ଜଙ୍ଗଲ ଜାଳୁଛି ପ୍ରେତାତ୍ମା ନା ଆଉ କିଏ?

ଅର୍ଗସ ବ୍ୟୁରୋ: ରାମାୟଣ ମହାକାବ୍ୟରେ ଯେତେବେଳେ ଲକ୍ଷ୍ମଣଙ୍କ ଜୀବନ ରକ୍ଷା ପାଇଁ ହନୁମାନ ସଞ୍ଜିବନୀ ଅନ୍ବେଷଣରେ ଯାଉଥିଲେ। ବୈଦ୍ୟ ସୁଶେଣ ହନୁମାନଙ୍କୁ ଅମୃତ ସଞ୍ଜିବନୀ ଚିହ୍ନିବାରେ ସହଜ ମାର୍ଗଟିଏ ବତାଇ ଦେଇଥିଲେ। ସୁଶେଣ କହିଥିଳେ ରାତି ଅନ୍ଧକାରରେ ଚମକୁଥିବ ଉଦ୍ଭିଦଟି ହିଁ ସଞ୍ଜିବନୀ ହୋଇଥିବ। କିନ୍ତୁ ହନୁମାନ, ଗନ୍ଧମାର୍ଦ୍ଦନ ପର୍ବତରେ ପହଞ୍ଚି ଦେଖିଥିଲେ ଯେ ସେଠାରେ ପ୍ରାୟତଃ ସମସ୍ତ ଉଦ୍ଭିଦ ରାତିରେ ଚମକୁଛନ୍ତି। ଏଣୁ ସଞ୍ଜିବନୀ ଚିହ୍ନି ପାରିଲେନି ସମୟ ଅଭାବରୁ ସେ ପୁରା ପର୍ବତ ଉଠାଇ ଆଣିଥିଲେ। ଏହା ତ ଥିଲା ରାମାୟଣର କଥା।
ଆମେ ଆଜି ସଞ୍ଜିବନୀ କଥା କହିବାର କାରଣ ରହିଛି। ହଲିଉଡ ମୁଭି ନିର୍ମାତା ଜେମସ କ୍ୟାମେରନଙ୍କ ବହୁଚର୍ଚ୍ଚିତ ମୁଭି `ଅବତାର'ରେ ମଧ୍ୟରାତ୍ରିରେ ଚମକୁଥିବା ଉଦ୍ଭିଦଙ୍କ ସମ୍ପର୍କରେ ଉପସ୍ଥାପିତ କରାଯାଇଛି। ହେଲେ ରାତିରେ ଚମକୁଥିବା ଉଦ୍ଭିଦ!
ଏହା କଣ ସତରେ ରହିଛି? କି ଏହା କେବଳ ଏକ କଳ୍ପନା ମାତ୍ର? ଏହାର ଉତ୍ତର ହେଲା ନା।
ଏହା କଳ୍ପନା ନୁହେଁ ସତ। ରାତିରେ ଚମକୁଥିବା ଜଙ୍ଗଲ ଭାରତରେ ବି ରହିଛି। ପଶ୍ଚିମଘାଟ ଜଙ୍ଗଲରେ ରାତିରେ ଚମକୁଥିବା ଉଦ୍ଭିଦ ଦେଖିବାକୁ ମିଳିଛି। ଜୁନରୁ ଅକ୍ଟୋବର ମାସ ମଧ୍ୟରେ ଗୋଆ, ମହାରାଷ୍ଟ୍ର ରାଜ୍ୟକୁ ଗଲେ ଆପଣ ଏଭଳି ରାତିରେ ଚମକୁଥିବା ଗଛ ନିଜ ଆଖିରେ ଦେଖି ପ୍ରକୃତିର ଯାଦୁକାରୀ ଉପଭୋଗ କରିପାରିବେ।
📱 Get Argus News App
✨ଗୋଆସ୍ଥିତ ଭଗବାନ ମହାବୀର ବନ୍ୟଜନ୍ତୁ ଅଭୟାରଣ୍ୟକୁ ଯାଇ ଏହି ଦୃଶ୍ୟ ଉପେଭାଗ କରିପାରିବେ। ମୌସୁମୀ ଋତୁରେ ପଶ୍ଚିମଘାଟ ଜଙ୍ଗଲ ବର୍ଷାରେ ସମ୍ପୂର୍ଣ୍ଣ ଭିଜିଯାଇଥାଏ। ଦିନରେ ଗଲେ ଏହି ଜଙ୍ଗଲରେ ସେମିତି କିଛି ବି ଅସ୍ବାଭାବିକ ଓ ଅସାଧାରଣ ଦେଖାଯିବ ନାହିଁ। କିନ୍ତୁ ରାତିରେ ଏହି ଜଙ୍ଗଲରେ ପ୍ରକୃତିର ଯାଦୁ ଦେଖିବାକୁ ମିଳେ। ଏହି ଜଙ୍ଗଲରେ ମାଇସେନା ନାମକ ବହୁ ଛୋଟ ଛୋଟ ଛତୁ ଗୋଟିଏ ସ୍ଥାନରେ ଗଦା ହୋଇ ଫୁଟିଥାନ୍ତି। ରାତିରେ ବାୟୁମଣ୍ଡଳରେ ପ୍ରଚୁର ପରିମାଣରେ ଜଳକଣାର ଉପସ୍ଥିତି ଯୋଗୁ ଆର୍ଦ୍ରତା ବଢ଼ିଥାଏ। ଆର୍ଦ୍ରତା ସଂସ୍ପର୍ଶରେ ଆସି ଏହି ଛତୁ ଗୁଡ଼ିକ ରାତିରେ ଚମକିବା ଆରମ୍ଭ କରଥାନ୍ତି। ଫଳରେ ପୁରା ଜଙ୍ଗଲ ଚମକିବା ଭଳି ଦେଖିବାକୁ ମିଳେ।
ତେବେ ଏଭଳି ଚମକିବା ପ୍ରକ୍ରିୟାକୁ ବାୟୋଲ୍ୟୁମିନିସେସ କୁହାଯାଇଥାଏ। ସେଥିପାଇଁ ମନସୁନ ସିଜନରେ ପ୍ରକୃତିର ଏହି ଯାଦୁକୁ ଦେଖିବାକୁ ମହାରାଷ୍ଟ୍ର ଏବଂ ଗୋଆ ଲୋକେ ପ୍ରାୟତଃ ପିକନିକରେ ରିସର୍ଟକୁ ଯାଇଥାନ୍ତି ଏବଂ ଏହି ଜଙ୍ଗଲର ମଜା ନେଇଥାନ୍ତି। ସତରେ କେବେ ଯଦି ଆପଣ ଯାଆନ୍ତି ନିଶ୍ଚୟ ପ୍ରକୃତିର ଏହି ନିଆରା ଦୃଶ୍ୟକୁ ଉପଭୋଗ କରିପାରିବେ।
ଅଧିକ ପଢ଼ନ୍ତୁ ଭାରତ ଖବର