ବିନା ୟୁପିଏସସି ପରୀକ୍ଷାରେ ଆଇପିଏସ୍ ଅଫିସର

ଅର୍ଗସ ବ୍ୟୁରୋ: ଦିନେ ସିଏ ଦଶମ ପରୀକ୍ଷାରେ ଥାର୍ଡ ଡିଭିଜନ ପାଇଥିଲେ,ସମ୍ପର୍କୀୟଙ୍କଠାରୁ ଶୁଣୁଥିଲେ ତାଙ୍କଦ୍ବାରା ପାଠ ହୋଇପାରିବନି କି ପଢାଇ କିଛି ଲାଭ ବି ନାହିଁ। ଆଉ ଆଜି ସିଏ ବିନା ୟୁପିଏସସି ପରୀକ୍ଷାରେ ହୋଇଛନ୍ତି ଆଇପିଏସ୍ ଅଫିସର। ଘଟଣାଟି ନିହାତି ଭାବରେ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ। ଆମେ କହୁଛୁ ଉତ୍ତରପ୍ରଦେଶର ଜଣେ ଅବସରପ୍ରାପ୍ତ ଆଇପିଏସ ଅଫିସର ଅନୀଲ କୁମାର ରାୟଙ୍କ ବିଷୟରେ,ଯିଏ ନିଜ ପରିଶ୍ରମ ବଳରେ ତାହା କରିଦେଖାଇଲେ ଯାହା କେହି କଳ୍ପନା ମଧ୍ୟ କରିନଥିଲେ।
ତାଙ୍କୁ ଫିଲ୍ମ ଦେଖିବାର ବଡ ସଉକ ଥିଲା, ଗୋଟେ ପଟେ ଫିଲ୍ମ ରିଲିଜ୍ ହେଉଥିଲା ଆଉ ଗୋଟେ ପଟେ ପ୍ରଥମ ଦିନର ପ୍ରଥମ ସୋ ଦେଖିବା ପାଇଁ ସିନେମା ହଲ୍ ବାହାରେ ଠିଆ ହେଉଥିଲେ ଅନୀଲ। ପାଠ ପଢାରେ ବିଲକୁଲ ବି ଆଗ୍ରହ ନଥିଲା। କିନ୍ତୁ ବାପାଙ୍କ ଚାପ ଯୋଗୁଁ ସେ ସ୍କୁଲ ଯାଉଥିଲେ। କୌଣସି ପ୍ରକାରେ, ସେ ସେହି ଗାଁର ଜୁନିଅର ହାଇସ୍କୁଲରୁ ଅଷ୍ଟମ ଶ୍ରେଣୀ ପାସ୍ କରିଥିଲେ ଏବଂ ଯେତେବେଳେ ସେ ନବମ ଶ୍ରେଣୀରେ ପହଞ୍ଚିଲେ, ସେତେବେଳେ ତାଙ୍କ ପିତାଙ୍କୁ କାମ ହେତୁ ବାହାରକୁ ଯିବାକୁ ପଡିଲା । ରୋକିବାକୁ ଟୋକିବାକୁ ଆଉ କେହି ନଥିଲେ ଫଳସ୍ୱରୂପ ସେ ଦଶମରେ ତୃତୀୟ ଶ୍ରେଶୀରେ ପାସ୍ କରିଥିଲେ।
ସମ୍ପର୍କୀୟମାନେ ତାଙ୍କର ଥଟ୍ଟା କରିବାକୁ ଲାଗିଲେ କି ଅନୀଲଙ୍କ ଦ୍ବାରା ପାଠ ହେବନାହିଁ। କିନ୍ତୁ ତାଙ୍କ ପିତାଙ୍କର ତାଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା। ତାପରେ ତାଙ୍କ ବାପା ତାଙ୍କୁ ବୁଝାଇଲେ ଯେ ଯଦି ଜୀବନରେ ପରିବର୍ତ୍ତନ ଆଣିବାକୁ ଚାହୁଁଛ ତାହେଲେ ପାଠ ପଢିବାକୁ ପଡିବ। ପିତାଙ୍କ କଥା ତାଙ୍କ ହୃଦୟକୁ ସ୍ପର୍ଶ କଲା ଏବଂ ସେ ଦ୍ୱାଦଶରେ ସେକେଣ୍ଡ ଡିଭିଜନରେ ପାସ୍ କଲେ। ଏହାପରେ ଅନିଲଙ୍କ ପିତା ତାଙ୍କର ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ଆଡ଼ମିଶନ କରିଦେଲେ । 71 ପ୍ରତିଶତ ମାର୍କ ସହିତ ସେ ଗ୍ରାଜୁଏସନ ଶେଷ କଲେ। ପୋଷ୍ଟ ଗ୍ରାଜୁଏସନ ନିଜ ୟୁନିଭର୍ସିଟିରେ ଟପ୍ କଲେ। ସେଥିପାଇଁ ତାଙ୍କୁ ସ୍ୱର୍ଣ୍ଣ ପଦକରେ ସମ୍ମାନିତ କରାଯାଇଥିଲା। ଏହା ପରେ ଅନିଲ ପିଏଚଡି କରିବାକୁ ଚାହୁଁଥିଲେ, କିନ୍ତୁ ପାରିବାରିକ ପରିସ୍ଥିତି ଠିକ୍ ନଥିବା କାରଣରୁ ସେ କରିପାରିନଥିଲେ। ପରେ ସେ ୟୁଜିସି ଛାତ୍ରବୃତ୍ତି ପାଇଁ ଆବେଦନ କରିଥିଲେ କିନ୍ତୁ ଦଶମ ଶ୍ରେଣୀରେ କମ୍ ମାର୍କ ଥିବାରୁ ସେ ଛାତ୍ରବୃତ୍ତି ପାଇପାରିନଥିଲେ।
ଅନୀଲ ପିପିଏସ୍ ପରୀକ୍ଷା ଦେଇ ଡିଏସପି ପଦ ପାଇଁ ମନୋନୀତ ହୋଇଥିଲେ। ତା ପରେ ସେ ୟୁପିଏସସି ପରୀକ୍ଷା ଦେବାପାଇଁ ନିଷ୍ପତ୍ତି ନେଲେ। କିନ୍ତୁ ଏହି ସମୟ ମଧ୍ୟରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଗଲା ଏବଂ ପରିବାରର ସମସ୍ତ ଦାୟିତ୍ବ ଅନୀଲଙ୍କ କାନ୍ଧଉପରେ ପଡିଗଲା। ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ତାଙ୍କର ସ୍ୱପ୍ନ ଭାଙ୍ଗିଗଲା କିନ୍ତୁ ଡିଏସପି ପଦବୀରେ ରହି ତାଙ୍କ ଉତ୍ତମ କାମ ଯୋଗୁଁ 2002 ମସିହାରେ ତାଙ୍କୁ ଆଇପିଏସ୍ କ୍ୟାଡର ପ୍ରଦାନ କରାଯାଇଥିଲା। ଅନିଲ ରାୟ ଉତ୍ତରପ୍ରଦେଶର ବସ୍ତି ରେଞ୍ଜର ଆଇଜି ଏବଂ ପିଏସିର ଡିଆଇଜି ବି ଥିଲେ। ପୋଲିସ୍ ଫୋର୍ସରେ ତାଙ୍କର ସେବା ପାଇଁ ତାଙ୍କୁ ଦୁଇଥର ରାଷ୍ଟ୍ରପତିଙ୍କ ପୋଲିସ୍ ପଦକ ମଧ୍ୟ ପ୍ରଦାନ କରାଯାଇଥିଲା।
📱 Get Argus News App
✨ଏହାଥିଲା ଅନିଲ ରାୟଙ୍କ ସଫଳତାର କାହାଣୀ। ସେ ପ୍ରମାଣ କରିଛନ୍ତି ଯେ ପିତା ମାତାଙ୍କ ଆର୍ଶୀବାଦ ସହିତ କଠିନ ପରିଶ୍ରମ ବଳରେ ସବୁକିଛି ସମ୍ଭବ। ବାସ୍ ଏକ ପ୍ରେରଣାର ଆବଶ୍ୟକ ଯାହା ତାଙ୍କୁ ତାଙ୍କ ପିତାଙ୍କଠାରୁ ମିଳିଥିଲା।
ଅଧିକ ପଢନ୍ତୁ ଭାରତ ଖବର