Indian In Russia Ukraine War / ଭାରତୀୟଙ୍କୁ ଜବରଦସ୍ତି ଯୁଦ୍ଧକୁ ନେଉଛି ଋଷ, ଚାକିରି ଦେବେ କହି ଫସାଉଛନ୍ତି ଏଜେଣ୍ଟ !

Key Points
ସେ ଭାରତର ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖି ତାଙ୍କ ସ୍ୱାମୀକୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି ।
ତେଲେଙ୍ଗାନାର ବାସିନ୍ଦା ମହମ୍ମଦ ଅହମ୍ମଦଙ୍କ ସ୍ୱପ୍ନ ଥିଲା, ରୁଷର ଏକ କନ୍ଷ୍ଟ୍ରକ୍ସନ କମ୍ପାନୀରେ କାମ କରିବେ । ଏହି ସ୍ୱପ୍ନ ନେଇ ସେ ଏପ୍ରିଲରେ ତେଲେଙ୍ଗାନା ଛାଡ଼ି ରୁଷରେ ପହଞ୍ଚିଥିଲେ। କିନ୍ତୁ ରୁଷରେ ପହଞ୍ଚିବାର କିଛି ସପ୍ତାହ ମଧ୍ୟରେ ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫସିଗଲେ । କହିବାକୁ ଗଲେ ତାଙ୍କୁ ଚାକିରି ଦେବ କହି ସେଠାକୁ ପଠାଇଥିବା ଏଜେଣ୍ଟ, ତାଙ୍କୁ ଧୋକା ଦେଇଛି । ଏବେ ମହମ୍ମଦ ରୁଷ ପାଇଁ ଆଗ ଧାଡ଼ିରେ ୟୁକ୍ରେନ୍ ସହ ଲଢ଼ିବାକୁ ଯାଉଛନ୍ତି । ତାଙ୍କୁ ବନ୍ଧୁକ ମୁନରେ ଏଭଳି କରିବାକୁ ବାଧ୍ୟ କରାଯାଉଛି। ଏକ ଭିଡିଓ ପୋଷ୍ଟ କରି ସେ ନିଜର ଦୁଃଖଦ ଘଟଣା ସବୁ ବଖାଣିଛନ୍ତି ।
ମହମ୍ମଦଙ୍କ ପତ୍ନୀ ଅଫଶା ବେଗମ, ଯିଏ କି ହାଇଦ୍ରାବାଦରେ ରୁହନ୍ତି । ସେ ଭାରତର ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖି ତାଙ୍କ ସ୍ୱାମୀକୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି । ସେ କହିଛନ୍ତି ରୁଷରେ ତାଙ୍କ ସ୍ୱାମୀ ଫସି ଯାଇଛନ୍ତି ଏବଂ ତାଙ୍କୁ ଯୁଦ୍ଧରେ ସାମିଲ ହେବାକୁ ବାଧ୍ୟ କରାଯାଉଛି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଲେଖିଥିବା ଏହି ଚିଠିରେ, ଅହମ୍ମଦଙ୍କ ପତ୍ନୀ କହିଛନ୍ତି ଯେ ମୁମ୍ବାଇର ଏକ କନ୍ସଲଟାନ୍ସି ସଂସ୍ଥା ତାଙ୍କ ସ୍ୱାମୀଙ୍କୁ ରୁଷର ଏକ କନ୍ଷ୍ଟ୍ରକ୍ସନ କମ୍ପାନୀରେ ଚାକିରି କରାଇଦେବେ କହି ତାଙ୍କୁ ଠକି ଦେଇଛନ୍ତି । ଡିଲ୍ ଅନୁସାରେ ଅହମ୍ମଦ ଭାରତ ଛାଡି ଏପ୍ରିଲ ୨୦୨୫ ରେ ରୁଷରେ ପହଞ୍ଚିଥିଲେ।
ଆଫଶା ବେଗମ ତାଙ୍କ ସ୍ୱାମୀଙ୍କୁ ଭାରତ ଫେରାଇ ଆଣିବା ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି। ପତ୍ନୀଙ୍କ କହିବା କଥା, ଅହମ୍ମଦ ହିଁ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ପରିବାରରେ ଅହମ୍ମଦଙ୍କ ରୋଗାଗ୍ରସ୍ତ ମା', ଆଫଶା ବେଗମ ଏବଂ ସେମାନଙ୍କର ଦୁଇ ପିଲା । ଜଣଙ୍କୁ ୧୦ ବର୍ଷ । ଅନ୍ୟ ଜଣଙ୍କୁ ୪ ବର୍ଷ ।
ଭିଡିଓ ପୋଷ୍ଟ କରିଛନ୍ତି ମହମ୍ମଦ ଅହମ୍ମଦ
ଅହମ୍ମଦ ରୁଷରୁ ଏକ ସେଲ୍ଫି ଭିଡିଓ ରେକର୍ଡ କରି ପଠାଇଛନ୍ତି। ଏଥିରେ ସେ କହିଛନ୍ତି ଯେ ତାଙ୍କ ସହିତ ତାଲିମ ନେଇଥିବା ୨୫ ଜଣଙ୍କ ମଧ୍ୟରୁ ୧୭ ଜଣ ପ୍ରାଣ ହରାଇସାରିଛନ୍ତି । ଯେଉଁଥିରେ ଜଣେ ଭାରତୀୟ ମଧ୍ୟ ଅଛନ୍ତି । ସେ କହିଛନ୍ତି, "ମୁଁ ଯେଉଁଠି ଅଛି, ତାହା ବର୍ଡର ଏରିଆ ଏବଂ ଏଠାରେ ଯୁଦ୍ଧ ଚାଲିଛି। ଆମେ ଚାରି ଜଣ ଭାରତୀୟ ଯୁଦ୍ଧ କ୍ଷେତ୍ରକୁ ଯିବାକୁ ମନା କରିଥିଲୁ। ସେମାନେ ଆମକୁ ଯୁଦ୍ଧ କରିବାକୁ ଧମକ ଦେଇଥିଲେ । ମୁଣ୍ଡରେ ବନ୍ଧୁକ ଲଗାଇ ମାରିଦେବେ କହିଲେ ଏବଂ ମୋ ମୃତ୍ୟୁ ଡ୍ରୋନ୍ ଆଟାକ୍ରେ ହୋଇଛି ବୋଲି ଦର୍ଶାଇବେ ବୋଲି ଧମକ ଦେଲେ ।
ଅହମଦ କହିଛନ୍ତି, "ମୋ ଗୋଡରେ ପ୍ଲାଷ୍ଟର ଲାଗିଛି, ମୁଁ ଚାଲିପାରୁନାହିଁ। ଦୟାକରି ମୋତେ ଏଠାକୁ ପଠାଇଥିବା ସେଇ ଧୋକେବାଜ ଏଜେଣ୍ଟଙ୍କୁ ଉଚିତ୍ ଦଣ୍ଡ ଦେବେ, ଯିଏ ମୋତେ ଏଠାକୁ ପଠାଇଛି' । ସେ ମୋତେ ଏସବୁରେ ଫସାଇ ଦେଇଥିଲେ। ସେ ମୋତେ ୨୫ ଦିନ ପର୍ଯ୍ୟନ୍ତ କାମ ନଦେଇ ସେମିତି ବସାଇଥିଲା। ମୁଁ କାମ ମାଗୁଥିଲି, କିନ୍ତୁ ସବୁ ବ୍ୟର୍ଥ। ରୁଷିଆରେ ଚାକିରି ଦେବା ବାହାନାରେ ମୋତେ ଜୋରଜବରଦସ୍ତି ଯୁଦ୍ଧକୁ ପଠାଇ ଦେଇଥିଲେ।"
AIMIM ସଭାପତି ଓୱେସି ଲେଖିଲେ ଚିଠି
ଅହମ୍ମଦଙ୍କ ପରିବାର ସଦସ୍ୟମାନେ ଗତ ସପ୍ତାହରେ AIMIM ସଭାପତି ଅସଦୁଦ୍ଦିନ୍ ଓୱେସିଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ଅହମ୍ମଦଙ୍କୁ ହାଇଦ୍ରାବାଦ ଫେରାଇ ଆଣିବାରେ ତାଙ୍କର ସାହାଯ୍ୟ ଲୋଡ଼ିଥିଲେ। ପରିବାରର ଅନୁରୋଧ କ୍ରମେ ସାଂସଦ ଓୱେସି ମଧ୍ୟ ଅହମ୍ମଦଙ୍କୁ ଘରକୁ ଫେରାଇ ଆଣିବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ଏବଂ ରୁଷରେ ଥିବା ଭାରତୀୟ ଦୂତାବାସକୁ ଚିଠି ଲେଖିଥିଲେ। ଦୂତାବାସକୁ ଲେଖିଥିବା ଚିଠିରେ, ଅହମ୍ମଦଙ୍କୁ ସୁରକ୍ଷିତ ଘରକୁ ଫେରାଇ ଆଣିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ଓଓ୍ୱେସି।
ରୁଷକୁ ଭାରତର ଚିଠି
ମସ୍କୋରେ ଥିବା ଭାରତୀୟ ଦୂତାବାସର କାଉନସେଲର ତାଦୁ ମାମୁ କହିଛନ୍ତି, ଦୂତାବାସ ଅହମ୍ମଦଙ୍କ ଡିଟେଲ୍ସ ରୁଷୀୟ କର୍ତ୍ତୃପକ୍ଷଙ୍କ ସହ ସେୟାର କରିଛି । ରୁଷୀୟ ସେନାରୁ ତାଙ୍କର ତୁରନ୍ତ ମୁକ୍ତି ଏବଂ ଭାରତକୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନିଶ୍ଚିତ କରିବାକୁ ଅନୁରୋଧ କରାଯାଇଛି। ଅଧିକାରୀ କହିଛନ୍ତି ଯେ, "ଦୂତାବାସ ପ୍ରାଥମିକତା ଭିତ୍ତିରେ ରୁଷୀୟ ସେନାରେ ଭାରତୀୟ ନାଗରିକଙ୍କ ସମସ୍ତ ମାମଲା ଉପରେ ନଜର ରଖିଛି। ଅହମ୍ମଦଙ୍କ ସମ୍ପର୍କରେ ଆଗକୁ ଯାହା ବି ଅପଡେଟ୍ ଆସିବ, ଦୂତାବାସ ତାଙ୍କ ପରିବାରକୁ ଅବଗତ କରିବ।
ଗତ ମାସରେ, ୨୭ ଜଣ ଭାରତୀୟ ନାଗରିକଙ୍କୁ ଋଷ ସେନାରୁ ମୁକ୍ତ କରିବା ପାଇଁ ରୁଷକୁ ଅନୁରୋଧ କରିଥିଲା ଭାରତ । ଯେଉଁମାନେ ନୂଆ କରି ରୁଷ ସେନାରେ ନିଯୁକ୍ତି ପାଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, 'ନୂଆଦିଲ୍ଲୀ ଜାଣିବାକୁ ପାଇଛି ଯେ ଅନେକ ଭାରତୀୟଙ୍କୁ ଏବେ ରୁଷ ସେନାରେ ସାମିଲ କରାଯାଇଛି, ସେମାନଙ୍କ ପରିବାରଠାରୁ ଆମକୁ ସୂଚନା ମିଳିଛି । ଆମ ପାଖରେ ଥିବା ସୂଚନା ଅନୁଯାୟୀ, ୨୭ ଜଣ ଭାରତୀୟ ନାଗରିକ ବର୍ତ୍ତମାନ ରୁଷ ସେନାରେ ନିୟୋଜିତ ଅଛନ୍ତି । ଆମେ ଏହି ବିଷୟରେ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ମଧ୍ୟ ଯୋଗାଯୋଗରେ ଅଛୁ ।
📱 Get Argus News App
✨Related Topics
Explore more stories