ଭାରତୀୟଙ୍କୁ ଖୁସି ଦେଲେ ଭକର

ନୂଆଦିଲ୍ଲୀ: ଇତିହାସ ରଚିଲେ ମନୁ ଭାକର। ମାତ୍ର 22 ବର୍ଷର ଏହି ଝିଅ ଦେଶ ପାଇଁ ଆଣିଛନ୍ତି ବଡ଼ ଗୌରବ। ପ୍ୟାରିସ୍ ଅଲିମ୍ପିକରେ ଖୋଲିଛି ଭାରତର ପଦକ ଖାତା। ଭାରତ ପାଇଁ ପ୍ରଥମ ପଦକ ଜିତି ମନୁ ଭାକର ସାରା ଦେଶ ପାଇଁ ଖୁସି ଆଣିଛନ୍ତି। 10 ମିଟର ଏୟାର ପିସ୍ତଲରେ ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକରଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଏହି ସଫଳତା ଖୁବ୍ ଖାସ୍ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଗୃହମନ୍ତ୍ରୀ ଅମିତ୍ ଶାହ, ଅଲିମ୍ପିକ୍ ସ୍ବର୍ଣ୍ଣ ବିଜେତା ଅଭିନବ ବିନ୍ଦ୍ରା ବି ମନୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ପଦକ ଖାତା ଖୋଲିଛନ୍ତି ମନୁ ଭାକର। ୧୦ ମିଟର ଏୟାର ପିସ୍ତଲ ମହିଳା ଫାଇନାଲରେ ମନୁ ଭାକର ଚମତ୍କାର ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ୨୨୧.୭ ସ୍କୋର ସହିତ ବ୍ରୋଞ୍ଜ ପଦକ ଜିତିଥିଲେ। ଫାଇନାଲରେ ମନୁ ଆରମ୍ଭରୁ ତୃତୀୟ ସ୍ଥାନ ବଜାୟ ରଖିଥିଲେ। ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି ମନୁ। ୨୨୧.୭ ପଏଣ୍ଟ ସ୍କୋର କରି ଏପରି ସଫଳତା ହାସଲ କରିଛନ୍ତି ମନୁ ଭାକର। ହରିୟାଣାରେ ଜନ୍ମିତ ମନୁ ଭାକର ପ୍ରଥମ ଭାରତୀୟ ମହିଳା ଶୁଟର ଭାବେ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି।
ପ୍ରଥମ ସିରିଜର ୫ ଶୁଟରେ ମନୁ ଭାକର ୩ ଥରରୁ ୧୦ରୁ ଅଧିକ ପଏଣ୍ଟ ସ୍କୋର କରିଥିଲେ। ଦ୍ୱିତୀୟ ସେଟ୍ ପରେ ତାଙ୍କୁ ପଏଣ୍ଟ ୧୦୦.୩ ହୋଇଯାଇଥିଲା। ସେ ପୂରା ରାଉଣ୍ଡରେ ୩ ନଂରୁ ତଳକୁ ଖସି ନାହାନ୍ତି। ଏକଦା ସେ ଦୁଇ ନମ୍ବର ସ୍ଥାନକୁ ମଧ୍ୟ ଚାଲି ଯାଇଥିଲେ। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଓ ରୌପ୍ୟ ପଦକ ଦକ୍ଷିଣ କୋରିଆ ପାଖକୁ ଯାଇଛି। ସ୍ୱର୍ଣ୍ଣ ପଦକ ୱାଇ ଜେ ଓହ ଜିତିଥିବା ବେଳେ କିମ ରୌପ୍ୟ ପଦକ ପାଇଛନ୍ତି। ଉଭୟଙ୍କ ସ୍କୋର ଯଥାକ୍ରମେ ୨୪୩.୨ ଓ ୨୪୧.୩ ରହିଥିଲା। ୩ ବର୍ଷ ତଳେ ଟୋକିଓ ଅଲିମ୍ପିକ୍ସରେ ମନୁ ଭାକର ଦମଦାର ପ୍ରଦର୍ଶନ କରିଥିଲେ ହେଁ ଫାଇନାଲ ରାଉଣ୍ଡରେ ପ୍ରବେଶ କରି ପାରି ନଥିଲେ। ତାଙ୍କୁ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେବାକୁ ପଡ଼ିଥିଲା। ହେଲେ ପ୍ୟାରିସରେ ସେ ନିଜର ଅଧୂରା ସ୍ୱପ୍ନକୁ ପୂରା କରିପାରିଛନ୍ତି। ମନୁ ଭାକରଙ୍କୁ ଏହି ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଗୃହମନ୍ତ୍ରୀ ଅମିତ ଶାହ ଓ ଅଭିନବ ବିନ୍ଦ୍ରା ଶୁଭେଚ୍ଛା ଜଣାଇଛନ୍ତି ।
📱 Get Argus News App
✨ଅଧିକ ପଢନ୍ତୁ ଭାରତ ଖବର