India Won Champions Trophy 2025: ବିଜୟ ପରେ ଏମିତି ହେଲା ସେଲିବ୍ରେସନ୍, ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ...

ଡ୍ରେସିଂ ରୁମ୍ ମାହୋଲ ପୂରା ଗରମ ଥିଲା । ସମସ୍ତେ ଚିନ୍ତାରେ ଥିଲେ । ସେପଟେ ମଇଦାନରେ ବି ସନ୍ନାଟା ଖେଳିଯାଇଥିଲା । ଗୋଟିଏ ପରେ ଗୋଟିଏ ବଲ ସରୁଥାଏ । ଓଭର ପରେ ଓଭର ସରି ଆସୁଥାଏ । ଓ୍ୱିକେଟ ପଡ଼ିବାର ବି ମନରେ ଭୟ ଥାଏ । ଡ୍ରେସିଂ ରୁମ୍ରେ ଦୁଇ ଜଣ ବ୍ୟାଟ୍ସ ମ୍ୟାନ ବି ପ୍ୟାଡ୍ ପିନ୍ଧି ପ୍ରସ୍ତୁତ ଥାନ୍ତି ମଇଦାନକୁ ଓହ୍ଲାଇବାକୁ । ସମସ୍ତଙ୍କ ମୁଣ୍ଡରୁ ଝାଳ ବହି ଆସୁଥାଏ । କାରଣ ଆଶାନୁରୂପ ଦଳୀୟ ସ୍କୋର ଆଗକୁ ବଢ଼ୁ ନଥାଏ । ଯେତିକି ବଲ ସରି ସରି ଯାଉଥାଏ, ମନରେ ସେତିକି ପ୍ରଶ୍ନ ଗୋଳେଇ ଘାଣ୍ଟି ହେଉଥାଏ । କାଳେ ହାତରୁ ଖସିଯିବ କି ମ୍ୟାଚ୍ । କାଳେ ପୁଣି ଏକ ଓ୍ୱିକେଟର ପତନ ଘଟିବ କି ? ସମସ୍ତେ ସ୍ଥିର ଆଉ ବାକ୍ ଶୂନ୍ୟ ଥିଲେ ।
ମନରେ ଏମିତି ନାନା ଦ୍ୱନ୍ଦ୍ୱ ଭିତରେ ଅଚାନକ ଖେଳିଗଲା ଖୁସିର ମାହୋଲ । ସମସ୍ତେ ଖୁସିରେ ନାଚି ଉଠିଲେ । ଡ୍ରେସିଂରୁମରେ ଝୁମିଲେ, ନାଚିଲେ, ସମସ୍ତେ ସମସ୍ତଙ୍କୁ ଆଲିଙ୍ଗନ କଲେ । ଆଉ ଏପଟେ ମଇଦାନରେ ବି ଶୁଭିଲା ଇଣ୍ଡିଆ... ଇଣ୍ଡିଆ... । ଆତଶବାଜିରେ ଚମକି ଉଠିଲା ଦୁବାଇ ସହର । ଷ୍ଟାଡିୟମ୍ରେ ଥିବା ହଜାର ହଜାର ଦର୍ଶକ ହିନ୍ଦି ଗୀତରେ ଝୁମି ଉଠିଲେ । ମଇଦାନରେ ବି ଉତ୍ସବର ମାହୋଲ । ପଡ଼ିଆରେ ଓ୍ୱକେଟ୍ ଧରି ଡାଣ୍ଡିଆ ଖେଳିବାକୁ ଲାଗିଲେ ରୋହିତ ଓ ବିରାଟ । ସମସ୍ତଙ୍କ ମନରେ ଭରିରହିଥିଲା ଖୁସି ଓ ଉନ୍ମାଦନା ।
ଏହାର ମାତ୍ର କିଛି ମିନିଟ୍ ମଧ୍ୟରେ ଭାରତର ସବୁ ଖେଳାଳି ଧଳା ବ୍ଲେଜର ପିନ୍ଧି ମଇଦାନକୁ ଓହ୍ଲାଇଥିଲେ । ଆଉ ଚାମ୍ପିଅନ୍ସ ଟ୍ରଫିକୁ ଧରି ଫଟୋ ଉଠାଇଥିଲେ । ରୋହିତ ଟ୍ରଫିକୁ କିସ୍ କରିଥିଲେ । କାରଣ ୧୨ ବର୍ଷ ପରେ ମିଳିଥିଲା ଭାରତକୁ ଏଭଳି ଖୁସି । ଏହି ବିଜୟ ପାଇଁ ଭାରତକୁ ୧୨ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିଥିଲା । ଖାଲି ସେତିକି ନୁହେଁ, ଏହି ଚାମ୍ପିଅନ୍ସ ଟ୍ରଫି ଜିତିବା ସହ ଭାରତ ଏକ ନୂଆ ଇତିହାସ ଲେଖିଛି । ବିଶ୍ୱର ଏକମାତ୍ର ଦେଶ ଭାବେ ଭାରତ ସର୍ବାଧିକ ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ବିଜେତା ହୋଇଛି ।
ରବିବାର ଦୁବାଇ ଇଣ୍ଟରନାସନାଲ ଷ୍ଟାଡିଅମ୍ରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମ୍ୟାଚ୍ରେ ଭାରତର ଦମ୍ଦାର ବିଜୟ ପରେ ଭାରତକୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ଭାରତର ଅଧିନାୟକ ରୋହିତ ଶର୍ମା ଫାଇନାଲ ମ୍ୟାଚ୍ ବିଜୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ରୋହିତ ଓପନିଂ କରିବାକୁ ଆସିଥିବା ବେଳେ ସେ ଏକାକି ୮୩ ବଲ୍ ଖେଳି ୭୬ ରନ୍ କରିଥିଲେ । ଯାହା କି ଦଳ ପାଇଁ ଏକ ବଡ଼ ସପୋର୍ଟ ଭାବେ କାର୍ଯ୍ୟ କରିଥିଲା । କାରଣ ଆରମ୍ଭରୁ ଖୁବ୍ ଭଲ ସ୍ଥିତିରେ ଥିବା ଭାରତୀୟ ଦଳ ରୋହିତଙ୍କ ଓ୍ୱିକେଟ ଯିବା ପରେ ଦୁର୍ବଳ ହେଉଥିବା ଦେଖାଯାଇଥିଲା । ରୋହିତ ପ୍ୟାଭିଲିଅନ୍ ଫେରିଯିବା ପରେ ଭାରତର ଗୋଟିଏ ପରେ ଗୋଟିଏ ଭଲ ଓ୍ୱିକେଟର ଖୁବ୍ଶୀଘ୍ର ପତନ ଘଟିଥିଲା ।
📱 Get Argus News App
✨ଏମିତିକି ଏକଦା ସହଜ ବିଜୟ ବୋଲି ଆଶା କରାଯାଉଥିବା ମ୍ୟାଚ୍, ବେଳକୁ ବେଳ ହତରୁ ଖସିବାରେ ଲାଗିଥିଲା । ସୁଭମନ ଗିଲ ୫୦ ବଲ ଖେଳି ୩୧ ରନ୍ କରିଥିବା ବେଳେ ବିରାଟ କୋହଲି ମାତ୍ର ୨ ବଲ ଖେଳି ଏକ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ । ସେହିଭଳି ଶ୍ରେୟସ ଆୟର ୬୨ ବଲ ଖେଳି ୪୮ ରନ୍ କରିଥିଲେ ।
ଅକ୍ସର ପଟେଲ ୪୦ ବଲ ଖେଳି ୨୯ ରନ୍ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୧୮ ବଲ ଖେଳି ୧୮ ରନ୍ କରି ଫେରିଥିଲେ । ଶେଷ ପର୍ଯ୍ୟନ୍ତ ଥିଲେ କେଏଲ୍ ରାହୁଲ ଓ ରବିନ୍ଦ୍ର ଜାଡେଜା । କେଏଲ୍ ରାହୁଲ ୩୩ ବଲ ଖେଳି ଜବରଦସ୍ତ ୩୪ ରନ୍ କରିଥିଲେ । ଆଉ ରବିନ୍ଦ୍ର ଜାଡେଜା ୬ ବଲ ଖେଳି ୯ ରନ୍ କରିଥିଲେ । ଯାହାଫଳରେ ଭାରତ ୪ ଓ୍ୱିକେଟରେ ନ୍ୟୁଜିଲାଣ୍ଡକୁ ହରାଇଥିଲା । ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୫୧ ରନ କରିଥିଲା। ଜବାବରେ ଭାରତ ୪୯ ଓଭରରେ ୬ ୱିକେଟ ହରାଇ ୨୫୪ ରନ ସଂଗ୍ରହ କରି ଚାମ୍ପିଅନ୍ ହୋଇଛି।
ନ୍ୟୁଜିଲାଣ୍ଡ ପକ୍ଷରୁ ଓ୍ୱିଲ ୟଙ୍ଗ ୨୩ ବଲ ଖେଳି ୧୫ ରନ୍ କରିଥିବା ବେଳେ ପ୍ୟାଭିଲିଅନ୍ ଫେରିଥିଲେ । ସେ ବରୁଣ ଚକ୍ରବର୍ତ୍ତୀଙ୍କ ବଲ୍ରେ ଏଲ୍ବିଡବ୍ଲୁର ଶିକାର ହୋଇଥିଲେ । ରଚିନ୍ ରବିନ୍ଦ୍ର ୨୯ ବଲ ଖେଳି ୩୭ ରନ୍ କରିଥିବା ବେଳେ କୁଳଦୀପ ଯାଦବଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ । କେନ୍ ଓ୍ୱିଲିୟମସନ୍ ୧୪ ବଲ ଖେଳି ୧୧ ରନ୍ କରିଥିବା ବେଳେ କୂଳଦୀପ ଯାଦବଙ୍କ ଦ୍ୱାରା କ୍ୟାଚ୍ ଆଉଟ ହୋଇଥିଲେ ।
ଡାରି ମିଚେଲ୍ ୧୦୧ ବଲ ଖେଳି ୬୩ ରନ୍ କରିଥିବା ବେଳେ ମହମ୍ମଦ ସାମିଙ୍କ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ । ତାଙ୍କ କ୍ୟାଚ୍ ଧରିଥିଲେ ରୋହିତ ଶାର୍ମା । ଟମ୍ ଲାଥମ୍ ୩୦ ବଲ ଖେଳି ୧୪ ରନ୍ କରିଥିବା ବେଳେ ତାଙ୍କୁ ଏଲ୍ବିଡବ୍ଲ୍ୟୁ କରିଥିଲେ ରବିନ୍ଦ୍ର ଜାଡେଜା । ଗ୍ଲେନ୍ ଫିଲିପ୍ସ ୫୨ ବଲ ଖେଳି ୩୪ ରନ୍ କରିଥିବା ବେଳେ ତାଙ୍କୁ ବୋଲ୍ଡ କରିଥିଲେ ବରୁଣ ଚକ୍ରବର୍ତ୍ତୀ । ମିଚେଲ୍ ସାଣ୍ଟନର ୧୦ ବଲ୍ ଖେଳି ୮ ରନ୍ କରିଥିବା ବେଳେ ବିରାଟ ଓ ରାହୁଲଙ୍କ ଦ୍ୱାରା ରନ୍ ଆଉଟ୍ ହୋଇଥିଲେ ।