Smith Machhar / ଆକାଶରେ ହାଇଜାକ୍ ଚେଷ୍ଟା, ଭାରତୀୟ ପାଇଲଟ୍ ବଞ୍ଚାଇଲେ ୧୮୦ ଜୀବନ ଜାଣନ୍ତୁ ପୂରା ଘଟଣା

Key Points
କକପିଟ୍ରେ ଭୟଙ୍କର ଝଗଡ଼ା ଆହତ ହୋଇ ବିମାନ ବଞ୍ଚାଇଲେ ସ୍ମିତ
୧୭,୪୦୦ ଫୁଟ୍ ତଳକୁ ଖସିଲା ବିମାନ ଶେଷରେ ସୁରକ୍ଷିତ ଲ୍ୟାଣ୍ଡିଂ
କ୍ୟାପ୍ଟେନ୍ ସ୍ମିତଙ୍କ ସାହସ ଟଳିଗଲା ବଡ଼ ବିମାନ ବିପଦ
ବୁଧବାର ଫ୍ଲାଇଦୁବାଇର ଏକ ବିମାନକୁ ହାଇଜାକ୍ କରିବାର ନିଷ୍ଫଳ ଉଦ୍ୟମ ହୋଇଥିବା ଦାବି କରାଯାଇଛି । ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଛାରଙ୍କ ସାହସ ଏବଂ ବିମାନରେ ଥିବା କିଛି ଯାତ୍ରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ବିପଦ ଟଳି ଯାଇଛି ।
ରିପୋର୍ଟ ଅନୁସାରେ, ଫ୍ଲାଇଦୁବାଇର FZ1073 ବିମାନରେ ପ୍ରାୟ ୧୮୦ ଜଣ ଲୋକ ଥିଲେ । ଦୁବାଇରୁ ଉଡ଼ାଣ ଭରିବା ପରେ ବିମାନରେ ହଠାତ୍ ଏକ ଘଟଣା ଘଟିଥିଲା । ମାତ୍ର ଦୁଇ ମିନିଟ୍ ମଧ୍ୟରେ ବିମାନ ପ୍ରାୟ ୧୭,୪୦୦ ଫୁଟ୍ ତଳକୁ ଖସିଥିବା କୁହାଯାଉଛି । ଏହାପରେ ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା ।
କକପିଟ୍ରେ ପାଇଲଟ୍ ଓ କୋ-ପାଇଲଟ୍ଙ୍କ ମଧ୍ୟରେ ଝଗଡ଼ା
ଯାତ୍ରୀଙ୍କ ଦାବି ଏବଂ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କକପିଟ୍ରେ ଭାରତୀୟ ପାଇଲଟ୍ ସ୍ମିତ ମଛାର ଏବଂ ଓମାନୀ ମୂଳର କୋ-ପାଇଲଟ୍ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ସମୟରେ କୋ-ପାଇଲଟ୍ ପାଇଲଟଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିବା ଦାବି ହୋଇଛି । ଘଟଣା ସମୟରେ କକପିଟ୍ରୁ ଚିତ୍କାର ଶୁଣିବାକୁ ମିଳିଥିଲା । ଜଣେ ମହିଳା ନିଜ ପିଲାଙ୍କୁ ୱାଶରୁମ୍କୁ ନେଉଥିବା ବେଳେ କକପିଟ୍ରୁ ଏହି ଶବ୍ଦ ଶୁଣିଥିବା ରିପୋର୍ଟରେ କୁହାଯାଇଛି ।
ଆହତ ହେବା ସତ୍ତ୍ୱେ ଦ୍ୱାର ଖୋଲିଲେ ପାଇଲଟ୍
ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିଲେ ମଧ୍ୟ କ୍ୟାପ୍ଟେନ୍ ସ୍ମିତ ମଛାର କକପିଟ୍ର ଦ୍ୱାର ଖୋଲିଥିବା କୁହାଯାଇଛି। ଏହାପରେ ବିମାନରେ ଥିବା କିଛି ଇସ୍ରାଏଲୀ ଯାତ୍ରୀ ତୁରନ୍ତ କକପିଟ୍ ଭିତରକୁ ଯାଇ ସହାୟତା କରିଥିଲେ । ସେମାନଙ୍କ ମଧ୍ୟରେ ଛୁଟିରେ ଯାତ୍ରା କରୁଥିବା ଦୁଇଜଣ ପାଇଲଟ୍ ମଧ୍ୟ ଥିବା କୁହାଯାଇଛି । ପ୍ରଥମେ ଯାତ୍ରୀମାନେ ଆକ୍ରମଣକାରୀ କୋ-ପାଇଲଟ୍ଙ୍କୁ ନିୟନ୍ତ୍ରଣକୁ ନେଇ କକପିଟ୍ରୁ ବାହାର କରିଥିଲେ । ପରେ ଛୁଟିରେ ଥିବା ଦୁଇ ପାଇଲଟ୍ ବିମାନକୁ ନିୟନ୍ତ୍ରଣ କରିବାରେ ସହାୟତା କରିଥିଲେ । ଶେଷରେ ବିମାନଟି ସୁରକ୍ଷିତ ଭାବେ ସାଉଦି ଆରବର ତାବୁକ୍ ବିମାନବନ୍ଦରରେ ଅବତରଣ କରିଥିଲା ।
ଡେଣ୍ଟିଷ୍ଟ ବଞ୍ଚାଇଲେ ଆହତ ପାଇଲଟଙ୍କ ଜୀବନ
ଆକ୍ରମଣରେ କ୍ୟାପ୍ଟେନ୍ ସ୍ମିତ ମଛାରଙ୍କ ଶରୀରରୁ ବହୁତ ରକ୍ତ ବାହାରିଯାଇଥିଲା । ବିମାନରେ ଥିବା ଜଣେ ଇସ୍ରାଏଲୀ ଡେଣ୍ଟିଷ୍ଟ ତୁରନ୍ତ ତାଙ୍କୁ ପ୍ରାଥମିକ ଚିକିତ୍ସା ଦେଇ ରକ୍ତସ୍ରାବ ବନ୍ଦ କରିବାରେ ସହାୟତା କରିଥିବା ଦାବି କରାଯାଇଛି । ବିମାନ ତାବୁକ୍ରେ ଅବତରଣ କରିବା ପରେ ଆହତ ପାଇଲଟଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଘଟଣାର ସମ୍ଭାବ୍ୟ ଟାଇମଲାଇନ୍
- ସକାଳ ୬:୦୫:ଦୁବାଇରୁ ବିମାନ ଉଡ଼ାଣ ଭରିଥିଲା ।
- ସକାଳ ୮:୨୦: ବିମାନରେ ସମସ୍ୟା ଆରମ୍ଭ ହୋଇଥିବା ଏବଂ ବିମାନ ଦ୍ରୁତ ଭାବେ ତଳକୁ ଖସିଥିବା ଦାବି ।
- ୮:୩୧: ବିମାନରୁ ଇମର୍ଜେନ୍ସି କୋଡ୍ ୭୭୦୦ ପଠାଯାଇଥିଲା ।
- ୮:୩୫: କୋଡ୍ ୭୫୦୦ ପଠାଯାଇଥିଲା, ଯାହା ସାଧାରଣତଃ ହାଇଜାକ୍ ସୂଚନା ପାଇଁ ବ୍ୟବହୃତ ହୁଏ ।
- ୮:୪୧:ବିମାନ ଜୋର୍ଡାନ୍ର ଆକାଶ ସୀମାରେ ପ୍ରବେଶ କରିଥିଲା ।
- ୮:୪୬: ବିମାନ ସାଉଦି ଆରବର ଆକାଶ ସୀମାରେ ପ୍ରବେଶ କରିଥିଲା।
- ୯:୫୪:ବିମାନଟି ତାବୁକ୍ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା ।
ପିଲାଦିନରୁ ପାଇଲଟ୍ ହେବାର ସ୍ୱପ୍ନ ନଥିଲା
କ୍ୟାପ୍ଟେନ୍ ସ୍ମିତ ମଛାର ଏକ ପଡକାଷ୍ଟରେ କହିଥିବା ଅନୁସାରେ, ପିଲାଦିନରୁ ପାଇଲଟ୍ ହେବା ତାଙ୍କ ସ୍ୱପ୍ନ ନଥିଲା । ସ୍କୁଲ୍ ପାଠପଢ଼ା ପରେ ସେ ପରିବାରର ବ୍ୟବସାୟରେ ଯୋଗଦେବା ପାଇଁ ଟେକ୍ସଟାଇଲ୍ ଇଞ୍ଜିନିୟରିଂ ପଢ଼ିବାକୁ ଚାହୁଁଥିଲେ । ପରେ ସେ ମ୍ୟାନେଜମେଣ୍ଟ ପଢ଼ିଥିଲେ । ମ୍ୟାନେଜମେଣ୍ଟ ପଢ଼ୁଥିବା ସମୟରେ ଏକ ସେମିନାରରେ ପାଇଲଟ୍ ହେବାର ଚିନ୍ତା ତାଙ୍କ ମନକୁ ଆସିଥିଲା । ପାଇଲଟ୍ ହେବା ନେଇ ତାଙ୍କ ମା’ ଚିନ୍ତିତ ଥିଲେ, କିନ୍ତୁ ବାପା ତାଙ୍କୁ ଆଗକୁ ବଢ଼ିବାକୁ ସାହସ ଦେଇଥିଲେ ବୋଲି ସ୍ମିତ କହିଥିଲେ ।
ବୋଇଂ ୭୩୭ ଉଡ଼ାଇବାର ୧୩ ବର୍ଷର ଅଭିଜ୍ଞତା
ସ୍ମିତ ମଛାରଙ୍କ LinkedIn ପ୍ରୋଫାଇଲ୍ ଅନୁସାରେ, ତାଙ୍କର Boeing 737 ବିମାନ ଉଡ଼ାଇବାର ପ୍ରାୟ ୧୩ ବର୍ଷର ଅଭିଜ୍ଞତା ରହିଛି । ସେ ପୂର୍ବରୁ ସ୍ପାଇସଜେଟ୍ରେ ପାଇଲଟ୍ ଭାବେ କାମ କରିଥିଲେ ଏବଂ ଜୁନ୍ ୨୦୨୨ରୁ ଫ୍ଲାଇଦୁବାଇ ସହ ଜଡ଼ିତ ଥିବା ଉଲ୍ଲେଖ ରହିଛି ।
ଏହି ଘଟଣାର ପ୍ରକୃତ କାରଣ, କକପିଟ୍ରେ ଘଟିଥିବା ଘଟଣା ଏବଂ ହାଇଜାକ୍ ଉଦ୍ୟମ ସମ୍ପର୍କିତ ସମସ୍ତ ତଥ୍ୟ ତଦନ୍ତ ପରେ ଅଧିକ ସ୍ପଷ୍ଟ ହେବ । ବର୍ତ୍ତମାନ ପାଇଲଟ୍ ଓ ଯାତ୍ରୀଙ୍କ ସାହସ ଯୋଗୁଁ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିପାରିଥିବା ଖବର ସାମ୍ନାକୁ ଆସିଛି ।
📱 Get Argus News App
✨Related Topics
Explore more stories