କ୍ରୁଡ ଅଏଲ୍ କିଣିବାକୁ ରୂପିରେ ଦୁବାଇକୁ ପ୍ରଥମ ପେମେଣ୍ଟ କଲେ ଭାରତ ସରକାର

ଅର୍ଗସ ବ୍ୟୁରୋ: ଗ୍ଲୋବାଲ୍ କରେନ୍ସି ହେବା ଅଭିମୁଖେ ଭାରତୀୟ ମୁଦ୍ରା । ଅନ୍ତର୍ଜାତୀୟ ବଜାରରେ ଟଙ୍କାର ସ୍ଥିତି ସୁଦୃଢ କରିବାକୁ ଭାରତର ସରକାରଙ୍କ ଐତିହାସିକ ପଦକ୍ଷେପ । କ୍ରୁଡ ଅଏଲ୍ କିଣିବାକୁ ରୂପିରେ ଦୁବାଇକୁ ପ୍ରଥମ ପେମେଣ୍ଟ କଲେ ଭାରତ ସରକାର । ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ, ଆବୁଧାବିର ନ୍ୟାସନାଲ୍ ଅଏଲ୍ କମ୍ପାନୀଠାରୁ ୧୦ ଲକ୍ଷ ବ୍ୟାରେଲ୍ କ୍ରୁଡ୍ ଅଏଲ୍ କିଣିବାକୁ ଭାରତୀୟ ମୁଦ୍ରାରେ ପେମେଣ୍ଟ କରିଛି।
ଏହାଛଡ଼ା ଋଷଠାରୁ କିଣାଯାଇଥିବା କ୍ରୁଡ ଅଏଲର କିଛି ଅଂଶ ଭାରତୀୟ ମୁଦ୍ରାରେ କିଣାଯାଇଛି। ଗତବର୍ଷଠାରୁ ଭାରତ ତୈଳ କିଣିବାକୁ ଡଲାର ବଦଳରେ ଟଙ୍କାରେ ପେମେଣ୍ଟ କରିବାକୁ ନିଷ୍ପତ୍ତି ନେଇଛି। ଏକ୍ଷେତ୍ରରେ ରିଜର୍ଭ ବ୍ୟାଙ୍କ ମଧ୍ୟ ଜରୁରୀ ପଦକ୍ଷେପ ନେଇଛି। ଭାରତୀୟ ମୁଦ୍ରାକୁ ଅନ୍ତର୍ଜାତୀୟସ୍ତରକୁ ନେବାକୁ ଏହା ପ୍ରଥମ ପ୍ରୟାସ। କେବଳ ୟୁଏଇ ନୁହେଁ ଭାରତ ତୈଳ ଆମଦାନୀ କରୁଥିବା ଅନ୍ୟ ଦେଶମାନଙ୍କ ସହ ଟଙ୍କା କାରବାର କରିବାକୁ ପ୍ରୟାସ ଜାରି ରଖିଛି ।
ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ମୁଦ୍ରାର କାରବାର ହେଲେ ଡଲାର ଉପରେ ନିର୍ଭରଶୀଳତା କମିବ । ଏହାଦ୍ବାରା ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ଅନ୍ତର୍ଜାତୀୟ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ କମ ରହିବ । ଭାରତ ଆବଶ୍ୟକ କରୁଥିବା ତୈଳର ୮୫ ପ୍ରତିଶତ ବିଦେଶରୁ ଆମଦାନୀ କରୁଛି । ଏଥିପାଇଁ ବିପୁଳ ପରିମାଣର ଡଲାର୍ ପେମେଣ୍ଟ କରିବାକୁ ପଡୁଛି ।
ଆହୁରି ପଢନ୍ତୁ ଭାରତ ଖବର...