Videos
|
National

ପାଲେଷ୍ଟାଇନ୍‌ର ଚାଲାକି... କାମ ଦେବ କହି ଡାକିଲା, ବନ୍ଧକ ରଖି ନେଇଗଲା ଭାରତୀୟଙ୍କ ପାସପୋର୍ଟ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ପାଲେଷ୍ଟାଇନ୍‌ର ଚାଲାକି... କାମ ଦେବ କହି ଡାକିଲା, ବନ୍ଧକ ରଖି ନେଇଗଲା ଭାରତୀୟଙ୍କ ପାସପୋର୍ଟ

ପ୍ରାୟ ଦେଢ଼ ବର୍ଷ ହେବ ଇସ୍ରାଏଲ୍-ହମାସ୍ ଯୁଦ୍ଧ ଲାଗି ରହିଥିବା ବେଳେ ସାମ୍ନାକୁ ଆସିଛି ପାଲେଷ୍ଟାଇନ୍‌ର ଆଉ ଏକ ବଡ଼ କାରନାମା । ଭାରତୀୟଙ୍କୁ କାମର ପ୍ରଲୋଭନ ଦେଖାଇ ପାଲେଷ୍ଟାଇନ୍‌ ରଚିଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ହୋଇଛି । ୱେଷ୍ଟବ୍ୟାଙ୍କରେ ବନ୍ଧକ ଥିବା ୧୦ ଜଣ ଭାରତୀୟ ଶ୍ରମିକଙ୍କୁ ଉଦ୍ଧାର କରିଛି ଇସ୍ରାଏଲ୍ ଡିଫେନ୍ସ ଫୋର୍ସ । ଆଇଡିଏଫ୍ ସହାୟତାରେ ବନ୍ଧକ ଭାରତୀୟ ମୁକୁଳିବା ପରେ ଧରା ପଡ଼ିଛି ପାଲେଷ୍ଟାଇନ୍‌ର ଚାଲ୍ ଓ ଚାଲାକି ।


୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ୍‌ରେ ପଶି ଆକ୍ରମଣ କରେ ହମାସ୍ । ଆଉ ତୁରନ୍ତ ପାଲେଷ୍ଟାଇନ୍ ଉପରେ ପାଲଟା ଆକ୍ରମଣ ଓ ଯୁଦ୍ଧଦେହିଂ ଡାକରା ଦିଅନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ । ଇସ୍ରାଏଲ୍-ହମାସ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୁଏ, ବିଦେଶୀ ନାଗରିକ ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ଛାଡ଼ି ସ୍ଵଦେଶ ଫେରନ୍ତି । ସେପଟେ ଯୁଦ୍ଧ ଯୋଗୁଁ ପାଲେଷ୍ଟାଇନ୍ ନାଗରିକଙ୍କ ୱାର୍କ ପରମିଟ୍ ରଦ୍ଦ କରେ ଇସ୍ରାଏଲ୍ । ଫଳରେ ଇସ୍ରାଏଲ୍‌ରେ ଶ୍ରମିକ ଅଭାବ ଆହୁରି ବଢ଼ିଯାଏ । ଆଉ ଏହାରି ସୁଯୋଗ ନିଏ ପାଲେଷ୍ଟାଇନ୍...


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିର୍ମାଣ କାମ ସହ ଅଧିକ ଟଙ୍କାର ଲୋଭ ଦେଖାଏ । ଆଉ ଯେଉଁଥିରେ ଫସି ଯାଆନ୍ତି ଏକାଧିକ ଭାରତୀୟ । କାମ ଆଶାରେ ୱେଷ୍ଟବ୍ୟାଙ୍କ ଯାଆନ୍ତି । ଆଉ ସେଠାରେ ସେମାନଙ୍କୁ ବନ୍ଧକ ରଖି ପାସପୋର୍ଟ ଛଡ଼ାଇ ନିଏ ପାଲେଷ୍ଟାଇନ୍ । ଏଭଳି ଭାବେ ପାଲେଷ୍ଟାଇନ୍‌ରେ ଅପହରଣର ଶିକାର ୧୦ ଭାରତୀୟ ଶ୍ରମିକଙ୍କୁ ଇସ୍ରାଏଲ୍ ସେନା ଉଦ୍ଧାର କରିଛି । ମାର୍ଚ୍ଚ ୬ ତାରିଖ ରାତି ସାରା ଆଇଡିଏଫ୍ ଅପରେସନ୍ ଚଳାଇବା ପରେ ମୁକୁଳିଛନ୍ତି ୧୦ ଭାରତୀୟ ।


ମିଳିଥିବା ସୂଚନା ଅନୁସାରେ, ୧୦ ଭାରତୀୟଙ୍କୁ ଏକ ଗାଁରେ ବନ୍ଧକ ରଖିଥିଲା ପାଲେଷ୍ଟାଇନ୍ । ବନ୍ଧକ ଭାରତୀୟଙ୍କ ପାସପୋର୍ଟ ନେଇ ପାଲେଷ୍ଟାଇନ୍ ନାଗରିକ ଇସ୍ରାଏଲ୍‌ରେ ପ୍ରବେଶ ପ୍ରୟାସ ମଧ୍ୟ କରିଥିଲେ । ଇସ୍ରାଏଲ୍ କେତେକ ଚେକ୍ ପଏଣ୍ଟ ପାର୍ କରିବା ପରେ ଆଇଡିଏଫ୍‌କୁ ସନ୍ଦେହ ହୋଇଥିଲା । ଆଉ ଯାଞ୍ଚ ପରେ ଜଣାପଡ଼ିଥିଲା ପାଲେଷ୍ଟାଇନ୍‌ର ଚକ୍ରାନ୍ତ । ଏହାପରେ ଆଇଡିଏଫ୍ ବନ୍ଧକ ଭାରତୀୟଙ୍କୁ ମୁକୁଳାଇଛି ।


ଏନେଇ ଇସ୍ରାଏଲ୍, ଭାରତୀୟ ଦୂତାବାସକୁ ସୂଚନା ଦେଇଛନ୍ତି । ଏବେ ମାମଲାର ତଦନ୍ତ ଚାଲିଛି । ଭାରତୀୟ ଦୂତାବାସ ମଧ୍ୟ ଇସ୍ରାଏଲ୍ ସମ୍ପର୍କରେ ରହିଛି । ଇସ୍ରାଏଲ୍ ଅନୁସାରେ, ୨୦୨୩ ମେରେ ଦୁଇ ଦେଶ ମଧ୍ୟରେ ଏକ ଶ୍ରମ ଚୁକ୍ତି ହୋଇଥିଲା । ଗତ ବର୍ଷକରେ ପ୍ରାୟ ୧୬ ହଜାର ଭାରତୀୟ ନିର୍ମାଣ କାର୍ଯ୍ୟ ଲାଗି ଇସ୍ରାଏଲ୍ ଯାଇଛନ୍ତି । ତେବେ ୱେଷ୍ଟବ୍ୟାଙ୍କରେ ମୋଟ କେତେଜଣ ଭାରତୀୟ ଏଭଳି ଭାବେ ପାଲେଷ୍ଟାଇନ୍‌ର ଚକ୍ରବ୍ୟୁହରେ ଫସିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ ।