ଭାରତରେ ଆଉ ଡିଜେଲ୍ କି ଇଲେକ୍ଟ୍ରି ନୁହେଁ, ଏହି ରୁଟ୍ରେ ଚାଲିବ ଗ୍ୟାସ ଟ୍ରେନ୍; ଜାଣନ୍ତୁ କେଉଁଠି ?

ଭାରତରେ ଖୁବ୍ଶୀଘ୍ର ଡିଜେଲ ଏବଂ ବିଦ୍ୟୁତ୍ ବିନା ଟ୍ରାକରେ ଗଡ଼ିବ ଟ୍ରେନ୍ । କେନ୍ଦ୍ର ସରକାର ଦୀର୍ଘ ଦିନ ଧରି ଯେଉଁ ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି, ସେଇ ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି । ଦେଶରେ ଖୁବ୍ଶୀଘ୍ର ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଟ୍ରେନ୍ ଆରମ୍ଭ ହେବାକୁ ଯାଉଛି। ଏହି ଟ୍ରେନ୍ ମାର୍ଚ୍ଚ ୩୧ ସୁଦ୍ଧା ଟ୍ରାକରେ ଗଡ଼ିବ ବୋଲି ଆଶା ରହିଛି । ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଟେକ୍ନୋଲୋଜି ପ୍ରୟୋଗ ହେବା ପରେ, ଭାରତ ଗ୍ରୀନ୍ ମୋବିଲିଟି କ୍ଷେତ୍ରରେ ବିଶ୍ୱରେ ଆଗରେ ଥିବା ଦେଶଗୁଡ଼ିକ ତାଲିକାରେ ହେବ । ଏହି ତାଲିକାରେ ଜର୍ମାନୀ, ଫ୍ରାନ୍ସ, ଚୀନ୍ ଏବଂ ୟୁନାଇଟେଡ୍ କିଙ୍ଗଡମ୍ ଭଳି ଦେଶ ରହିଛନ୍ତି।
ରେଳ ମନ୍ତ୍ରଣାଳୟ ୨୦୨୩-୨୪ରେ ୩୫ଟି ହାଇଡ୍ରୋଜେନ୍ ଇନ୍ଧନ ସେଲ୍-ଆଧାରିତ ଟ୍ରେନ୍ ନିର୍ମାଣ ପାଇଁ ୨୮୦୦ କୋଟି ଟଙ୍କାର ବଜେଟ୍ ସ୍ଥିର କରିଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅନୁଯାୟୀ, ଏହି ଟ୍ରେନ୍ର ସମ୍ପୂର୍ଣ୍ଣ ଡିଜାଇନ୍ ଏବଂ ପ୍ରଯୁକ୍ତିବିଦ୍ୟା ଭାରତରେ ହିଁ ବିକଶିତ ହୋଇଛି।
ଭାରତରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳ ଉପରେ ଆଧାରିତ ହେବ। ଏହାକୁ ଚେନ୍ନାଇର ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି (ICF)ରେ ତିଆରି କରାଯାଉଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ଉତ୍ତର ରେଳବାଇର ଦିଲ୍ଲୀ ଡିଭିଜନର ଜିନ୍ଦ-ସୋନିପତ ରୁଟ୍ରେ ଚଳାଇବାକୁ ନିଷ୍ପତ୍ତି ହୋଇଛି। ଏହି ଟ୍ରେନର ଶକ୍ତି କ୍ଷମତା ୧୨୦୦ ହର୍ସପାୱର୍ (HP) ହେବ, ଯାହା ଅନ୍ୟ ଦେଶରେ ଚାଲୁଥିବା ହାଇଡ୍ରୋଜେନ୍ ଟ୍ରେନର ଶକ୍ତିର ଦୁଇଗୁଣ। ଏହି ଟ୍ରେନ୍ ହାଇଡ୍ରୋଜେନ୍ ଏବଂ ଅମ୍ଳଜାନର ମିଶ୍ରଣରୁ ବିଦ୍ୟୁତ୍ ଉତ୍ପାଦନ କରିବ, ଯାହା କେବଳ ଜଳୀୟ ବାଷ୍ପ ନିର୍ଗତ କରିବ, ଅର୍ଥାତ୍ ଏହା ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ ହେବ। ଯଦି ଏହି ପରୀକ୍ଷଣ ସଫଳ ହୁଏ, ତେବେ ଭାରତୀୟ ରେଳବାଇ, ପ୍ରଦୂଷଣ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ଏହି ପ୍ରକଳ୍ପ ଅଧୀନରେ ହାଇଡ୍ରୋଜେନ ରିଫିଲିଂ ପାଇଁ ରେଳବାଇ ଏକ ସ୍ୱତନ୍ତ୍ର ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ କରୁଛି। ସରକାରଙ୍କ କହିବାନୁଯାୟୀ, ଏହା ବିଶ୍ୱର ସବୁଠାରୁ ଲମ୍ବା ହାଇଡ୍ରୋଜେନ୍ ଟ୍ରେନ ମଧ୍ୟରୁ ଅନ୍ୟତମ । ଖାଲି ସେତିକି ନୁହେଁ ଏହାର ଶକ୍ତି ମଧ୍ୟସର୍ବାଧିକ ହେବ। ଏହି ପଦକ୍ଷେପ ଭାରତରେ ସ୍ୱଚ୍ଛ ଏବଂ ସ୍ଥାୟୀ ପରିବହନକୁ ପ୍ରୋତ୍ସାହିତ କରିବ, ଯାହା ରେଳବାଇର କାର୍ବନ ଫୁଟପ୍ରିଣ୍ଟକୁ ହ୍ରାସ କରିବ ଏବଂ ପରିବେଶକୁ ମଧ୍ୟ ଫାଇଦା ଦେବ।