମର ଦୃଷ୍ଟି ଆକର୍ଷଣ କରାଯାଇଛି। ପରମାଣୁ ଅସ୍ତ୍ର ଦେଖାଇବା ପାକିସ୍ତାନର ପାରମ୍ପରିକ କାର୍ଯ୍ୟ। ପାକିସ୍ତାନର ଏହି ଦାୟିତ୍ୱହୀନତା ବିଷୟରେ ଅନ୍ତର୍ଜାତୀୟ ସମ୍ପ୍ରଦାୟ ନିଜର ନିଷ୍କର୍ଷ ବାହାର କରିପାରିବେ।
ଏମିତି ଏକ ଦେଶ ହାତରେ ପରମାଣୁ ଅସ୍ତ୍ର ରହିଛି, ଯେଉଁ ଦେଶର ଆତଙ୍କବାଦୀ ଗୋଷ୍ଠୀମାନଙ୍କ ସହିତ ମିଶି ରହିଛି। ତେବେ ଭାରତ ପକ୍ଷରୁ ଏକଥା ମଧ୍ୟ ସୂଚାଇ ଦିଆଯାଇଛି କି ପାକିସ୍ତାନର ଏହି ଧମକ କେବଳ ଭାରତ ବିରୋଧରେ ନୁହେଁ । ଏହି ଧମକ ଆମେରିକାକୁ ମଧ୍ୟ ଦିଆଯାଇଛି । କାରଣ ମୁନିର କହିଛନ୍ତି, ଆମେ ଅଧା ବିଶ୍ବକୁ ନେଇ ଡୁବିବୁ । ଅନ୍ୟ ଅର୍ଥରେ କହିବାକୁ ଗଲେ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ଆମେରିକାକୁ ମଧ୍ୟ ଖୋଲାଖୋଲି ପରମାଣୁ ଧମକ ଦେଇଛନ୍ତି ।
ତେବେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହା ଅତ୍ୟନ୍ତ ଦୁଃଖଦ ଯେ ଏହି ମନ୍ତବ୍ୟଗୁଡ଼ିକ ଆମର ବନ୍ଧୁ ଭାବେ ପରିଚିତ ତୃତୀୟ ଦେଶର ମାଟିରୁ ଦିଆଯାଇଛି। କିନ୍ତୁ ଭାରତ ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ ଏହା ପରମାଣୁ ବ୍ଲାକମେଲ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଆମର ଜାତୀୟ ସୁରକ୍ଷାକୁ ସୁରକ୍ଷା ଦେବା ପାଇଁ ଆମେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବୁ।