87 Apps Restricted / ସେନା କର୍ମଚାରୀଙ୍କ ପାଇଁ ୮୭ ଆପ୍ ଉପରେ କଟକଣା ! ଫେସବୁକ୍, ସ୍ନାପଚାଟ୍, ଟିଣ୍ଡର ମନା

Key Points
ସେନା କର୍ମଚାରୀଙ୍କ ପାଇଁ ୮୭ ଆପ୍ ଉପରେ କଟକଣା!
ସେନା କର୍ମଚାରୀଙ୍କୁ ଫେସବୁକ୍, ସ୍ନାପଚାଟ୍, ଟିଣ୍ଡର ମନା
ନୂଆଦିଲ୍ଲୀ: ଡିଜିଟାଲ୍ ସୁରକ୍ଷାକୁ ନେଇ ଭାରତୀୟ ସେନାର ବଡ଼ ପଦକ୍ଷେପ। ସମ୍ବେଦନଶୀଳ ସାମରିକ ସୂଚନା ଲିକ୍ ରୋକିବାକୁ ସୈନିକ ଓ ଅଧିକାରୀଙ୍କ ପାଇଁ ୮୭ଟି ମୋବାଇଲ୍ ଆପ୍ ବ୍ୟବହାର ଉପରେ କଟକଣା ଲଗାଯାଇଥିବା ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି। ଏହି ତାଲିକାରେ ଫେସବୁକ୍, ସ୍ନାପଚାଟ୍, ଟିଣ୍ଡର, PUBG ଓ Truecaller ଭଳି ଲୋକପ୍ରିୟ ଆପ୍ ରହିଛି।
ସେନାର ଏହି ପଦକ୍ଷେପ ପଛରେ ରହିଛି ଜାତୀୟ ସୁରକ୍ଷା ଚିନ୍ତା। ସୋସିଆଲ୍ ମିଡିଆ ଓ ଡେଟିଂ ଆପ୍ ମାଧ୍ୟମରେ ନକଲି ପରିଚୟ ସୃଷ୍ଟି କରି ସୈନିକଙ୍କ ସହ ସମ୍ପର୍କ ସ୍ଥାପନ କରାଯାଇପାରେ। ପରେ ଏହି ସମ୍ପର୍କର ଫାଇଦା ଉଠାଇ ସମ୍ବେଦନଶୀଳ ସାମରିକ ସୂଚନା ହାସଲ କରିବାର ଆଶଙ୍କା ରହିଛି। ଏହାକୁ ହନିଟ୍ରାପ୍ କୁହାଯାଏ।
କେଉଁ ଆପ୍ ବ୍ୟବହାର ଉପରେ କଟକଣା?
ରିପୋର୍ଟ ଅନୁଯାୟୀ, ମେସେଜିଂ ଆପ୍ WeChat, Viber, Hike ଓ ShareChat ସମେତ Facebook, Snapchat ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏହି ତାଲିକାରେ ରହିଛି। ସେହିପରି Tinder, Bumble, Hinge ଭଳି ଡେଟିଂ ଆପ୍ ସହ PUBG, TikTok, Zoom, ShareIt, Xender, CamScanner, Truecaller ଓ Reddit ମଧ୍ୟ ଏଥିରେ ସାମିଲ ଥିବା ଦାବି କରାଯାଇଛି।
କେଉଁ ଆପ୍ ବ୍ୟବହାର କରିପାରିବେ ସେନା କର୍ମଚାରୀ?
ସୂଚନା ଅନୁଯାୟୀ, Instagram, YouTube, X ଓ Quoraକୁ କେବଳ ସୂଚନା ଦେଖିବା ପାଇଁ ବ୍ୟବହାର କରିହେବ। ଏଥିରେ ପୋଷ୍ଟ, କମେଣ୍ଟ କିମ୍ବା ମେସେଜ୍ କରିବା ଉପରେ କଟକଣା ରହିଛି। ସେହିପରି WhatsApp, Telegram ଓ Signal ମାଧ୍ୟମରେ କେବଳ ସାଧାରଣ ଏବଂ ଅଣସମ୍ବେଦନଶୀଳ ସୂଚନା ପରିଚିତ ବ୍ୟକ୍ତିଙ୍କ ସହ ସେୟାର କରିହେବ।
ସାଧାରଣ ଲୋକଙ୍କ ପାଇଁ ନୁହେଁ କଟକଣା
ତେବେ ଏହି କଟକଣା ସାଧାରଣ ନାଗରିକଙ୍କ ପାଇଁ ଲାଗୁ ହୋଇନାହିଁ। ଏହା କେବଳ ସେନାର ସୈନିକ ଓ ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ। ସାଧାରଣ ଲୋକେ ପୂର୍ବଭଳି ଏହି ଆପ୍ ବ୍ୟବହାର କରିପାରିବେ। ତେବେ ମୋବାଇଲ୍ ଆପ୍ ମାଧ୍ୟମରେ ଲୋକେସନ୍, ଫଟୋ, କଣ୍ଟାକ୍ଟ ଓ ବ୍ୟକ୍ତିଗତ ତଥ୍ୟ ସେୟାର ହେବାର ଆଶଙ୍କା ଥିବାରୁ ସାମରିକ କର୍ମଚାରୀଙ୍କ ଡିଜିଟାଲ୍ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉଛି।
📱 Get Argus News App
✨Related Topics
Explore more stories