Cricket News / କପିଲଙ୍କ ପରେ ଧୋନୀ, ଆଉ ଏବେ ହରମନ

Key Points
୨୦୧୧ ମସିହା, ୱାଙ୍ଖଡେ ଷ୍ଟାଡିୟମ, ମୁମ୍ବାଇ...ମହେନ୍ଦ୍ର ସିଂ ଧୋନି ।
୨୦୨୫ ମସିହା, ଡି ୱାଇ ପାଟିଲ୍ ଷ୍ଟାଡିୟମ, ମୁମ୍ବାଇ, ହରମନପ୍ରୀତ କୌର ।
୧୯୮୩ ମସିହା, ଲଣ୍ଡନର ଲର୍ଡସ୍ । ଏହି ଐତିହାସିକ ଷ୍ଟାଡିୟମରେ ଇତିହାସ ରଚିଥିଲା ଭାରତୀୟ କ୍ରିକେଟ ଦଳ। କପିଲ ଦେବଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ ଦିନିକିଆ ବିଶ୍ବକପ୍ ଜିତିବା ସହ ସାରା ଭାରତରେ ଭରିଗଲା ରୋମାଞ୍ଚ । ଗତରାତିରେ ପୁଣି ସେହିଭଳି ରୋମାଞ୍ଚ ଅନୁଭବ କରିଛନ୍ତି ଭାରତବାସୀ। ଏଥର କୋଟି କୋଟି କ୍ରିକେଟ ପ୍ରେମୀଙ୍କୁ ଖୁସିର ଉତ୍ସବ ମନାଇବାକୁ, ବିଜୟ ନେଇ ଗର୍ବ କରିବାକୁ ସୁଯୋଗ ଆଣି ଦେଇଛନ୍ତି ୱିମେନ୍ ଇନ୍ ବ୍ଲୁ ।
ହରମନପ୍ରୀତ କୌରଙ୍କ ନେତୃତ୍ବାଧୀନ ଭାରତୀୟ ମହିଳା କ୍ରିକେଟ ଦଳ ମୁମ୍ବାଇର ଡି. ୱାଇ ପାଟିଲ୍ ଷ୍ଟାଜଡିୟମରେ ରଚିଛନ୍ତି ଇତିହାସ । ଆଉ ବିଜୟ ପରେ ଏହି ଟିମକୁ ଛୁଟୁଛି ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ । ବିସିସିଆଇ ୫୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି। ମୁମ୍ବାଇରୁ ଦିଲ୍ଲୀ, ଭୁବନେଶ୍ବରରୁ ଶ୍ରୀନଗର ସବୁଠି ପାଳନ ହୋଇଛି ଉତ୍ସବ ।
୧୯୮୩ ମସିହା...ଲର୍ଡସ୍ ଷ୍ଟାଡିୟମ, ଲଣ୍ଡନ... କପିଲ ଦେବ । ୨୦୧୧ ମସିହା, ୱାଙ୍ଖଡେ ଷ୍ଟାଡିୟମ, ମୁମ୍ବାଇ...ମହେନ୍ଦ୍ର ସିଂ ଧୋନି । ୨୦୨୫ ମସିହା, ଡି ୱାଇ ପାଟିଲ୍ ଷ୍ଟାଡିୟମ, ମୁମ୍ବାଇ, ହରମନପ୍ରୀତ କୌର । ଦିନିକିଆ କ୍ରିକେଟରେ ଭାରତର ବିଶ୍ବକପ ବିଜୟ, କୋଟି କୋଟି କ୍ରିକେଟ ପ୍ରେମୀଙ୍କ ମନରେ ଭରିଦେଇଛି ରୋମାଞ୍ଚ । ଆଉ ଏବେ ସବୁକୁ ବଳିଯାଇଛି ରବିବାର ରାତିର ଚିତ୍ର । ମୁମ୍ବାଇର ଡି.ୱାଇ ପାଟିଲ୍ ଷ୍ଟାଡିୟମରେ ଇତିହାସ ରଚିଲେ ଭାରତର ମହିଳା କ୍ରିକେଟ ଟିମ୍ । ସେହି ଝିଅମାନେ ଏବେ ବିଶ୍ବର ନୂଆ ଦବଙ୍ଗ । ୧୯୮୩ରେ ଯେଉଁ ଇତିହାସ କପିଲ ଦେବଙ୍କ ନେତୃତ୍ବରେ ଭାରତୀୟ ପୁରୁଷ ଟିମ୍ ରଚିଥିଲା, ସେମିତି ଇତିହାସ ରଚିଛି ଏ ଭାରତୀୟ ମହିଳା ଟିମ୍ ।
ବିଶ୍ବ କ୍ରିକେଟ୍ ଇତିହାସରେ ଗର୍ବର ସହ ନିଜ ନାଁ ଯୋଡ଼ିଦେଇଛନ୍ତି ଭାରତର ଝିଅ। ଏମାନେ କହିଛନ୍ତି ଆମେ ୱାର୍ଲଡ ନଂ ୧ । ICC ମହିଳା ୱାର୍ଲଡ କପ୍ ଫାଇନାଲରେ ସାଉଥ୍ ଆଫ୍ରିକାକୁ ୫୨ ରନରେ ହରାଇ ଭାରତ ପ୍ରଥମ ଥର ନିଜ ନାଁରେ କଲା ଟାଇଟଲ୍ । ଏହି ଐତିହାସିକ ବିଜୟ ପରେ ସାରା ଦେଶରେ ଉତ୍ସବର ପରିବେଶ ।
କୋଲକାତାରୁ ନେଇ ମୁମ୍ବାଇ ଯାଏଁ ଭୁବନେଶ୍ବର ଦିଲ୍ଲୀରୁ ନେଇ ଦାର୍ଜିଲିଂ ଯାଏଁ ଶ୍ରୀନଗରରୁ କନ୍ୟାକୁମାରୀ ଯାଏଁ ସମସ୍ତେ ଭାରତର ଝିଅମାନଙ୍କର ସଫଳତା ଉପରେ ଗର୍ବ କରୁଛନ୍ତି । ୱାର୍ଲଡ ଚାମ୍ପଅନ୍ ହେବା ପରେ ସାରା ଦେଶ ଏହି ଚମତ୍କାର ବିଜୟର ଉତ୍ସବ ମନାଉଛି । ମୁମ୍ବାଇର ଡି.ୱାଇ ପାଟିଲ୍ ଷ୍ଟାଡିୟମରେ ଭାରତ ସାଉଥ୍ ଆଫ୍ରିକାକୁ ମାତ୍ ଦେବା କ୍ଷଣି ନାରାରେ କମ୍ପିଉଠିଲା ପୁରା ମୈଦାନ । ଷ୍ଟାଡିୟମ ବାହାରେ ବି କିଛି କମ୍ ନଥିଲା ନଜାରା । ନଭି ମୁମ୍ବାଇରେ ଢୋଲ ବାଜାଇବା ସହ ଲୋକେ ରାତି ସାରା ଉତ୍ସବ ପାଳନ କଲେ। ତ୍ରିରଙ୍ଗା ଉଡୁଥିଲା ଆଉ ସମସ୍ତଙ୍କ ମୁହଁରେ ଦେଖାଯାଉଥିଲା ଗର୍ବର ସେହି ଝଲକ ।
ଭାରତ ୱାର୍ଲଡ ଚାମ୍ପିଅନ୍ ହେବାରେ ସବୁଠାରୁ ବଡ଼ ଯୋଗଦାନ ରହିଲା ସେଫାଲି ବର୍ମାଙ୍କର । ଏହି ବିଜୟ ପରେ ରୋହତକ ବାସିନ୍ଦା ସେଫାଲିଙ୍କ ଘରେ ଉତ୍ସବ ଆରମ୍ଭ ହୋଇଗଲା। ପରିଜନ ଓ ସମ୍ପର୍କୀଙ୍କ ଭିତରେ ଖୁସି ଥିଲା ଭରପୁର। ବାଜା ଢୋଲର ତାଳେ ତାଳେ ନାଚୁଥିଲେ ସମସ୍ତେ। ସମସ୍ତେ ମିଠା ଖାଇଲେ, ବାଣ ଫୁଟାଇଲେ।
ୱାର୍ଲଡ ଚାମ୍ପିଅନ୍ ଦୀପ୍ତି ଶର୍ମାଙ୍କ ଆଗ୍ରାସ୍ଥିତ ଘରେ ଦେଖାଗଲା ଉତ୍ସାହର ଜୁଆର। ସେଠି ଲୋକେ ଖୁବ୍ ଆତସବାଜି କଲେ। ଦୀପ୍ତିଙ୍କ ମାଙ୍କର ଖୁସି ତ ଥିଲା ସୀମା ପାର। ସେ ପୁରା ଟିମ୍ ଇଣ୍ଡିଆକୁ ଜଣାଇଲେ ଅଭିନନ୍ଦନ। ଦିଲ୍ଲୀରେ ବି ଏହି ମହାବିଜୟର ଉତ୍ସବ ଦେଖାଗଲା। ଇଣ୍ଡିଆ ଗେଟରେ କ୍ରିକେଟ୍ ଫ୍ୟାନ୍ ମାନେ ପ୍ରବଳ ଭିଡ଼ ଜମାଇଥିଲେ। ଦେଶଭକ୍ତିର ଗୀତ ବାଜୁଥିଲା ଆଉ ଲୋକେ ପରସ୍ପରକୁ ମିଠା ଖୁଆଇ ବିଜୟ ଉତ୍ସବ ପାଳିଲେ।
ଦାର୍ଜିଲିଂର ପାର୍ବତ୍ୟାଞ୍ଚଳରେ ବି ଏହି ଚମତ୍କାର ବିଜୟର ରୋମାଞ୍ଚ ଦେଖାଗଲା। ଯୁବବର୍ଗ ହାତରେ ତ୍ରିରଙ୍ଗା ଧରି ବିଜୟ ନାରା ଲଗାଇଲେ । ବେଙ୍ଗାଲୁରୁରେ କାଫେ ଓ ପବ୍ଲିକ୍ ସ୍କ୍ରିନରେ ଲୋକେ ମ୍ୟାଚ୍ ଦେଖୁଥିଲେ। ବିଜୟ ପରେ ସବୁଠି ଆରମ୍ଭ ହୋଇଗଲା ଉତ୍ସବ। ବିସିସିଆ, ବିଜେତା ଟିମ୍ ଇଣ୍ଡିଆକୁ ୫୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି। ବିଜୟ ପରେ ଭାରତର ଏ ଝିଅମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
📱 Get Argus News App
✨Related Topics
Explore more stories