Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ISRO: ଛୋଟିଆ ହୋପ୍‌ ଷ୍ଟେସନ୍‌ରେ ରହିଛି ସବୁ ସୁବିଧା

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
ISRO: ଛୋଟିଆ ହୋପ୍‌ ଷ୍ଟେସନ୍‌ରେ ରହିଛି ସବୁ ସୁବିଧା

Key Points

ଭବିଷ୍ୟତରେ ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହକୁ ଭାରତର ଅଭିଯାନ ପାଇଁ ଏହି ଷ୍ଟେଶନରେ ପ୍ରସ୍ତୁତି ହେବ।

ଗତ ୩୧ ତାରିଖରେ ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ ହୋପ୍ ଷ୍ଟେଶନର ଉଦ୍‌ଘାଟନ କରିଛନ୍ତି ।

ଏଥର ଲଦାଖରୁ ହେବ କାମ । କୁନି ହୋପ୍‌ ଷ୍ଟେସନରୁ ରିସର୍ଚ୍ଚ କରିବେ ବୈଜ୍ଞାନିକ । କାରଣ ଲଦାଖର ପରିବେଶ ହେଉଛି ସବୁଠୁ ନିଆରା । ଲଦାଖର ଜଳବାୟୁ ଖୁବ୍‌ ଭିନ୍ନ । ତେଣୁ ISRO ବୈଜ୍ଞାନିକମାନେ ନିଷ୍ପତ୍ତି ନେଲେ ସେଇଠୁ ହିଁ ମଙ୍ଗଳ ଗ୍ରହକୁ ଯିବା ପାଇଁ ଖୋଜିବେ ବାଟ ।


ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଲଦାଖର ସୋ କର୍ ଉପତ୍ୟକାରେ ହିମାଲୟାନ ଆଉଟପୋଷ୍ଟ ଫର୍ ପ୍ଲାନେଟାରୀ ଏକ୍ସପ୍ଲୋରେଶନ (ହୋପ୍) ଷ୍ଟେଶନ ସ୍ଥାପନ କରିଛି। ଭାରତର ମହାକାଶ ଗବେଷଣା କ୍ଷେତ୍ରରେ ଏହା ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଉପତ୍ୟକାର ୪,୫୩୦ ମିଟର ଉଚ୍ଚ, ଥଣ୍ଡା ମରୁଭୂମି, ନିମ୍ନ ବାୟୁଚାପ, ଉଚ୍ଚ ଅଲଟ୍ରା ଭାୟୋଲେଟ ବିକିରଣ ଆଦି ମଙ୍ଗଳ ଗ୍ରହ ପରି ପରିବେଶ ମଧ୍ୟରେ ହୋପ୍ ଷ୍ଟେଶନକୁ ସ୍ଥାପନ କରାଯାଇଛି।

ଭବିଷ୍ୟତରେ ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହକୁ ଭାରତର ଅଭିଯାନ ପାଇଁ ଏହି ଷ୍ଟେଶନରେ ପ୍ରସ୍ତୁତି ହେବ। ମହାକାଶଚାରୀମାନେ ସମ୍ମୁଖୀନ ହେଉଥ‌ିବା ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ପରୀକ୍ଷା ପାଇଁ ସୋ କର ଉପତ୍ୟକା ଏକ ଆଦର୍ଶ ସ୍ଥାନ ହୋଇଥ୍‌ବା ଇସ୍ରୋ କହିଛି। ଗତ ୩୧ ତାରିଖରେ ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ ହୋପ୍ ଷ୍ଟେଶନର ଉଦ୍‌ଘାଟନ କରିଛନ୍ତି । ଅନେକ ଶ୍ରେଷ୍ଠ ଗବେଷଣା ପ୍ରତିଷ୍ଠାନଗୁଡ଼ିକର ସମର୍ଥନରେ ଇସ୍ରୋର ମାନବ ମହାକାଶ ଉଡ଼ାଣ କେନ୍ଦ୍ର ଦ୍ବାରା ଏହି ଷ୍ଟେଶନ ପରିଚାଳିତ ହେବ। ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହରେ ଜୀବସତ୍ତାର ସନ୍ଧାନ ସମ୍ପର୍କରେ ମଧ୍ୟ ହୋପ୍ ଷ୍ଟେଶନ ଅଧ୍ୟୟନ କରିବ।

ହୋପ୍ ଷ୍ଟେଶନ ୨ଟି ମଡ୍ୟୁଲକୁ ନେଇ ଗଠିତ। ଏଠାରେ କ୍ରିଉଙ୍କ ପାଇଁ ଗୋଟିଏ ୮ ମିଟର ଚଉଡ଼ାର ରହଣି ସ୍ଥାନ ରହିଥ‌ିବା ବେଳେ ଆବଶ୍ୟକ ଉପକରଣ ଏବଂ ସିଷ୍ଟମଗୁଡ଼ିକୁ ରଖିବା ପାଇଁ ୫ ମିଟର ଚଉଡ଼ାର ସ୍ଥାନ ରହିଛି। ରୋଷେଇ ଘର, ସାନିଟାରି ବ୍ୟବସ୍ଥା, ଆଲୋକୀକରଣ ପରି ସୁବିଧା ସହ ଭାରତର ପରବର୍ତ୍ତୀ ମହାକାଶ ମିଶନ ପାଇଁ ବିଭିନ୍ନ ପରୀକ୍ଷଣ କରିବାକୁ ଏହି ଷ୍ଟେଶନକୁ ଡିଜାଇନ କରାଯାଇଛି।

ଅଗଷ୍ଟ ୧ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ହୋପ୍ ଷ୍ଟେଶନରେ ଏକ ୧୦ ଦିନିଆ ଟ୍ରାଏଲ ମିଶନ ଅନୁଷ୍ଠିତ ହେଉଛି, ଯେଉଁଥିରେ ୨ ଜଣ କ୍ରିଉ ସଦସ୍ୟ ଷ୍ଟେଶନ ଭିତରେ ରହି କମ୍ ଅମ୍ଳଜାନ, ପୃଥକୀକରଣ ଆଦି ବିଭିନ୍ନ ବିପରୀତ ପରିବେଶରେ ମଣିଷର ଶାରୀରିକ, ମାନସିକ ପ୍ରତିକ୍ରିୟାର ପରୀକ୍ଷଣ କରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ISRO launches HOPE station in Ladakh to simulate life on Moon and Mars | Argus News